Latest Odisha News

BREAKING NEWS

ପୁସ୍ତକ ପରିଚୟ : ଅହଲ୍ୟା

ଉପନ୍ୟାସ- ଅହଲ୍ୟା
ଔପନ୍ୟାସିକା- ସ୍ବର୍ଣ୍ଣଲତା ମହାପାତ୍ର
ପ୍ରକାଶକ- ବ୍ଲାକ ଇଗଲ ବୁକ୍ସ,ଉଇସ୍ଡଡ଼ମ୍ ଲେନ୍,ଡ଼ବଲିନ୍,ଆମେରିକା
ମୂଲ୍ୟ-୨୧୦ଟଙ୍କା 
ପୃଷ୍ଠା-୧୭୬

“ଅହଲ୍ୟା” କହିଲେ ମନକୁ ସ୍ୱତଃ ଚାଲି ଆସନ୍ତି ପ୍ରଭୁ ରାମଚନ୍ଦ୍ର ଓ ଋଷି ଗୌତମ । ଯୁଗ ଯୁଗ ଧରି ଶିଳାରେ ପରିଣତ ହୋଇଥିବା ଅହଲ୍ୟାଙ୍କ ପ୍ରତି ଆପେ ଆପେ “ଆହା” ପଦଟିଏ ମୁହଁରୁ ବାହାରିଯାଏ।

ଔପନ୍ୟାସିକା ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଉପନ୍ୟାସ “ଅହଲ୍ୟା” କିନ୍ତୁ ଭିନ୍ନ କାହାଣୀ କହେ। ପ୍ରେମ , ତ୍ୟାଗ , ସମର୍ପଣ, ସଂଘର୍ଷ ଏବଂ ଆତ୍ମିକ ତୃପ୍ତିକୁ ନେଇ ରଚିତ ଏହି ଉପନ୍ୟାସର ସବୁ ଚରିତ୍ର ନିଜସ୍ଵ ସ୍ଵତନ୍ତ୍ରତା ନେଇ ଫୁଟେଇ ପାରନ୍ତି ଏକ ଜୀବନ୍ତ କାହାଣୀ।

ବର୍ଷଣମୁଖର ଏକ ରାତିରୁ ଆରମ୍ଭ ହେଉଥିବା “ଅହଲ୍ୟା”ର ଅତି ପରିଚିତ ରାସ୍ତାଟି ଲମ୍ଭି ଯାଉଥାଏ ଆଗକୁ ଆଗକୁ।

ଜୀବନ ଯଦି ହଠାତ ନିଷିଦ୍ଧ ଇଲାକାରେ ନିଜକୁ ଆବିଷ୍କାର କରେ, ତାହେଲେ ତାକୁ ଶେଷ ପର୍ଯ୍ୟାୟ ହିସାବରେ ଗ୍ରହଣ ନକରି ତା ଭିତରେ ବି ଆଲୋକର ସନ୍ଧାନ କରିହେବ। ଏଠାରେ ଅହଲ୍ୟା ଏମିତି ଏକ ଚରିତ୍ର, ଯିଏ ବାରମ୍ବାର ସାମ୍ନା କରିଛି ଅନେକ ବ୍ୟକ୍ତିଙ୍କୁ। ବାରମ୍ବାର ହାଣ ମୁହଁରେ ପଡ଼ିଛି। ନିଜ ପ୍ରଚେଷ୍ଟାରେ ବାହାରି ଯାଇଛି। କିନ୍ତୁ କେତେ ଦିନ ? ପରିସ୍ଥିତି ଅନୁସାରେ ବଦଳିଯାଇଛି ତାର ମାନସିକତା। ଜୋର ଜବରଦସ୍ତି ଅପେକ୍ଷା ନିଜେ ନିଜକୁ ସମର୍ପି ଦେଇ କିଛିଟା କଷ୍ଟରୁ ମୁକୁଳିଯିବାର ବାଟ ହିଁ ଶ୍ରେଷ୍ଠ ଭାବିଛି ସେ। ପ୍ରତିରାତିରେ ବଦଳୁଥିବା ମୁହଁ ତାର ପ୍ରେମକୁ ଆହୁରି ମଜଭୁତ କରିଛି। ଯେତେଥର ନିଜକୁ ବାଢ଼ିଦେଇଛି ସେତେଥର “କଲ୍ଲୋଳ”ର ଧ୍ୱନୀରେ କଲ୍ଲୋଳିତ ହୋଇଛି। ଏହା ହିଁ ପ୍ରେମର ପରାକାଷ୍ଠା , ପ୍ରକୃତ ସମର୍ପଣ।

ପ୍ରେମ ପ୍ରାପ୍ତିରେ ନଥାଏ ; ଥାଏ ପ୍ରିୟତମ ପାଇଁ ତ୍ୟାଗରେ। ସେ ତ୍ୟାଗ ଅନ୍ୟ କାହା ପାଇଁ ମାର୍ଗ ପ୍ରଶସ୍ତ କରି ନୁହେଁ , ଆଜୀବନ ପ୍ରେମର ସ୍ମୃତିରେ ଜଡ଼ସଡ଼ ହୋଇ ଜୀବନ କାଟିବା ବି ପ୍ରେମ। ପ୍ରେମ ପରିଣତିବିହୀନ ଏକ ଉପାଖ୍ୟାନ । ଯେଉଁଠି ପ୍ରଶ୍ନ କେବଳ ନିଜ ପାଇଁ ଥାଏ।

ପ୍ରକୃତରେ ମଣିଷ ଜୀବନ ସାରା ଅନ୍ଧକାରରେ ଥାଏ । ଭ୍ରମରେ ବଞ୍ଚେ । ଭ୍ରମରେ ହେଉ ପଛେ , ବଞ୍ଚିବାଟା ବଡ଼ । ସମସ୍ତେ ଧାଉଁଥାନ୍ତି । କେତେ ଜଣ ପହଁଞ୍ଚି ପାରନ୍ତି ? ପହଞ୍ଚିଗଲେ ହିଁ ପ୍ରାପ୍ତି ।

ସମାଜରେ ନାରୀଟିଏ କେବଳ ଅସହାୟ ନୁହେଁ ; ପୁରୁଷ ବି ଅସହାୟ।

ସୀମାପାର ନହେଲେ , ଜଣେ ସହଜରେ ଯନ୍ତ୍ରଣା ଭୁଲିଯାଏ । କିନ୍ତୁ ଯନ୍ତ୍ରଣା ସୀମାତୀତ ହେଲେ ତାହା ଆତ୍ମାକୁ ଭେଦିଯାଏ । ଲୋକ କହନ୍ତି ଅଭ୍ୟାସ ହୋଇଯିବ ? ଅଭ୍ୟାସ ହୋଇପାରେ କି ? ଖେଳଣା ଧରିବା ସମୟରେ ଆଉ କାହାର ଖେଳଣା ହୋଇଗଲେ ସେ କଷ୍ଟର ବର୍ଣ୍ଣନା କରିବା ସହଜ ନା ଆତ୍ମସ୍ଥ କରିନେବା ସହଜ ?

ପ୍ରକୃତରେ କେତେ ଶିଶୁ ଶିକାର ହୋଇଯାଆନ୍ତି ସେ ଅମାନୁଷିକତାର ! ସେ ଚେର ଲମ୍ବିଥାଏ ଛୋଟ ସହରରୁ ବିଦେଶ ମାଟି ଯାଏଁ ।

ପୁରାଣ ବର୍ଣ୍ଣିତ ଅହଲ୍ୟା ପାଷାଣ ପାଲଟିଯିବା ପରେ ଋଷି ଗୌତମ ମଧ୍ୟ ସମାନ କଷ୍ଟ ପାଇଥିଲେ। ପତ୍ନୀ ବିରହର ଯନ୍ତ୍ରଣା, ସେ ବି ଅନୁଭବ କରିଥିଲେ। ଠିକ ସେହିପରି ଅହଲ୍ୟାରେ ଥିବା କିଛି ପୁରୁଷ ଚରିତ୍ର ମଧ୍ୟ ଅନେକ ଦୁଃଖକୁ ସାମନା କରିଛନ୍ତି। କିନ୍ତୁ ବିଡ଼ମ୍ବନା ଏଇୟା ଯେ ପୁରୁଷର ଲୁହ ଦେଖାଯାଏ ନାହିଁ, କି ତାର ତ୍ୟାଗ କାହା ପାଇଁ ଉଦାହରଣ ହୋଇପାରେ ନାହିଁ। ନିଜ ଭିତରେ ବାରମ୍ବାର ଦଂଶିତ ହେଉଥାଏ ସେ। ତା ‘ ଦୀର୍ଘଶ୍ଵାସ ପଛର କାହାଣୀ ବାରମ୍ବାର ତାକୁ ପରାସ୍ତ କରୁଥାଏ। “ରାଘବ” ପରି କେତେ ଅସହାୟ ପୁରୁଷ ଆମ ଚାରିପାଖରେ ଏପଟ ସେପଟ ହୁଅନ୍ତି, ତାହା ଆମେ ଆକଳନ ବି କରିପାରିବା ନାହିଁ।

ପରିଶେଷରେ ଅହଲ୍ୟା ଶୁଣିପାରିଛି ଆତ୍ମାର ଡାକ, ବଦଳିଯାଇଛି ତାର ଆକାଶ ଓ ପୃଥିବୀ । ନିଜେ ବଦଳେଇଦେଇଛି ତିଆରିଥିବା ଖସଡ଼ା, ପ୍ରିୟତମର ସାନିଧ୍ୟ ଟିକେ ପାଇଁ ଡେଇଁ ଆସିଛି କେତେ ନଈ, ନାଳ, ପାହାଡ଼, ପର୍ବତ, ଅଗନାଅଗନି ବନସ୍ତ। ଆଉ ତାପରେ , ସ୍ବର୍ଗୀୟ ଆନନ୍ଦ, ମୁକ୍ତି, ମୋକ୍ଷ। ସ୍ୱପ୍ନର ସୁଡ଼ଙ୍ଗ ମୁକ୍ତିର ମାର୍ଗ ; ଅଭିଶପ୍ତ ଜୀବନରୁ ଈଶ୍ୱର ପ୍ରାପ୍ତିର ଅଲୌକିକ ଯାତ୍ରା ।

ଉପନ୍ୟାସର ପ୍ରତିଟି ପୃଷ୍ଠା ଆଖିକୁ ଓଦା କରିଛି । ହୃଦୟ ଥରେଇଛି। ମନରେ ଅନେକ ପ୍ରଶ୍ନ ଆଣିଛି। ଏକ ସରଳ ଝିଅର ଜୀବନରେ ଉଠିଥିବା ଝଡ଼ ବାରମ୍ବାର ବ୍ୟଥିତ କରିଛି । ତା ଚାରିପାଖର ପୃଥିବୀ କ’ଣ ବୁଝିବା ଆଗରୁ ହିଁ ସମାଜ ଉପରୁ ସେ ହରେଇ ସାରିଛି ତାର ବିଶ୍ୱାସ। ତା ଭାଗ୍ୟ ଆକାଶରେ କେବଳ ଅନ୍ଧକାର ଛଡ଼ା ଆଉ କିଛି ନାହିଁ। ତଥାପି ସେ ହାରି ନାହିଁ। ହାର ଭିତରେ ସାଇତିଛି ଟିକେ ପ୍ରତ୍ୟୟ । ତା ଆର୍ତ୍ତନାଦ ଭିତରେ ଦମ୍ଭକୁ ଜାବୁଡ଼ି ଧରିଛି। ଅନେକ ଅସମାହିତ ପ୍ରଶ୍ନ ଭିତରେ ଛଟପଟ ହୋଇଛି। ତଥାପି ସେ ନୀରବ , ନିଶ୍ଚଳ ଓ ସାଧନାରତ ଏବଂ ପରିଶେଷରେ ମୋକ୍ଷର ମହାନିର୍ବାଣ।

ଏକ ଚମତ୍କାର କାହାଣୀର ଉପନ୍ୟାସ “ଅହଲ୍ୟା” ବିପୁଳ ପାଠକୀୟ ଆଦର ସାଉଁଟିବ ଏଥିରେ କୌଣସି ସନ୍ଦେହ ନାହିଁ।

Leave A Reply

Your email address will not be published.