ମୂଳ ହିନ୍ଦୀ ରଚନା – ଯଶପାଲ୍
ଅନୁବାଦ :- ନିହାରୀକା ମଲ୍ଲିକ
କହ୍ନେୟାଲାଲ୍ ନିଜ ଅଫିସର ଅନ୍ୟ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ଯଦିଓ ଦୁଇ କି ତିନିବର୍ଷ ବଡ଼ ଥିଲେ , କିନ୍ତୁ ତାର ବାହାଘର ହୋଇଥିଲା ସେମାନଙ୍କ ପରେ । ତାର ବହୁତ ଅନୁରୋଧ ସତ୍ତ୍ଵେ ବି ତା ଅଫିସର ତାକୁ ବାହାଘର ପାଇଁ ସପ୍ତାହେରୁ ବେଶି ଛୁଟି ଦେଇ ନ ଥିଲେ । ସେ ବାହାହୋଇ ଫେରିବା ପରେ ତା ଅନ୍ତରଙ୍ଗ ବନ୍ଧୁମାନେ ବି ତାକୁ ସେଇସବୁ ପ୍ରଶ୍ନ ପଚାରିଲେ , ଯାହା ପ୍ରାୟ ଏଇ ଅବସରରେ ଅନ୍ୟମାନଙ୍କୁ ସମସ୍ତେ ପଚାରନ୍ତି । ଆଉ ସେଇସବୁ ପରାମର୍ଶ ମଧ୍ୟ ତାକୁ ଦିଆଗଲା , ଯାହା ଅନୁଭବୀମାନେ ନବବିବାହିତ ମାନଙ୍କୁ ଦେଇଥାଆନ୍ତି।
କହ୍ନେୟାଲାଲ୍ ବୁଦ୍ଧିଆ ବୋଲି ମାନୁଥିବା ହେମରାଜ ତାକୁ ବୁଝେଇଲା – “ ସ୍ତ୍ରୀକୁ ତ ପ୍ରେମକରିବା ଦରକାର କିନ୍ତୁ ଭଲପାଉଛ ବୋଲି ତାକୁ ମୁଣ୍ଡରେ ବସେଇବା କି ବିଗାଡିଦେବା ଠିକ୍ ନୁହେଁ । ପତ୍ନୀ ଯଦି ଡରର କାରଣ ହୋଇଯାଏ, ତେବେ ସାରା ଜୀବନ ପୁରୁଷକୁ ସ୍ତ୍ରୀ ବୋଲକରା ହୋଇ ରହିବାକୁ ପଡେ । ତାର ସବୁ ଆବଶ୍ୟକତାକୁ ପୂରଣ କର କିନ୍ତୁ , ତାକୁ ରଖିବ ନିଜ ଆୟତ୍ତରେ। ପିଟାମରା କରିବା ଯଦିଓ ଭଲକଥା ନୁହଁ , ଏମିତି ହେବା ବି ଉଚିତ ନୁହଁ ଯେ ସ୍ତ୍ରୀର ସ୍ଵାମୀ ପ୍ରତି ଡରଭୟ ରହିବନି । ଭୟ ତ ନିହାତି ରହିବା ଦରକାର। ନ ମାର ପଛକେ ଅତି କମରେ ଧମକ ତ ନିଶ୍ଚୟ ଦିଅ । ତିନୋଟି କଥା ଯଦି ତାର ମାନିବ ତ ଆଉଗୋଟେକୁ ନିଶ୍ଚୟ ମନା କରିଦେବ । ସେ ଯେପରି ଏକଥା ନ ଭାବେ ଯେ , ସେ ଯାହା ଇଚ୍ଛା ତାହା କରିପାରିବ ଅବା କରେଇପାରିବ । ତୁମର ଖୁସି ଏବଂ ଅଖୁସି ପ୍ରତି ଯେମିତି ତାର ଧ୍ୟାନ ରହେ । ଆମ ସାହେବଙ୍କ ପରି ଅବସ୍ଥା ଯେପରି ନ ହେଉ । ମୁଁ ତ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଏମ୍ପୋରିୟମରୁ କିଛି ଜିନିଷ ଆଣିବାକୁ ଯାଉଥିଲେ , ସ୍ତ୍ରୀଙ୍କୁ ଡାକି ପଇସା ମାଗିଲେ ଓ ପତ୍ନୀ ବି କହିଦେଲେ , ‘ କୋଲିନ୍ ଏଇ ମାସରେ ଥାଉ, ଆର ମାସକୁ କିଣାଯିବ ।‘ ଇଏ ସେଇଠୁ ବିଲେଇ ପରି କହିଲେ –‘ ହଉ, ଠିକ୍ ଅଛି ।‘ ପଇସାପତ୍ର ସବୁବେଳେ ପୁରୁଷ ନିଜ ଅଧିନରେ ରଖିବା ଦରକାର । ପୁରୁଷ ହିଁ ତ ମାଲିକ ଅଟେ ।‘
କହ୍ନେୟାଲାଲର ବାହାଘର ସମୟରେ ଗ୍ରହନକ୍ଷତ୍ରଙ୍କ ଯୋଗ ଏମିତି ଥିଲା ଯେ , ଶ୍ୱଶୁରଘର ଲୋକେ କନ୍ୟାବିଦା କରିବାକୁ କେମିତି ବି ରାଜି ହେଲେନି । ଅଧିକ ଛୁଟି ନ ଥିବାରୁ ଶାଶୁଘରକୁ ଯିବା କଥା ବି ‘ ଆଉ କେବେ ‘ କହି ଟାଳି ଦିଆଗଲା । ଗୋଟେ ଦୃଷ୍ଟିରୁ ଭଲ ହିଁ ହେଲା । ହେମରାଜ କହ୍ନେୟାଲାଲକୁ ଶିଖେଇ ଦେଇଥିଲା ଯେ , ପ୍ରଥମ ରାତିରୁ ତୁମେ ଏମିତି କିଛି କରିବନି ଯେ , ସେ ଯେମିତି ଭାବିନିଏ ଯେ ତା ବିନା ତୁମେ ରହିପାରିବନି କି ତାକୁ ବହୁତ ଖୋସାମଦ କରିବାକୁ ଲାଗିବ ! ନିଜର ଇଚ୍ଛା ସାବ୍ୟସ୍ତ କରିବ , ବୁଝିଲ । ନାରୀ ଓ ବିଲେଇ ଜାତି ଏକା । ପ୍ରଥମ ଦିନର ବ୍ୟବହାରର ପ୍ରଭାବ ହିଁ ତା ଉପରେ ସର୍ବଦା ରହେ । ସେଥିପାଇଁ କଥାରେ ଅଛି – ବିଲେଇକୁ ଯଦି ଆସିବା ମାତ୍ରେ କୋଳେଇ ନେଉଛ , ତେବେ ଆଉ ସେ ଚାଲିବନି । ଆଉ ତୁମେ କହୁଛ ଯେ ସେ ପାଠଶାଠ ପଢିଛି । ତାହେଲେ ତ ତୁମକୁ ଆଉରି ସତର୍କ ହେବାକୁ ପଡିବ । ପାଠପଢା ଝିଅମାନେ ଏମିତି ରେ ବି ଭାଉ ଦେଖାନ୍ତି ।
ହେମରାଜ ଦେଇଥିବା ସବୁକଥାକୁ କହ୍ନେୟାଲାଲ୍ ମନରେ ଗଣ୍ଠି କରି ନେଇଥିଲା । ସେ ଭାବିଲା , ଯଦି ତାକୁ ବାହାରେ ହୋଟେଲରେ ଖାଇବାକୁ ପଡେ ଅବା ରୋଷେଇକରି ଖାଇବାକୁ ପଡେ, ତାହେଲେ ବାହାହୋଇ ଲାଭ କଣ ? ତେଣୁ ସେ ଲୋଜୋକୁ ଦିଲ୍ଲୀ ନେଇ ଆସିଥିଲା। ଦିଲ୍ଲୀର ସବୁଠାରୁ ବଡ ସମସ୍ୟା ହେଉଛି ଘରଟେ ମିଳିବା ।କହ୍ନେୟାଲାଲ୍ ଜିଲ୍ଲାର ଜଣେ ରେଳବାଇରେ କାମକରୁଥିବା ବାବୁ , ତାକୁ ନିଜ କ୍ଵାଟରର ଗୋଟିଏ ଘର ଏବଂ ରୋଷେଇକରିବାକୁ ଜାଗା କମ୍ ପଇସା ଭଡାରେ ଦେଇଥିଲେ । ଦେଢ଼ବର୍ଷ ହେଲା ସେ , ଆରାମରେ ରହି ଆସୁଥିଲା ।
ଲାଜବନ୍ତୀ ଆଲିଗଡରେ ଅଷ୍ଟମ ଯାଏଁ ପଢିଥିଲା । ସେ ବହୁତ ସୌକୀନ୍ ମିଜାଜର ଝିଅ ଥିଲା। ଅନେକ ଏମିତି ବି ସଉକ ଥିଲା, ଯାହା ସବୁକୁ ଅନ୍ୟ ଝିଅ ଓ ନୂଆ ବୋହୁମାନେ କରିବାର ଦେଖି ତାକୁ ମନମାରି ରହିବାକୁ ପଡୁଥିଲା । ତା ବାପା ଓ ବଡ଼ଭାଇ ଥିଲେ ପୁରୁଣା ଚିନ୍ତାଧାରାର। ଭାବିଥିଲା ଯେ , ବାହାଘର ପରେ ହେଉପଛେ , କହ୍ନେୟାଲାଲକୁ କହିବ । ଲାଜୋର କହିବାର ଢଙ୍ଗ ଏମିତି ଥିଲା ଯେ , ତାକୁ ନାହିଁ କରିବାକୁ କହ୍ନେୟାର ମନ ହେଉ ନ ଥିଲା । କିନ୍ତୁ ସ୍ତ୍ରୀର ଉପରମୁହାଁ ହୋଇଯିବାର ଭୟ ମନରେ ଥିବାରୁ ସେ ଦୁଇଟି କଥା ମାନି ତିନୋଟି ବେଳକୁ ମନା କରିଦିଏ ।
ଲାଜୋ ମୁହଁ ଫୁଲାଏ । ଅଭିମାନ କରି ମନେମନେ ଭାବୁଥାଏ , ଯଦି ମନେଇବେ ତ ମାନିଯିବି । ଯାହା ହେଲେ ବି ଖୋସାମତ ତ କରିବେ । କିନ୍ତୁ କହ୍ନେୟାଲାଲ୍ ବୁଝେଇବ କଣ ! ଓଲଟା ଗାଳି କରିଦିଏ । ଥରେ ଅଧେ ତ ସେ ହାତ ବି ଉଠେଇ ଦେଇଥିଲା । ଆଦର ଓ ଖୋସାମତି ବଦଳରେ ଯେତେବେଳେ ଚଟକଣୀ ବାଜିଲା , ଲାଜୋର ମନ ଭାଙ୍ଗିଗଲା ଓ ସେ ଏକା ବସି କଇଁ-କଇଁ ହୋଇ କାନ୍ଦିବାକୁ ଲାଗିଲା । ପୁଣି ମନକୁ ବୁଝାଏ ‘ ଛାଡ ! ଭାଗ୍ୟରେ ଯଦି ଏଇଆ ଅଛି ତାହେଲେ ଆଉ କଣ ବା କରିହେବ !’ ସେ ହାରମାନି କହେ ନିଜକୁ ।
କହ୍ନେୟାଲାଲର ହାତ ପ୍ରଥମେ ଦୁଇଥର କ୍ରୋଧରେ ହତଜ୍ଞାନ ହୋଇ ଉଠିଯାଇଥିଲା , କିନ୍ତୁ ଥରେ ହାତଉଠେଇବା ପରେ ନିଜ ଅଧିକାର ଏବଂ ସାମର୍ଥ୍ୟ ଉପରେ ସେ ସନ୍ତୋଷ ଅନୁଭବକଲା । ନିଜର ଶକ୍ତି ସାମର୍ଥ୍ୟକୁ ଅନୁଭବ କରିବାର ନିଶାଠାରୁ ବଡ଼ ନିଶା ଆଉ କ’ଣ ଅବା ଥାଇପାରେ ! ଏହି ନିଶାରେ ହିଁ ରାଜାମାନେ ଦେଶ ପରେ ଦେଶ ଜିତି ଚାଲନ୍ତି । ଜମିଦାର ଗାଁ ଏବଂ ସେଠମାନେ ମିଲ୍ ଓ ବ୍ୟାଙ୍କ କିଣିବାରେ ଲାଗି ଯାଆନ୍ତି । ଏ ନିଶାର ସୀମା ନାହିଁ । ଏ ଅଭ୍ୟାସ ଏମିତି ହୋଇଗଲା ଯେ , କହ୍ନେୟାର ହାତ ଆଉ ରାଗିବାକୁ ଅପେକ୍ଷା ନ କରି ଉଠିଯାଉଥିଲା ।
ମାଡ଼ରେ ଲୋଜୋକୁ ଶାରୀରିକ କଷ୍ଟ ତ ହେଉଥିଲା , ହେଲେ ତା’ଠାରୁ ଅଧିକ କଷ୍ଟ ହେଉଥିଲା ଅପମାନର ଯନ୍ତ୍ରଣାରେ । ଏମିତି ହେଲେ ସେ କିଛିଦିନ ଧରି ଉଦାସ ହୋଇରହେ । ଘରର ସବୁକାମ କରେ । ଡାକିଲେ ବି ଉତ୍ତର ଦିଏ । ଇଚ୍ଛା ନ ଥିଲେ ବି କହ୍ନେୟାର ଇଚ୍ଛାକୁ ବିରୋଧ କରେନି , କିନ୍ତୁ ଭାବୁଥାଏ ମନେ ମନେ, ଏହାଠୁ ଭଲ ହୁଅନ୍ତା ମୁଁ ଯଦି ମରି ଯାଆନ୍ତି ।‘ ପୁଣି ଯନ୍ତ୍ରଣା ବି କମିଯାଏ ଧୀରେଧୀରେ ସମୟ ସହ । ବଞ୍ଚିଥାଏ ଯେହେତୁ , ହସିବା ଓ ଖୁସି ହେବାଳ ଇଚ୍ଛା ବି ମନରେ ଉଙ୍କି ମାରନ୍ତି ଓ ଲାଜୋ ପୁଣି ହସିଉଠେ । ସେ ଭାବିନେଇଥିଲା, ‘ ମୋ ସ୍ଵାମୀ, ଯେମିତି ବି ହୁଅନ୍ତୁ ପଛେ , ମୋ ପାଇଁ ତ ସେ ହିଁ ସବୁକିଛି । ଯେପରି ଚାହୁଁଛନ୍ତି , ସେମିତି ହିଁ ମୁଁ କରେ ।‘
ଲାଜୋ ସମ୍ପୂର୍ଣ୍ଣ ଅଧୀନସ୍ଥ ହୋଇ ରହିବା ସତ୍ତ୍ୱେ ମଧ୍ୟ କହ୍ନେୟାର ଦୌରାତ୍ମ୍ୟ ବଢିଚାଲିଥିଲା । ସେ ଲାଜୋ ପ୍ରତି ଯେତେ ଅଧିକ ବେପରୁଆଭାବ ଓ ମନମୁଖୀ ବ୍ୟବହାର ଦେଖାଏ , ନିଜ ଭିତରେ ତାକୁ ସେତେ ହିଁ ଭଲପାଇବାର ସନ୍ତୋଷ ମିଳେ । ପଡୋଶୀ ସ୍ତ୍ରୀ ଲୋକମାନେ ଆଶ୍ୱିନ ଶେଷରେ ପଡୁଥିବା କରୱାଚୌଥ୍ ବ୍ରତ ବିଷୟରେ କଥା ହେଉଥିଲେ । ବାପଘରୁ କରୱାଚୌଥ୍ ପାଇଁ କଣ ସବୁ ଆସିଛି , ସେ ବିଷୟରେ ସମସ୍ତେ ପରସ୍ପର ସହ କଥା ହେଉଥିଲେ । ପ୍ରଥମ ବର୍ଷ ଲାଜୋର ଭାଇ ଆସି କରୱା ଦେଇଯାଇଥିଲେ। ଏବର୍ଷ ବି ଅପେକ୍ଷା କରିଥିଲା ସେ । ଯେଉଁମାନଙ୍କ ବାପଘର ଦିଲ୍ଲୀଠୁ ଦୂରରେ , ସେମାନଙ୍କ ପାଖକୁ ଟଙ୍କା ଆସିଯାଇଥିଲା । କହ୍ନେୟାର ଚିଠିପତ୍ର ସବୁ ଅଫିସ ଠିକଣାରେ ହିଁ ଆସିଥାଏ । ସେଦିନ ଅଫିସରୁ ଫେରି ସେ ଜଣେଇଲା –‘ ତୁମ ଭାଇ କରୱା ପାଇଁ ଦୁଇ ଟଙ୍କା ପଠେଇଛନ୍ତି। ‘
କରୱା ପାଇଁ ଟଙ୍କା ଆସି ଯାଇଥିବାରୁ ଲାଜୋ ଖୁସି ହୋଇଗଲା । ଭାବିଲା, ଏତେ ଦୂର , କେମିତି ଆସିଥାନ୍ତେ !
କହ୍ନେୟା ଅଫିସ ବାହାରିବା ବେଳେ ମୁଣ୍ଡକୁ ଟିକେ କାନ୍ଧ ଆଡକୁ ଟିକେ ଢଳେଇ ଗେଲେଇ ହୋଇ ଅଭିମାନ ଭରା ସ୍ଵରରେ ସେ ମନେ ପକେଇଦେଲା ‘ ମୋର ସରଗୀ ପାଇଁ କଣ ସବୁ ଆଣିବ ?’ ଏଥିରେ କଣସବୁ ଆଣିବାକୁ ହୁଏ ,ସେସବୁ ବତେଇଲା।
ଲାଜୋ ପଡିଶାଘରେ କହିଦେଇଥିଲା ଯେ ସେ ସରଗୀ ପାଇଁ ଜିନିଷ ମଗେଇଛି । କେଉଁ ହିନ୍ଦୁ ନାରୀ ଭଲା କରୱାଚୌଥ୍ ବ୍ରତ ନ କରେ ! ସବୁ ଜନ୍ମରେ ଏହି ସ୍ଵାମୀ ମିଳନ୍ତୁ , ଏଥିପାଇଁ ତ ଅନ୍ୟ କୌଣସି ଓଷାବ୍ରତକୁ ମାନୁ ନ ଥିବା ଶିକ୍ଷିତା ସ୍ତ୍ରୀମାନେ ବି ଏହି ବ୍ରତକୁ ଉପେକ୍ଷା କରିପାରନ୍ତିନି ।
ସେଦିନ କିନ୍ତୁ ସାଙ୍ଗମାନେ ତାକୁ ମଧ୍ୟାହ୍ନ ଭୋଜନ ସମୟରେ ଏମିତି ଘେରିଗଲେ ଯେ କହ୍ନେୟାର ସାଢେତିନିଟଙ୍କା ଖର୍ଚ୍ଚ ହୋଇଗଲା । ସେ ଲାଜୋ ବତେଇଥିବା ଜିନିଷସବୁ ଘରକୁ ଆଣିପାରିଲାନି । କହ୍ନେୟା ଖାଲି ହାତରେ ଫେରିବା ଦେଖି ଲାଜୋର ମନଭାଙ୍ଗିଗଲା । ଦୁଃଖ ସହିବା ଶିଖି ରୁଷିବା ଛାଡିଦେଇଥିଲା , ହେଲେ ସେଦିନ ସନ୍ଧ୍ୟାରେ ତା ମୁହଁ ସୁଖିଗଲା। ଲୁହପୋଛି ଦେଲା ଏବଂ କିଛି ନ କହି ରନ୍ଧାବଢା କାମରେ ଲାଗିଗଲା ।
ରାତିରେ ଖାଇବାବେଳେ କହ୍ନେୟା ଦେଖିଲା ଲାଜୋ ମୁହଁ ଫୁଲେଇଛି , କଥା କହୁନି । ସେ ନିଜ ଭୁଲ୍ ମାନି ତାକୁ ମନେଇବ କି ଆଉ କିଛି ବ୍ୟବସ୍ଥା କରିବ କ’ଣ ଓଲଟି ତାକୁ ଗାଳି ଦେଲା । ଲାଜୋର ଆହୁରି ବେଶି ମନକଷ୍ଟ ହେଲା । ସେ ଭାବିବାକୁ ଲାଗିଲା ‘ ଯାଙ୍କରି ପାଇଁ ତ ଏ ବ୍ରତ କରୁଛି ଇଏ ହିଁ ଏମିତି ନିଷ୍ଠୁର ହେଉଛନ୍ତି। ମୁଁ ବ୍ରତ ଏଥିପାଇଁ କରୁଛି ଯେ , ଆରଜନ୍ମରେ ବି ମୋର ୟାଙ୍କ ସହ ହିଁ ବିବାହ ହେଉ , ଆଉ ୟାଙ୍କୁ ହିଁ ମୁଁ ସୁଖୀ କରିପାରୁନି ‘। ନିଜର ଉପେକ୍ଷା ଓ ଅନାଦାରରେ ତାକୁ କାନ୍ଦ ଲାଗିଲା । କିଛି ଖାଇପାରିଲାନି , ଶୋଇପଡିଲା ସେମିତି।
ପଡିଶାଘରୁ ସବୁଦିନ ଅପେକ୍ଷା ଟିକେ ଶୀଘ୍ର ବାସନକୁସନ ଖଡଖାଡ୍ ହେବାର ଶବ୍ଦ ଶୁଭୁଥିଲା । ଲାଜୋର ମନେପଡିଗଲା , ଶାନ୍ତି କହୁଥିଲା ଯେ , ତା ବାବୁ ସରଗୀ ପାଇଁ ଫେଣୀ ଆଣିଥିଲେ । ଟେଲିଗ୍ରାମବାଲା ବାବୁଙ୍କ ଘରଣୀ କହୁଥିଲେ ଯେ , ତାଙ୍କର ଖୁଆପେଡା ଆଣିଛନ୍ତି। ଲାଜୋ ଭାବିଲା , ସେମାନଙ୍କ ସ୍ଵାମୀମାନଙ୍କୁ ଚିନ୍ତା ଅଛି ଯେ , ମୋ ସ୍ତ୍ରୀ ମୋ ପାଇଁ ବ୍ରତ କରିଛି । ହେଲେ ୟାଙ୍କୁ ତ ଟିକେ ମନେ ବି ନାହିଁ ।
ଲାଜୋ ମନେମନେ ଏତେ ଦୁଃଖି ହୋଇଗଲା ଯେ , କିଛି ବି ଖାଇଲାନି ସରଗିରେ । ଖାଇଲାନି ସିନା , ହେଲେ ସ୍ଵାମୀ ପାଇଁ ବ୍ରତ କେମିତି କରି ନ ଥାନ୍ତା ! ସକାଳୁ ସକାଳୁ ପଡିଶାଘର ସ୍ତ୍ରୀ ଲୋକ ମାନଙ୍କ ସହ ସେ ବି କରୱାଚୌଥ୍ କରି ନ ଥିବା ରାଣୀ ଆଉ ବ୍ରତ କରିଥିବା ରାଜାଙ୍କ ପ୍ରେୟସୀ ଦାସୀର କଥା ଶୁଣି ବ୍ରତର ଦ୍ୱିତୀୟ ନିୟମ ବି ପୁରା କଲା। କହ୍ନେୟାର ଅଫିସ ଯିବା ସମୟ ବେଳକୁ ରୋଷେଇସାରି ଖାଇବାକୁ ବି ଦେଲା। କହ୍ନେୟା ବାହାରିବା ସଯୟରେ ଦେଖିଲା ଯେ , ଲାଜୋ ମୁହଁ ଫୁଲେଇଛି । ସେ ପୁଣି ଗାଳିକଲା , ଲାଗୁଛି , ଦୁଇ ଚାରିଟା ନ ଖାଇବା ଯାଏଁ ତୁମେ ସିଧା ହେବନି !’
ପୁଣି କାନ୍ଦ ଲାଗିଲା ଲାଜୋକୁ । ସେ ଏକା ବସି ବହୁତ କାନ୍ଦିଲା , କହ୍ନେୟା ଅଫିସ ଯିବାପରେ । ଭାବିଲା , ୟେ କି ଅତ୍ୟାଚାର ! ୟାଙ୍କରି ପାଇଁ ବ୍ରତ କରୁଛି , ଆଉ ଇଏ ହିଁ ରାଗୁଛନ୍ତି । ସବୁ ଜନ୍ମରେ ଇଏ ହିଁ ମିଳନ୍ତୁ ବୋଲି ଭୋକରେ ମରୁଛି । ଭାରି ସୁଖ ମିଳୁଛି ତ ..! ଆରଜନ୍ମରେ ଆଉରି ଅଧିକ ସୁଖ ଦେଇଦେବେ । ଗୋଟାଏ ଜନ୍ମ କାଟିବା ୟାଙ୍କ ସହ ମୁସ୍କିଲ୍ । ଏ ଜନ୍ମରେ ତ ଏ ଜଞ୍ଜାଳ ଅପେକ୍ଷା ମରିଯିବା ବରଂ ଭଲ ବୋଲି ମନେହେଉଛି , ଆଉଗୋଟେ ଜନ୍ମ ପାଇଁ ପୁଣି ଏଇ ଜଞ୍ଜାଳକୁ ହିଁ ସ୍ଥିର କରୁଛି ।
ଗତ ରାତିରୁ ହିଁ କିଛି ଖାଇ ନ ଥିଲା ଲାଜୋ, କହିବାକୁ ଗଲେ ଗଲା ଦ୍ଵିପ୍ରହର ପୂର୍ବରୁ ହିଁ ସେ ଖାଇଥିଲା। ଭୋକରେ ଅନ୍ତ ଘାଣ୍ଟି ଦେଉଥିଲା , ସେଥିରେ ପୁଣି ସ୍ଵାମୀର ନିର୍ଦ୍ଦୟ ବ୍ୟବହାର। ଜନ୍ମ ପରେ ଜନ୍ମ , କେଜାଣି କେତେ ଜନ୍ମ ଯାଏଁ ତାକୁ ଏମିତି ବ୍ୟବହାର ସହିବାକୁ ହେବ ! ଭାବିଦେଇ ଲାଜୋ ଉଦାସ ହୋଇଗଲା ।
ମୁଣ୍ଡ ବିନ୍ଧିବାରୁ ସେ ଧୋତିକନା ଖଣ୍ଡେ ଆଣି ମୁଣ୍ଡରେ ବାନ୍ଧି ଖଟରେ ଶୋଇବାକୁ ଯାଉଯାଉ ରହିଗଲା , ଓଷା କରିବା ଦିନ ବିଛଣାରେ ଗଡନ୍ତିନି କି ବସନ୍ତିନି । ସେ କାନ୍ଥକୁ ଲାଗି ତଳେ ଚଟାଣରେ ହିଁ ପଡିରହିଲା ।
ପଡୋଶିନୀମାନଙ୍କ ପାଟି ଶୁଭିଲା ଲାଜୋକୁ । ସେମାନେ ତାକୁ ଡାକିବାକୁ ଆସିଥିଲେ । ଓପାସରେ ଥିବା ସତ୍ତ୍ଵେ କରୱାଚୌଥ୍ ବ୍ରତ ଥିବାରୁ ସେମାନେ ସବୁ ଖୁସି ଥିଲେ । ଆଜି ଓଷା ପାଇଁ ନିତିଦିନିଆ ସିଲେଇ-ବୁଣାବୁଣି ଆଦି କାମକରନ୍ତିନି । କରୱା ଦିନ ଛୁଞ୍ଚି , ସିଲେଇ ମେସିନ ଓ ଚରଖା ଆଦି ଛୁଇଁବା ମନା । କାମରୁ ବି ଛୁଟି ଥିଲା ଓ ମନଖୁସି କରିବାପାଇଁ ତାସ୍ ଜୁଆ ଆଦି ଖେଳିବାର ବ୍ୟବସ୍ଥା କରାଯାଉଥିଲା। ସେମାନେ ଲାଜୋକୁ ବି ସେଥିପାଇଁ ହିଁ ଡାକିବାକୁ ଆସିଥିଲେ । ମୁଣ୍ଡବିନ୍ଧା ଓ ମନ ଭଲ ନ ଥିବାରୁ ଲାଜୋ ଯାଇ ପାରିଲାନି । ଦେହ ହାତ ଘୋଳାବିନ୍ଧା ହେଉଥିବା କହି କଥାକୁ ଏଡାଇଦେଲା ଓ ପୁଣି ଭାବିବାକୁ ଲାଗିଲା , ଏମାନେ ସବୁ ସକାଳୁ ସରଗି ଖାଇଛନ୍ତି । ଜୀବନ ତ ମୋର ଚାଲି ଯାଉଛି ।‘ ପୁଣି ନିଜର ଦୁଃଖୀ ଜୀବନ ପାଇଁ ମରିଯିବା କଥା ମୁଣ୍ଡକୁ ପଶିଲା ଆଉ ଭାବିଲା-‘ କରୱାଚୌଥ୍ ବ୍ରତ କରି ଯଦି ଓପାସରେ ମରିଯାଏ , ତେବେ ତାକୁ ଏହି ବ୍ରତର ପୂଣ୍ୟଫଳ ମିଳିବ ଏବଂ ସ୍ଵାମୀ ଭାବେ ଇଏ ହିଁ ଆସନ୍ତା ଜନ୍ମରେ ବି ।‘
ଭାବି ଚାଲିଥିଲା ଲାଜୋ ପାଗଳଙ୍କ ପରି । ‘ ମୁଁ ମରିଗଲେ ୟାଙ୍କର କ’ଣ ଅଛି , ବାହା ହୋଇ ପଡିବେ ଆଉ ଗୋଟେ । ଯିଏ ଆସିବ , ସେ ବି କରୱାଚୌଥ୍ ବ୍ରତ କରିବ । ଆସନ୍ତା ଜନ୍ମରେ ଦୁଇଜଣ ଯାକର ବାହାଘର ୟାଙ୍କରି ସହିତ ହେବ ।ଆମେ ସଉତୁଣୀ ହୋଇଯିବୁ। ‘ ସଉତୁଣୀ କଥା ଭାବିବା ମାତ୍ରେ ତାକୁ ଭଲ ଲାଗିଲାନି । ପୁଣି ନିଜ ଭିତରେ ଆପଣା ଛାଏଁ ସମାଧାନ ବି କରି ନେଲା ।
‘ ନା , ପ୍ରଥମେ ମୋ ସହ ବାହାଘର ହେବ , ମୁଁ ମରିଗଲେ ହିଁ ଆଉ ଜଣଙ୍କ ସହ ।‘
ନିଜ ଉପବାସର ଏତେ ଭୟଙ୍କର ପରିଣାମର କଳ୍ପନା ମାତ୍ରେ ସେ ଅସ୍ଥିର ହୋଇ ଉଠିଲା। ସେଥିରେ ପୁଣି ଏ ଭୋକ । ସେ ଭାବିଲା , ‘ କାହିଁକି ମୁଁ ନିଜର ଆରଜନ୍ମଟା ବି ବରବାଦ କରିବି ? ’
ଭୋକ ପାଇଁ ଯଦିଓ ଦେହଟା ଅବଶ ଲାଗୁଥିଲା , ତଥାପି ଖାଇବାକୁ ମନ ହେଉ ନ ଥିଲା। ହେଲେ , ଉପବାସର ପଳ ବିଷୟରେ କଳ୍ପନା କରିବାମାତ୍ରେ ତା ମନ କ୍ରୋଧରେ ଜଳିଉଠିଲା । ଉଠିକି ଠିଆ ହେଲା ସେ ।
କହ୍ନେୟାଲାଲ୍ ପାଇଁ ସେ ସକାଳେ ଯୋଉଁ ରୋଷେଇ କରିଥିଲା , ସେଥିରୁ କିଛି ବଳକା ରୁଟି ଟିଫିନ୍ ଡବାରେ ଥିଲା । ଲାଜୋ ଉଠିଲା ଏବଂ ଉପବାସର ଫଳାଫଳରୁ ରକ୍ଷା ପାଇବା ପାଇଁ ସେ ମନକୁ ବୁଝାଇ ଗୋଟିଏ ରୁଟି ସେମିତି ସୁଖିଲା ହିଁ ଖାଇ ପାଣିଗିଲାସେ ପିଇଦେଲା । ପାଣି ପିଇ ସାରି ପୁଣି ଗଡି ପଡିଲା । ମନ ଟିକେ ଉଦାସ ଥିଲା । କେବେ ଭାବୁଥିଲା ‘ ୟେ ମୁଁ କ’ଣ କଲି ? ଉପବାସ ଭାଙ୍ଗିଦେଲି ! ‘
ପୁଣି ଭାବେ ,‘ ଠିକ୍ ହିଁ କରିଛି , ନିଜର ଆଉଗୋଟେ ଜନ୍ମ କାହିଁକି ବରବାଦ କରିବି ?’ ଏମିତି ସବୁ ଭାବୁଭାବୁ ତାକୁ ନିଦ ହୋଇଗଲା ।
ଘରର କବାଟରେ ଦୁମଦୁମ୍ ଶବ୍ଦଶୁଣି ତା ନିଦ ଭାଙ୍ଗିଗଲା । ଦେଖିଲା ସ୍କାଏ ଲାଇଟ୍ ଦେଇ ଆଲୁଅ ବଦଳରେ ଭିତରକୁ ଅନ୍ଧାର ଆସୁଛି । ବୁଝିପାରିଲା , ଅଫିସରୁ ଫେରିଛନ୍ତି । ସେ କବାଟ ଖୋଲିଦେଇ ଚୁପଚାପ୍ ପାଖକୁ ଘୁଞ୍ଚିଗଲା । କହ୍ନେୟାଲାଲ୍ ଚାହିଁଲା ତା ଆଡକୁ ରାଗରେ‘ ଏ ପର୍ଯ୍ୟନ୍ତ ପାରଦ ଖସିନି ! ଲାଗୁଛି , ନ ଝାଡିଲେ ଖସିବନି !’
ଲାଜୋ ଆହୁରି ଭାଙ୍ଗି ପଡିଲା ଓ ତା ଯନ୍ତ୍ରଣା କ୍ରୋଧ ପାଲଟି ଗଲା । ସେ ଯାଇ କାନ୍ଥକୁ ଡେରି ହୋଇ ବସିଗଲା ଚଟାଣରେ ।
‘ ଏତେ ଦାଣ୍ଠ !! ଆଜି ତୋତେ ଠିକ୍ କରିଦିଏ ।‘ କ୍ରୋଧରେ ଫାଟିପଡି କହ୍ନେୟାଲାଲ୍ ଲାଜୋର ବାହୂ ଧରି ତଳେ ଘୋଷାରି ପକାଇଦେଲା ଏବଂ ସବୁତକ ଜୋର୍ ଲଗେଇ ଠାଏ-ଠାଏ କରି ଦୁଇ ଚାପୁଡ଼ା ବସେଇଦେଲା । ପୁଣି ଫଁ-ଫଁ ହୋଇ ଗୋଇଠା ଉଠେଇ କହିଲା ‘ ଆଉ ଦେଖା ଦିମାକ୍ ! ଠିଆ ହ’ ସିଧା । ‘
ଲାଜୋର କ୍ରୋଧ ଏବେ ସହିବାଳ ସୀମା ଟପିସାରିଥିଲା । ଟାଣିବା ସତ୍ତ୍ଵେ ବି ଚଟାଣରୁ ଉଠିଲାନି ଏବଂ ମାଡ ଖାଇବା ପାଇଁ ପ୍ରସ୍ତୁତ ହୋଇ ଚିତ୍କାର କରି କହିଲା –‘ ମାର୍ , ମାର୍ , ଜୀବନରୁ ମାରିଦେ । ତ୍ରାହି ମିଳୁ ! ଖାଲି ଆଜି ହିଁ ତ ମାରିବୁ ! ମୁଁ କୋଉ ତୋ ପାଇଁ ବ୍ରତ ରଖିଛି ଯେ ସବୁ ଜନ୍ମରେ ତୋ ଠୁଁ ମାଡଖାଇବି ! ମାର୍ ମାରିପକା । ‘
କହ୍ନେୟାଲାଲର ଗୋଇଠା ଉଠେଇଥିବା ଗୋଡ ଅଧାରେ ହିଁ ରହିଗଲା । ଲାଜୋର ହାତ ଖସିପଡିଲା ମୁଠାରୁ । ସେ ସ୍ତବ୍ଧ ହୋଇଗଲା । ମୁହଁରେ ହିଁ ରହିଗଲା , ବାହାରି ଆସୁଥିବା ଗାଳିସବୁ । ଏମିତି ଜଣା ପଡୁଥିଲା , ସତେ ଯେମିତି ଅନ୍ଧାରରେ କୁକୁରର ଭ୍ରମ ନେଇ ଯେଉଁ ଜନ୍ତୁକୁ ମାରିବାକୁ ବସିଥିଲା , ତା ଗର୍ଜନରୁ ଜାଣିଗଲା ଯେ ସେ ଏକ ବାଘୁଣୀ । ଅଥବା ଲାଜୋକୁ ମାରିବା ଓ ଗାଳି ଦେବାର ଅଧିକାର ଏକ ଭ୍ରମ । କିଛି ସମୟ ସେ ଧଇଁସଇଁ ହୋଇ ସେଇଠି ଠିଆ ହୋଇରହିଲା ଓ ପରେ ଖଟରେ ବସି ଚିନ୍ତାରେ ବୁଡିଗଲା। ଲାଜୋ ଚଟାଣରେ ପଡି କାନ୍ଦୁଥିଲା । ତା ଆଡକୁ ଚାହିଁବାର ସାହସ ହେଉ ନ ଥିଲା କହ୍ନେୟାଲାଲ୍ ର । ସେ ଉଠି ବାହାରକୁ ଚାଲିଗଲା ।
ଲାଜୋ ଚଟାଣରେ ଶୋଇ ଜୋରରେ କାନ୍ଦିବାକୁ ଲାଗିଲା । ଘଣ୍ଟାଏ କାନ୍ଦି ସାରିବା ପରେ ଯାଇ ଉଠିଲା । ଚୁଲୀ ଲଗେଇ କହ୍ନେୟାଲାଲ୍ ପାଇଁ ରୋଷେଇ ବି ତ କରିବାକୁ ଥିଲା । ଇଚ୍ଛା ନ ଥିବା ପରି ରୋଷେଇ କଲା । ରାନ୍ଧି ସାରିବା ପରେ ବି ଫେରି ନ ଥିଲା କହ୍ନେୟା । ଲାଜୋ ଖାଇବା ଘୋଡେଇ , କବାଟ ଆଉଜାଇ ପୁଣି ତଳେ ଶୋଇଗଲା। ସେ ଏଇଆ ଭାବୁଥାଏ ‘ କେତେ ଜଞ୍ଜାଳମୟ ଏ ଜୀବନ ! ଏସବୁ ଯଦି ସହିବାର ଥିଲା , ତେବେ ଜନ୍ମ ହେଉଥିଲି କାହିଁକି ! କ’ଣ ମୁଁ କରିଥିଲି ଯେ , ମୋତେ ମାରିବାକୁ ଆସିଲେ ?’
କବାଟ ଖୋଲିବାର ଶବ୍ଦ ଶୁଣି ସେ ଲୁହ ପୋଛି ଉଠିଲା । ଆସୁଆସୁ କହ୍ନେୟାଲାଲ୍ ତା ଆଡକୁ ଟିକେ ଚାହିଁଲା ।କିଛି ନ କହି କାନ୍ଥ ପାଖରେ ବିଛାଯାଇଥିବା ଚଟେଇ ଉପରେ ଚୁପଚାପ୍ ବସିଗଲା। ଯଦିଓ କହ୍ନେୟାଲାଲର ଏମିତି ଚୁପଚାପ୍ ବସିବା ନୂଆକଥା ଥିଲା , ତଥାପି ଲାଜୋ ରାଗରେ କିଛି ନ କହି ରୋଷେଇଘରକୁ ଚାଲିଗଲା । ଆସନ ପକେଇ ଖାଇବା ବାଢ଼ି ହାତ ଧୋଇବା ପାଇଁ ପାଣିଧରି ଠିଆହେଲା । ପାଞ୍ଚ ମିନିଟ୍ ପରେ ବି ଯେତେବେଳେ କହ୍ନେୟାଲାଲ୍ ନ ଆସବାରୁ ବାଧ୍ୟ ହୋଇ ଡାକିଲା –‘ ଖାଇବା ବାଢି ଦେଇଛି ।‘ କହ୍ନେୟାଲାଲ୍ ଆସିବାବେଳେ କଳପାଖରୁ ଧୋଇହୋଇ ହାତଝାଡି ଭିତରକୁ ଆସିଲା । ଆଜିଯାଏଁ ହାତ ଧୋଇବା ପାଇଁ ଲାଜୋ ହିଁ ପାଣି ଦେଉଥିଲା । ସେ କେବଳ ଦୁଇଟି ହିଁ ରୁଟି ଖାଇ ଉଠିଗଲା। ଲାଜୋ ଯେତେବେଳେ ଆଉଟିକେ ଯାଚିଲା , ସେ ମନାକଲା –‘ ବାସ୍ ହୋଇଗଲା , ଆଉ ଦରକାର ନାହିଁ ।‘ କହ୍ନେୟାଲାଲ୍ ଖାଇସାରି ସବୁଦିନ ପରି ହାତ ଧୁଆଇବାକୁ ନ କହି ନିଜେ ଉଠି ଚାଲିଗଲା କଳ ପାଖକୁ ।
ଲାଜୋ ମନଦୁଃଖରେ ନିଜେ ଖାଇବସି ଦେଖିଲା ଯେ , ଲାଉତରକାରି ପୁରାପୁରି ଲୁଣି ହୋଇଯାଇଛି । ମନ ଭଲ ନ ଥିବାରୁ ଲୁଣ ହଳଦୀ ଦୁଇଥର ପଡିଯାଇଛି । ସେ ଭାରି ଲଜ୍ଜିତ ହେଲା ମନେ ମନେ – ‘ହାୟ ! ସେ କିଛି ବି କହିଲେନି ! ଆଗରୁ ଟିକେ ବି ଲୁଣି ଅଲଣା ହେଲେ ଗାଳିକରୁଥିଲେ ।‘
ଲାଜୋ ଆଉ ଖାଇପାରିଲାନି ଦୁଃଖରେ । ହାତମୁହଁ ଧୋଇ ଏ ପାଖକୁ ଆସିଲା ତ ଦେଖେ , କହ୍ନେୟା ବିଛଣାପତ୍ର ଝଡାଝଡି କରୁଛି । ଲାଜୋ ଯେବେଠୁ ବାହାହୋଇ ଆସିଲାଣି ଏମିତି କେବେ ହୋଇ ନ ଥିଲା ।
ଲାଜୋ ସଙ୍କୁଚିତ ହୋଇ କହିଲା ‘ ମୁଁ ଆସିଲିଣି ଥାଉ, କରିଦେଉଛି ଏବଂ ସ୍ଵାମୀ ହାତରୁ ଦରି ଓ ବେଡସିଟ୍ ନେଇନେଲା । ଲାଜୋ ବିଛଣା କରିବାକୁ ଲାଗିଲା ତ କହ୍ନେୟାଲାଲ୍ ଆର ପଟଟି ଧରି ତାକୁ ସାହାଯ୍ୟ କଲା। ପୁଣି ଲାଜୋକୁ ସମ୍ବୋଧନ କରି କହିଲା –‘ ତୁମେ କିଛି ଖାଇନ । ଲାଉ ତରକାରୀରେ ବେଶୀ ଲୁଣ ହୋଇଯାଇଥିଲା । ସକାଳେ ଓ ଗତରାତିରେ ବି କିଛି ଖାଇ ନ ଥିଲ । ରୁହ , ତୁମପାଇଁ କ୍ଷୀର ନେଇଆସେ ।‘
ଲାଜୋ ପ୍ରତି ଏତେ ଚିନ୍ତା କହ୍ନେୟାଲାଲ୍ କେବେ ଦେଖେଇ ନ ଥିଲା କି ଆବଶ୍ୟକ ମଣି ନ ଥିଲା । ସେ କେବଳ ଏକ ‘ବସ୍ତୁ’ ବୋଲି ମନେକରିଥିଲା ଲାଜୋକୁ । ସେ ଆଜି ଏମିତି କଥାବାର୍ତ୍ତା କରୁଥିଲା , ଯେମିତି ଲାଜୋ ବି ମଣିଷ , ତା ବିଷୟରେ ବି ଭାବିବା ଉଚିତ । ଲାଜ ତ ଲାଗୁଥିଲା , ତଥାପି ଭଲ ମଧ୍ୟ ଲାଗୁଥିଲା ଲାଜୋକୁ । ସେହି ରାତିରୁ ହିଁ କହ୍ନେୟାର ବ୍ୟବହାରରେ ଏକ କୋମଳ ଭାବ ଆସିଯାଇଥିଲା । ଟାଣ କଥା ପଦେ ତ ଦୂରର କଥା , କାଳେ ଲାଜୋକୁ କୌଣସି କଥା ଖରାପ ଲାଗିବ ଅବା ସେ ଅଭିମାନ କରିବ , ଏଇ ଆଶଙ୍କାରେ ସେ ପ୍ରତ୍ୟେକ କଥା କହିବାବେଳେ ଟିକେ କୁଣ୍ଠିତ ହେଉଥିଲା । କୌଣସି କାମ ଅଧା ହୋଇଥିବାର ଦେଖିଲେ ସେ ନିଜେ କରି ଦେଉଥିଲା । ଲାଜୋକୁ ତ ସେ ଚୁଲୀପାଖକୁ ବି ଯିବାକୁ ଦେଇ ନ ଥିଲା , ଯେବେ ତାକୁ ମ୍ୟାଲେରିଆ ଜ୍ଵର ହୋଇଥିଲା ।କିଛି ଦିନ ତ ଲାଜୋକୁ ବହୁତ କୁଣ୍ଠା ଏବଂ ସଂକୋଚ ଲାଗିଲା । କିନ୍ତୁ ପରେ ସ୍ବାମୀ ପ୍ରତି ତାର ଭଲପାଇବା ବଢିଗଲା । ଯେତେ ଦୂର ସମ୍ଭବ , ତାକୁ ଘରକାମ କରିବାକୁ ଦିଏନି । ପ୍ରେମଭରା ତାଗିଦ୍ କରେ –‘ ପୁରଷକୁ ଏଇ କାମ କରିବା ଶୋଭା ଦିଏନି ।‘
ସେମାନଙ୍କ ଜୀବନ କିଛି ଅଲଗା ପ୍ରକାରର ହୋଇଯାଇଥିଲା । ଲାଜୋ ଖାଇବାକୁ ଡାକିଲେ , କହ୍ନେୟା ଜିଦ୍ କରେ-‘ ତୁମେ ସବୁତକ କରିସାର , ତାପରେ ଏକାଠି ବସି ଖାଇବା ।‘
ଆଗରୁ ଯଦି କହ୍ନେୟା କୌଣସି ବହି କି ପତ୍ରିକା ମାଗିକି ଆଣୁଥିଲା , ତେବେ ଏକା ବସି ମନେମନେ ପଢୁଥିଲା । ଏବେ ଲାଜୋକୁ ପଢି ଶୁଣାଏ ଅବା ଶୁଣେ । ଏମିତି ବି ପଚାରିଦିଏ –‘ ତୁମକୁ ନିଦ ଆସୁନି ତ ?’
ଜଣା ବି ପଡିଲାନି ବର୍ଷେ ବିତିଗଲା । ପୁଣି କରୱାଚୌଥର ବ୍ରତ ଆସିଲା। କାହିଁକି କେଜାଣି କରୱା ପାଇଁ ଲାଜୋ ଭାଇର ମନିଅର୍ଡର ଆସି ପହଞ୍ଚି ନ ଥିଲା । କରୱାଚୌଥ୍ ଆଗଦିନ କହ୍ନେୟା ଅଫିସ ବାହାରୁଥିବା ବେଳେ ଲାଜୋ ଟିକେ ଦୋଦୋ ପାଞ୍ଚ ହୋଇ କହିଲା ,‘ ଭାଇ କରବା ପଠେଇବାକୁ ଭୁଲିଗଲେ ବୋଧେ !’
କହ୍ନେୟାଲାଲ୍ ଶାନ୍ତ ସ୍ଵରରେ କହିଲା ‘ କଣ ହୋଇଗଲା ସେଇଠୁ ! ସେ ପଠେଇଥିବେ ନିଶ୍ଚୟ । ଡାକଘରର ବ୍ୟବସ୍ଥା ଆଜିକାଲି ଠିକ୍ ନାହିଁ । ହୁଏତ ଆଜି ଆସିଯିବ , ନହେଲେ ଦୁଇ ଦିନ ପରେ । ଡାକବାଲା ତ ଆଜିକାଲି ପନ୍ଦରପନ୍ଦର ଦିନ ଡେରି କରିଦେଉଛନ୍ତି ମନିଅର୍ଡର ଦେବାକୁ । ତୁମେ କିନ୍ତୁ ପଡନି ଏଇ ଓପାସ ବ୍ରତ ଜଞ୍ଜାଳରେ । ଦେହ ଖରାପ ହେଉଛି । ଏମିତି ହିଁ ଯଦି କିଛି ଆଣିବାର ଅଛି ତ କୁହ , ନେଇ ଆସିବି । ଓପାସବ୍ରତରୁ କଣ ମିଳିବ ! ସବୁ ଢ଼ଙ୍ଗ ।
‘
‘ ବାଃ ! ଏଇଟା କେମିତି ହେଇପାରିବ ! ମୁଁ ତ ନିଶ୍ଚୟ ବ୍ରତ କରିବି। ଭାଇ କରବା ନ ପଠେଇଲେ ନାହିଁ ପଛେ । ବ୍ରତ ତ କରିବି , ଜିନିଷରେ କଣ ଅଛି !’ ଲାଜୋ ବେପରୁଆ ହୋଇ କହିଲା ।
ସନ୍ଧ୍ୟାରେ କହ୍ନେୟାଲାଲ୍ ଆସି ରୁମାଲରେ ବାନ୍ଧିଥିବା କିଛି ଲାଜୋକୁ ଧରେଇଦେଇ କହିଲା-‘ ନିଅ , ମୁଁ ଫେଣୀ ତ ନେଇଆସିଛି । ହେଲେ, ତୁମେ ସେ ବ୍ରତ ଓପାସର ଚକ୍କରରେ ପଡିବନି । ଲାଜୋ ମୁରୁକି ହସିଦେଇ , ରୁମାଲ ନେଇ ଆଲମାରୀରେ ରଖିଦେଲା ।
ପରଦିନ ଲାଜୋ ଠିକ ସମୟରେ ରୋଷେଇ ସାରି କହ୍ନେୟାକୁ ରୋଷେଇଘରୁ ଡାକିଲା ‘ ଆସ, ଖାଇବା ବାଢି ଦେଇଛି ।‘
କହ୍ନେୟା ଯାଇ ଦେଖିଲା କେବଳ ଜଣକ ପାଇଁ ବଢାହୋଇଛି । ‘ ଆଉ ତୁମେ ?’ କହ୍ନେୟା ଲାଜୋଆଡକୁ ଚାହିଁଲା ।
ଆରେ!, ମୋର ତ ଓପାସ । ସକାଳେ ସରଗି ବି ଖାଇ ଦେଇଛି । ତୁମେ ଶୋଇଥିଲ ସେତେବେଳେ ।‘ ଲାଜୋ ହସିଦେଇ ପ୍ରେମଭରା ସ୍ୱରରେ କହିଲା ।
‘ ଏଇ କଥା , ତେବେ ମୋର ବି ଓପାସ ।‘ ଆସନରୁ ଉଠୁଉଠୁ କହିଲା କହ୍ନେୟାଲାଲ୍।
ସ୍ଵାମୀର ହାତ ଧରି ଅଟକାଇ ଦେଇ ଲାଜୋ ବୁଝେଇଲା ‘ କଣ ପାଗଳ ହେଲ ! ପୁରୁଷ ବି କୋଉଠି କେବେ ଓପାସବ୍ରତ କଲେଣି ? ତୁମେ ସରଗୀ ବି କୋଉ ଖାଇଛ ? ’
ନା , ନା… ୟେ କେମିତି ହେବ !’ କହ୍ନେୟା ମାନିଲାନି ।‘ ଆରଜନ୍ମରେ ତୁମକୁ ମୁଁ ଦରକାର , ତାହେଲେ କଣ ମୋତେ ତୁମର ଆବଶ୍ୟକତା ନାହିଁ ? ନହେଲେ ତୁମେ ମଧ୍ୟ ଆଜି ବ୍ରତ କରନି ।’
ଲାଜୋ ସ୍ୱାମୀ ଆଡକୁ କାତର ଦୃଷ୍ଟିରେ ଚାହିଁ ହାର ମାନିଗଲା । ସ୍ଵାମୀଙ୍କୁ ଖାଲି ପେଟରେ ଅଫିସ ଯିବାର ଦେଖି , ଗର୍ବରେ ତା ହୃଦୟ ଫୁଲି ଉଠୁଥିଲା
ଗାୟତ୍ରୀ ନଗର
ନବରଙ୍ଗପୁର
Comments are closed.