ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଆମ ଜୀବନରେ ଆମେ ପିଲାମାନଙ୍କ ପାଇଁ ସବୁ କିଛି କିରବାକୁ ଚାହୁଁଛେ । ସବୁ ସୁବିଧା ସୁଯୋଗ ଆମେ ପିଲାମାନଙ୍କ ହାତ ପାହାନ୍ତାରେ ପହଞ୍ଚେଇବା ପାଇଁ ଜୀବନ ତମାମ୍ ପରିଶ୍ରମ କରି ଚାଲୁଛେ । ନିଜେ ନଖାଇ ନପିଇ, ଭଲ ନପିନ୍ଧି, ନିଜ ସ୍ୱପ୍ନକୁ ପଛ କରି ଆମ ପିଲାମାନଙ୍କର ସବୁ ସୁବିଧା ସୁଯୋଗ ପାଇଁ ଆମେ ଦିନ ରାତି ଏକ କରି ଲାଗିପଡ଼ୁଛେ । ଆମେ ସମସ୍ତେ ଚାହୁଁଛେ, ଆମ ପିଲା ଭଲ ସ୍କୁଲ୍ରେ ପଢ଼ନ୍ତୁ । ଦାମୀ ସ୍କୁଲ୍ରେ ପଢ଼ନ୍ତୁ । ଭଲ ଖାଆନ୍ତୁ । ଭଲ ପିନ୍ଧନ୍ତୁ । ତାଙ୍କର ସବୁ ଇଛା ପୁରଣ ହେଉ । କେବଳ ଚାହୁଁନେ, ଏସବୁକୁ ପୁରଣ କରିବା ପାଇଁ ଆମେ ଜୀ ଜାନ୍ ଲଗେଇ ଲାଗିପଡୁ଼ଛେ । କିନ୍ତୁ ଏତେ ସବୁ ସୁବିଧା ସୁଯୋଗ ଭିତରେ ଗୋଟେ ଜରୁରୀ ଜିନିଷଠାରୁ ଆମେ ପିଲାମାନଙ୍କୁ ଦୂରେଇ ରଖୁଛେ । ଯାହା ପିଲାମାନଙ୍କର ତିଆରି ହେବା ପାଇଁ ଏକାନ୍ତ ଆବଶ୍ୟକ । ତାହା କ’ଣ? ତାହା ହେଉଛି ‘ସଂଘର୍ଷ’ ବା ‘କଷ୍ଟ’ ।
ଜୀବନରେ ସଂଘର୍ଷ ନକଲେ ବା କଷ୍ଟ ନପାଇଲେ ପିଲାମାନେ କେବେ ବି ତିଆରି ହୋଇପାରିବେ ନାହିଁ । କେବେ ବି ସଫଳ
ହୋଇପାରିବେ ନାହିଁ । ତାଙ୍କ ଆଗରେ ପଡ଼ିଥିବା ଲମ୍ବା ଜୀବନ ଯୁଦ୍ଧରେବିଜୟୀ ହେବା ସେମାନଙ୍କ ପାଇଁ ସହଜ ହେବ ନାହିଁ । ଆମ ପିଲାମାନଙ୍କ ପାଇଁ ଆମେ ଭଲ ଶିକ୍ଷା, ଭଲ ସ୍ୱାସ୍ଥ୍ୟ, ଭଲ ରୋଜଗାର ଆଦି କାମ୍ୟ କରିବା ସହିତ କିଛିଟା ସଂଘର୍ଷ ଓ କଷ୍ଟ ବି ଚାହିଁବା ଜରୁରୀ । ନହେଲେ ସେମାନେ ଜୀବନରେ ଆସୁଥିବା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବେ ନାହିଁ । ଥରେ ବିଫଳ ହେବା ପରେ ପୁଣି ଥରେ ମୁଣ୍ଡ ଉଠେଇ ଠିଆ ହୋଇପାରିବେ ନାହିଁ । ଗୋଟେ ଛୋଟ ଘଟଣା ଦେଖିବା ।
ଏଇ କିଛି ଦିନ ତଳେ ମୋ ପୁଅକୁ ମୁଁ ଗୋଟେ ନୂଆ କଲମ ଦେଇଥିଲି ଲେଖିବା ପାଇଁ । ଦୁଇ ଦିନ ପରେ ଦେଖିଲି, ସେଇ କଲମଟା ତା ହାତରେ ନାହିଁ । ସେ ଆଉ ଗୋଟେ ନୂଆ କଲମରେ ଲେଖୁଛି । ମୁଁ ତାକୁ ପଚାରିଲି, ପୂର୍ବର ସେ କଲମଟା କୁଆଡ଼େ ଗଲା । ସେ କିଛି କହିଲାନି । ଚୁପ୍ ରହିଲା । ଏପରିକି କଲମଟା ହଜେଇ ଦେଇଥିବାରୁ ସେ ବେଶି ଦୁଃଖିତ ଥିବା ପରି ବି ଜଣା ପଡ଼ୁନଥିଲା । ମୁଁ ସାମାନ୍ୟ ଟିକେ ଏପଟ ସେପଟ ଖୋଜିଲି । ଦେଖିଲି, କଲମଟା ଖଟ ତଳେ ପଡ଼ିଛି । ମୁଁ ଖଟ ତଳୁ କଲମଟା ଆଣିଲି । ମୁଁ ବୁଝିଗଲି ଯେ, ଖଟ ତଳେ ପଡ଼ିଥିବା କଲମଟାକୁ କାଢ଼ିବାର ସାମାନ୍ୟ କଷ୍ଟକୁ ମୋ ପୁଅ ନଆପଣେଇ ଖୁବ୍ ସହଜରେ ଆଉ ଗୋଟେ ନୂଆ କଲମ ପାଇଁ ମୋ ଟେବୁଲ୍ ଡ୍ରୟାର ପାଖକୁ ଚାଲିଗଲା ।
ଆମ ପିଲାବେଳେ ସେତେବେଳେ ଆମର ସେ କଷ୍ଟ କଥା ମନେପକାଇବା ବେଳକୁ ଏବେକାର ପିଲାମାନଙ୍କର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ସେତେବେଳେ କେତେ କଷ୍ଟରେ ବାପାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଅନେକ ଥର ମାଗିବା ପରେ ମାସେ ଦେଢ଼ ମାସ ପରେ ଆମକୁ ଗୋଟେ ନୂଆ କଲମ ମିଳୁଥିଲା । ସେହି କଲମକୁ ଆମେ ସବୁ ସାଙ୍ଗମାନଙ୍କୁ ଦେଖାଉଥିଲୁ । ସେହି ଗୋଟିଏ କଲମରେ ବାରମ୍ବାର ରିଫିଲ୍ ବଦଳେଇ ବଦଳେଇ ଲେଖୁଥିଲୁ । ଯାହାର କଲମରେ ଯେତେ ଅଧିକ ରିଫିଲ୍ ପଡ଼ୁଥିଲା, ଯାହାର କଲମ ଯେତେ ଅଧିକ ପୁରୁଣା ହେଉଥିଲା, ତାର ସେତେ ଅଧିକ ନାଁ ହେଉଥିଲା । ଗୋଟିଏ କଲମରେ ସ୍କୁଲ୍ ସରିଯାଉଥିଲା । ଆଉ ଯଦି ସେ କଲମଟା ହଜିଯାଏ, ମୁଣ୍ଡ ପାଗଳ ହୋଇଯାଉଥିଲା । କିଛି ବି ଭଲ ଲାଗୁନଥିଲା । ପ୍ରକୃତରେ ସେ କଲମଟା କେବେ ବି ହଜୁନଥିଲା । କାରଣ ସେତେବେଳେ ଗୋଟିଏ ନୂଆ କଲମ ପାଇବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ୁଥିଲା । ଅନେକ ଅପେକ୍ଷା କରିବାକୁ ପଡ଼ୁଥିଲା । ତେଣୁ ହଜିଗଲେ ବହୁତ ବାଧୁଥିଲା । ଯେଉଁ ଜିନିଷ ପାଇବାକୁ ଯେତିକି କଷ୍ଟ ହୋଇଥିବ, ତାର ହରେଇବାଟା ମଧ୍ୟ ସେତିକି କଷ୍ଟପ୍ରଦ । ଏବେ ତ ମୋ ପୁଅ ଆରାମ୍ରେ, ବିନା ଦାବିରେ, ବିନା କଷ୍ଟରେ, ବିନା ଅପେକ୍ଷାରେ କଲମଟିଏ ପାଇଯାଉଛି । ତେଣୁ ତାର ମହତ୍ୱ ସେ ବୁଝିନପାରିବା ବି ସ୍ୱଭାବିକ ।
ଏଇଥିପାଇଁ ଆଜିର ପିଲାମାନେ କୌଣସି ଜିନିଷର ଗୁରୁତ୍ୱ ବୁଝିପାରୁନାହାନ୍ତି । ଯେହେତୁ ସେମାନେ କଷ୍ଟ ସହିନାହାନ୍ତି, ତେଣୁ ଜିନିଷକୁ ଯତ୍ନର ସହ ରଖିବା ବି ସେମାନଙ୍କର ଅଭ୍ୟାସ ହେଉନାହିଁ । ଆମେ ସେତେବେଳେ ଅନେକ କଷ୍ଟ ସହି ପ୍ରଚୁର ସଂଘର୍ଷର ସହ ପାଠ ପଢ଼ୁଥିଲୁ । ବଡ଼ ହେଉଥିଲୁ ।ତେଣୁ ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭାଙ୍ଗି ନପଡ଼ି ଆତ୍ମବିଶ୍ୱାସର ସହ ସମ୍ମୁଖୀନ ହେଉଥିଲୁ ।
ବର୍ତ୍ତମାନର ପିଲାମାନେ ଟିକିଏ କଷ୍ଟ ପଡ଼ିଲେ, ସାମାନ୍ୟ ପ୍ରତିକୂଳ ପରିସ୍ଥିତି ଆସିଲେ ଭାଙ୍ଗି ଯାଉଛନ୍ତି । ଜୀବନରେ ସେମାନେ ସଂଘର୍ଷ ଶିଖି ପାରୁନାହାନ୍ତି । ପରୀକ୍ଷାରେ ଅଧ ପ୍ରତିଶତ ନମ୍ବର କମ୍ ରହିଲେ ସେମାନେ ହତାଶ ହୋଇଯାଉଛନ୍ତି । ଯଦି ସେମାନେ ୯୮ ପ୍ରତିଶତ ନମ୍ବର ଆଶା କରୁଛନ୍ତି ଓ ପରୀକ୍ଷାରେ ୯୭.୫ ପ୍ରତିଶତ ନମ୍ବର ରହୁଛି, ତେବେ ସେମାନେ ସହିପାରୁନାହାନ୍ତି । ଆତ୍ମହତ୍ୟା ପରି ଜଘନ୍ୟ ରାସ୍ତାକୁ ଆପଣେଇ ନେଉଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ସହିପାରିବାର ସାମର୍ଥ୍ୟ ସେମାନଙ୍କ ପାଖରେ ବି ରହୁନାହିଁ । କୌଣସି ବି କାମ ସେମାନଙ୍କ ଇଛା ମୁତାବକ ନହେଲେ, ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି ।
ପିଲାମାନଙ୍କର ଜୀବନରେ କଷ୍ଟ ଓ ସଂଘର୍ଷ ନିହାତି ଆବଶ୍ୟକ । ନହେଲେ ଭବିଷ୍ୟତର ପ୍ରତିକୂଳ ପରିସ୍ଥିତିରେ ସେମାନେ ଆହୁରି ଭାଙ୍ଗିପଡ଼ିବେ । ଯେଉଁ ଇଟା ଯେତେ ଅଧିକ ପୋଡ଼ି ହେବ, ସେ ଇଟା ସେତେ ଅଧିକ ଶକ୍ତ ହେବ । ସୁନା ଏସିଡ଼୍ ପାଣିରେ ତରଳିଲେ ହିଁ ଚକ୍ଚକ୍ କରିବ । ତେଣୁ ବାପା ମା’ ହିସାବରେ ଆମେ କେବଳ ପିଲାମାନଙ୍କର ସୁଖ, ସୁବିଧା ନୁହେଁ ସଂଘର୍ଷ ଓ କଷ୍ଟ ବି କାମ୍ୟ କରିବା ଜରୁରୀ ।
ଭିରଙ୍ଗ, ତିରଣ
ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.