Latest Odisha News

BREAKING NEWS

ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ ।

ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ ମୃତଦେହ । ୨୦୦୨ରେ କୁସୁମଙ୍କ ସ୍ୱାମୀ ତଥା ପୋଷ୍ଟାଲ ବିଭାଗରେ ଉଚ୍ଚପଦସ୍ତ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଭାଗିରଥୀ ନାୟକଙ୍କର ମୃତ୍ୟୁ ଘଟିଥିଲା । ଯାହା ପରେ କୁସୁମଙ୍କୁ ମିଳୁଥିଲା ସରକାରୀ ପେନସନ୍ । କୁସୁମଙ୍କ ପରିବାରରେ ଥିଲେ ତିନିପୁଅ । ବଡ ପୁଅକୁ ବାଦ୍ ଦେଲେ ସାନପୁଅ ବରିଷ୍ଠ କିରାଣୀ ଓ ମଝିଆଁ ପୁଅ ନିର୍ବାହୀ ଯନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

ବଡପୁଅର ରୋଜଗାର ନଥିବାରୁ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ପ୍ରତି ଥିଲା କୁସୁମଙ୍କର ଅନାବିଳ ପ୍ରେମ । ଏଥିପାଇଁ କୁସୁମ ଶିବାଜୀ ନଗରରେ ବଡପୁଅ ପାଖରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ପେନସନ ଟଙ୍କାରେ ବଡପୁଅର ପରିବାର ଚଳୁଥିବାରୁ ସାନ ପୁଅ କିମ୍ବା ମଝିଆଁ ପୁଅ ପାଖକୁ ଯେତେ ଡାକିଥିଲେ ସୁଦ୍ଧା, କୁସୁମ କିନ୍ତୁ ବଡପୁଅ ପାଖ ଛାଡିନଥିଲେ ।

ତେବେ ୬ ମାସ ପୂର୍ବରୁ ବଡ ପୁଅ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ କୁସୁମଙ୍କ ଜୀବନରେ ଘୋଟି ଆସିଥିଲା ଅଦିନିଆ ଅମାବାସ୍ୟା । ଆରମ୍ଭ ହୋଇଥିଲା ବଡ ବୋହୁର ନିର୍ଯାତନା । ଏପରିକି କୁସୁମଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ରଖାଯାଉଥିଲା । ଭଲମନ୍ଦ ବୁଝିବାକୁ ବି କେହି କର୍ଣ୍ଣପାତ୍ କରୁନଥିଲେ । ତେବେ କୁସୁମଙ୍କ କୋଠରୀରୁ ଦୁର୍ଗନ୍ଧ ବାହାରିବା ଖବର ସାହିପଡିଶାରେ ପ୍ରଚାରିତ ହେବା ପରେ ଶିବାଜୀ ନଗରରେ ଆସି ପହଂଚିଥିଲେ ସାନ ବୋହୁ ମନ୍ଦିରା ନାୟକ ।

ଅନ୍ୟପଟେ ବଡ ବୋହୁ କିନ୍ତୁ କୁସୁମଙ୍କ ସହ ସାକ୍ଷାତ କରିବାକୁ ସାନ ବୋହୁଙ୍କୁ ସୁଯୋଗ ଦେଇନଥିଲେ । ଫଳରେ ମଝିଆଁ ବୋହୁ ଓ ପୁଅ ଆସି ପହଂଚିବା ପରେ କିଛି ଭଦ୍ରଲୋକଙ୍କ ସହାୟତାରେ କୁସୁମଙ୍କ କୋଠରୀ ଖୋଲାଯାଇଥିଲା । କୋଠରୀ ଭିତରୁ ଉଦ୍ଧାର ହୋଇଥିଲା କୁସୁମଙ୍କ ପୋକ ସାଲୁବାଲୁ ମୃତଦେହ । ଏପରିକି ମୃତଦେହକୁ ହାତରେ ଉଠାଇବାବେଳେ ପୁଳାପୁଳା ମାଂସ ଖସି ପଡୁଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଂଚି ଉମରକୋଟ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦ ପରେ କୁସୁମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଘଟଣା ପରେ ସାନ ବୋହୁ ମନ୍ଦିରା ନାୟକଙ୍କ ଲିଖିତ ଅଭିଯୋଗ କ୍ରମେ ବଡ ବୋହୁକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.