Latest Odisha News

BREAKING NEWS

ଗୋପାଳପୁର ଓ ଚାନ୍ଦବାଲି ଦେଇ ମେ’ ୩ରେ ଅତିକ୍ରମ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଧିରେଧିରେ ଓଡିଶା ନିକଟତର ହେବାରେ ଲାଗିଛି ।

ଏହା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୩.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ପୁରୀଠାରୁ ୬୬୦ କିମି ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଓ ବିଶାଖାପାଟଣାଠାରୁ ୪୦୦ କିମି ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ପହଞ୍ଚିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ଏହାପରେ ଏହି ସାମଦ୍ରିକ ଝଡ ଉତ୍ତର-ଉତ୍ତରପୂର୍ବ ମୋଡ ନେଇ ମେ’ ୩ ତାରିଖ ଅପରାହ୍ନ ସୁଦ୍ଧା ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଦେଇ ପୁରୀ ଦକ୍ଷିଣରେ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୭୦-୧୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାବେଳେ ଏହା ସର୍ବାଧିକ ଘଣ୍ଟାପ୍ରତି ୨୦୦ କିମି.ରେ ପହଞ୍ଚିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ମେ’ ୨ରେ ଓଡିଶାର ଦକ୍ଷିଣ ଉପକୂଳର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମେ’ ୩ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି ।

ମେ ୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଉତର ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ମେ ୨ ରେ ଆନ୍ଧ୍ର ଓ ଓଡିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୪୦-୫୦କିମି ବେଗରେ ଆରମ୍ଭ ହୋଇ ୬୦ କିମିରେ ପହଂଚିବ । ମେ ୩ ସକାଳୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୬୦-୭୦ କିମି ଓ ପରେ ୮୫କିମିରେ ପହଞ୍ଚିବ । ସଂଧ୍ୟାବେଳକୁ ଓଡିଶା ଉପକୂଳରେ ପବନର ବେଗ ଆହୁରି ବୃଦ୍ଧି ପାଇ ଘଂଟାପ୍ରତି ୧୭୫-୧୮୫ କିଲୋମିଟର ବେଗରେ ପହଂଚିବ ଏବଂ ସର୍ବାଧିକ ଘଂଟାପ୍ରତି ୨୦୫ କିମି ଛୁଇଁବ ।

ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ । ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଛି ।

ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଡଙ୍ଗା ନେଇ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.