ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୭
ନିଜ ସହ ଯୁଦ୍ଧ, ଆଶ୍ଚର୍ଯ୍ୟ ହେଲେବି ସତ। ଯୁଝିପାରେ ବୋଲି ବୁଝିପାରେ ନିଜକୁ, ପରଖି ପାରେ ଅନ୍ୟକୁ। ଫର୍ଚ୍ଚା ହେଉଣୁ ନହେଉଣୁ ପକ୍ଷୀସବୁ ଆଲର୍ମ ଲଗେଇ ଉଠେଇଦିଅନ୍ତି।ନିତ୍ୟକର୍ମ ପରେ ନିଜପାଇଁ କାମର ସମୟ। ଚାରିହାତ ମାଟିକୁ ଖୋସେଇପକାଏ ଆମ ସଞ୍ଜୁଅପା, ଢାବାରୁ ଆଣିଥିବା ଭଙ୍ଗା ଲୁହାରଡରୁ ଖଣ୍ଡେ ଧରି।ପରେ ସେଇଭଳି ଆଉକିଛି ଭଙ୍ଗା ଦରଭଙ୍ଗା ମିଶେଇ ଯୁଟେଇନେଲା ଭାଗ୍ୟ। ଲଙ୍କା ମଞ୍ଜି, ସୋରିଷ, ପାନମହୁରୀ ବିଞ୍ଚିଦେଲା ଖୋଳାହୋଇଥିବା ମାଟିରେ। ଅଧାଭଙ୍ଗା ଢାବଲରେ ଥିବା ଅଳ୍ପ ପାଣି ଛିଞ୍ଚିଦେଲା। ଦ୍ବିପତ୍ର ହେଲାବେଳକୁ ଗଛପତ୍ର ଡାଳଭାଙ୍ଗି ବାଡ ଦେବା ଆରମ୍ଭ ହେଲା।ଏସବୁ ଦେଖିଲେ ଲୋକେ ପାଗଳ କହିବା ସ୍ବାଭାବିକ। ସୂର୍ଯ୍ୟ ଉଦୟ ବେଳକୁ ମାଲିକ ପାଖରେ ପହଞ୍ଚିବା ଦରକାର। ତା’ର କାମ ଠିକ୍ ଚାଲେ ଯୋଜନା ଅନୁସାରେ।
ଲେମ୍ବୁ ମଞ୍ଜି,କଲରାମଞ୍ଜି ସହ ଭାଗ୍ୟ ପରୀକ୍ଷା ହେଲା ଧିରେ ଧିରେ । ଅଦରକାରୀ ଚାହାଖଦା,ପରିବାଚୋପା, ପାଉଁଶ ଅଣ୍ଡାଖୋଳପା, ପିଆଜଚୋପା ଇତ୍ୟାଦି ମିଶି ମାଟି ଉର୍ବର ହେଲା। ସାଧାରଣ ମଣିଷଟି ଅସାଧାରଣ ଦକ୍ଷତା ଦେଖାଇପାରିଲା। ପରିଶେଷରେ ପରିଶ୍ରମର ଫଳ ମିଠା ହେଲା । ଏସବୁ କାମ ସମୟରେ ଭୀଷଣ ଦରଜ ହୁଏ ଦେହରେ। କିନ୍ତୁ, ନିଜହାତର ଏଯାକ ସବୁଜିମା ଦେଖି ସବୁ କଷ୍ଟ ଭୁଲିହୋଇଯାଏ।
ଜରି, କାଠ, ଟିଣ ,ଗଛଡାଳ ସବୁମିଶି ମୁଣ୍ଡ ଉପରେ ହେଲା ଛାତ।ଖରା,ବର୍ଷା ରୁ ରକ୍ଷା ମିଳିଲା। ଉଦାର ମାଲିକ ପୁଳେ ଲୁଗାପଟା ଓ ବିଛଣା ଚାଦର ଦେଲା।ସବୁକିଛି ଯଦିଓ ପୁରୁଣା ଥିଲା। ସାଧୁ ଉଦ୍ୟମ ମାଲିକେ, ଅସ୍ଫୁଟ ସ୍ବରରେ ନିଜକୁ ନିଜେ କହିଲା। ସମୟ କଡ ଲେଉଟେଇଲା।
ରାସ୍ତା କଡ ଜମିରେ ଧିରେ ଧିରେ କୋଳାହଳ ବଢିଲା।ଜଣ ଜଣକରି ଆଉ କେତେଜଣ ତା’ ଭଳି ଆସି ରହିବା ଆରମ୍ଭ କଲେ। ସମସ୍ତଙ୍କୁ ଆଦରିନେଲା ସଞ୍ଜୁଅପା। ସେ ଭୋଗିଚି ଯେଉଁ ଅବ୍ୟକ୍ତ କଷ୍ଟ, ଆଉମାନେ ନପାଆନ୍ତୁ ବୋଲି ଆପ୍ରାଣ ଚେଷ୍ଟା କଲା। ସେଇମାନେ ଡାକିଲେ ବୋଧହୁଏ ସେମିତି ନାମରେ,ଖାତିର କରି। ଆରମ୍ଭ ହେଲା ରନ୍ଧା ପର୍ବ। କାହାକୁ କେବେ ହାତ ପତେଇନଥିବା ମଣିଷ କିନ୍ତୁ, ଯିଏ ଯାହା ଯାଚି ଦେଲେ ରଖିଥାଏ। ବଦଖର୍ଚ୍ଚ ତା’ର ନଥାଏ। ସେଥିରେ କିଣାହେଲା ଚାଉଳ, ଡାଲି, ତେଲ, ହଳଦୀ,। କାଠ ଫ୍ରି, ଗୋଟେଇ ଆଣନ୍ତି ସେବେଳେ। ଭୋଜନ ନା ପର୍ବ କେଜାଣି। ମିଳିମିଶି ଚଳିବା ଆରମ୍ଭ ହେଲା।
କୋଦାଳ, ଶାବଳ, ଝୁଡି ଆସିଲା । ମାଟି ତାଡି କାନ୍ଥ ସହ ବାରଣ୍ଡା ଭଳି ଆଗକୁ ଖଣ୍ଡେ କାଢିଲା, ଚା, କଫି ଦୋକାନ ପାଇଁ। କିଣା ହେଲା ସବୁ ପ୍ରକାର ସାଜ ସରଞ୍ଜାମ। ମାଲିକ ବହୁତ ଗାଳି ଦେଲା ପ୍ରଥମେ। ମାଡ ଦେଲା ଓ ଧମକ ଦେଲା। ଜୀବନରୁ ମାରିଦବ ବୋଲି ବହୁତ ଡରେଇଲା। ନିଆଁ ଲଗେଇଦେବ ବୋଲି କହିଲା । ଅଚଳ ମହାମେରୁ ଭାଙ୍ଗି ପଡିଲାନି କି ତିଳେ ଡରିଲାନାହିଁ। ମୁହଁ ଖୋଲିଲାନି, ବରଂ ହୃଦୟରୁ କୃତଜ୍ଞତା ଜ୍ଞାପନ କଲା। ଜରି ଛାତକୁ ଝାଟିମାଟି କାନ୍ଥର ଯେଉଁ ମୂଳଦୂଆ ପଡିଥିଲା ଆଜି ସେସବୁ ପକ୍କାଘରରେ ରୂପାନ୍ତରିତ। ଗେହ୍ଲୀ, ଶାରୀ, ତାରା,ପ୍ରୀତି, ବୁଲି, ରୂପା ସମସ୍ତେ କାମ ପାଇଲେ, ଦାନା ପାଇଲେ, ବଞ୍ଚିବାକୁ ହିମ୍ମତ ପାଇଲେ। ଏଥର କାଟତି ଭଲ ହେଲା। ହାଇୱେ କଡରେ ବୋଲି ଲୋକେ ଗାଡି ଅଟକେଇ ଭଲ ଆସୁଥିଲେ। ସନ୍ଧ୍ୟାକୁ ଆଳୁଚପ, ପୋକଡି, ସିଝାଅଣ୍ଡା, ଘୁଗୁନୀ, ଆଉ ସକାଳେ ପୁରି ,ଆଳୁଦମ ଭଲ ଚାଲିଲା।ଏବେ ସେ ଢାବା ମାଲିକକୁ ଆଉ ଡର ଲାଗୁନଥିଲା କାହାକୁ।ତା’ ବେପାର ଠିକ୍ ଚାଲୁଥିଲା ମ , ତୁଚ୍ଛା ଡର ,ଅଯଥା ଭାବନା ତା’କୁ ଖାଇଯାଉଥିଲା। ନୂଆ ଗରାଖ ଏଇଠି ଭଲ ଜଳଖିଆ ଓ ଚା’ ପାଇଯାଉଥିଲେ। ଚାହିଦା ବଢୁଥିଲା ତ ସମ୍ଭାଳିଯାଉଥିଲା ପରିସ୍ଥିତି।
ନିଜ କାମ ନିଜେକରି,ପେଟକୁ ଦାନାଦେଇ ନିଜ ଗୋଡରେ ନିଜେ ଛିଡାହେବା କିଛି କମ୍ କଥା ନଥିଲା।ସମସ୍ତ ପ୍ରତିକୂଳ ସମୟକୁ ନିଜଚେଷ୍ଟାରେ ନିଜ ଆଡକୁ ଘୂରେଇଆଣିବା ସହଜ ନଥିଲା ଜମା।ସବୁଠାରୁ ବଡକଥା ହେଲା ନିଜକୁ ସୁରକ୍ଷିତ ରଖିବା, ଯେମିତି ଏକ ଚାଲେଞ୍ଜ୍ ଥିଲା ସମସ୍ତଙ୍କ ପାଇଁ ।
ବିଦ୍ୟା ବୁଦ୍ଧି ସହ ସଂସ୍କାର ମଣିଷକୁ ନିଆରା ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ବାଟ ଦେଖାଏ। ଶୂନ୍ୟରୁ ଏତେବଡ କଲୋନୀର ମାଲିକାନା ମିଳିବା ଦୁଃସାଧ୍ୟ ନୁହେଁ କି? ନଥିଙ୍ଗ ରୁ ବିଙ୍ଗ …. ଜିଲ୍ଲା,ରାଜ୍ୟ ପରେ ରାଜ୍ୟ ବାହାରୁ କେତେ ଆସି ରହିଲେ। ନିୟମ ଅନୁସାରେ ଚଳିଲେ।
କି ସାହସ ମ। ପରମ ଆଥିତେୟତା ସହ ସଙ୍ଖୋଳି ଆଣିଥିଲା ମହାମଣ୍ଡଳେଶ୍ବରଙ୍କୁ ଆମ ସଞ୍ଜୁଅପା। ସବୁକଥା ଫିଟେଇ କହିଥିଲା ନିଜର। ଦୁହେଁ ଦୁହିଁଙ୍କୁ ଭଲପାଇ ସହଯୋଗ କରିଥିଲେ। ଆପଣାପଣରେ ଆପ୍ୟାୟିତ କରିଥିଲା ମନଯୋଗଦେଇ।ନିଆରା ସେ ମୁହୂର୍ତ୍ତ। ଅନନ୍ୟ ସେ ଉପଲବ୍ଧି।ସେ ଦିନରୁ ସବୁଦିନ ଦୁଇ ଓଳି ପ୍ରଚାର ହେଉଚି ସୃଷ୍ଟି ତତ୍ତ୍ବ… ମାନବିକତା ଗାଥା।
ମଣିଷ ଏମିତି ରେ ତ ଖଣ୍ଡିଆ ଅବସ୍ଥାରେ ଅଛି। ଆଉ ଟାହିଟାପରା କାହିଁକି କରୁଚ ମ । ଦେଇ ପାରିବନି ଯଦି ହସ ଖିଏ କାହାକୁ, ଛଡେଇ ନବାକୁ ହକ୍ ଦେଲା କିଏ ଯେ ! ସମୟରେ, ତୁ ଯାଃ..ଯାଃ ପଳା ଫେରିଯାଅ, ଯାଅ ଏ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି। ଆମର ତୁମ ପାଖରେ କି କାମ। ଦରଦୀ ହୃଦୟଥିବା ମଣିଷଟିଏ ଲୋଡା ଆମର। ନ ଦେଲେ ନଦେଉ ସେ କିଛି , ନିରୁତା ସ୍ନେହ ଆଦର ତ ଟିକିଏ ଦେଇ ପାରିବ। ଆଉ ସବୁତ କିଣିବାକୁ ମିଳିବ ଟଙ୍କା ଫିଙ୍ଗିଲେ। ସଞ୍ଜୀବନ ପଟ୍ଟନାୟକ ବେଳେବେଳେ ଏମିତି ସ୍ବଗୋତକ୍ତି କରେ।କୋଉ ଡରେ ସେ କାହାକୁ …ଡରକୁ ଏବେ ଚୋରେଇ ନେଇଚି କୁମ୍ଭୀର। ଯାଉ ସେ.. ଯାଉ ତା’ ବାଟରେ। ଖୋଜା ଲୋଡା ଦରକାର ନାହିଁ ଆଦୌ।
Comments are closed.