ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୪
ଅସମ୍ଭବ ପ୍ରକାରର ଗମ୍ଭୀରତା । କିଛି ଘଟିବା ପୁର୍ବର ନିସ୍ତବ୍ଧତା । ଠିକ୍ ଗୋଟେ ଭୟଙ୍କର ଅଜଗର ପରି ଓହଳି ପଡିଛି । ଏଇ ମାତ୍ର
ଯେମିତି ଧରାପୃଷ୍ଠକୁ ଗ୍ରାସ କରିବାକୁ ଜିଭ ଲହଲହ କରୁଛି । ଯେବେବି ସେ ଉଦାସ ଥାଏ, ଆକାଶକୁ ଚାହିଁ ରହେ ଘଣ୍ଟା ଘଣ୍ଟା । ପିଲା
ଦିନେ ଏମିତି ବାପାଙ୍କ କୋଳରେ ମୁଣ୍ଡ ରଖି ଚାହୁଁଥିଲା ।
ଆକାଶ ତା’କୁ କାହାଣୀ କହେ । ପ୍ରତିଦିନ ନୂଆନୂଆ । ସେଇୟାକୁ ଚାହିଁ ସେ ନିଜ ମନରେ ବି କାହାଣୀ ଗଢେ । ଆକାଶର ବିଭିନ୍ନ ରୂପ ।
କେବେ ବାଘ, ହାତୀ ତ’ କେବେ ପର୍ବତ ଝରଣା । ଥରେ ଥରେ ତାକୁ ବୋଉ ବି ଦିଶେ । ଚୁଲି ଉପରେ ହାଣ୍ଡି ରଖି ଭାତ ଗାଳୁଥାଏ ବୋଉ ।
ଅବିକଳ ବୋଉ ପରା । ସେ ବାପାଙ୍କୁ ବି ବୁଝେଇଦିଏ । ଦେଖ, ଇଏ ହେଲା ବୋଉ, ସେଇଠି ତୁମେ ଓ ମୁଁ ଦିହେଁ ଖାଇବା ପାଇଁ ଆସନ ପକେଇ ବସିନାହାନ୍ତି!
ଦିନେ ଦିନେ ଆକାଶ ଭାରି ରହସ୍ୟମୟ ହୋଇଉଠେ । ହଜାରେ ଚେଷ୍ଟା ପରେ ବି ସେ କିଛି ବୁଝିପାରେନା । ବାପାଙ୍କୁ ପଚାରେ, ତ, ସେ କୁହନ୍ତି, ହେଇପା ଦିଶୁଛି ଦେଖ୍ ଦେଖ୍ ଏଇ ବିଦ୍ୟାଦାତା ଗଣେଶ । ହେଇ ତାଙ୍କ ଶୁଣ୍ଢ । ଦେଖୁନୁ ଲମ୍ବି ଯାଇ ଝାପସ୍ ହେଇ ଯାଇନି? ଦେଖ୍ ତାଙ୍କ ପାଖରେ କେତେ ଛୁଆ ଯୋଡ଼ହସ୍ତ ମୁଦ୍ରାରେ ପ୍ରାର୍ଥନା କରୁଛନ୍ତି ।
ବାପାଙ୍କ ବର୍ଣ୍ଣନାରେ ତାକୁ ଏଥର ସ୍ପଷ୍ଟ ଦେଖାଯାଏ । ବାପାଙ୍କ କହିବା ମୁତାବକ ସେ ଆଖିବନ୍ଦ କରି ହାତ ଯୋଡେ । ଯେତେ ପ୍ରାର୍ଥନା
ଶିଖିଥାଏ, ସବୁ ଗୋଟିଗୋଟି ଗାଇଯାଏ । ସେ ତ; ଏବେ ପିଲାନୁହଁ । ଆଜି ବାପାଙ୍କ ଆଖି ନୁହେଁ ନିଜ ଆଖିରେ ଆକାଶ ଦେଖେ ।
ଆକାଶ କିନ୍ତୁ ଆଜି ନୀଳ ନୁହେଁ, ଗାଢ଼ କଳା । ରୂପହୀନ, ରଙ୍ଗହୀନ ।
ହେଉ !
ଦୋଳିର ପଛ ଆଡ଼କୁ ଆଉଜି ପଡ଼ି, ଆଖି ବନ୍ଦକଲା । ସବୁ ଆଲୁଅର ଆର ପାଖଟାତ’ ଗାଢ଼ ଅନ୍ଧାର । ନୁହଁକି?
ଧଳାର ଆରପାଖ ବି ଗାଢ କଳା । ଦୁହେଁ ପରିପୁରକ । ଆଜି ଯଦି ଆକାଶ ନୀଳ ନହୋଇ କଳା ହେଲା, ତ.. କ୍ଷତି କଣ!
ଆଖି ଖୋଲି ନର୍ମାଲ୍ ହେବାକୁ ଚେଷ୍ଟା କଲା । ଛାଡ଼..ମେଘ ତ; ଘୋଟିଛି ମାନେ ନିର୍ଘାତ ବର୍ଷିବ ।
ସବୁ ଅଭିମାନ ଭାଙ୍ଗି ଧିରେଧିରେ ତରଳିବା ଆରମ୍ଭ କଲା ବଉଦ ଖଣ୍ଡ । ଘନୀଭୂତ ହେଇ ଜମାଟ ବାନ୍ଧି ଥିବା ସବୁ କିଛି ଦିନେ ନା ଦିନେ
ତରଳେ । ଛାତି ଭିତରେ ଅଭିମାନ ଜମାଟ ବାନ୍ଧି ଅନେକ ଦିନ ରହେଲେ, ଦିନେ, ଛାତି ଫାଟିଯାଏ । ପିଲାବେଳେ ତାକୁ କିଏ ଜଣେ କହିଥିଲା ଯେ, ତା’ର ମନେପଡୁନି । ଫାଟିବା ଆଗରୁ ତରଳି ଯାଇ ବୋହିଯିବାଟା ନିହାତି ଭଲ ।
ଗ୍ରିଲ୍ ସାଇଡ଼ରୁ ଟିକେଟିକେ ବର୍ଷା ଛାଟିଲାଣି । ପିଲାଦିନେ ଏଇ ବର୍ଷାକୁ ଦେଖି ତାକୁ ଡେଇଁବାକୁ ଇଛା ହେଉଥିଲା । ଖୁବ୍ ଓଦା ହେଉଥିଲା । ନିଜ ଅନଭିଜ୍ଞ ହାତରେ ଖାତାରୁ କାଗଜ ଚିରି ଡ଼ଙ୍ଗାକରି ଭସାଉ ଥିଲା ।
ଆଜି କିନ୍ତୁ ସେମିତି କିଛି ବି ତା’ ଭିତରେ ହୁଏନା । ମେଘ ଘୋଟିଲେ ଏବେଏବେ ସେ ଦାର୍ଶନିକ ପାଲଟିଯାଏ ।
(କ୍ରମଶଃ)
Comments are closed.