ଅଗରତାଲା: ତ୍ରିପୁରାର ସିପାହୀଜଳା ଜିଲ୍ଲା ଅନ୍ତର୍ଗତ ଭାରତ-ବାଂଲାଦେଶ ସୀମାନ୍ତ ଆଶାବାରୀ ଅଞ୍ଚଳରେ ସୀମା ସୁରକ୍ଷା ବଳ ଜବାନଙ୍କ ଉପରେ ଆକ୍ରମଣ ଏବଂ ସରକାରୀ ଅସ୍ତ୍ର ଛଡ଼ାଇବା ଅଭିଯୋଗରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଏସଏଫର ୪୯ତମ ବାଟାଲିୟନର ଏକ ଦଳ ସୀମାରେ ବେଆଇନ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଅପରେସନ ଚଳାଇଥିଲେ। ସେହି ସମୟରେ ଜଣେ ସନ୍ଦିଗ୍ଧ ଭାରତୀୟ ଚୋରା ଚାଲାଣକାରୀଙ୍କୁ ଅଟକ ରଖାଯିବା ପରେ କିଛି ସ୍ଥାନୀୟ ଲୋକ ଉତ୍ତେଜିତ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ବାଉଁଶ, ଠେଙ୍ଗା ଓ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ବିଏସଏଫ ଟିମ୍ ଉପରେ ହଠାତ୍ ଆକ୍ରମଣ କରିଥିଲେ। ଏହି ହିଂସାତ୍ମକ ଆକ୍ରମଣରେ ଜଣେ କମ୍ପାନୀ କମାଣ୍ଡରଙ୍କ ସମେତ ୩ ରୁ ୪ ଜଣ ବିଏସଏଫ ଜବାନ ଗୁରୁତର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ସୁରକ୍ଷା ବାହୀନି ଗାଡ଼ି ଭାଙ୍ଗିବା ସହ ଜଣେ ଜବାନଙ୍କ ସର୍ଭିସ୍ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ତେବେ ଅତିରିକ୍ତ ବିଏସଏଫ ବଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ପରବର୍ତ୍ତୀ ସମୟରେ ଛଡ଼ାଯାଇଥିବା ଅସ୍ତ୍ରକୁ ଜବତ କରାଯାଇଛି।
ଏହି ଘଟଣା ପରେ କଲାମଚୌରା ଥାନାରେ ହତ୍ୟା ଉଦ୍ୟମ, ଅସ୍ତ୍ର ଚୋରି ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ୮ ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୋଟ୍ ୧୯ ଜଣଙ୍କ ନାଁ ରେ ଅଭିଯୋଗ କରାଯାଇଛି ।
ତ୍ରିପୁରା ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଉକ୍ତ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରହିଛି।
ଏହି ସମ୍ବେଦନଶୀଳ ଘଟଣା ପରେ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଅଧିକ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।
