Latest Odisha News

ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ବର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ କରିଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଇଣ୍ଟରର ନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଣ୍ଟର୍‌ସ ଅଥରିଟି ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ଏହାର ସୁରକ୍ଷା କରିବାର ଅଧିକାର ଦେଶ ପାଖରେ ରହିଛି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ ଡିଜିଟାଲ୍ ପେମେଣ୍ଟ ଆଦି ଜରିଆରେ ଦେଶର ଡିଜିଟାଲ୍ ପରିଚୟ ବେଶ ଉତ୍ସାହଜନକ ରହିଛି । ଆମେ ତଥ୍ୟର ଗୋପନୀୟତା ସୁରକ୍ଷା ବିଲ୍ ଓ କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବାକୁ ଯାଉଛେ । ଆମେ ସଠିକ୍ ପଥରେ ଅଛନ୍ତି ବୋଲି ମୁକେଶ କହିଛନ୍ତି ।

ଭାରତ ଓ ବିଶ୍ବର ପ୍ରତିଟି ଦେଶ ଲାଗି ଡାଟା ଓ ଡିଜିଟାଲ୍ ଭିତ୍ତିଭୂମି ଗୁରୁତ୍ବପୂର୍ଣ୍ଣ । ପ୍ରତି ଦେଶ ପାଖରେ ନିଜ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ଏହାର ସୁରକ୍ଷା କରିବାର ଅଧିକାର ରହିଛି ବୋଲି କହିଛନ୍ତି ମୁକେଶ ଅମ୍ବାନି । ସୀମାପାର କାରବାର ଲାଗି ଏକ ଏକକ ବିଶ୍ବ ମାନକ ପ୍ରଚଳନ ହେବା ଆବଶ୍ୟକତା ରହିଥିବା ମୁକେଶ କହିଛନ୍ତି । ତଥ୍ୟର ସୁରକ୍ଷା ଓ ଡିଜିଟାଲ୍ ଭିତ୍ତିଭୂମି ଲାଗି ନୀତି ଓ ନିୟମରେ ସଠିକ୍ ସନ୍ତୁଳନ ରହିବା ଦରକାର ବୋଲି ସେ କହିଛନ୍ତି ।

ମୁକେଶ କହିଛନ୍ତି ଯେ, ମୁଁ ବ୍ଲକ୍‌ଚେନ୍ ପ୍ରଯୁକ୍ତି ଉପରେ ବିଶ୍ବାସ କରେ । ଏହା କ୍ରିପ୍ଟୋ କରେନ୍ସି ଠାରୁ ସମ୍ପୂର୍ଣ୍ଣ ଅଲଗା । ଏକ ବିଶ୍ବାସ ଭିତ୍ତିକ ସମାନତାର ସମାଜ ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତି ଜରୁରୀ । ବ୍ଲକ୍‌ଚେନ୍‌କୁ ବ୍ୟବହାର କରି ପ୍ରତି ପ୍ରକାର କାରବାରରେ ଆମେ ଅତୁଳନୀୟ, ବିଶ୍ବାସଜନକ, ସ୍ବୟଂକ୍ରିୟ ଓ ଦକ୍ଷତା ହାସଲ କରିପାରିବା । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ଯୋଗାଣ ଶୃଙ୍ଖଳକୁ ଆମେ ଏହା ଜରିଆରେ ଆଧୁନିକୀକରଣ କରିପାରିବା ବୋଲି ସେ କହିଛନ୍ତି ।

ଭାରତ ଏକ ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେଉଛି । ତଥ୍ୟ ହେଉଛି ନୂଆ ତୈଳ । ଏହା କିନ୍ତୁ ପାରମ୍ପରିକ ତୈଳ ଠାରୁ ଭିନ୍ନ । ପାରମ୍ପରିକ ତୈଳ କିଛି ନିର୍ଦିଷ୍ଟ ଦେଶରେ ଉତୋଳନ କରାଯାଉଛି ମାତ୍ର ନୂଆ ତୈଳ ବା ତଥ୍ୟକୁ ଯେକେହି ଯେକୌଣସି ସ୍ଥାନରେ ରହି ସୃଷ୍ଠି କରିପାରୁଛନ୍ତି । ସବୁ କ୍ଷେତ୍ର, ଭୌଗୋଳିକ ସ୍ଥିତି ଓ ଶ୍ରେଣୀରେ ସମାନତା ଆଣିବାର ଶକ୍ତି ଏହା ପାଖରେ ରହିଛି ବୋଲି ମୁକେଶ କହିଛନ୍ତି ।

ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍‌, କ୍ଲାଉଡ୍ ଏବଂ ଡାଟା ସେଣ୍ଟରର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତ୍ତୀ ପଦକ୍ଷେପ ହେବ ମେସିନ୍‌, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ । ଆସନ୍ତା ବର୍ଷ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ, ବିଶ୍ବର ଅନ୍ୟତମ ସବୁଠୁ ଉନ୍ନତ ଡିଜିଟାଲ୍ ଭିତ୍ତିଭୂମି ଥିବା ରାଷ୍ଟ୍ରରେ ଆମେ ପରିଣତ ହେବାକୁ ଯାଉଛୁ ।

ମୁକେଶ କହିଛନ୍ତି ଯେ, ଡିଜିଟାଲ୍ ଭିତ୍ତିଭୂମି ଓ ନୀତି ନିୟମ ପ୍ରଣୟନ କରି ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେବାର ପଥରେ ଭାରତ ବହୁତ ଭଲ ଭାବେ ରହିଛି । ସବୁ କିଛିର ମୂଳ କେନ୍ଦ୍ର ହେଉଛି ଫାଇନାନ୍ସ । ମୋର ବିଶ୍ବାସ ରହିଛି ଯେ, ଆମେ ଡିଜିଟାଲକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ ଏବଂ ନୂଆ ପୀଢ଼ିର ପ୍ରଯୁକ୍ତିର ଅଭ୍ୟୁଦୟ ହେଉଥିବାରୁ ଫାଇନାନ୍ସର ଏକ ବିକେନ୍ଦ୍ରୀକରଣ ମଡେଲ୍‌କୁ ଗ୍ରହଣ କରିବାର ସୁଯୋଗ ଆମ ପାଖରେ ରହିଛି । କେନ୍ଦ୍ରୀୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରହିବ, କିନ୍ତୁ ଏହା ସହିତ ଏକ ବିକେନ୍ଦ୍ରୀକରଣ ପ୍ରଯୁକ୍ତି ସମାଧାନ ରହିବ ଯେଉଁଥିରେ ଫାଇନାନ୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

ରିଅଲ ଟାଇମ୍ ପ୍ରଯୁକ୍ତି ବାଣିଜ୍ୟକୁ କେବଳ ଦିନକରେ କିମ୍ବା ଘଣ୍ଟାକରେ ନୁହେଁ ବରଂ ସେହି ସମୟରେ ସମ୍ପାଦନ କରିବ । ସ୍ମାର୍ଟ କଣ୍ଟ୍ରାକ୍ଟ ବାସ୍ତବତାରେ ପରିଣତ ହେବ । ଇଣ୍ଟରନେଟ୍ ଅଫ୍ ଥିଙ୍ଗସକୁ ବ୍ୟବହାର କରି ଭୌତିକ ଭିତ୍ତିଭୂମି ସହିତ ରିଅଲ ଟାଇମ୍ ପ୍ରଯୁକ୍ତି, ଡିଷ୍ଟ୍ରିବ୍ୟୁଟେଡ୍ ଲେଜର୍‌, ବ୍ଲକ୍‌ଚେନ୍‌, ସ୍ମାର୍ଟ ଟୋକେନ୍ ଆଦିର ସମନ୍ବୟ ହେଲେ ବିକେନ୍ଦ୍ରୀକରଣ ଫାଇନାନ୍ସ କ୍ଷେତ୍ର ବଡ଼ ଧରଣର ପୁନମାର୍ଜିତ ହୋଇପାରିବ । ଯାହା କେବେ କଳ୍ପନା କରାଯାଇନଥିଲା ବୋଲି କହିଛନ୍ତି ମୁକେଶ ଅମ୍ବାନି ।

Comments are closed.