ଆଫଗାନିସ୍ତାନ : ପାକିସ୍ତାନ, ଚୀନ, ଋଷ ଓ ଅନ୍ୟ ୫ଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ପରେ ବି ଆଫଗାନିସ୍ତାନରେ ହଟୁନି ସସପେନ୍ସ । ଦେଶରେ ସରକାରର ଶପଥଗ୍ରହଣ ନେଇ ଏବେ ବି ଲାଗି ରହିଛି ଅନେକ ସଙ୍କଟ । ପାକିସ୍ତାନର ଆଇଏସଆଇ ମୁଖ୍ୟ ଜେନରାଲ ଫୈଜ ହମିଦଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଚୀନ, ଋଷ, ଇରାନ, କାଜାଖସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ଗୁଇନ୍ଦା ମୁଖ୍ୟମାନ ଯୋଗ ଦେଇଥିଲେ । ଗତ ସପ୍ତାହରେ ଏସବୁ ଦେଶର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ଆଫଗାନ ବ୍ୟାପାରରେ ବୈଠକ କରିଥିଲେ । ମାତ୍ର ଏଥିରେ ଋଷ ଯୋଗ ଦେଇ ନଥିଲା । ସରକାରର ଶପଥ ନେଇ ଆଇଏସଆଇ ମୁଖ୍ୟ କାବୁଲରେ ଡେରା ପକାଇଥିବା ସତ୍ତ୍ବେ କୌଣସି ବାଟ ବାହାରି ପାରୁନାହିଁ ।
ଋଷ ସମେତ ଅନ୍ୟାନ୍ୟ କେନ୍ଦ୍ର ଏସୀୟ ରାଷ୍ଟ୍ର ଆଫଗାନ ବ୍ୟାପାର ପ୍ରତି ସତର୍କ ରହିଛନ୍ତି । ଗତ ସପ୍ତାହରେ ମହମ୍ମଦ ହାସନ ଅଖୁନ୍ଦଙ୍କ ନେତୃତ୍ବରେ ସରକାର ଗଠନ ନେଇ ତାଲିବାନ ଘୋଷଣା କରିଥିଲେ ବି ଶପଥ ଗ୍ରହଣ ନେଇ ସହଭାଗୀ ଗୋଷ୍ଠୀ ମଧ୍ୟରେ ଦ୍ବିମତ ଥିବାରୁ ନୂଆ ସରକାର ଦାୟିତ୍ବ ନେଇପାରୁନାହିଁ । ସେପଟେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିବା ଉପରେ ବୋଲି ସତର୍କ କରାଇଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଅଜମଲ ଅହମ୍ମଦି । ଯଦି ଏହି ଅବସ୍ଥା ଜାରି ରୁହେ ତେବେ ଜିଡିପି ହ୍ରାସ ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
Comments are closed.