Latest Odisha News

BREAKING NEWS

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ ପ୍ରତିଶତ ଭୋଟଦାନ ଅନୁଷ୍ଠିତ ହେବା ଖବର ଏବେ ବେଶ୍ ଚର୍ଚ୍ଚାରେ ।

ତେବେ ସେହି ଏକାଦିନରେ ମେଘାଳୟର ଗୋଟିଏ କ୍ଷୁଦ୍ର ପୋଲିଂ ଷ୍ଟେସନରେ ଲୋକମାନେ ଜଳପଥରେ ବିପଦପୂର୍ଣ୍ଣ ଡ଼ଙ୍ଗା ପାରିହୋଇ ଭୋଟଦାନ କରିବା ଫଳରେ ସେଠାରେ ୧୦୦ % ମତଦାନ ହୋଇଥିବା ‘ଦ ହିନ୍ଦୁ’ରେ ଖବର ପ୍ରକାଶିତ ହୋଇଛି ।

ଏହି ମତଦାନ ସମ୍ପର୍କରେ ସେଠାକାର ପୋଲିଂ କର୍ମକର୍ତ୍ତା ଯାହା କହିଛନ୍ତି ତାହା ନିଶ୍ଚିତ ରୂପେ ସମସ୍ତଙ୍କ ଲାଗି ଶିକ୍ଷଣୀୟ ଅବଶ୍ୟ । ସବୁଠାରୁ ବଡ଼କଥା ହେଲା, କାମସିଙ୍ଗ୍ ପୋଲିଂ ଷ୍ଟେସନର ସମସ୍ତ ୩୩ ଜଣ ଯାକ ଭୋଟର ବିପଦପୂର୍ଣ୍ଣ ରୂପେ ଡ଼ଙ୍ଗା ପାରିହୋଇ ଭୋଟଦାନ କେନ୍ଦ୍ରକୁ ଆସିଥିଲେ । ଖାଲି ସେତିକି ନୁହେଁ, ଏହି ସମସ୍ତ ଭୋଟରଙ୍କୁ ସ୍ୱାଗତ ଜଣାଇବାକୁ ସେଠାରେ ଉପସ୍ଥିତ ରହିଥିବା ପୋଲିଂ ପାର୍ଟି ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବର ଆୟୋଜନ ମଧ୍ୟ କରିଥିଲେ ।

ବଡ଼ ବଡ଼ ବୃକ୍ଷ ଆଛାଦିତ ତଥା ପାହାଡ଼ ଘେର ମଧ୍ୟରେ ଏବଂ ପାହାଡ଼ର ସୁୁଉଚ୍ଚ ସ୍ଥାନରେ ଏହି କାମସିଙ୍ଗ ଗାଁ’ଟି ଅବସ୍ଥିତ । ସେଠାରେ ଥିବା ମାୟୋଂ ନଦୀ ପାରହୋଇ କେବଳ ଭୋଟଗ୍ରହଣ କେନ୍ଦ୍ରକୁ ଯାଇହେବ । ଏହି ସମସ୍ତ ଭୋଟରମାନେ ସେମାନଙ୍କ ଗଣତାନ୍ତ୍ରୀକ ଅଧିକାରକୁ ସମ୍ମାନ ଜଣାଇ ଶତ ପ୍ରତିଶତ ମତଦାନ କରିବା ପ୍ରକୃତରେ କମ୍ ବଡ଼ କଥା ନୁହେଁ ।

ଏହି ଚକିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଫ୍ରେଡ଼େରିକ ରାଏ ଖାରକୋଙ୍ଗାର କହିଛନ୍ତି, କାମସିଙ୍ଗ ଗ୍ରାମର ଏହି କ୍ଷୁଦ୍ର ପୋଲିଂ ଷ୍ଟେସନରେ ଦୁର୍ଗମ ପଥ ଅତିକ୍ରମ କରି ଶତ ପ୍ରତିଶତ ମତଦାନ ହୋଇଥିବାରୁ ଏହି ସାଧାରଣ ନିର୍ବାଚନରେ ଏହା ଟେବୁଲ୍ କ୍ୟାଲେଣ୍ଡର ଭାବେ ସ୍ଥାନୀତ ହେବ ।

Leave A Reply

Your email address will not be published.