” କିଛି ବି ଲେଖିବି ଯେ କ’ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । “
– ଅଚ୍ୟୁତାନନ୍ଦ ପତି
ତାଙ୍କ ପରିଚୟ ସେ ନିଜେ । କିଛି ଶବ୍ଦର ସମାହାରରେ ବାକ୍ୟ ଗଢ଼ି ତାଙ୍କୁ ପରିଚିତ କରିବା ସମ୍ଭବ ନୁହେଁ । ତାଙ୍କ ମୁଖ ନିଃସୃତ ପ୍ରତିଟି ବାକ୍ୟ ସାହିତ୍ୟ । ବୟସର ଅପରାହ୍ନରେ ବି ସାହିତ୍ୟକୁ ନେଇ ବେଶ ଚଳ-ଚଞ୍ଚଳ । ପଞ୍ଚାନବେ ବର୍ଷ ବୟସରେ ବି ତାଙ୍କ ଲେଖନୀ ଅବିଶ୍ରାନ୍ତ । ସାହିତ୍ୟ ତାଙ୍କ ପାଇଁ ଜୀବନର ଉତ୍ସ । ଜୀବନର ପ୍ରତିଟି କ୍ଷଣକୁ ନେଇ ସେ ଗଢି ପାରନ୍ତି ଗପ, ଲେଖିପାରନ୍ତି କବିତା । କଲମ ଯେପରି ଅପେକ୍ଷା କରିଥାଏ ତାଙ୍କ ହାତର ସାରସ୍ୱତ ସ୍ପର୍ଶ ପାଇଁ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୁଖବନ୍ଧ ସହ ୧୯୫୧ ରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ ” । ତା’ ପରଠୁ ଚାଲିଛି ସାହିତ୍ୟର କାଳଜୟୀ ଯାତ୍ରା ।ମାନବେତ୍ତର ଚରିତ୍ରମାନଙ୍କୁ ନେଇ ଗଳ୍ପ ସୃଷ୍ଟି କରିବା ଓ ସେମାନଙ୍କ ଭିତରେ ମାନବିକତା ବୋଧ ପ୍ରଦର୍ଶନ କରାଇବା , ତାଙ୍କ ଗଳ୍ପ ସୃଷ୍ଟିର ଅନ୍ୟତମ ବୈଶିଷ୍ଟ।
କାହାଣୀ ନୁହେଁ , ଅବାଧ୍ୟ ପ୍ରଜାପତି, ଉଗ୍ରସେନ ଉବାଚ, ଅଶ୍ଵପତ୍ରର କାହାଣୀ , ଇତରଙ୍କ ଇତିବୃତ୍ତ, ସ୍ନାୟୁ ଓ ସନ୍ୟାସୀ , ଚା’ରୁ ଚୈତନ୍ୟ ପର୍ଯ୍ୟନ୍ତ , ସିକ୍ତ ସୈକତ , ଚାରି ସଙ୍ଗାତ ପ୍ରଭୃତି ସହ ଅସଂଖ୍ୟ ଗଳ୍ପ ଓ କବିତାର ସେ ସ୍ରଷ୍ଟା । ତାଙ୍କ ଗଳ୍ପ ‘ଅଶୁଭ ପୁତ୍ରର କାହାଣୀ’ ଓଡ଼ିଆ ଗଳ୍ପ ପରମ୍ପରାରେ ଏକ ମାଇଲଖୁଣ୍ଟ ।
ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର “ଆଳାପ”
ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା ?
ମୁଁ ମାମୁଁଘରେ ରହି ପାଠ ପଢିବା ଆରମ୍ଭ କରିଥିଲି । ମୋ ମାମୁଁ ଉପେନ୍ଦ୍ର ପଣ୍ଡା ମହତାବଙ୍କ ସହ କଲେଜରେ ଥିଲେ । ଯେତେବେଳେ ପ୍ରଜାତନ୍ତ୍ର ସାପ୍ତାହିକୀ ବାଲେଶ୍ୱରରୁ ପ୍ରକାଶିତ ହେଲା । ମୋ ମାମୁଁ ତା’ର ପ୍ରଥମ ସମ୍ପାଦକ ଥିଲେ । ଆମ ସ୍କୁଲରେ ହେଉଥିବା ସବୁ ଉତ୍ସବରେ ମାମୁଁ ଗୀତ ଲେଖି ଶିଖାଉଥିଲେ । ନାଚ ମଧ୍ୟ ଶିଖାଉଥିଲେ । ସେସବୁ ଦେଖି ମୁଁ ଲେଖିବା ପାଇଁ ଆଗ୍ରହୀ ହେଲି । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ପ୍ରଥମ କବିତା ଲେଖିଥିଲି । ଅଷ୍ଟମ ଶ୍ରେଣୀରେ ଯାଜପୁରରେ ପଢିଲା ବେଳେ ‘ବିରଜା ପ୍ରଦୀପ’ରେ ମୋର ପ୍ରଥମ କବିତା ପ୍ରକାଶ ପାଇଥିଲା । ଯାହାର ପ୍ରଥମ ପଦ ଥିଲା :
ନୂଆ ସୁଆଗ ବଢାଏ ଝୁଙ୍କ
ସଭିଙ୍କି ଦିଏ ମୋହି,
ଅଢେଇ ଦିନିଆ ପୀରତି ପାଇଁ
ବାଟ ଅବାଟ ନାହିଁ ।
ସେତିକି ବେଳେ ବମ୍ବେରୁ ହାତଲେଖା ପତ୍ରିକା ‘କୁଙ୍କୁମ’ ପ୍ରକାଶିତ ହେଉଥିଲା । ଦେବ ମହାପାତ୍ର ତା’ର ସମ୍ପାଦକ ଥିଲେ । ତାଙ୍କ ସ୍ତ୍ରୀ ନିଲୁ ମହାପାତ୍ର ସେଥିରେ ଚିତ୍ର କରୁଥିଲେ । ମହାପାତ୍ର ନୀଳମଣି ସାହୁ ମୋର ସାଙ୍ଗ ଥିଲେ । ଆମେ ଏକାବର୍ଷରେ ମାଟ୍ରିକ ପାସ କରିଥିଲୁ । କୁଙ୍କୁମ ପତ୍ରିକାରେ ଏକାସାଙ୍ଗରେ ଆମର କବିତା ପ୍ରକାଶ ପାଇଥିଲା । ସେହି ଦିନଠାରୁ ମୋର ସାହିତ୍ୟ ଜୀବନ ଆରମ୍ଭ ହୋଇଥିଲା ।
ଆପଣ କବିତା ଲେଖୁଥିଲେ । ତେବେ ଗପ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ?
ମୁଁ ନିୟମିତ ଭାବରେ କବିତା ଲେଖୁଥିଲି । ପ୍ରଜାତନ୍ତ୍ର ସାପ୍ତାହିକୀ ଓ ଝଙ୍କାରରେ ମୋର କବିତା ସବୁ ପ୍ରକାଶ ପାଉଥିଲା । ୧୯୫୧ରେ ମୋର ପ୍ରଥମ କବିତା ସଙ୍କଳନ ‘ କାହାଣୀ ନୁହେଁ ‘ ପ୍ରକାଶ ପାଇଥିଲା । ଯାହାର ମୁଖବନ୍ଧ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ । କବି ବିନୋଦ ଚନ୍ଦ୍ର ନାୟକ ହଠାତ ଦିନେ କହିଲେ “କବିତା ବହୁତ ଲେଖାହେଲା ଏବେ ଗପ ଲେଖିବା ଆରମ୍ଭ ହେଉ । ” ପରେ ପରେ ହରେକୃଷ୍ଣ ମହତାବ ଝଙ୍କାର ପତ୍ରିକା ପାଇଁ ଗପ ଲେଖିବାକୁ କହିଲେ । ସେମାନଙ୍କର ପ୍ରେରଣାରେ ମୁଁ ଗପ ଲେଖିବା ଆରମ୍ଭ କଲି । ଜଣେ ଗଣିତ ଶିକ୍ଷକର ଜୀବନକୁ ନେଇ ପ୍ରଥମ ଗପ ‘ପ୍ଲସ ମାଇନସ’ ଲେଖିଥିଲି । ଛାତ୍ରଛାତ୍ରୀଙ୍କୁ ସରଳ ଓ ସୁନ୍ଦର ଭାବରେ ଗଣିତ ପଢ଼େଇ ପାରୁଥିବା ଜଣେ ଶିକ୍ଷକ କେମିତି ନିଜର ବ୍ୟକ୍ତିଗତ ଜୀବନର ସୂତ୍ର ସମାଧାନରେ ହାରି ଯାଉଛି, ତାହା ହିଁ ଗପଟିର ବିଷୟବସ୍ତୁ ଥିଲା । ଏ ଗପଟି ମହତାବଙ୍କୁ ବହୁତ ଭଲ ଲାଗିଥିଲା ।
ଆପଣଙ୍କ ଅନୁସାରେ ଗଳ୍ପର ସଂଜ୍ଞା କ’ଣ ହୋଇ ପାରିବ ?
ଉତ୍ତର : ମୁଁ ଗଳ୍ପର ବ୍ୟାକରଣକାର ନୁହେଁ କି ଗଳ୍ପମୁଣ୍ଡି ନୁହେଁ । ଆଜି ପର୍ଯ୍ୟନ୍ତ ଯାହା ଗପ ଲେଖାଯାଇଛି ସେଥିରେ ଗଳ୍ପର ସମ୍ପୂର୍ଣ୍ଣ ସଂଜ୍ଞା ନିରୂପିତ ହୋଇପାରିବ ବୋଲି ମୁଁ ଭାବୁନାହିଁ । ପ୍ରକୃତରେ କୌଣସି ଏକ ବିଶେଷ ସଂଜ୍ଞାକୁ ନେଇ ଗପ ଲେଖା ଯାଇପାରେ ନାହିଁ । ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ପୃଷ୍ଠଭୂମି ଉପରେ ଗଳ୍ପର ସଂଜ୍ଞା ନିର୍ଭର କରେ । ନାରୀ ଜାଗରଣକୁ ନେଇ ଗପ ଲେଖାହେଲା କି ନକ୍ସଲପ୍ରବଣ ଅଞ୍ଚଳର ବିଷୟ ଉପରେ ଗପ ଲେଖା ହେଲା ପୁଣି ଶ୍ରୀମନ୍ଦିରକୁ ନେଇ ଗପ ଲେଖାହେଲା । ସବୁ ଗଳ୍ପର ପୃଷ୍ଠଭୂମି ସ୍ୱତନ୍ତ୍ର, ତେବେ ତାର କିଛି ସଂଜ୍ଞା ନାହିଁ । ସାମ୍ପ୍ରତିକ ପରିସ୍ଥିତି ଗଳ୍ପର ସଂଜ୍ଞାକୁ ବାରମ୍ବାର ବଦଳାଉଥାଏ ।
ଆପଣଙ୍କ ମତରେ ଆମେ ଭଲ ଗପ ବୋଲି କାହାକୁ କହିବା ?
ଗପ ହେଉ କି କବିତା ହେଉ ଭଲ ଖରାପ କିଛି ନଥାଏ । ମତେ ଯାହା ଭଲ ଲାଗିବ ତୁମକୁ ଭଲ ଲାଗି ନପାରେ । ତଥାପି କହିବି ଭଲ ଗପ ହେଉଛି ସେହି ଗପ ଯାହା ପଢ଼ିଲା ପରେ ପାଠକ ଓ ଲେଖକ ମନରେ ଆହୁରି ଅନେକ ଗପ ସୃଷ୍ଟି କରିଦିଏ ବାରମ୍ବାର ପଢିବାକୁ ବାଧ୍ୟକରେ । ଅବଚେତନ ମନରେ ଏକ ଛାପ ଛାଡିଯାଏ । ଯାହାକୁ ଅନେକ ବର୍ଷ ପରେ ବି ପାଠକ ଖୋଜିବେ । ଯେମିତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ ବୁଢା ଶଙ୍ଖାରି ‘ କି ମନୋଜ ଦାସଙ୍କର ‘ଲକ୍ଷ୍ମୀର ଅଭିସାର’ । ଯୁଗ ଯୁଗ ଯାଏଁ ପାଠକ ତାକୁ ମନେ ରଖିବେ । ଗପ ଭିତରେ ପାଠକ ନିଜକୁ ପାଇଲେ ହିଁ ତାହା ଭଲ ଗପ ବୋଲି ଧରାଯିବ ଏବଂ ତାର ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭାବରେ ପାଠକ ଉପରେ ନିର୍ଭର କରେ ।
ଏତେ ବର୍ଷର ସାହିତ୍ୟର ସାଧନା ଭିତରେ ଆପଣ ଅନେକ କବିତା ଓ ଗପ ଲେଖିଛନ୍ତି । ହେଲେ ଉପନ୍ୟାସଟିଏ କାହିଁକି ଲେଖିଲେ ନାହିଁ ?
ମୋ ମନରେ ବି ଏ ପ୍ରଶ୍ନ ବାରମ୍ବାର ଆସିଛି । କିନ୍ତୁ କେବେ ଉପନ୍ୟାସ ଲେଖିବା କଥା କେବେ ଭାବିନାହିଁ । ଉପନ୍ୟାସ ହେଉଛି ସମୁଦ୍ର ସଦୃଶ ଆଉ ଗଳ୍ପ ତା’ ଢେଉର ଫେଣ । ମୁଁ ସମୁଦ୍ର କୂଳରେ ଢ଼େଉକୁ ଦେଖିଲି ଫେଣକୁ ଚିହ୍ନିଲି କିନ୍ତୁ ପୁରା ସମୁଦ୍ର ମାପିବାକୁ ମନ ବଳାଇଲି ନାହିଁ । ଜୀବନର ଛୋଟ ଛୋଟ ଘଟଣାକୁ ନେଇ ଗଳ୍ପର ଖିଅ ପାଇଲି । । ଉପନ୍ୟାସ ହେଉଛି ଏକ ଚରିତ୍ରର ଜୀବନର କାଳଖଣ୍ଡର କଥା । ମୁଁ ଉପନ୍ୟାସ ପାଇଁ ସେମିତି କିଛି ଚରିତ୍ର ପାଇଲି ନାହିଁ । ଏବେ ବୟସର ଅପରାହ୍ନରେ ଭାବୁଛି ଉପନ୍ୟାସ କଥା । ଯଦି ମହାପ୍ରଭୁଙ୍କର ଆଜ୍ଞାହେବ, ମା’ ସରସ୍ଵତୀଙ୍କର ଆଶୀର୍ବାଦ ହେବ ତେବେ ଶତାୟୁ ହେବା ପୂର୍ବରୁ ଉପନ୍ୟାସଟିଏ ଲେଖିବାକୁ ଚେଷ୍ଟା କରିବି ।
ସାହିତ୍ୟରେ ପୁରସ୍କାର ଓ ପରିଚିତି ଲେଖକୀୟ ବ୍ୟକ୍ତି ସତ୍ତାକୁ କିପରି ପ୍ରଭାବିତ କରେ ?
ଉତ୍ତର : କେବଳ ସାହିତ୍ୟ ନୁହେଁ ଯେ କୌଣସି କ୍ଷେତ୍ର ହେଉ ବ୍ୟକ୍ତିକୁ ପରିଚିତି ତ ନିହାତି ଦରକାର । କିନ୍ତୁ ପରିଚିତି ଆପେ ତିଆରି ହେଉ । ସେହିପରି ପୁରସ୍କାର କ୍ଷେତ୍ରରେ ମଧ୍ୟ ସେହି ସମାନ ସୂତ୍ର କାମକରୁ । ପୁରସ୍କାର ଆସୁ, ଅଣା ନଯାଉ । ଆମ ସମୟର କଥା ଭିନ୍ନ ଥିଲା । ବର୍ତ୍ତମାନ ପୁରସ୍କାର ଆଣିବାର ପ୍ରୟାସ ଚାଲିଛି। କିଏ କାହାକୁ କେତେ ମାତ୍ରାରେ ପ୍ରଭାବିତ କଲା ସେତେ ପୁରସ୍କାର ପାଇଁ ରାସ୍ତା ତିଆରି ହେଲା । ଏପରି ପୁରସ୍କାରର ମୂଲ୍ୟ କଣ ? ବରଂ ସାହିତ୍ୟର ଅବମାନନା । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଭଲ ଲେଖାକୁ ଅବହେଳା କରାଯାଇଛି । ମୁଁ କୌଣସି ବ୍ୟକ୍ତି ବିଶେଷର ନାଁ କହୁନାହିଁ । ଏପରି ହେଲେ ତାହା ନିଶ୍ଚିତ ଭାବରେ ଅନେକ ଭଲ ଲେଖକଙ୍କୁ ନିରୁତ୍ସାହିତ କରିବ। ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ , ବ୍ୟକ୍ତିକୁ ନୁହେଁ ।
ସମୟର ପରିବର୍ତ୍ତନ ସହ ନୂତନ ପୀଢିଙ୍କ ତୁଳନାରେ ବରିଷ୍ଠ ଲେଖକମାନେ ଅବହେଳିତ ହୁଅନ୍ତି ବୋଲି ଆପଣ ଭାବନ୍ତି କି ?
ଏସବୁ କେବଳ ମାନସିକତା । ବରିଷ୍ଠମାନେ ଦିନେ ନୂତନ ଥିଲେ । ନୂତନ ପୀଢ଼ି ପୁଣି ଦିନେ ବରିଷ୍ଠ ହେବେ । ଅବହେଳିତ ମନେ କରିବା ଏକ ମନୋବୃତ୍ତି । ପୋଖତ ଗଛକୁ ଗୋଇଠା ମାରିଲେ ଗଛ କ’ଣ ହଲିବ ? ଦ୍ବିତୀୟତଃ ବୟସ୍କ ବ୍ୟକ୍ତି ସବୁଯାଗାରେ ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ । ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ ଦିଆଯାଉ । ନୂତନ ପୀଢ଼ିକୁ ବରିଷ୍ଠମାନେ ମାର୍ଗଦର୍ଶନ କରନ୍ତୁ । ବୟସ୍କ ଲେଖକଙ୍କୁ ସମ୍ମାନ ଦିଆଯାଉ ଏବଂ ଯୁବ ଲେଖକଙ୍କୁ ପୁରସ୍କାରର ପ୍ରୋତ୍ସାହନ ମିଳୁ । ପ୍ରୋତ୍ସାହନ ମିଳିରେ ସେମାନେ ଆଗେଇବେ । ଦାୟିତ୍ୱ ସମ୍ପନ୍ନ ହୋଇ ଆହୁରି ସର୍ଜନାମନସ୍କ ହେବେ । ଏକ ନିର୍ଦ୍ଦିଷ୍ଟ ବୟସ ପରେ ସମ୍ମାନ ଓ ପୁରସ୍କାର ମୂଲ୍ୟହୀନ ହୋଇଯାଏ । ଉଦାହରଣ ସ୍ୱରୂପ : ଗଣକବି ବୈଷ୍ଣବ ପାଣିଙ୍କ କଥା କହିବି । ଶେଷ ସମୟରେ ବହୁତ ଅବହେଳିତ ହେଲେ କଷ୍ଟ ପାଇଲେ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ଯେତିକି ସମ୍ମାନ ବା ପରିଚିତି ମିଳିଲା ସେ କଣ ଆଉ ଜାଣି ପାରିଲେ ! ବୟସର ଅପରାହ୍ନ ପରେ କେବଳ ଆଦର ଆଗ୍ରହ ଲୋଡ଼ାହୁଏ । ସେଥିପାଇଁ ନିଜେ ସେ ଅବସ୍ଥା ସୃଷ୍ଟି କରିବାକୁ ହେବ । ନିଜକୁ ନୂତନ ପୀଢ଼ି ସହ ଭାରସାମ୍ୟ ରଖିବାକୁ ପଡ଼ିବ । ସମୟ ଥାଇ ଯୁବ ଗୋଷ୍ଠିକୁ ଆଗକୁ ବଢ଼ିବାର ସୁଯୋଗ ଦିଆଗଲେ ସେମାନେ ମଧ୍ୟ ବରିଷ୍ଠମାନଙ୍କର ସମ୍ମାନ କରିବେ । ଅବହେଳାର ପ୍ରଶ୍ନ ଆସିବ ନାହିଁ ।
ଅବସର ପରେ ଆପଣଙ୍କର ସର୍ଜନଶୀଳତା ପଛରେ ପ୍ରେରଣା କ’ଣ ?
ଏଇ ବୟସରେ ଆଉ ସର୍ଜନା କଣ ! ତଥାପି କଲମ ଚାଲିଛି । ସାହିତ୍ୟ ଅଛି ବୋଲି ପଞ୍ଚାନବେ ବର୍ଷ ବୟସରେ ମଧ୍ୟ ମୁଁ ସଳଖି ଠିଆ ହୋଇପାରୁଛି । ଯାବତୀୟ ଶାରୀରିକ ବ୍ୟାଧି ସତ୍ତ୍ୱେ ସାହିତ୍ୟ ମତେ ଜିଇଁବାର ପ୍ରେରଣା ଦେଇଛି । ଏଇ ଯେମିତି ତୁମେ ଆସିଛ । ରବି ପଣ୍ଡା , ଶିତେଶ ତ୍ରିପାଠୀ , ପୀତବାସ ରାଉତରାୟ, ହୃଷିକେଶ ମଲ୍ଲିକ ଆହୁରି କେତେ ପିଲାମାନେ ଆସନ୍ତି । ଫୋନ କରି କଥା ହୁଅନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଷୟରେ କହିବା ପାଇଁ ହୃଷିକେଶ ଫୋନ କରିଥିଲା । ମୁଁ ବହୁତ ଖୁସି ହେଲି । ମୋ ପରିବାର ସହ ତୁମେମାନେ ଆଉ ଗୋଟିଏ ପରିବାର ପରି ମୋ ପାଖରେ ରହିଛ । ମୁଁ ଏବେ ପଢୁଛି ଅଧିକ । ଯେଉଁ ଗପଟି କି କବିତାଟି ଛୁଇଁ ଯାଇଛି ସେଇ ଲେଖକ ଓ କବିଙ୍କୁ ଫୋନ କରୁଛି । କିଛିଦିନ ତଳେ ଦ୍ଵିତୀ ଚନ୍ଦ୍ର ସାହୁକୁ ଫୋନ କରିଥିଲି। ଏଇ ବୟସରେ ଏହା ହିଁ ସର୍ଜନଶୀଳତା ବୋଲି ମୁଁ ଭାବେ । ଅନେକ ଲୋକ ସଭା ସମିତିକୁ ଡାକୁଛନ୍ତି । ଆଉ କଣ ଯାଇପାରିବି ! ଏମିତି ଚାଲିଥାଉ । ମା’ ସରସ୍ୱତୀଙ୍କ ଆଶୀର୍ବାଦରୁ ଶେଷ ନିଃଶ୍ୱାସ ଯାଏଁ ମୁଁ ସାହିତ୍ୟରେ ଥାଏ । ତୁମେମାନେ ଏମିତି ଆସୁଥାଅ । ସାହିତ୍ୟ ଚର୍ଚ୍ଚା ଚାଲୁଥାଉ । ସେଥିରୁ ଆନନ୍ଦ ମିଳୁଛି ।
ଜଣେ ସାହିତ୍ୟିକ ଭାବରେ ଜୀବନରେ କିଛି ଅବସୋସ ରହି ଗଲା ବୋଲି ଆପଣ ଭାବନ୍ତି କି ?
ଜୀବନର ସଂଘର୍ଷ , କିଛି ଅପାରଗ ପଣ, ପରିସ୍ଥିତିର ବାଧ୍ୟ ବାଧକତା ହିଁ ଜଣେ ଲେଖକକୁ ଜନ୍ମ ଦିଏ । ସାହିତ୍ୟ କେବେ ଅବସୋସ ସୃଷ୍ଟି କରେ ନାହିଁ । ଯେଉଁମାନେ କିଛି ପାଇବାର ଆଶାରେ ସାହିତ୍ୟ ସହିତ ଯୋଡ଼ି ହୋଇଥାନ୍ତି ସେମାନଙ୍କ ଅଭିଧାନରେ ସାହିତ୍ୟକୁ ନେଇ ଅବସୋସ ବା ଅଭାବବୋଧ ପରି ଶବ୍ଦ ଥିବ। ସାହିତ୍ୟ ମତେ ସବୁବେଳେ ଜୀବନ୍ତ ରଖିଛି। ଅନେକ ବ୍ୟକ୍ତିଙ୍କ ସହ ପରିଚିତ କରାଇଛି । ସାହିତ୍ୟ ପରିବାରରେ ମୁଁ ଅନେକ ସମ୍ପର୍କରେ ବାନ୍ଧି ହୋଇଛି । କିଏ ଭାଇ ବୋଲି ଡାକିଛି । କିଏ ପିତାର ସମ୍ମାନ ଦେଇଛି । କିଏ ଛୋଟ ଭାଇ ହୋଇଛି । ଏସବୁ କଥା କହିଲା ବେଳକୁ ମନୋରମା ମହାପାତ୍ର କଥା ମନକୁ ଆସୁଛି । ସେ ମତେ ଭାଇ ବୋଲି ଡାକୁଥିଲା । କେତେ ସଭା ସମିତିରେ ଏକାଠି ହୋଇଛୁ । ଦେଶ , ବିଦେଶ ଅନେକ ଜାଗା ଯାଇଛୁ । କେତେ ଲୋକ ଚାଲି ଗଲେଣି । ଦେବାଶିଷ ଚାଲିଗଲା । ଶୁଭେନ୍ଦୁ ବି ଗଲା । ଯିବା ଆସିବା ରହିଛି । ତା’ ସହ ଜୀବନ ବି ଚାଲିଛି । ଅବସୋସକିଛି ନାହିଁ । ବରଂ ଏଇ ବୟସରେ ତୁମମାନଙ୍କର ସ୍ନେହ , ସମ୍ମାନ ମୋର ପ୍ରାପ୍ତି ବୋଲି କହିବି ।
ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହୋଇପାରିବୁ ?
ଯଦି ଯତ୍ନ କରାଯାଉନାହିଁ ତେବେ ଯାଇ ଯତ୍ନବାନ ହେବାର କଥା ଉଠିବ । ଓଡ଼ିଆ ଭାଷାର ଭବିଷ୍ୟତ ନିହାତି ଭାବରେ ଉଜ୍ଜ୍ଵଳ । ଭାଷା ଆନ୍ଦୋଳନରେ ଆମ ପୂର୍ବ ପୁରୁଷ ଯେଉଁ ପ୍ରୟାସ କରିଥିଲେ ସେଇ ଶିଶୁଟି ଏବେ ଯୁବାବସ୍ଥାରେ ବୋଲି ମୁଁ କହିବି । ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ଆହୁରି ଏକ ଗୌରବର ବିଷୟ । ତଥାପି କହିବି ପ୍ରାଚୀନ ଶବ୍ଦମାନଙ୍କୁ ନେଇ ସାହିତ୍ୟ ସୃଷ୍ଟି ହେଉ । ଗାଁର ଭାଷାକୁ ନେଇ ଗପ ଲେଖାଯାଉ । ଅନେକ ଶବ୍ଦ ଏବେ ଲୋପ ପାଇଗଲାଣି । ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବ୍ୟବହାର କମ କରାଯାଉ । ଲେଖକ କି କବି ହେବା ସହଜ ନୁହେଁ । ଶବ୍ଦ ଓ ରକ୍ତ ମିଶିଲେ ଯାଇ ସାହିତ୍ୟ ହୁଏ । ସେକଥା ପିଲାମାନେ ବୁଝନ୍ତୁ । ବହିଥାକ ପାଖରେ ଛିଡ଼ାହୋଇ ଫଟୋ ଉଠେଇ କି ପୁରସ୍କାରର ଲମ୍ବା ତାଲିକା ନେଇ କେହି ସାହିତ୍ୟିକ ହେବେ ନାହିଁ । ବହି ପଢନ୍ତୁ । ପୁରାଣ ଶାସ୍ତ୍ର ବି ପଢ଼ନ୍ତୁ । ସେ ବିଷୟରେ ବୌଦ୍ଧିକ ଚର୍ଚ୍ଚା ହେଉ । ସାହିତ୍ୟର ସ୍ରୋତ ତ ଆମ ପୁରାଣରୁ ଆରମ୍ଭ । ବୃତ୍ତିଗତ ପଦ ମର୍ଯ୍ୟାଦା , ପ୍ରକାଶିତ ପୁସ୍ତକର ସଂଖ୍ୟା ବା ବୟସ ନଦେଖି ସୃଷ୍ଟିର ଗଭୀରତାକୁ ମପାଯାଉ। ସାହିତ୍ୟ ଆପେ ଆପେ ଉନ୍ନତ ହୋଇଯିବ । ଲେଖକ ବୋଲି ପରିଚିତ ହେବାପାଇଁ ନୁହେଁ, ହୃଦୟର ଅତଳ ଗର୍ଭରେ ଉଠୁଥିବା ଉତ୍ତାଳ ଢ଼େଉକୁ ଅନୁଭୂତି ଓ ଅଭିଜ୍ଞତାର ସ୍ପର୍ଶ ଦେଇ ସାହିତ୍ୟ ରଚିତ ହେଉ ।
Comments are closed.