ଧାରାବାହିକ ଉପନ୍ୟାସ : ଦେବୀ (୩୫)

0
6

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୫

ମଣିଷ କାହିଁକି ଜନ୍ମନିଏ !କାହିଁକି ମରେ ! କାହିଁକି ସମୟର ହାତ ଧରି ସେ ଆଗକୁ ଆଗକୁ ଯାଏ। ପୁଣି ସ୍ମୃତିର ଖସଡ଼ା ପଥରେ ପଛକୁ ପଛକୁ ଫେରିଆସେ। ଏମିତି ଅନେକ ପ୍ରଶ୍ନ ବିଚଳିତ କରେ ଦେବକୁ। ବେଳେବେଳେ ଏଇ ପ୍ରଶ୍ନମାନଙ୍କୁ ଧରି ନିଜର ଜୀବନ ତଉଲାଏ।

ସମୟର ହାତଧରି ଆଗକୁ ଯାଉଯାଉ କେତେବେଳେ ସେ ଭାବେ ଲୁହ କୋହର ସଂସାର ହୁଏତ ଆଗକୁ ନେଇପାରେ।ଆଗକୁ ନେଇପାରେ ଏକ କମନୀୟ ଅଥଚ ସଂକୀର୍ଣ୍ଣ ଅନ୍ଧାର ଗୁମ୍ଫା ଭିତରକୁ। ସେ ଗୁମ୍ଫା ଭିତରେ ରହୁଥାଏ ଚିରକାଳ ଏକ ଆପଣାର ମଣିଷ।

ଭଲ ଲାଗେ ସେ ଅନ୍ଧାର । ଅନ୍ଧାରେ ଘୋଳି ହୋଇ ଦେବ ଅନୁଭବ କରେ କାହାର ଶୂନ୍ୟ ଅଥଚ ବଳିଷ୍ଠ କଳେବର। ଧିରେ ନିଜଭିତରୁ ନିଜକୁ ମୁକ୍ତ କରି ସେ ମିଶିଯାଏ ସେଇ ଅଦୃଶ୍ୟ କଳେବର ସହିତ । ଚାଲେ ଅନନ୍ତ ରାସଲୀଳା। ଭଙ୍ଗିଳ ଅତୀତକୁ ନେଇ ଦେବର ଜୀବନ। ସେ ଜାଣେନା କଣ ବର୍ତ୍ତମାନ କ’ଣ ଭବିଷ୍ୟତ। ସେ କେବଳ ଅତୀତରେ ରୁହେ। ଅତୀତରେ ହିଁ ତାର ସ୍ୱପ୍ନର ସମାଧି। ଭବିଷ୍ୟତର ପାଉଁଶ ଭୂମି।

ସେ ଅତୀତକୁ ଆପଣାର କରି ସ୍ମୃତିର ଜାଲ ଭିତରେ ଛନ୍ଦି ହେବାକୁ ଭଲପାଏ।

ଠାକୁର ବରଗଛ ମୂଳରୁ ଦେଖା ଯାଉଥିଲା ଦେବୀର ଅଗଣା। ଦିନେ ସେଠି ଥିଲା ଏକ ସିମେଣ୍ଟ ଚାନ୍ଦିନୀ। ସେଇଠି ଦେବୀ ସହିତ ଖେଳି ଖେଳି କରିଥିଲା ପିଲାଦିନ। ତା ଉପରେ ଥିବା ଚଉରା ମୂଳେ ସଂଜବତୀ ଆଲୁଅରେ ମାଡ଼ି ଆସିଥିଲା ଯୌବନ।ସେଇଠୁ ଆରମ୍ଭ ହୋଇଥିଲା ଦେବର ଜହ୍ନରାତି ପୁଣି ଅମେଇସା ଅନ୍ଧାର।

ଦେବୀକୁ ନିଜ ବାହୁ ବନ୍ଧନରେ ପାଇ ନିଜକୁ ବିଶ୍ଵାସ କରିପାରିନଥିଲା ଦେବ।ଦେବୀ ଥିଲା ଗାଆଁର ସର୍ବୋତ୍ତମା ସୁନ୍ଦରୀ,ଚତୁରୀ ଆଉ ଗୁଣବତୀ। ତା ଓଠରେ ହସ ଉଇଁଲେ ମ୍ଲାନ ଦିଶନ୍ତି ବଗିଚାର ଫୁଲ। ତା ଅଳ୍ପ ଅଥଚ ମଧୁର କଥାକୁ ଚୋରେଇ ନିଜର କରନ୍ତି ଭଅଁର। ସେ ଅଳସ ଭାଙ୍ଗିଲେ ନଇଁପଡେ ବାସ୍ନା ବିଭୋର ମଧୁମାଳତୀ। ସେ କଦବା ରାଗିଲେ ଭାଙ୍ଗିଯାଏ ପାହାଡ଼ର ଅହଙ୍କାର। ସେ ଶୋଇଲେ ରାତି ଉଠିଲେ ସକାଳ।

ଦେବୀର ଲହୁଣୀ ପିତୁଳା ସୁନାରଙ୍ଗର ଦେହରେ ଥାଏ ଏକ ମହୀମାମୟ ଆଭା। ଏମିତି ଦେହ ଧାରିଣୀ ଝିଅଟିଏ ଯେ ତା ପ୍ରେମିକା, ଦେବକୁ ବିଶ୍ୱାସ ହୁଏନା । ସେ ଭାବେ ଏଇଟା ତାର କଳ୍ପନା।

ଦେବର ମନେପଡେ, ଅଳ୍ପ ବର୍ଷାରେ ଯେତେବେଳେ ରୂପାର ଧାରା ହୋଇ ପହିଲି ଆଷାଢ଼ର ଆନନ୍ଦାଶ୍ରୁ ଗାଆଁ ଦାଣ୍ଡରେ ଧିରେ ଧୀରେ ଧାଏଁ, ରଙ୍ଗବେରଙ୍ଗର ଛତାଟିଏ ଆଣି ଦେବୀ ଆସେ। ସୁଅରେ ଭାସିଯାଉଥିବା ପତ୍ର ସହିତ ଖେଳେ, ଝୁମୁକା ଲଗା ପାଉଁଜି ନିନାଦରେ ସଙ୍ଗୀତ ମୁଖର ହୁଏ ବର୍ଷା ବାତୁରା ଦାଣ୍ଡ। ଦେବକୁ ଲାଗେ ସତେ ଯେମିତି କେଉଁ ଏକ ଅଦୃଶ୍ୟ ରାଇଜରୁ ପରୀଟିଏ ଆସିଛି,ବର୍ଷା ଆଉ ରଙ୍ଗର ଯାଦୁବାଡ଼ି ଧରି।

ଦେବର ମନେପଡେ ଦେବୀର ସ୍କୁଲ ବେଳ କଥା। ସ୍କୁଲ ଗଲାବେଳେ ସେ ଚୁପିଚୁପି କୁହେ – ଦେବ ଭାଇ ମତେ ସେ ବଣ ମଲ୍ଲି ଫୁଲ ଦେବ ନାଁ। ଦେବକୁ ଲାଜ ଲାଗେ। ହେଲେ କେଜାଣି କାହିଁକି ସେ କଣ୍ଟା ଝାଟିର ବଣ ଭିତରେ ଧାଇଁ ଯାଇ ଫୁଲ ତୋଳି ଆଣେ। ତା ପାଦରୁ ରକ୍ତ ଝରେ। ତୀକ୍ଷ୍ମ ସିଆରିଆ କଣ୍ଟାଘାତରେ ଚିରି ହୋଇଯାଏ ତା ସର୍ବାଙ୍ଗ ଶରୀର।ହେଲେ ଦେବୀର ପୁରନ୍ତା ମୁହଁର ହସ ଦେଖି ସେ ନିଜକୁ ଭୁଲିଯାଏ।

କ୍ରମଶଃ…..