ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବରଖାସ୍ତ । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛ । ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ୱାରା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ତାଙ୍କ ବିରୋଧରେ ୨୭ଟି ଭିଜିଲାନ୍ସ କେସ୍ ଦାୟର କରିଥିଲେ । ସେଥିରୁ ଦୁଇଟି କେସ୍ରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ବିନୋଦ କୁମାର । ୨୦୧୮ ମସିହାରୁ ତାଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଛି । ୨୦୨୪ ଯାଏ ତାଙ୍କର ଚାକିରି କାର୍ଯ୍ୟକାଳ ରହିଥିଲା । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ଚାକିରିରୁ ବିଦା ହୋଇଛନ୍ତି ।
ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଆସିଛନ୍ତି । ଦୁର୍ନୀତିଗ୍ରସ୍ତ ଯେତେ ଉଚ୍ଚ ପଦପଦବୀରେ ଥିଲେ ବି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା ।
Comments are closed.