ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୪
ଶଂକର ଶୃଂଖଳା ସଂଗୀତ
ଶଙ୍କର ଶୃଙ୍ଖଳା ସଙ୍ଗୀତ
ସଂଘର୍ଷ ସଂଚିତ ବାଂଛିତ
ସଙ୍ଘର୍ଷ ସଞ୍ଚିତ ବାଞ୍ଛିତ
ସଂଜୀବ ବିଂଝାଲ କୁଂଠିତ
ସଞ୍ଜୀବ ବିଞ୍ଝାଲ କୁଣ୍ଠିତ
କଂଟକ କଂଢେଇ ମଂଡିତ
କଣ୍ଟକ କଣ୍ଢେଇ ମଣ୍ଡିତ
ସଂତାନ ମଂଥର ବଂଦିତ
ସନ୍ତାନ ମନ୍ଥର ବନ୍ଦିତ
ବାଂଧବ କଂପିତ ଗୁଂଫିତ
ବାନ୍ଧବ କମ୍ପିତ ଗୁମ୍ଫିତ
ସଂବଳ ସଂଭବ ସ୍ତଂଭିତ
ସମ୍ବଳ ସମ୍ଭବ ସ୍ତମ୍ଭିତ
ଏପରି ଶବ୍ଦର ସଂଭାର
ସ୍ବରୂପ ଦୁଇ ପ୍ରକାରର
ଏଠି ଓ ସେଠି ଦୃଶ୍ୟମାନ
ଦିଶୁଛି ଦ୍ବିରୂପୀ ବନାନ
ଉଭୟ ଅର୍ଥତଃ ସମାନ
ଜଣାଂତି ଭାଷାଜ୍ଞାନୀ ଗଣ
ଉଭୟ ପ୍ରକାର ଲିଖିତ
ହୋଇ ଭାଷାରେ ପରିଚିତ
ପ୍ରତ୍ୟେକ ଶବ୍ଦର ପ୍ରକାର
ଦେଖି କରିବା ସୁବିଚାର
କେଉଁଟି ସଫା ଓ ସରଳ
କରୁଛି ଲିପିକୁ ସଚଳ
ମୁଦ୍ରଣ ପୂର୍ବ ପରଂପରା
ଅକ୍ଷର ଶିଳାଲେଖ ଭରା
ଦିଶଇ ନାହିଁ ଯୁକ୍ତାକ୍ଷର
ଶିଳାର ନାହିଁ ରୂପାଂତର
ସରଳ ଲିପି ପାରେ ବ୍ୟାପି
ଅଟକି ନ ଯାଏ କଦାପି
ଅକ୍ଷର ସଂଖ୍ୟା ସୀମାବଦ୍ଧ
ହେଲେ ହିଁ ଭାଷା ସୁସମୃଦ୍ଧ
ଶିକ୍ଷଣ ଲିଖନ ସହଜ
ହେଲେ ସ୍ବଭାଷା ଲିପି ଧ୍ବଜ
ଉଡ଼ିବ ନିଶ୍ଚେ ମୁକ୍ତାକାଶେ
ଅପୂର୍ବ ଅସୀମ ସାହସେ
ଆମେ ହିଁ ହେବା ଧ୍ବଜାଧାରୀ
ସ୍ବଭାଷା ହେବ ହିତକାରୀ
କିପରି ହୋଇଲେ ଲିଖିତ
ଉଚିତ ହେବ, ଭାବଂତୁ ତ !
Comments are closed.