Latest Odisha News

ଆଦିବାସୀଙ୍କ ସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର: ଆଦିବାସୀଙ୍କ ସେବାରେ ସମର୍ପିତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ । ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଶାନ୍ତି ଦେବୀଙ୍କ ଉଲ୍ଲେଖନୀୟ ଅବଦାନ ।

ବୟସର ଅପରାହ୍ଣରେ ଏହି ପଦ୍ମଶ୍ରୀ ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର ସଦୃଶ ବୋଲି ସେ ପ୍ରକାଶ କରିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ । ଖମ୍ବେସି ଶଙ୍ଖଳପଦର ଗ୍ରାମରେ ଆଶ୍ରମ ସ୍ଥାପନା କରି ଆଦିବାସୀ ପିଲାଙ୍କ ଲାଳନ ପାଳନ ଆରମ୍ଭ କରିଥିଲେ ।

୧୯୫୫-୫୬ ରେ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ସାକ୍ଷାତ ପରେ ଭୂଦାନ ସର୍ବୋଦୟ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ୧୯୬୧ରେ ଉତ୍କଳ ନବ ଜୀବନ ମଣ୍ଡଳର ସଂପାଦକ, ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରୀ ସଦସ୍ୟ ଭାବେ ଶାନ୍ତି ଦେବୀ ମନୋନିତ ହୋଇଥିଲେ। ୧୯୬୪ ମସିହାରେ ଗୁଣପୁରରେ ସେବା ସମାଜ ନାମରେ ସଂଗଠନ ଗଢ଼ି ଶାନ୍ତି ଦେବୀ ଆଦିବାସୀ ବାଳିକାଙ୍କ ଲାଳନପାଳନ ସହ କନ୍ୟାମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି ।

ଦିବାସୀଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ଶାନ୍ତି ଦେବୀଙ୍କ ନିଷ୍ଠାପର ଉଦ୍ୟମ, ସ୍ବାର୍ଥ ବିହୀନ ସେବା ପାଇଁ ପଦ୍ମଶ୍ରୀ ଉପାଧି ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନ ମିଳିଛି । ୧୯୯୪ ମସିହାରେ ଯମୁନାଲାଲ୍ ବଜାଜ୍ ପୁରସ୍କାର, ୧୯୯୫ରେ ସାରଳା ସମ୍ମାନ ୦୦୯ ରେ ସର୍ବୋଦୟ ସମ୍ମାନ, ୨୦୧୨ ରେ ଟାଇମସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୀବନବ୍ୟାପି ସାଧନା ସମ୍ମାନ, ୨୦୧୪ ରେ ଓଡ଼ିଶା ମାନବଧିକାର ସମ୍ମାନ ଏବଂ ୨୦୧୯ ରେ ନୀଳିମାରାଣୀ ସମାଜସେବା ସମ୍ମାନର ଅଧିକାରୀ ହୋଇଛନ୍ତି ଶାନ୍ତି ଦେବୀ।ର ଅଧିକାରୀ ହୋଇଛନ୍ତି ଶାନ୍ତି ଦେବୀ ।

୧୯୩୪ ଏପ୍ରିଲ୍ ୧୮ ତାରିଖରେ ବାଲେଶ୍ବର ଜିଲ୍ଲାର ଗୋପାଳଗାଁରେ ଜନ୍ମିତ ଶାନ୍ତି ଦେବୀ ସମାଜସେବୀ ରତନ ଦାଶଙ୍କୁ ମାତ୍ର ୧୭ ବର୍ଷ ବୟସରେ ବିବାହ କରିବା ପରେ ୧୯୫୧ ମସିହାରୁ ଅବିଭକ୍ତ କୋରାପୁଟର ଗୁଣପୁରରେ ରହି ଆସୁଛନ୍ତି ।

Comments are closed.