Latest Odisha News

BREAKING NEWS

ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ଦୃତ ଗତିରେ ଚାଲିଛି ମରାମତି କାର୍ଯ୍ୟ

ଭୁବନେଶ୍ବର : ଦୃତ ଗତିରେ ଚାଲିଛି ଅନୁଗୁଳରେ ଲାଇନଚ୍ୟୁତ୍ ହୋଇଥିବା ମାଲବାହୀ ଟ୍ରେନର ବଗି କଢ଼ା କାର୍ଯ୍ୟ । ସମସ୍ତ ଓ୍ବାଗନ ଗୁଡିକୁ ରେଳ ଧାରଣା ଓ ବ୍ରିଜ୍ ଉପରୁ କଢ଼ା ଯାଇଥିବା ବେଳେ, ଆଜି ଇଞ୍ଜିନକୁ ମଧ୍ୟ ରେଳ ଧାରଣା ଓ ବ୍ରିଜ ଉପରୁ କଢ଼ାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।

ପ୍ରଭାବିତ ଇଞ୍ଜିନକୁ ରେଳ ଧାରଣା ଓ ବ୍ରିଜ ଉପରୁ କଢାଯିବା ପାଇଁ ଅଧିକ ସମୟ ନେଇଥିଲା । ଏହାର ମୁଖ୍ୟ କାରଣ ହେଲା, ଇଞ୍ଜିନଟି ପ୍ରତିକୂଳ ସ୍ଥିତିରେ ଏକ ରେଳ ବ୍ରିଜ ଉପରେ ଥିଲା । ଇଞ୍ଜିନକୁ ବାଧ୍ୟତାମୂଳକ ଭାବେ ରେଳ ଧାରଣା ଓ ବ୍ରିଜ ଉପରୁ କଢ଼ା ଯାଇଥିଲେ ବ୍ରିଜ୍ ଭୁଶୁଡିବାର ସମ୍ଭାବନା ଥିଲା । ଯାହାକି ଏହି ରେଳ ମାର୍ଗରେ ରେଳ ଚଳାଚଳ କରାଇବାକୁ ଅଧିକ ସମୟ ନେଇଥାନ୍ତା । କିନ୍ତୁ ଉପଯୁକ୍ତ କୌଶଳ ଅବଲମ୍ବନ କରାଯାଇ ରେଳ ଧାରଣାରୁ ଇଞ୍ଜିନକୁ କଢ଼ାଯାଇଛି ।

ଇଞ୍ଜିନକୁ ରେଳ ଧାରଣାକୁ କଢ଼ାଯିବା ପରେ ଟ୍ରାକ୍ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହାପରେ, ବିଦ୍ୟୁତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏବେ ପରୀକ୍ଷାମୂଳକ ଭାବେ ଡିଜେଲ ଇଞ୍ଜିନ ଦ୍ବାରା ପ୍ରଥମେ ପଣ୍ୟବାହୀ ଟ୍ରେନ ଚଳାଚଳ କରି ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟକୁ ସମୀକ୍ଷା କରାଯିବ । ଏହାପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଇବା ପାଇଁ ପଦକ୍ଷେପ ନିଆଯିବ । ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପୁନରୁଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ।

Comments are closed.