Latest Odisha News

BREAKING NEWS

ବ୍ୟଙ୍ଗ : ସଭା ବିସମ୍ବାଦ

ଏଇ ସଦ୍ୟ ଏକ ସାହିତ୍ୟ ସଭାରୁ ଫେରିଲି । କରୋନା ଯୋଗୁଁ ଦୁଇବର୍ଷ ହେଲା ସଭା ସମିତିରୁ ଦୂରରେ ରହି ମୁଁ କି ପ୍ରକାରର ମାନସିକ ଯନ୍ତ୍ରଣା ଭୋଗିଛି ତାହା କେବଳ ମୋତେ ଜଣା । ସଭା ଶେଷରେ ଉଦ୍ୟୋକ୍ତା ମହୋଦୟ କହିଲେ ଆପଣ ବହୁ ମୂଲ୍ୟ ସମୟ ଦେଇ ଏଠାକୁ ଆସିଲେ ସେଥିପାଇଁ ଧନ୍ୟବାଦ । ମୁଁ କହିଲି ,”ମୋତେ ନୁହେଁ ଏପରି ଏକ ରାଜଯୋଟକ ମିଟିଂଟିଏ ଆୟୋଜନ କରିଥିବାରୁ ଆପଣଙ୍କୁ ଦୁଇଥର ଧନ୍ୟବାଦ ।”
– ରାଜଯୋଟକ ? ଉଦ୍ୟୋକ୍ତା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ମୁଁ ତାଙ୍କୁ ସହଜ କରିବା ପାଇଁ କହିଲି ,”ଦେଖନ୍ତୁ ! ଯେ କୌଣସି ସଫଳ ମିଟିଂ ପାଇଁ ତିନୋଟି ଜିନିଷର ନିହାତି ଆବଶ୍ୟକ । ପ୍ରଥମରେ ଆରାମ ଦାୟକ ସିଟିଂ, ଦ୍ଵିତୀୟରେ ସୁସ୍ୱାଦୁ ଇଟିଂ ଏବଂ ତୃତୀୟରେ ବୋରିଂ ବକ୍ତାଙ୍କ ସ୍ପୀଚ ଯାହାଙ୍କ ସମୁଦାୟ ଭାଷଣ ଭିତରେ ଆପଣ ଘୁମେଇ ପଡିଲେ ବି ପଛରେ ଆପଣଙ୍କୁ ପଶ୍ଚାତାପ ହେବନି ସେ ବକ୍ତାଙ୍କ ବକ୍ତବ୍ୟ ଶୁଣି ପାରିନାହାଁନ୍ତି ବୋଲି । ଏହି ତିନୋଟି ଜିନିଷର ଅପୂର୍ବ ମିଳନ ଯେଉଁ ସଭାରେ ଘଟେ ତାକୁ ମୁକ୍ତିମଣ୍ଡପ ପାଞ୍ଜିରେ ରାଜଯୋଟକ ସଭା କୁହାଯାଏ ବୋଲି ଉଲ୍ଲେଖ ଅଛି । ଏହିଭଳି ସଭାର ଆୟୋଜକଙ୍କୁ ଦର୍ଶକଙ୍କ ଅକୁଣ୍ଠ ଶୁଭାଶିଷ ଓ ସ୍ନେହ ମିଳିଥାଏ ।”

ଗତ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ଏକ ସାହିତ୍ୟ ସଭାରେ ଭାଗ ନେବାର ନିମନ୍ତ୍ରଣ ପାଇଥିଲି । ଦିନବେଳା ଯେହେତୁ ସଭା ହେଉଛି ତେଣୁ ଲଞ୍ଚ ବ୍ୟବସ୍ଥା ପକ୍କା ଥିବ ଭାବି ଅତି ଖୁସିରେ ଚଇନି ଚିକ୍କଣ ହୋଇ ବସରେ ଯାଇ ସଭା ଜାଗରେ ପହଞ୍ଚିଲି । ସଭାର ଆଲୋଚ୍ୟ ବିଷୟବସ୍ତୁ ଥିଲା ସମ୍ପ୍ରତି ଦେଶରେ ଦେଖାଦେଇଥିବା ସାଂସ୍କୃତିକ ଅବକ୍ଷୟ ଉପରେ । ଆସ୍ତେ ଆସ୍ତେ ବକ୍ତାଙ୍କ ପରେ ବକ୍ତାଙ୍କ ଭାଷଣ ଯେତିକି ଆଗଉଥାଏ ଏଣେ ଦର୍ଶକ ଲଞ୍ଚ ପାଇଁ ସେତିକି ଅଧୈର୍ଯ୍ୟ ହେଉଥାନ୍ତି । ଆଖିଛୁଇଁ କହୁଛି ଆପଣଙ୍କୁ ମିଛ ମୋତେ ସତ ଦିନ ଦୁଇଟା ବେଳ ସରିକି ବୋଧେ ହେଇଥିବ ଦୁଇଜଣ ଯୁବକ ଅଧ ଆଙ୍ଗୁଳିଏ ଉଚ୍ଚାର କାଗଜ କପମାନଙ୍କରେ ଚାହା ଓ ଟ୍ରେରେ କିଛି ବିସ୍କୁଟ ଧରି ଦର୍ଶକମାନଙ୍କୁ ଯାଚିଲେ । କିଛି ଦର୍ଶକ ତାଙ୍କୁ ରାଣ ନିୟମ ପକେଇ ମିଟିଂକୁ ଆସିବାକୁ ଅନୁରୋଧ କରିଥିବା ଉଦ୍ୟୋକ୍ତାଙ୍କ ଚଉଦ ପୁରୁଷ ଉଝାଳିଦେଲେ । ଜଣେ ଦର୍ଶକ ପଛରୁ ଚିଲ୍ଲେଇଲେ “ଓହୋ ରଖ ମ ତୁମ ମହାନ ଐତିହ୍ୟ ପରମ୍ପରା । ମିଟିଂକୁ ଡାକି ଯଦି ଭଲ ଖାଇବାକୁ ଗଣ୍ଡେ ଦେବାକୁ ଅଣ୍ଟିରେ ଧନ ନାହିଁ ତେବେ ମିଟିଂ କରିବାକୁ ଏତେ ହମ ହମ କଣ ପାଇଁ । କିଛି ନହେଲେ ନାହିଁ ଗୋଟେ ଡଟ ପେନ , ଖଣ୍ଡେ ଚଟି ଖାତା ଓ ପ୍ଲାଷ୍ଟିକ ଫାଇଲଟିଏ ଦେବାକୁ ମନ କହିଲା ନାହିଁ । ଏଥିରେ ପୁଣି ଆମ ଆଗରେ ମହାନ ପରମ୍ପରା ବିଷୟରେ ଭାଷଣ ମାରୁଛ ! ପିଲାଟି ଦିନରୁ ଏସବୁ ଶୁଣି ଆସୁଛୁ ତୁମେ ନୂଆ କଣ କହିବ ? ଏମିତିକା କାଙ୍ଗାଳିଆଙ୍କ ସଭାକୁ ଆସି ନିଜ ସମୟ ନଷ୍ଟ କରିବା ଯାହା ।” ମୁଁ ବି ମନେ ମନେ ଭାବୁଥିଲି ଅନ୍ତଃତ ମୋତେ ଯଦି ଫେରନ୍ତା ବସ ଭଡାଟା ମିଳିଯାଆନ୍ତା ତେବେ ଆୟୋଜକଙ୍କ ବଡ଼ ଧର୍ମ ହୁଅନ୍ତା । ଏଠି ଲଞ୍ଚ ବ୍ୟବସ୍ଥା ନାହିଁ ବୋଲି ନିଶ୍ଚିତ ହେବା ପରେ ଆସ୍ତେ ଆସ୍ତେ ଜଣଙ୍କ ପରେ ଜଣେ ଦର୍ଶକ ସଭା ସ୍ଥଳରୁ ଉଭାନ୍ ହେଇଗଲେ । ଭାଷଣ ଦେଇସାରିଥିବା କିଛି ମଞ୍ଚାସୀନ ବକ୍ତା ମଧ୍ୟ ଅନ୍ୟାନ୍ୟ ଜରୁରୀ କାମର ବାହାନା କରି ସଭା ଛାଡି ଚାଲିଗଲେ । ଟୋଟାଲ ସଭାସ୍ଥଳରେ ମୁଁ ଓ ମୋ ଆଗରେ ଦୁଇଜଣ ପ୍ରୌଢ଼ ଦମ୍ପତି ବସିଥାନ୍ତି । ସେମାନେ ମନ ଦୁଃଖରେ ଏପଟ ସେପଟ ଅନଉଥାନ୍ତି । ପ୍ରତିଟି ଦର୍ଶକଙ୍କ ପ୍ରସ୍ଥାନ ସେମାନଙ୍କ ମନରେ କରୁଣ ଆଘାତ ଦେଉଥାଏ । ସେମାନଙ୍କ ବିକଳ ଚାହାଣୀ ଯେମିତି ମୋତେ କହୁଥାଏ ପୁଅ ତୁମକୁ ଭଗବାନଙ୍କ ରାଣ ଆଉ ପାଞ୍ଚ ମିନିଟ ରହିଯାଅ । ଧନ୍ୟବାଦ ଭାଷଣ ଦେବ ବୋଲି ଝିଅ ତିନି ଦିନହେଲା ଘରେ ଅଖିଆ ଅପିଆ ଅଭ୍ୟାସ କରୁଛି । ଲମ୍ବା ଧନ୍ୟବାଦ ଭାଷଣ ଲେଖିକି ଆଣିଛି । ଦୟାକରି ତା କୋମଳ ମନକୁ ଭାଙ୍ଗ ନାହିଁ ।

ପ୍ରିୟ ପାଠକେ ମୁଁ ବୋଧେ ଆଗରୁ ମୋର କୌଣସି ଲେଖାରେ ଆପଣଙ୍କୁ କହିବାକୁ ଭୁଲି ଯାଇଛି ଯେ ପିଲାଟି ଦିନରୁ ମୋର ଗୋଟେ ଭଲ ଅଭ୍ୟାସ ଅଛି ମୁଁ କୌଣସି ଝିଅ ପିଲାର ମନ କଷ୍ଟ ସହିପାରେନା । ଅଗତ୍ୟା ମୋର ବହୁ ମୂଲ୍ୟ ସମୟ ନଷ୍ଟ ହେଲେ ବି ମୁଁ ଧୈର୍ଯ୍ୟର ସହ ସେହି କିଶୋରୀଙ୍କ ଧନ୍ୟବାଦ ଭାଷଣ ଶୁଣିବାକୁ ଅପେକ୍ଷା କରି ରହିଲି । ଅଳ୍ପ ସମୟ ପରେ ପାର୍ଲର ଯାଇ ଅତି ସୁନ୍ଦର ଭାବେ ସଜେଇ ହୋଇଥିବା ଜଣେ ସୁନ୍ଦରୀ ତରୁଣୀ ଧନ୍ୟବାଦ ଅର୍ପଣ କରିବାକୁ ମଞ୍ଚ ଉପରକୁ ଆସିଲେ । ତାଙ୍କୁ ଦେଖି ସ୍ୱତଃ ମନ ଦେଇ ଅନୁଭବ ଗୋଟାଏ ପାଟିରୁ ବାହାରି ଆସିଲା “ଆଃ !” ।
ଜଣେ ଅପୂର୍ବ ସୁନ୍ଦରୀ ଲଳନା ଭାଷଣ ଦେଉଥିବା ବେଳେ ତାଙ୍କୁ ମନ ଭରି ଦେଖିବାଟା ହିଁ ଯେକୌଣସି ବିରକ୍ତିକର ସଭାର ଏକମାତ୍ର ଆଶ୍ୱସନା । ସହଜେ ମଞ୍ଚ ଆଗରେ ତାଙ୍କ ବାପା ମାଆ ଓ ମୋତେ ମିଶେଇ ତିନିଜଣ ଓ ମଞ୍ଚରେ ଅଧାରୁ କମ ଅତିଥିଙ୍କୁ ଦେଖି ତାଙ୍କ ମନ ଭାଙ୍ଗିଗଲା କି କଣ ଦୁଇ ତିନି ପଦରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଚାଲିଗଲେ ।

କେବଳ ଏମିତିକା କାଙ୍ଗାଳିଆ ମିଟିଂ ଏକମାତ୍ର ବୋଲି ଆଦୌ କହିବିନି । ଏବେ ଆଉ ଗୋଟେ ପ୍ରକାରର ପ୍ରହସନ ଆରମ୍ଭ ହୋଇଛି – ଅନଲାଇନ ମିଟିଂ । ଯୁକ୍ତି କଣ ନା କୋଭିଡ ନିୟମ ମାନି ଆମେ ଅନଲାଇନ ମିଟିଂର ଆୟୋଜନ କରୁଛୁ । ପ୍ରମାଣ ଦେଇ କହିବି ଏପରି କିଛି ଅନଲାଇନ ଆୟୋଜକଙ୍କୁ ମୁଁ ଅନେକ ରାଜଯୋଟକ ମିଟିଂରେ ଦେଖୁଛି । କିହୋ ଅନଲାଇନ ମିଟିଂ ଆୟୋଜନ କଲା ବେଳେ ତୁମକୁ କୋଭିଡ ପାଇଁ ଏତେ ଡର ଆଉ ଅନ୍ୟର ଅଫଲାଇନ ମିଟିଂକୁ ଯାଇ ଚଉକଶ ତେଣ୍ଡିଲା ବେଳକୁ କୋଭିଡ ଚିନ୍ତା ହେଉନି ? ହଉ ହେଲା କୋଭିଡ ପ୍ରକୋପ ସମୟରେ ସବୁ ବନ୍ଦ ଥିଲା ତୁମେ ଅନଲାଇନ ମିଟିଂ କରୁଥିଲ ବୁଝିଲୁ ହେଲେ ଏବେ ତ ସବୁ ଖୋଲିଲାଣି ପୁଣି ଅନଲାଇନ କଣ ପାଇଁ ? ଆରେ ଭାଇ ସାହିତ୍ୟ ଚର୍ଚ୍ଚା ପାଇଁ ଯଦି ଏତେ ବ୍ୟାକୁଳ ତେବେ କୌଣସି ଏକ ଭଲ ଶୀତତାପ ନିୟନ୍ତ୍ରିତ ସଭା ଗୃହଟିଏ ଭଡାରେ ନେଇ ଭଲ ଭୋଜନର ଆୟୋଜନ କର । ବନ୍ଧୁ ବାନ୍ଧବ ସାଙ୍ଗସାଥୀ ସହଚର ମାନଙ୍କୁ ଡାକି ମିଟିଂ କର । ସମସ୍ତେ ଖୁସି ଖୁସି ଆସିବେ ଖୁସି ଖୁସି ଫେରିବେ । ଅନ୍ୟକୁ ଖୁସି ଦେବାରେ ଏତେ କାର୍ପଣ୍ୟ କଣ ପାଇଁ ଯେ !

ମୁଁ ବି ଏ ସବୁରେ ନୂଆ ବାହାନାଟିଏ ବାହାର କରିଛି । ଯିଏ ଅନଲାଇନ ପାଇଁ ଅନୁରୋଧ କରୁଛି ମୁଁ ଅତ୍ୟନ୍ତ ନମ୍ରତାର ସହ କହୁଛି, ମୋର ଫୋନ ସଜାଡ଼ିବାକୁ ଦେଇଛି କିମ୍ବା ଆମ ଘରେ ନେଟୱର୍କ ଠିକରେ ଆସୁନି ଇତ୍ୟାଦି । ଯଦିବା କେହି ରାଣ ନିୟମ ପକେଇ ଅନୁରୋଧ କରୁଛି ତେବେ ମୁଁ ମିଟିଂ ଲିଙ୍କକୁ ଯାଇ ଲଗ ଇନ କରିଦିଏ । ତାପରେ ଭିଡିଓ ଓ ଅଡିଓ ବନ୍ଦ କରି ନିଜ କାମରେ ଲାଗିଯାଏ । ସେପଟେ ମୁଁ ଅନଲାଇନରେ ଅଛି ବୋଲି ଦେଖାଉଥିବ ତେଣୁ ଚିନ୍ତା କଣ ! ବନ୍ଧୁମାନେ କେତେଥର କହୁଥିବାର ଶୁଣିଲିଣି ଅଭିଜ୍ଞାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ । ସେ ଜଣେ ମାତ୍ର ଲୋକ ଯିଏକି ଆରମ୍ଭରୁ ଶେଷ ଯାଏଁ ମିଟିଂରେ ଥିଲେ ବା ରୁହନ୍ତି । ସବୁ ଆଲୋଚନା ପର୍ଯ୍ୟାଲୋଚନା ଇତ୍ୟାଦି ଶେଷଯାଏଁ ଧୈର୍ଯ୍ୟ ଓ ଆଗ୍ରହର ସହ ଶୁଣୁଥିଲେ । ମୁଁ ବି ପ୍ରତିଉତ୍ତରରେ ତାଙ୍କୁ କୁହେ , ସାହିତ୍ୟ ପ୍ରତି ଥିବା ମୋର ପ୍ରଗାଢ ଅନୁରକ୍ତି ଓ ଆପଣଙ୍କୁ ଶୁଣିବାର ଆସକ୍ତି ଯୋଗୁଁ ଶେଷ ଯାଏଁ ଅନଲାଇନରେ ଥିଲି । ତାଙ୍କ ମୁହଁରେ ଖେଳିଯାଏ ଏକ ଅପୁର୍ବ ଆତ୍ମସନ୍ତୋଷର ଖୁସି ଖୁସି ଭାବ। ବାସ୍ ! ମୋତେ ଆଉ କଣ ଦରକାର ? ମିଛ କହି ଯଦି କାହା ମନରେ ଖୁସି ଆଣି ପାରିଲ ତେବେ ସେ ମିଛ ପାପ ନୁହେଁ ଏଇଟା ଖୋଦ ଚାଣକ୍ୟ ମୋତେ ହ୍ଵାଟ୍ସଆପରେ ସେୟାର କରି ଜଣେଇଥିଲେ ।

ଅନଲାଇନ୍ ସାହିତ୍ୟ ସଭାର ଗୋଟିଏ ସୁବିଧା ହେଲା ଏଥିରେ ଏକ ସାଙ୍ଗରେ ଲଣ୍ଡନ , କଟକ, ଦିଲ୍ଲୀ , କୋରାପୁଟର ବକ୍ତାଙ୍କୁ ମେଳି କରିପାରିବେ । ଅଫଲାଇନ ବକ୍ତାଙ୍କୁ ଟ୍ୟାକ୍ସି ଖର୍ଚ୍ଚ ଦେଇ ସଭାକୁ ଆଣିବା ଝାମେଲା ଏଠି ନଥାଏ । ତେଣିକି ବକ୍ତା ପଛେ ମୁହଁ ଦେଖେଇ ଚାଲିଯାଅନ୍ତୁ ।

ଏହିପରି ଏକ ଅନଲାଇନ ମିଟିଂରେ କାଲି ଯୋଗ ଦେଇଥିଲି। ଫେସବୁକରେ ସେ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଶହେ ଲୋକ ଆଗ୍ରହ ପ୍ରକାଶ କରି ମନ୍ତବ୍ୟ ଦେଇଥିବା ବେଳେ ମିଟିଂରେ ଅତି ବେଶୀରେ ଦଶ ଜଣ ଥିଲେ । ବାୟୋମେଟ୍ରିକ ଯନ୍ତ୍ର ଲାଗିଥିବା ଅଫିସରେ ଯେମିତି କର୍ମଚାରୀ ଠିକ୍ ସମୟରେ ଆଙ୍ଗୁଠି ଟିପ ମାରି ପୁଣି ନିଜ କାମରେ ଚାଲିଯାଆନ୍ତି ଠିକ୍ ସେମିତି ଅନଲାଇନ ମିଟିଂ ଆରମ୍ଭ ହେବାର ଅଳ୍ପ ସମୟ ପରେ ହଠାତ୍ ସେ ସଂଖ୍ୟା ତିରିଶ ଟପି ଯାଇ ପୁଣି ଦଶ ବାରକୁ ଖସି ଯାଇଥିଲା । ସମୟ ଗଡ଼ି ଶେଷବେଳକୁ ଶ୍ରୋତାଙ୍କ ସଂଖ୍ୟା ଦୁଇ କି ତିନିରେ ସୀମିତ ରହିଥିଲା । ନିଜ ହାତରୁ ମୋବାଇଲ ଡାଟା ରିଚାର୍ଜ କରି ଅନଲାଇନରେ ସାହିତ୍ୟ ଚର୍ଚ୍ଚା କରିବା ପାଇଁ ଗୁଣଗ୍ରାହୀ ସାହିତ୍ୟିକଙ୍କ ସଂଖ୍ୟା ନଗଣ୍ୟ । ଏବେ ଯେମିତି କିଛି ସାହିତ୍ୟ ସଭାରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସମୟାନୁବର୍ତ୍ତିତା ଭଳି ଅଭିନବ ଉପହାର ଘୋଷଣା ହେଉଛି । ଦିନ ଆସିବ ଆୟୋଜକଙ୍କୁ ଅନଲାଇନ ସଭାରେ ଯୋଗ ଦେବା ପାଇଁ ଫ୍ରି ଡାଟା ରିଚାର୍ଜ ଭଳି ଅଫର ଦେବାକୁ ହେବ ।

ମୁଁ ବି ମଝିରେ ବିରକ୍ତ ହୋଇ ଅନଲାଇନରୁ ଅଫ ଲାଇନ ହେଇଯାଇଥିଲି । କିଛି ସମୟ ପରେ ଉଦ୍ୟୋକ୍ତାଙ୍କ ଫୋନ ଆସିଲା ‘କଣ ଚାଲିଗଲେ କି ଏଠି ଆପଣଙ୍କୁ ଲୋକ ଖୋଜୁଛନ୍ତି । ଶୀଘ୍ର ଅନଲାଇନକୁ ଆସି ଜଏନ କରନ୍ତୁ ।’ ମୋତେ ଲୋକ ଖୋଜୁଛନ୍ତି ! ଖୁସିରେ କୁରୁଳି ଉଠିଲି । ଅତିଶୀଘ୍ର ମିଟିଂରେ ଜଏନ କରି ଦେଖିଲି ମାତ୍ର ଚାରିଜଣ ଅଛନ୍ତି । ମୋର ପ୍ରିୟ ପାଠକମାନେ କ’ଣ ମୋତେ ଖୋଜି ଖୋଜି ନିରାଶ ହୋଇ ଚାଲିଗଲେ ! କଣ୍ଟା କେହି ଖେଞ୍ଚି ଦେଲା କି ଯେପରି ଛାତିରେ । କେତେ ବଡ଼ ଭୁଲ କରିଦେଲି ବୋଲି ବହେ ବାଡେଇଛାଟି ହେଲି । ପରେ ଜାଣିଲି ଖୋଦ ଉଦ୍ୟୋକ୍ତାଙ୍କ ନିଜ ଲେଖା ପଢିବା ବାକି ଥିଲା । ତେଣୁ ସେ ଏହିପରି ସମସ୍ତଙ୍କୁ ଫୋନରେ ମିଛ କହି ସଭାରେ ପୁନଃ ଯୋଗ ଦେବାକୁ କହିଥିଲେ ।

ବନମାଳୀ ଭବନ
ଖାନ ନଗର , କଟକ

Leave A Reply

Your email address will not be published.