Latest Odisha News

BREAKING NEWS

ଏକା ଥରକେ ନିଯୁକ୍ତି ପାଇଲେ ୬୧୩୧ ଜଣ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରକେ ନିଯୁକ୍ତି ପାଇଛନ୍ତି ୬୧୩୧ ଜଣ ଶିକ୍ଷକ । ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ । କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ । ଶିକ୍ଷା ବ୍ୟବସ୍ଥାର ଆତ୍ମା ଭାବରେ ଶିକ୍ଷକଙ୍କୁ ଅଭିହିତ କରି ଭବିଷ୍ୟତ ପୀଢି ତଥା ନୂଆ ଓଡ଼ିଶା ଗଠନ ପାଇଁ ଆରମ୍ଭ ହୋଇଥିବା ଏହି ରୂପାନ୍ତରରେ ଶିକ୍ଷକମାନେ ସଫଳ ସହଯୋଗୀ ଭାବରେ ତାଙ୍କର ଦାୟିତ୍ବ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ବାସ ବୃଦ୍ଧି ପାଇଁ କାମ କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମାଜରେ ଶିକ୍ଷକଙ୍କ ଭୂମିକା ଯେପରି ଗୁରୁତ୍ବପୂର୍ଣ୍ଣ, ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ବ ବହନ କରେ ନାହିଁ । ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 5T ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବେଳେ, ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ।

ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଭାବେ ବର୍ଣ୍ଣନା କରି ଏଥିପାଇଁ ଶିକ୍ଷକଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନକୁ ସାକାର ରୂପ ଦେବାପାଇଁ ସବୁ ପ୍ରକାର ସୁଯୋଗ ଦିଆଯାଇଛି । ତେଣୁ ଶିକ୍ଷାଦାନ ପ୍ରତି ଶିକ୍ଷକଙ୍କ ପ୍ରତିବଦ୍ଧତା, ପିଲାମାନଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତାର ଶିଡି ଚଢିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

Comments are closed.