ମୂଳ ହିନ୍ଦୀ : କୁଓଁର ନାରାୟଣ
ଥରେ ମୋତେ ପରିସଂଖ୍ୟାନର
ବାନ୍ତି ହେବାକୁ ଲାଗିଲା
ଗଣୁ ଗଣୁ ଯେତେବେଳେ ସଂଖ୍ୟା
କୋଟି କୋଟି ପାର ହେବାକୁ ଲାଗିଲା
ମୁଁ ଅଚେତ ହୋଇଗଲି
ଚେତା ଫେରିଲା ବେଳକୁ ମୁଁ ହସପିଟାଲରେ
ଥିଲି
ରକ୍ତ ଚଢା ଯାଉଥିଲା
ଅକ୍ଯିଜେନ ଦିଆ ଚାଲିଥିଲା
ଏତିକି ବେଳେ ମୁଁ ଚିତ୍କାର କଲି
ଡାକ୍ତର ମୋତେ ଭୟଙ୍କର ଭାବେ ହସ ମାଡୁଛି
ଇଏ ହସାଇବାବାଲା ଗ୍ୟାସ ବୋଧେ
ଜୀବନରକ୍ଷାକାରୀ ନୁହେଁ
ତମେ ମୋତେ ହସିବାକୁ ବାଧ୍ୟ କରି ପାରିବ ନାହିଁ
ଏଇ ଦେଶରେ ପ୍ରତ୍ୟେକଙ୍କୁ ଅବଶୋଷର ସହିତ ବଞ୍ଚିବାର
ଜନ୍ମସିଦ୍ଧ ଅଧିକାର ଅଛି ନ ହେଲେ
କିଛି ମାନେ ରଖେ ନାହିଁ ଆମର ସ୍ୱାଧୀନତା ଆଉ ଗଣତନ୍ତ୍ର !
କଥା ହୁଅନ୍ତୁ ନାହିଁ , ନର୍ସ କହିଲା, ବହୁତ ଦୁର୍ବଳ ଆପଣ
ବହୁତ କଷ୍ଟରେ ନିୟନ୍ତ୍ରଣ ଭିତରକୁ ଆସିଛି ରକ୍ତଚାପ
ଡାକ୍ତର ବୁଝାଇଲେ, ପରିସଂଖ୍ୟାନର ଭାଇରସ
ଭୟଙ୍କର ଭାବେ ବ୍ୟାପି ଚାଲିଛି ଆଜିକାଲି
ସିଧା ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି
ଭାଗ୍ୟବାନ ଆପଣ ଯେ ବଞ୍ଚିଗଲେ
କିଛି ବି ହୋଇ ପାରିଥାଆନ୍ତା ଆପଣଙ୍କର
ସନ୍ନିପାତ ହୋଇ ଆପଣ ବକି ଚାଲି ଥାଆନ୍ତେ
ଅବା ପକ୍ଷାଘାତରେ ଚିରଦିନ ଲାଗି ବନ୍ଦ ହୋଇ ଯାଇଥାଆନ୍ତା
ଆପଣଙ୍କ କଥା କହିବା
ମସ୍ତିଷ୍କର ଯେ କୌଣସି ଶିରା ଫାଟି ଯାଇଥାଆନ୍ତା
ଏତେ ବଡ ସଂଖ୍ୟାର ଚାପରେ
ଆମେ ସମସ୍ତେ ଏକ ସଙ୍କଟପୂର୍ଣ୍ଣ ସମୟ ଦେଇ ଗତି କରୁଛେ
ମାତ୍ରା ଦୃଷ୍ଟିରୁ ଉତ୍ତେଜନା ଘାତକ ହୋଇପାରେ
ପରିସଂଖ୍ୟାନ ଉପରେ କୌଣସି ଔଷଧ କାମ ଦିଏନି
ଧୀର ସ୍ଥିର ଭାବେ ଆଗେଇବାକୁ ହେବ
ଆପଣ ଯଦି ବଞ୍ଚିଗଲେ କୋଟିଏରେ ଗୋଟିଏ ହେବେ …..
ହଠାତ ମୋତେ ଲାଗିଲା
ବିପଦ ପ୍ରତି ସତର୍କ କରାଉ କରାଉ ସଙ୍କେତ-ଚିହ୍ନରେ
ବଦଳି ଯାଇଥିଲା ଡାକ୍ତରଙ୍କ ମୁହଁ
ଆଉ ମୁଁ ପରିସଂଖ୍ୟାନ ଦ୍ୱାରା କଟା ହୋଇ
ଚିତ୍କାର କରି ଚାଲିଥିଲି
ଯେ ଆମେ ପରିସଂଖ୍ୟାନ ନୁହେଁ ମଣିଷ !
ଅନୁବାଦ : ସରଳ କୁମାର ଦାସ
ମୋ. ୯୪୩୭୦୩୮୦୧୫
saral_das@yahoo.co.in