Latest Odisha News

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନରେ ଭାରତ ଆଉ ଦୁଇ ପାଦ ଉପରକୁ ଉଠି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ ସ୍ଥାନରେ ପହଞ୍ଚିଛି । ଏହି ସୂଚୀରେ ଭାରତ କ୍ରମାଗତ ଭାବେ ଉପରକୁ ଉଠି ଚାଲିଛି । ୨୦୧୫ରେ ଭାରତ ଏହି ସୂଚୀରେ ୮୧ ତମ ସ୍ଥାନରେ ଥିଲା । ଇନୋଭେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଗୁରୁତ୍ବ ଦେଇ ଆସୁଛନ୍ତି । ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଯେଉଁ ଆହ୍ବନ ଜନସାଧାରଣଙ୍କୁ ଦେଇଥିଲେ ସେଥିରେ ଇନୋଭେସନ ଅଗ୍ରାଧିକାର ଲାଭ କରିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ସମୟରେ ଦେଶରେ ଯେଉଁ ଅଦ୍ଭୂତପୂର୍ବ ସଙ୍କଟ ସୃଷ୍ଟି ହୋଇଛି ତାହାର ସଫଳ ମୁକାବିଲାରେ ଆମକୁ ଇନୋଭେସନ ସାହାଯ୍ୟ କରିବ । ଯାହାଦ୍ବାରା ଆମେ ଆତ୍ମନିର୍ଭର ହୋଇପାରିବା ।

ଜିଆଇଆଇ ରାଙ୍କିଙ୍ଗରେ ଭାରତ ନିୟମିତ ଭାବେ ଉପରକୁ ଉଠିବା ପଛରେ ରହିଛି ଏହାର ଜ୍ଞାନପୁଞ୍ଜି, ସମୃଦ୍ଧ ଷ୍ଟାର୍ଟଅପ ପରିବେଶ, ଘରୋଇ ଏବଂ ସରକାରୀ ଗବେଷଣା ପ୍ରତିଷ୍ଠାନର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ । ଆଣବିକ ଶକ୍ତି ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଜୈବ ପ୍ରଯୁକ୍ତି ବିଭାଗ ଓ ମହାକାଶ ବିଜ୍ଞାନ ଭଳି ବିଜ୍ଞାନ ସମ୍ବନ୍ଧୀୟ ବିଭାଗ ସମୂହ ଭାରତୀୟ ଇନୋଭେସନକୁ ସମୃଦ୍ଧ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବିଦ୍ୟୁତ ଚାଳିତ ଯାନ, ବାୟୋଟେକ୍ନୋଲୋଜି, ନାନୋ ଟେକ୍ନୋଲୋଜି, ମହାକାଶ, ବିକଳ୍ପ ଉର୍ଜା ଉତ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନୀତି ଭିତ୍ତିକ ନବସୃଜନ ଆଣିବା ପାଇଁ ଯେଉଁ ଜାତୀୟ ଉଦ୍ୟମ ହେଉଛି, ତାହାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନୀତି ଆୟୋଗ ନିୟମିତ ଭାବେ କାର୍ଯ୍ୟ କରୁଛି ।

ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ସର୍ବଶେଷ ସଂସ୍କରଣ ଗତବର୍ଷ ନୀତି ଆୟୋଗ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଇନୋଭେସନ କ୍ଷେତ୍ରରେ ଭାରତର ପ୍ରଗତି, ବିଶ୍ବସ୍ତରରେ ଏହାର ମୂଲ୍ୟାୟନ ଏବଂ ରାଙ୍କ ଆଦି ଉପରେ ନୀତି ଆୟୋଗ ଏବଂ ଜିଆଇଆଇ ନିରନ୍ତର ଦୃଷ୍ଟି ରଖି ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସୁନିଶ୍ଚିତ କରୁଛି । ଜୀବନ ଓ ଜୀବିକାର ସୁରକ୍ଷା ସହିତ ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବଢାଇବାକୁ ଚେଷ୍ଟା କରାଯାଉଥିବାରୁ ଜିଆଇଆଇ-୨୦୨୧ ଅନ୍ୟାନ୍ୟ ଦେଶ ପାଇଁ ଏକ ଗୁରୁତ୍ବ ବହନ କରୁଛି । ଏହା ସେମାନଙ୍କ ଅର୍ଥନୀତିର ପୁନରୁଦ୍ଧାର ଓ ସମୃଦ୍ଧିରେ ବିଶେଷ ଅବଦାନ ରଖିବ ।

ବିଶ୍ବବ୍ୟାପୀ ଜିଆଇଆଇ ସରକାରଙ୍କ ମାପ ଆଧାରରେ ପରିଣତ ହୋଇଛି । ଏହା ମାଧ୍ୟମରେ ସେମାନେ ନିଜ ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ମାପୁଛନ୍ତି । ଭାରତୀୟ ଶିଳ୍ପ ମହାସଂଘ ଏ କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେଉଛି । ଚଳିତବର୍ଷ ନୀତି ଆୟୋଗ, ସିଆଇଆଇଏ ଓ ବିଶ୍ବ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନ ୱିପୋ ସହିତ ମିଶି ଭର୍ଚୁଆଲ ବ୍ୟବସ୍ଥାରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ଗ୍ଲୋବାଲ ଇନୋଭେସନ କନକ୍ଲେଭ ଆୟୋଜନ କରାଯାଉଛି । ଏଥିରେ ଜିଆଇଆଇର ଉନ୍ମୋଚନ ଭାରତ ପାଇଁ କରାଯିବ ।
କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ ।

Leave A Reply

Your email address will not be published.