Latest Odisha News

BREAKING NEWS

ରଞ୍ଜନ କୁମାର ଦାସଙ୍କ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକସ ଆନୁକୂଲ୍ୟରେ ଆୟୋଜିତ ଏକ ଉତ୍ସବରେ , କବି ତଥା ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଙ୍କଳନ “ସମୟର ସାତରଙ୍ଗ” ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଠା ମଣ୍ଡଳୀ ଆବାହକବିଜୟାନନ୍ଦ ସିଂହ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

କବି ଶ୍ରୀ ଦାସଙ୍କ କବିତାରେ ଚିତ୍ର ଓ ଚରିତ୍ରମାନଙ୍କର ସାର୍ବଜନୀନ ଆବେଦନ ରହିଛି ଓ ତାହା ପ୍ରତିଟି ପାଠକଙ୍କୁ ଭାବପ୍ରବଣ କରିବ ବୋଲି ଡ. ମଲ୍ଲିକ ମତ ପ୍ରକାଶ କରିଥିଲେ ।

“ସମୟର ସାତରଙ୍ଗ”ରେ ଅଯଥା କୋଳହଳ ନାହିଁ କିନ୍ତୁ ବହୁ ଅକୁହା ବେଦନା ଓ ପୁଲକକୁ ନେଇ ଏହା ପାଠକଙ୍କ ହୃଦୟକୁ ଦୀର୍ଘସମୟ ଧରି ଗ୍ରାସ କରିରଖିବ ବୋଲି ମୁଖ୍ୟବକ୍ତା ଶ୍ରୀ ସିଂହ ମତ ଦେଇଥିଲେ।

ଏହି ଅବସରରେ କବି ଶ୍ରୀ ଦାସ କହିଥିଲେ ନିଜ ହୃଦୟର ଆବେଗକୁ ପ୍ରକାଶ କରି ନପାରି ସେ କବିତାକୁ ମାଧ୍ୟମ କଲେ । କୌଣସି ବାଦ ବା ନିର୍ଦ୍ଦିଷ୍ଠ ସୀମା ଭିତରେ ନରହି ଯେତେବେଳେ ଯେଉଁ କଥାଟି ତାଙ୍କ ହୃଦୟକୁ ଆନ୍ଦୋଳିତ ଅଥବା ଆନନ୍ଦିତ କରେ ତାହାକୁ ସେ କବିତାର ରୂପ ନିଏ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ ।

ଅଭିନେତ୍ରୀ ମଧୁମିତା ମହାନ୍ତି ଏହି ଉତ୍ସବକୁ ପରିଚାଳନା କରିବା ସହ “ସମୟର ସାତରଙ୍ଗ” ପୁସ୍ତକରୁ କିଛି କବିତା ପାଠ କରିଥିଲେ। ପେନ୍‌ ଇନ୍‌ ବୁକ୍ସ‌ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା , କବିତା ସଙ୍କଳନଟି ସବୁ ପାଠକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏ କବିତା ପୁସ୍ତକଟିକୁ ଆଗ୍ରହୀ ପାଠକମାନେ ଅନଲାଇନ ମାଧ୍ୟମରେ କିଣିପାରିବେ ବୋଲି ସେ ସୂଚନା ଦେଇଥିଲେ।

Leave A Reply

Your email address will not be published.