Latest Odisha News

ସିଡିଏସ୍ ବିପିନ୍ ରାୱତଙ୍କ ମୃତ୍ୟୁରେ ଉଲ୍ଲସିତ ଯୁବକ ପୋଲିସ ହାତରେ ଗିରଫ

ଭୁବନେଶ୍ୱର: ସିଡିଏସ୍ ବିପିନ ରାୱତ ଓ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ନେଇ ସାରା ଭାରତ ମର୍ମାହତ । ଏପରିକି ଦେଶ ବାହାରୁ ମଧ୍ୟ ଶୋକବାର୍ତ୍ତାର ସୁଅ ଛୁଟିଛି । ଏପରି ସ୍ଥିତିରେ ଜଣେ ଭାରତୀୟ ବିପିନଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରିଛି ।

ରାଜସ୍ଥାନର ୨୧ ବର୍ଷୀୟ ଯୁବକ ଜୱାଦ ଖାନ । ଗତକାଲି ସିଡିଏସ୍ ବିପିନଙ୍କ ମୃତ୍ୟୁରେ ଉଲ୍ଲସିତ ହୋଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା । ଏପରିକି ନିଜ ପୋଷ୍ଟରେ ବେଶ କିଛି ଦେଶଦ୍ରୋହୀ ମନ୍ତବ୍ୟ ମଧ୍ୟ ଉଲ୍ଲେଖ କରିବାକୁ ପଛାଇନଥିଲା । ଏହି ପୋଷ୍ଟ ପ୍ରଘଟ ହେବା ପରେ ରାଜସ୍ଥାନର ଟୋଙ୍କ ପୋଲିସ ଅଭିଯୁକ୍ତ ଖାନକୁ ଗିରଫ କରିବା ନେଇ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛି ।

ରାଜ ଟକିଜ ଅଂଚଳରେ ରହୁଥିବା ଜୱାଦ ଖାନକୁ ଧରିବା ପାଇଁ ଟୋଙ୍କ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଖାନ ଇନଷ୍ଟାଗ୍ରାମ ତଥା ଟୁଇଟର୍ ପ୍ରୋଫାଇଲରେ ନିଜକୁ ତାଲିବାନ ସମର୍ଥକ ତଥା ଇସଲାମିକ ଫଣ୍ଡାମେଣ୍ଟାଲିଷ୍ଟ ଭାବେ ଉଲ୍ଲେଖ କରିଛି । ଏପରିକି ଗତକାଲି ଜଣେ ତାଲିବାନକୁ ପ୍ରଶଂସା କରି ଏକ ପୋଷ୍ଟ ମଧ୍ୟ କରିଥିଲା ।

ଅଭିଯୁକ୍ତ ଜୱାଦ ପୂର୍ବରୁ ମଧ୍ୟ ବାବ୍ରି ମସଜିଦ ତଥା ତାଲିବାନ ସମ୍ପର୍କିତ ଅନେକ ଉତ୍ତେଜକ ପୋଷ୍ଟ କରିଥିବା ଜଣାପଡିଛି । ଅଭିଯୁକ୍ତ ଜୱାଦକୁ ଟୋଙ୍କ ପୋଲିସ ଥାନାରେ ଅଟକ ରଖିଛି । ପଚରାଉଚରା ଜାରି ରହିଥିଲାବେଳେ ତାଲିବାନ ସହ ତାର ସମ୍ପର୍କ ଅଛି ନା ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

Comments are closed.