ଆଫଗାନିସ୍ତାନ : ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି । ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ଆୟୋଜିତ ରାଲି ଉପରେ ତାଲିବାନ କରିଛି ଗୁଳିମାଡ । ଶତାଧିକ ଆନ୍ଦୋଳନକାରୀ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ସେମାନଙ୍କ ଉପରକୁ ଗୁଳିମାଡ କରିଛି ତାଲିବାନ । କାବୁଲସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ବେଳେ ଏଭଳି ଗୁଳିଚାଳନା ହୋଇଛି । ସେପଟେ ପଞ୍ଜଶିରର ବିଭିନ୍ନ ତାଲିବାନୀ ଆଡ୍ଡା ଉପରେ କରାଯାଇଛି ଏୟାର ଷ୍ଟ୍ରାଇକ । ଏହି ଏୟାର ଷ୍ଟ୍ରାଇକ ଲାଗି କେହି ନିଜକୁ ଦାୟୀ କରି ନଥିବା ବେଳେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଛି ।
ହିଂସା ଭିତରେ ପଞ୍ଜଶିରର ବିଜୟ ନେଇ ବିଧିବଦ୍ଧ ଘୋଷଣା କରିଛି ତାଲିବାନ । ଗତକାଲି ପଞ୍ଜଶିର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ତାଲିବାନୀ ପତାକା ଉଡିବା ପରେ ଆଜି ପଞ୍ଜଶିରରେ ଆଧିପତ୍ୟ ବିସ୍ତାର କରିଛି ତାଲିବାନ । ଦେଶର ସମସ୍ତ ପ୍ରଜାତନ୍ତ୍ର ଏବେ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି । ପଞ୍ଜଶିର କବଜା କରିବା ଘଟଣାରେ ପାକିସ୍ତାନର ଭୂମିକା ନେଇ ତୀବ୍ର ବିରୋଧ କରିଛି ଇରାନ । କୌଣସି ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପ କାହିଁକି ବୋଲି ଇରାନ ପ୍ରଶ୍ନ କରିଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛି ଇରାନ । ଇରାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ସୟଦ ଖାତିବଜାଦେ କହିଛନ୍ତି, ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ କରି ପାକିସ୍ତାନ ଏହି ଆକ୍ରମଣ ଘଟାଇଛି । ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଥିବା ବେଳେ ତାଲିବାନକୁ ପାକିସ୍ତାନ ପୂର୍ଣ୍ଣ ସମର୍ଥନ ଦେବା ଯୋଗୁ ସଂଘର୍ଷର ସ୍ଥିତି ବଦଳି ଯାଇଥିଲା ।
Comments are closed.