Latest Odisha News

BREAKING NEWS

ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ ହସିନା: ଡିସେମ୍ବରରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଥମ ପଦକ୍ଷେପ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରୁ ନିଜ ସ୍ବଦେଶ ବାଂଲାଦେଶକୁ ଫେରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ଭାରତରେ ଆଶ୍ରୟ ନେଇଥିବା ହସିନା, ଆଗାମୀ ଡିସେମ୍ବର ମାସରେ ଦେଶକୁ ଫେରିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାଙ୍କର ଆଇନଗତ ପ୍ରତିନିଧି ତଥା ଲଣ୍ଡନସ୍ଥିତ ମ୍ୟାଟ୍ରିକ୍ସ ଚାମ୍ବର୍ସର ଓକିଲମାନେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ଜରିଆରେ ସେ ଏକ ନୂତନ ବାଂଲାଦେଶୀ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ପ୍ରଦାନ କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି।

୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ପରେ ହସିନାଙ୍କ ସରକାର ପତନ ଘଟିବା ପରେ ତତ୍କାଳୀନ ୟୁନୁସ ସରକାର ତାଙ୍କର ପୁରୁଣା ପାସପୋର୍ଟ ଏବଂ ପରିଚୟ ପତ୍ର ରଦ୍ଦ କରିଦେଇଥିଲେ। ବର୍ତ୍ତମାନ ହସିନାଙ୍କ ଆଇନଜୀବୀମାନେ ଅନ୍ତର୍ଜାତୀୟ ମାନବାଧିକାର ଏବଂ ବାଂଲାଦେଶୀ ନାଗରିକ ଭାବେ ତାଙ୍କର ମୌଳିକ ଅଧିକାରକୁ ଦର୍ଶାଇ ଏହି ଆବେଦନକୁ ଶୀଘ୍ର ବିଚାର କରିବାକୁ ହାଇକମିଶନଙ୍କୁ ଅନୁରୋଧ କରିଛନ୍ତି। ଏହାସହ ତାଙ୍କ ଯାତ୍ରା ପାଇଁ ଆବଶ୍ୟକୀୟ ସମସ୍ତ ବୈଧ କାଗଜପତ୍ର ତୁରନ୍ତ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଶେଖ ହସିନା ସ୍ପଷ୍ଟ କରିଥିଲେ ଯେ, ସେ ଡିସେମ୍ବର ମାସରେ ଯେକୌଣସି ପରିସ୍ଥିତିରେ ବାଂଲାଦେଶକୁ ଫେରିବେ ଏବଂ ସେଠାକାର କୋର୍ଟରେ ଆତ୍ମସମର୍ପଣ କରିବେ। ସେ ଦେଶରେ ତାଙ୍କ ବିରୋଧରେ ଚାଲିଥିବା ବିଚାର ଏବଂ ଟ୍ରିବ୍ୟୁନାଲଙ୍କ ରାୟକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବା ସହ ଦେଶବାସୀ ଓ ଦଳୀୟ କର୍ମୀଙ୍କ ପାଇଁ ସ୍ବଦେଶ ଫେରିବାକୁ ଦୃଢ଼ସଙ୍କଳ୍ପ ଥିବା ପ୍ରକାଶ କରିଛନ୍ତି। ତେବେ ଡିସେମ୍ବରରେ ହସିନାଙ୍କ ଏହି ପ୍ରତ୍ୟାବର୍ତ୍ତନ ଘୋଷଣା ଏବଂ ପାସପୋର୍ଟ ଆବେଦନ ପରେ ବାଂଲାଦେଶର ରାଜନୈତିକ ତଥା ଆଇନଗତ ମହଲରେ ବେଶ୍ ହଲଚଲ ସୃଷ୍ଟି ହୋଇଛି

Leave A Reply

Your email address will not be published.