Latest Odisha News

BREAKING NEWS

ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଆଜି ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହେବ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର: ଓଡ଼ିଶାରେ ମେ ୩ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେଥିମଧ୍ୟରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ପ୍ରତିନିଧିଦଳ ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି । ସୋମବାର ଦିନ ସର୍ବାଧିକ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ଆସି ପହଞ୍ଚିଛନ୍ତି । ଏହି ପ୍ରତିନିଧି ଦଳରେ ମୋଟ ୧୧ ଜଣ ସଦସ୍ୟ ରହିଥିବାର ସୂଚନା ମିଳିଛି ।

ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବାତ୍ୟା ପରବର୍ତ୍ତି ସ୍ଥିତିର ରୂପରେଖ ତଦାରଖ କରିବା ପରେ ୨ଟି ଦଳରେ ବିଭକ୍ତ ହୋଇ ଏହି ପ୍ରତିନିଧି ଦଳ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଏସଆରସିଙ୍କ ସହିତ ଆଲୋଚନା ପରେ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବେ । ରାଜ୍ୟ ସରକାର ବାତ୍ୟା ଲାଗି ଘୋଷଣା କରିଥିବା ପ୍ୟାକେଜକୁ ତଦାରଖ କରିବା ସହିତ ରିଲିଫ ବଣ୍ଟନ କିପରି ହେଉଛି ତାହାର ତର୍ଜମା କରିବ ଏହି କେନ୍ଦ୍ରୀୟ ଟିମ୍ ।

ଏହି କେନ୍ଦ୍ରୀୟ ଟିମ୍ ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ଦିଲ୍ଲୀ ଫେରି ଏହି ଟିମ୍ କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ ।

Comments are closed.