ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ । କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି । ବିଭିନ୍ନ ସାକ୍ଷାତକାରରେ ଏବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ । ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି; ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ ।
ସବୁ ସତ୍ତ୍ୱେ ଓଡ଼ିଆ ଭାଷାରେ ଏବେ ଉପନ୍ୟାସ ରଚନା ଏକ ସଂକଟାପନ୍ନ ସ୍ଥିତିରେ ଗତି କରୁଛି ବୋଲି ମାନିନେବାକୁ ପଡ଼ିବ । ଏହା ପଛରେ ଯେଉଁ କାରଣଟିକୁ ସବୁଠୁ ବଡ଼ ମନେ କରାଯାଉଛି, ତାହା ହେଲା ଆଜିର ଦ୍ରୁତ ଜୀବନଧାରା । ଏଭଳି ଏକ ସମୟରେ ଆମେ ପହଞ୍ଚି ସାରିଛେ, ଯେଉଁ ସମୟରେ କେହି କାହା କଥା ଶୁଣିବାକୁ ବେଳ ନାହିଁ । ଆଗ ପରି ଏବେ ଆଉ ଉପନ୍ୟାସ ଲେଖା ହେଉନାହିଁ । ଚରିତ୍ରମାନେ କ’ଣ କୁଆଡ଼େ ଛୁଟିଦିନ କଟାଇବାରେ ବ୍ୟସ୍ତ ନା ଘଟଣାସବୁ ଗର୍ହାଜିର୍ ? ହଁ, ପରିବେଶରେ ଅବଶ୍ୟ ଅନେକଟା ଅଦଳବଦଳ ।
ମେସିନ୍ ବିସ୍ଥାପିତ କରିଛି ମଣିଷକୁ – ତା’ ନିଜ ମନ-ପ୍ରାଣ-ଆତ୍ମାର ଏକଦା- ଅନ୍ତରଙ୍ଗ ଇଲାକାରୁ । ଶିଳ୍ପ ପ୍ରସାଧିତ ସଭ୍ୟତା ଆଜି କଳାକନା ବୁଲାଇସାରିଛି କୃଷିଭିତିକ ସଂସ୍କୃତି ଓ ମୂଲ୍ୟବୋଧର ଯୌଥ ଜୀବନକ୍ଷେତ୍ରରେ । ବହିଃପ୍ରକୃତିର ବିକୃତୀକରଣ ପାଛୋଟି ଆଣିଛି ପ୍ରଦୂଷଣ, ଯାହାର ପ୍ରତୀକ କଳାଧୂଆଁ ଅନ୍ତଃପ୍ରକୃତିର ଉଚ୍ଛେଦୀକରଣ ଡାକିଆଣିଚି ବିସ୍ଫୋରିତ ସାମାଜିକ ବ୍ୟବଧାନ, ଯାହାର ସଙ୍କେତ କଳାଧନ । ବ୍ୟବସ୍ଥାକୁ ବଦଳାଇବାର ଆସ୍ଥା ଯେଉଁମାନଙ୍କ ଉପରେ, ସେଇ ଯୁବପିଢ଼ି ଆଜି ଚକ୍ରବ୍ୟୂହସ୍ଥ ଅଭିମନ୍ୟୁର ଦଳ । ମତଲବୀ ମହାରଥୀମାନଙ୍କ ମଇଦାନ ମଝିରେ !
ଯେତେବେଳେ କୁରୁକ୍ଷେତ୍ର ପାଲଟିଯାଇଥିଲା ଯୁଦ୍ଧକ୍ଷେତ୍ର, ସେତେବେଳେ ମହାଭାରତ ଲେଖାଯାଇପାରିଥିଲା । ଏହି ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିବାର ପ୍ରେରଣା ଦେଇଥିଲା ଏ ମହାକାବ୍ୟ । ଅଥଚ ତା’ଠାରୁ ଆହୁରି ଭୟାବହ ଏକ ପରିବେଶ ସମ୍ପ୍ରତି ସୃଷ୍ଟି ହୋଇସାରିଥିଲେ ହେଁ ଉପନ୍ୟାସର ଯୁଗାନ୍ତର କାହିଁକି ଏବେ ମଧ୍ୟ ଏକ ପ୍ରଶ୍ନବାଚୀ ?
କ’ଣ ସମୟ ନାହିଁ ? ଆମ ପାଠକମାନଙ୍କର ପଢ଼ିବା ପାଇଁ ସମୟ ଥାଉ କି ନ ଥାଉ, କିନ୍ତୁ ଆମ ଲେଖକମାନଙ୍କର କ’ଣ ଲେଖିବା ପାଇଁ ସମୟ ନାହିଁ ? ଗୀତ, କବିତା, ଗପ, ନାଟକ, ନିବନ୍ଧ, ପାଠ୍ୟପୁସ୍ତକ ଲେଖିବା ପାଇଁ ସମୟ ଅଛି, ହେଲେ ଉପନ୍ୟାସ ଲେଖିବା ପାଇଁ ସମୟ ନାହିଁ ଏବେ ? ଉପନ୍ୟାସ ହେଉଛି ମହାଜୀବନ ପ୍ରବାହର ମର୍ମାନୁବାଦ ।
ଆମ ଭାଷାରେ ବର୍ତ୍ତମାନ ଉପନ୍ୟାସର ଏହି ଅନଟନ ନିଶ୍ଚିତରୂପେ ଏକ ଉଦ୍ବେଗଜନକ ବିଷୟ । ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିବାର ମାତ୍ର କେତେ ବର୍ଷେ ପୂରୁ ନ ପୂରୁଣୁ ଯଦି ଏହା ହିଁ ଏବେ ଅବସ୍ଥା, ଆଗକୁ ତା’ହେଲେ ଏକ ଉପନ୍ୟାସହୀନ ସାହିତ୍ୟକୁ ମଞ୍ଚ ଆଗରେ ଛିଡ଼ା କରାଇ କି ଆଶା ଆଉ ବାନ୍ଧିବା ଆମେ ? ନୂଆ ଚରିତ୍ର, ନିଆରା ଘଟଣା, ନୁଖୁରା ପରିବେଶ – ଉପନ୍ୟାସର ଯୁଗାନ୍ତର ପାଇଁ ଯଥାର୍ଥରେ ଗୋଟିଏ ଗୋଟିଏ ଅନ୍ତର୍ଭେଦୀ ଆହ୍ୱାନ ନୁହେଁ କି ?
ସମୟ ଥିଲା, ସମୟ ଅଛି, ସମୟ ଥିବ । ନ ଥିବ ବୟସ, ନ ଥିବ କୃଷ୍ଣକେଶ, ନ ଥିବ ସୁଖଦୁଃଖରେ ସମଭାଗୀ ନିହାତି ନିକଟର ମଣିଷ । ଥିବ ନିରବଧି କାଳ, ନ ଥିବ କିନ୍ତୁ ଭାବିବସିଥିବାକୁ ଆଉଘଡ଼ିଏ ବେଳ – ଜୀବନର ଗୁଡ଼ିଏ ଗୁମର ଭିତରୁ ଏମିତି ଗୋଟିଏ ଯୋଡ଼ିଏ କଥା ମନେ ପକାଇଦେଲେ ହିଁ ଯଥେଷ୍ଟ, ଯାହା ଆମକୁ ସୂଚାଇଦେଇଥାଏ ହାତଗଣତି କେତୋଟି ଉପନ୍ୟାସ । ସୂଚନା କ’ଣ ଦିଏ କେବଳ ? ଦିଏ ଚେତନା, ଦିଏ ପ୍ରେରଣା, ଦିଏ ନବଜୀବନର ନିର୍ଦ୍ଦେଶନା ବି ।
ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ । ସମସ୍ତେ ପ୍ରେମଚନ୍ଦ୍ ହୋଇପାରନ୍ତି ନାହିଁ କି ଫକୀରମୋହନ । ସମସ୍ତେ ଶରତଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ । ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ୍ ଟମ୍ସ୍ କ୍ୟାବିନ୍ ନା କ୍ରାଇମ୍ ଏଣ୍ଡ୍ ପନିଶ୍ମେଂଟ୍ ? ମହାନ୍ ଲେଖକମାନେ ଯେମିତି ସବୁଦେଶର, ମହତର କୃତିଗୁଡ଼ିକ ବି ସେମିତି ସବୁ କାଳର । ସମସ୍ତେ ସେମାନେ ବରଣୀୟ । ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ ।
ସେମାନେ ବଜାରର ହଜାରଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତଃପୁରୁଷର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ । ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ – ଅନ୍ତତଃ ଏତିକି ମନେ ରହିପାରିଲେ ଭଲ ।
ଶରତଚନ୍ଦ୍ର କହିଥିଲେ, ‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା ।’ କେଡ଼େ ବଡ଼ କଥାଟାଏ ! ଏଇ ଦୃଷ୍ଟିରୁ କୁହାଯାଇପାରେ, ବୁନ୍ଦାଏ ରକ୍ତରେ ମନର ମଣିଷ ପାଖକୁ ହୁଏତ ଦସ୍ତଖତଟିଏ ପଠାଇଦେଇହୁଏ, କିନ୍ତୁ ବୋତଲେ କାଳିରେ ପାଠକପାଠିକାଙ୍କ ହାତପାଆନ୍ତାକୁ ଉପନ୍ୟାସଟିଏ ବଢେଇ ଦେଇହୁଏନା । ସମୟ ଥିଲେ ଯେ ଉପନ୍ୟାସ ଲେଖିଦେଇହେବ, ତା’ ବି ହଲପ୍ କରି କୁହାଯାଇନପାରେ । ଏ କଥା ମଧ୍ୟ କେବେକେବେ ଶୁଣିବାକୁ ମିଳିଥାଏ ଯେ କୌଣସି ଲେଖକ ଉପନ୍ୟାସଟିଏ ଲେଖିବେ ବୋଲି ଛୁଟି ନେଇ ଘରୁ ଚାଲିଯାଇଛନ୍ତି ବାହାରକୁ । କିନ୍ତୁ କିଛିଦିନ ପରେ ଫେରିଛନ୍ତି ଉପନ୍ୟାସ ବଦଳରେ ଖଣ୍ଡେ ଅସଜଡ଼ା ଭ୍ରମଣ ବୃତ୍ତାନ୍ତ ଲେଖି !
ଏମିତି ବି ହୁଏ । ଲେଖକ ଯାହା ଲେଖିବାକୁ ଲକ୍ଷ୍ୟ ରଖିଥାନ୍ତି, ତା’ ବଦଳରେ ତାଙ୍କୁ ମିଳିଥାଏ ପୃଥକ୍ ପଦାର୍ଥ । କଲମ୍ବସ୍ ଭାରତ ଆବିଷ୍କାରରେ ବାହାରି ଆମେରିକାରେ ପହଞ୍ଚିଗଲା ପରି କଥା ଇଏ । ଶରତଚନ୍ଦ୍ରଙ୍କ ସମ୍ପର୍କରେ ଶୁଣାକଥାଟିଏ ଭାରି ଲୋକପ୍ରିୟ ।
କରଜଭାରରୁ କିଛିଟା ନିସ୍ତାର ପାଇବା ପାଇଁ ଟଙ୍କା ଦରକାର ଥିଲା ତାଙ୍କର । ପ୍ରକାଶକ ମହୋଦୟ ତାଙ୍କୁ ପ୍ରତିଶ୍ରୁତି ଦେଲେ, ଲୋଡୁଥିବା ଟଙ୍କା ତାଙ୍କ ହାତକୁ ଯିବା ପାଇଁ ଅପେକ୍ଷା କରି ରହିଛି, ହେଲେ ତାଙ୍କଠୁ ଗୋଟିଏ ଉପନ୍ୟାସ ପ୍ରକାଶକ ହାତେଇସାରିଲା ପରେ । ଶରତଚନ୍ଦ୍ର ରାଜି ହେଲେ । ସକାଳୁ ସେ ଗୋଟିଏ ବଖରା ଭିତରେ ରହି ପ୍ରକାଶକଙ୍କ ପାଖରୁ କାଗଜ କଲମ, ଖାଦ୍ୟପାନୀୟ ମଗାଇସାରିବା ପରେ ବାହାରୁ ତାଲା ପକାଇଦେବାକୁ କହିଲେ । ତା’ପରେ କହିଲେ , କାଲି ସକାଳୁ ଆସି କବାଟ ଫିଟାଇବ ନଭେଲ୍ଟା ନେଇଯିବ !
ଏହି ବିଚିତ୍ରମନା ଲେଖକଙ୍କୁ ପ୍ରକାଶକ କେମିତି ଟିକିଏ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପଛେଇ ପଛେଇ ବଖରା ଭିତରୁ ବାହାରିଆସିଲେ । ମନେମନେ ଭାବୁଥିଲେ, ନିଶାପାଣି ଅଭ୍ୟାସଟା ବୋଧହୁଏ ଏଇମାତ୍ର ତାର କାମ ଆରମ୍ଭ କରିଦେଲାଣି , ନ ହେଲେ ରାତାରାତି ନଭେଲ୍ ? କ’ଣ ଲେଖକ ନା ଲେଖାକଳ ? ହଉ, ଥରେ ପରୀକ୍ଷା କରିନେଲେ କ୍ଷତି କ’ଣ ?
ଭୋର୍ ବେଳକୁ କବାଟରେ କରାଘାତ । ସାରାରାତି ଉଜାଗର ଶରତଚନ୍ଦ୍ର ଅନ୍ତିମ ଅନୁଚ୍ଛେଦ ଲେଖିସାରିଥିଲେ କି ନାହିଁ ଆମକୁ ଜଣା ନାହିଁ । କିନ୍ତୁ ସେଇ କରାଘାତ ଶୁଣିବା ମାତ୍ରେ ସେ ପୂର୍ଣ୍ଣଚ୍ଛେଦ ପକାଇଦେଲେ ସେଯାବତ ଲେଖାସରିଥିବା ସବାତଳ ବାକ୍ୟଟି ପରେ । ଆଖିରୁ ଖସିପଡ଼ିଲା ଦି’ଟୋପା ଲୁହ – ଯାହା ଟିକିଏ ଝାପ୍ସା କରିଦେଲା ତଥାକଥିତ ଶେଷବାକ୍ୟଟିକୁ – ଆଉ ସେଇ ଲୁହବତୁରା ବାକ୍ୟ ଉପରେ କଲମଟାକୁ ଦାବିଦେଇ ତା’ ମୂନଟାକୁ ଭାଙ୍ଗିଦେଲେ ମହାନ୍ ଲେଖକ । ବାସ୍, ସେଇଠି ଉପନ୍ୟାସ ଶେଷ । ନାଁ ଥିଲା ‘ଦେବଦାସ’ । କେବଳ ସେଦିନର ପାଠକ ପିଢ଼ି କାହିଁକି ଆଜିର ଉପନ୍ୟାସପ୍ରିୟ ବିଭିନ୍ନ ଭାଷାର ପାଠକଶ୍ରେଣୀ ପାଖରେ ବି ‘ଦେବଦାସ’ର ଅନୁବାଦ ଏକାନ୍ତ ଆଦରଣୀୟ । କେତେଥର କେତେ ଭାଷାରେ ଖାଲି କ’ଣ ଅନୂଦିତ ହୋଇସାରିଛି ଏ ଉପନ୍ୟାସ, ଅତୀତରୁ ଏଯାବତ ତାର ଚଳଚ୍ଚିତ୍ରର ଚେହେରା ପିଢ଼ି ପରେ ପିଢ଼ିକୁ ଭିଡ଼ି ଧରିଛି ଏକ ଚୁମ୍ବକୀୟ ଆକର୍ଷଣରେ !
ସେ ଦିନସବୁ ଥିଲା କଥାସାହିତ୍ୟର ଉଜ୍ଜ୍ୱଳ ଫାଲ୍ଗୁନ । ସେଇଭଳି ମହାନ୍ ଲେଖକ ଏବେ ଆଉ ନାହାନ୍ତି କି ସେ ଧରଣର ସ୍ମରଣୀୟ କଥାକୃତି ସାରସ୍ୱତ ସଂସାରରେ ସୃଷ୍ଟି ହେଉଥିବାର ସୁସମ୍ବାଦ ସେତେବେଶୀ ଶ୍ରୁତିଗୋଚର ହେଉନାହିଁ । ତଥାପି ଭବିଷ୍ୟତର ସାହିତ୍ୟ ନିଜର ମହାନ୍ ଲେଖକଲେଖିକାମାନଙ୍କୁ ଅପେକ୍ଷା କରିବାର ଆନନ୍ଦରେ ଯେ ନିତ୍ୟ ନିମଜ୍ଜମାନ
ରହିଥିବ – ଏହା ନିଃସନ୍ଦେହ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.