Latest Odisha News

BREAKING NEWS

Rural India’s Reality: କେବେ ସରିବ ଏ ଦୁଃଖ? ୧୨ ବର୍ଷର ଅସୁସ୍ଥ ଝିଅକୁ କାନ୍ଧରେ ବୋହି ୭ କିମି ଚାଲିଲେ ମାଆ…

ବିଜୟନଗରମ: କେବେ ସରିବ ଏ ଦୁଃଖ? ଆଖିରେ ବିକଶିତ ଭାରତର ସ୍ବପ୍ନ, ହେଲେ ୨୦ ଦଶକରେ ଆଜି ବି ଅପହଞ୍ଚ ମଣିଷ ସମାଜ! ଯେଉଁଠି ବିକାଶର ଡିଣ୍ଡିମ ପିଟାଯାଉଛି, ଯେଉଁଠି ଆଧୁନିକତାର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି, ସେଠି ଆଜି ବି ଗୋଟିଏ ଅସୁସ୍ଥ ଶିଶୁକୁ ହସ୍ପିଟାଲ ନେବା ପାଇଁ ମା’କୁ କାନ୍ଧରେ ବୋହି ୭ କିଲୋମିଟର ଚାଲିବାକୁ ପଡ଼ୁଛି। ନା ଗାଁକୁ ପହଞ୍ଚିପାରୁଛି ଆମ୍ବୁଲାନ୍ସ, ନା ମିଳୁଛି ସହଜରେ ଚିକିତ୍ସା ସୁବିଧା। ଆନ୍ଧ୍ରପ୍ରଦେଶର ଏହି ହୃଦୟବିଦାରକ ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି।

ଘଟଣାଟି ବିଜୟନଗରମ ଜିଲ୍ଲାର ଶ୍ରୁଙ୍ଗବରପୁକୋଟା ମଣ୍ଡଳ ଅନ୍ତର୍ଗତ ଦାରାପର୍ଥି ଗ୍ରାମ ପଞ୍ଚାୟତର ପଲ୍ଲାପୁ ଡୁଙ୍ଗାଡା ଆଦିବାସୀ ବସ୍ତିର। ଏଠାରେ ରହୁଥିବା ୧୨ ବର୍ଷୀୟା ସମ୍ପୂର୍ଣ୍ଣା ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଖରାପ ରାସ୍ତା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଝିଅର ଯନ୍ତ୍ରଣା ଦେଖି ମା’ ଜନ୍ନି ସୁକରମ୍ମା ତାକୁ କାନ୍ଧରେ ବୋହି ପାହାଡ଼ିଆ ରାସ୍ତାରେ ପ୍ରାୟ ୭ କିଲୋମିଟର ଚାଲିଥିଲେ। ପରେ ଅଟୋରେ ଏସ୍‌. କୋଟାର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ଝିଅର ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ମଧ୍ୟ ଝିଅକୁ କାନ୍ଧରେ ବୋହି ଘରକୁ ଫେରିଥିଲେ ମା’। ଏବେ ସମ୍ପୂର୍ଣ୍ଣାଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଗାଁକୁ ସଂଯୋଗ କରୁଥିବା ୬.୫ କିଲୋମିଟର ରାସ୍ତା ପାଇଁ ୮ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪.୯୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଆଜି ବି ରାସ୍ତା ଅଧାପନ୍ତରିଆ। ବନ ବିଭାଗର ଅନୁମତି ଅବଧି ଶେଷ ହେବା ପୂର୍ବରୁ କାମ ସରିନଥିଲା। ଏବେ ପ୍ରକଳ୍ପର ଖର୍ଚ୍ଚ ୬.୫୦ କୋଟିକୁ ବୃଦ୍ଧି ପାଇଥିବାରୁ ନୂଆ ଅନୁଦାନକୁ ଅପେକ୍ଷା କରିଛି ପ୍ରଶାସନ। କେବଳ ରାସ୍ତା ନୁହେଁ, ଦାରାପର୍ଥିରେ କ୍ଲିନିକ୍ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ଅଧାରେ ଅଟକିଛି। ରାସ୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଭାବରୁ ରୋଗୀ, ବୃଦ୍ଧ ଓ ଗର୍ଭବତୀ ମହିଳା ହଇରାଣ ହେଉଛନ୍ତି। ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ଜୀବନ ଯାଇଥିବା ଅଭିଯୋଗ ମଧ୍ୟ ରହିଛି।

ଘଟଣାକୁ ନେଇ ରାଜ୍ୟସଭା ସାଂସଦ ବିଜୟ ଚିନ୍ତକୟାଲା ଦୁଃଖ ପ୍ରକାଶ କରିଛନ୍ତି। ନିଜ MPLADS ପାଣ୍ଠିରୁ ଗାଁକୁ ଏକ ଆମ୍ବୁଲାନ୍ସ ଯୋଗାଇଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ତେବେ ଗୋଟିଏ ଆମ୍ବୁଲାନ୍ସ ମିଳିଗଲେ କ’ଣ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ? ଯେପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହେବନାହିଁ, ସେପର୍ଯ୍ୟନ୍ତ ଏଭଳି ମା’ଙ୍କ ଯନ୍ତ୍ରଣା କେବେ ଶେଷ ହେବ? ଏହି ଘଟଣା ବିକାଶର ଦାବି ମଧ୍ୟରେ ଅପହଞ୍ଚ ଗାଁର ବାସ୍ତବତାକୁ ଆଇନା ଦେଖାଇଛି। କିନ୍ତୁ ଦୁଃଖର କଥା ହେଉଛି ଏ ଗୋଟିଏ କିମ୍ବା ଦୁଇଟି ନୁହେଁ, ଭାରତର ଆଜି ଅନେକ ରାଜ୍ୟର ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକି ସରକାରଙ୍କ ଏହି ବିକାଶର ନାରାର ଶବ୍ଦ ବି ଶୁଣାଯାଉନି । ବିକାଶ ହେବାତ ଦୂରର କଥା । ଆଜି ବି ସାଧାରଣ ଜୀବନଯାପନ ପାଇଁ ଲଢୁଛି ମଣିଷ, ବିଳାସ ତ ତା ପାଇଁ ସାତ ସପନ ।

Leave A Reply

Your email address will not be published.