ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା, ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଏଣିକି ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ସରକାର ଜେଲରେ ଥିବା ବୟସ୍କ ଏବଂ ଗୁରୁତର ରୋଗାଗ୍ରସ୍ତ କଏଦୀଙ୍କ ଆଗୁଆ ମୁକ୍ତି ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ୮ ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରାଜ୍ୟରେ ପ୍ରଚଳିତ ୨୦୨୨ ମସିହାର ଆଗୁଆ ମୁକ୍ତି ମାର୍ଗଦର୍ଶିକାର ସମୀକ୍ଷା କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଜର ସୁପାରିସ ଦାଖଲ କରିବ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗଠିତ ଏହି ସ୍ୱତନ୍ତ୍ର କମିଟି ୨୦୨୨ ମସିହାର ଆଗୁଆ ମୁକ୍ତି ନୀତିରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ କାର୍ଯ୍ୟ କରିବ। ଏହି ୮ ଜଣିଆ କମିଟିରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଶାସନ ସଚିବ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ରାଜ୍ୟ ସୂଚନା ଅଧିକାରୀ ଏବଂ ଜେଲ୍ ଅତିରିକ୍ତ ଡିଜି ପ୍ରମୁଖ ସାମିଲ ଅଛନ୍ତି। ସୂଚନା ଥାଉକି, ରାଜ୍ୟର ୮୭ଟି ଜେଲରେ ପ୍ରାୟ ୨୫ ହଜାର ଅନ୍ତେବାସୀ ରହିଛନ୍ତି। ସମସ୍ତ ବୟସ୍କ ବା ଅସୁସ୍ଥ କଏଦୀଙ୍କୁ ତୁରନ୍ତ ମୁକ୍ତ କରାଯିବ ନାହିଁ, ବରଂ ଯୋଗ୍ୟତା, ଚିକିତ୍ସାଗତ ସ୍ଥିତି ଓ ଆଇନଗତ ନିୟମ ଆଧାରରେ ସେମାନଙ୍କ ମାମଲାର ବିଚାର କରାଯିବ।
ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ କହିଥିଲେ ଯେ ବିନା କୌଣସି ସ୍ୱଚ୍ଛ ଓ ମାନବୀୟ ମୁକ୍ତି ବ୍ୟବସ୍ଥାରେ ଅତି ବୟସ୍କ ଏବଂ ଜୀବନର ଶେଷ ପର୍ଯ୍ୟାୟରେ ଥିବା ରୋଗାଗ୍ରସ୍ତ କଏଦୀଙ୍କୁ ଜେଲରେ ରଖିବା ସମ୍ବିଧାନର ଧାରା ୨୧ ଅଧୀନରେ ସମ୍ମାନର ସହ ବଞ୍ଚିବାର ଅଧିକାରର ଉଲ୍ଲଂଘନ ଅଟେ। ୭୦ ବର୍ଷରୁ ଅଧିକ ବୟସ୍କ ଏବଂ ଗୁରୁତର ଅସୁସ୍ଥ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ଡିଭିଜନ ଏବଂ ରାଜ୍ୟସ୍ତରରେ ସ୍ୱାଧୀନ ମେଡିକାଲ ବୋର୍ଡ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସ୍ୱଚ୍ଛ କରିବା ପାଇଁ ନ୍ୟାସନାଲ ଇ-ପ୍ରିଜନ୍ ପୋର୍ଟାଲ (National e-Prisons Portal) ମାଧ୍ୟମରେ ସମସ୍ତ ତଥ୍ୟ ଟ୍ରାକ୍ କରିବାକୁ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନୂତନ ନୀତି ପ୍ରଣୟନ କରି ୬ ମାସ ମଧ୍ୟରେ ସୁପ୍ରିମକୋର୍ଟରେ ଅନୁପାଳନ ସତ୍ୟପାଠ (Compliance Affidavit) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
