Latest Odisha News

ଭିନ୍ନ ଏକ ସମ୍ପର୍କ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  

ଘାସକୁ ମୋଟ ଆଉ ଗଛକୁ ଛୋଟ ଭଳି ଗୋଟିଏ ବଡ଼ ଗାଁ ଆଉ ଛୋଟ ସହର ହେଉଛି ରାମପୁର। ଏହାକୁ ଦେଖିଲେ ଲାଗେ, ସତେ ଯେମିତି ଏ ଗାଁଟା କେଉଁ ଏକ ଅନ୍ଧାର ଯୁଗରେ ବର୍ଷ ବର୍ଷ ଧରି ଶୋଇଛି। କାରଣ ଗତ ପଚାଶ ବର୍ଷ ଭିତରେ ଗାଁର ଭାଗ୍ୟ ଭବିଷ୍ୟତ କିଛି ବି ପରିବର୍ତ୍ତନ ହୋଇନି। ରାସ୍ତାଘାଟ, ଦୋକାନ ବଜାର, ଲୋକଙ୍କ ଜୀବନଶୈଳୀ, ହାବଭାବ, ଯାନିଯାତ୍ରା ଏବଂ ସାମାଜିକ ସମ୍ପର୍କ ଯେମିତି ଥିଲା ସେମିତି ଅଛି। ବେଳେବେଳେ ଲାଗେ ଯେମିତି ଏ ଗାଁ ଦେଇ ଦୁର୍ବାସା ମହର୍ଷି ଗଲାବେଳେ ତାକୁ କହିଦେଇଯାଇଛନ୍ତି, ମୁଁ ଆସିଲା ଯାଏଁ ତୁ ଏମିତି ହିଁ ଥାଅ। ଆଉ ସେ ଯାଇଛନ୍ତି ଯେ, ଏ ବାଟ ଦେଇ ଏ ଯାଏଁ ଆଉ ଫେରିନାହାନ୍ତି। ଏ ଗାଁର ଗଣିତ ପଚାଶ ବର୍ଷ ତଳେ ଯେମିତି ଥିଲା, ଏବେ ବି ସେମିତି ହିଁ ଅଛି। ଏହାରି ଭିତରେ କେତେ ଲୋକ ଗଲେଣି, କେତେ ଆସିଲେଣି। ଗାଁର ସ୍ଥାୟୀ ଲୋକଙ୍କୁ ଛାଡ଼ିଦେଲେ, ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ସମୟରେ ଏ ଗାଁକୁ ଆସିଛନ୍ତି। କିଛି ଦିନ ରହି ପୁଣି ଗାଁ ଛାଡ଼ି ପଳାଇ ଯାଇଛନ୍ତି। କିନ୍ତୁ ସେ ଗାଁ ଲୋକ ହୁଅନ୍ତୁ ବା ପ୍ରବାସୀ, ସମସ୍ତଙ୍କ ନଜରକୁ ସବୁବେଳେ ଆସିଛନ୍ତି ଦୁଇ ଜଣ ଚରିତ୍ର। ଜଣେ ଉମାନାଥ ମହାପାତ୍ର ଆଉ ଜଣେ ସୀତାନାଥ ବଳୀୟାରସିଂହ।

ମୂଳ କଥାଟି ହେଲା, ସୀତାନାଥ ପେସାରେ ଶିକ୍ଷକ। ତେଣୁ ଏ ଗାଁର ଅଧିକାଂଶ ପିଲାଙ୍କ ସେ ଶିକ୍ଷକ। ପିଲା ଆଉ ପିଲାଙ୍କ ବାପାମାଆ ସମସ୍ତେ ଜାଣିଛନ୍ତି ସୀତାନାଥଙ୍କୁ। ସେହିଭଳି ଗାଁରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କର କର୍ମଚାରୀ ହେଉଛନ୍ତି ଉମାନାଥ। ତେଣୁ ଛୋଟମୋଟ ଦୋକାନୀଙ୍କଠୁ ଆରମ୍ଭ କରି ଗାଁର ଗଉଁତିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟାଙ୍କ ସେବାର ଆବଶ୍ୟକତାକୁ ପୂରଣ କରିଛନ୍ତି ଉମାନାଥ। ଉଭୟେ ସମସ୍ତଙ୍କ ପ୍ରିୟ। ଖାଲି ଯେ ଶିକ୍ଷକତା ବା ବ୍ୟାଙ୍କସେବାରେ ଏ ଦୁଇ ଜଣଙ୍କ ଜୀବନ କଟିଛି ତା ନୁହେଁ। ଗାଁ ଲୋକଙ୍କ ସୁବିଧା ଅସୁବିଧାରେ ବି ସେମାନଙ୍କ ପାଖରେ ଠିଆ ହୋଇଛନ୍ତି ଉଭୟେ। ସବୁଠୁ ବଡ଼କଥା ହେଲା ଏ ଦୁହେଁ ପିଲାଦିନରୁ ସାଙ୍ଗ। ପାଠ ପଢ଼ିଲା ଦିନଠୁ ଆଜି ଯାଏଁ ସେମାନଙ୍କ ସମ୍ପର୍କ ଯେମିତି ଥିଲା ସେମିତି ଅଛି।

ଗାଁ ମଝିରେ ଛୋଟିଆ ବଜାରଟିଏ। ଯାହାକୁ ପରିଚାଳନା କରନ୍ତି ଗାଁ କମିଟି। ପଚାଶ ବର୍ଷରୁ ଅଧିକ ପୁରୁଣା ଏହି ଗାଁ ବଜାରର ଶେଷମୁଣ୍ଡରେ ଗୋଟିଏ ବହି ଦୋକାନ। ସେହି ଦୋକାନକୁ ଠିକ୍ ପଚାଶ ବର୍ଷ ତଳେ କଲେଜରେ ପାଠ ପଢ଼ିଲା ବେଳେ ଆରମ୍ଭ କରିଥିଲେ ସୀତାନାଥ ଓ ଉମାନାଥ। ଦୋକାନର ମାଲିକ ଉଭୟେ। ଦୋକାନ ଚଳାଉଛନ୍ତି ଦୁହେଁ ମିଶି। ତେବେ ଦୋକାନ ବେଶୀ ଜଣାଶୁଣା ସୀତାନାଥ ବହିଦୋକାନ ଭାବରେ। ତାର ବି ଗୋଟିଏ କାରଣ ଅଛି। ଯେହେତୁ ସୀତାନାଥ ନିଜେ ଶିକ୍ଷକ ଏବଂ ବହି ଦୋକାନକୁ ମୁଖ୍ୟତଃ ସ୍କୁଲ ପିଲାମାନେ ବା ସେମାନଙ୍କ ଅଭିଭାବକମାନେ ଆସନ୍ତି, ତେଣୁ ସେହି ଦୋକାନକୁ ସେମାନେ ସୀତାନାଥ ସାରଙ୍କ ବହିଦୋକାନ ଭାବେ ଜାଣିବା ସ୍ୱାଭାବିକ। ହେଲେ ଏହାକୁ ନେଇ ଉମାନାଥଙ୍କ ମନରେ କୌଣସି ଦ୍ୱିଧାନାହିଁ। ଏହି ଦୋକାନର ପରିଚାଳନା ବ୍ୟବସ୍ଥା ବି ଅତି ରୋଚକ। କାରଣ ସକାଳୁ ସନ୍ଧ୍ୟା ଯାଏଁ ତ ସୀତାନାଥ ସାର ସ୍କୁଲ ଯିବେ, ଆଉ ଉମାନାଥ ବ୍ୟାଙ୍କରେ। ଏଭଳି ସ୍ଥଳେ ବହିଦୋକାନ ଦିନ ବେଳେ ଖୋଲିବା ବା କିଛି ବିକ୍ରିବଟା କରିବା ସମ୍ଭବ ହୁଏ ନାହିଁ। କିନ୍ତୁ ସନ୍ଧ୍ୟାରେ ସ୍କୁଲରୁ ଫେରିଲା ପରେ ସୀତାନାଥ ଏବଂ ଉମାନାଥ ଦୋକାନ ଖୋଲନ୍ତି। ସନ୍ଧ୍ୟାରେ ଦୁଇ ଘଣ୍ଟା ଦୋକାନ ଖୋଲିବା ଭିତରେ ଯାହା ଯେତିକି ବିକ୍ରିବଟା ହେଲା, ସେତିକିରେ ଉଭୟେ ସନ୍ତୁଷ୍ଟ। କାରଣ ନା ତାଙ୍କୁ କାହା ସହିତ ପ୍ରତିଯୋଗିତା କରିବାର ଅଛି, ନା ଏହି ବ୍ୟବସାୟରୁ ସେଭଳି କୌଣସି ବଡ଼ ଧରଣର ମୁନାଫା ହାସଲ କରି କିଛି ଗୋଟାଏ ବଡ଼କଥା କରିବାର ଅଛି। କେବଳ ଅବସର ସମୟକୁ ବିନିଯୋଗ କରିବା ଏବଂ ଗାଁର ପିଲାମାନଙ୍କ ପାଠପଢ଼ାରେ ଅଧିକ ସହାୟକ ହେବା ଉଦ୍ଦେଶ୍ୟରେ ଚାଲିଛି ଏହି ବହି ଦୋକାନ।

ସେଥିପାଇଁ ତ ଏହି ବହିଦୋକାନକୁ ଯେତେବେଳେ କୌଣସି ବାପାମାଆ ନିଜ ପିଲାଙ୍କ ପାଇଁ ବହିପତ୍ର ନେବାକୁ ଆସନ୍ତି, ସେତେବେଳେ ନିଜ ପିଲାର ପାଠପଢ଼ାକୁ ନେଇ ଯାହା ଯେତିକି ଅଭିଯୋଗ ଥାଏ ତାକୁ ସୀତାନାଥ ସାରଙ୍କ ସାମ୍ନାରେ ବଖାଣି ବସନ୍ତି। ଫଳରେ ସେଇଠି ହିଁ ନ୍ୟାୟ ନିଶାପ ହୋଇଯାଏ। କେବଳ ସେତିକି ନୁହେଁ, ସୀତାନାଥଙ୍କ ବହି ଦୋକାନ ବି ବର୍ଷ ବର୍ଷ ଧରି ପାଲଟିଯାଇଛି ବୁଦ୍ଧିଜୀବୀଙ୍କ ଏକ ମାନସମନ୍ଥନ ମଞ୍ଚ। ଗାଁ ସ୍କୁଲ ଏବଂ ଆଖପାଖ ଗାଁ ସ୍କୁଲର କିଛି ଶିକ୍ଷକ ନିୟମିତ ସନ୍ଧ୍ୟାରେ ଏଠାକୁ ଆସନ୍ତି। ସେଇଠି ବସି ଖବରକାଗଜ ପଢ଼ନ୍ତି। ଦେଶର ବିଭିନ୍ନ ପ୍ରସଙ୍ଗରେ ସେଇଠି ଆଲୋଚନା ହୁଏ। ସ୍କୁଲ ଛୁଟିଦିନ ଏବଂ ପ୍ରତି ରବିବାର ଦିନ ସୀତାନାଥ ସାରଙ୍କ ବହି ଦୋକାନ ଖୋଲିବା ସୁନିଶ୍ଚିତ। କେବଳ ସ୍କୁଲ ପାଠ୍ୟକ୍ରମରେ ଥିବା ବହିପତ୍ର କିମ୍ବା ଅନ୍ୟାନ୍ୟ ଆବଶ୍ୟକତା ଯୋଗାଡ଼ କରିବା ଏ ଦୋକାନର କାମ ନଥିଲା, ବରଂ ଗାଁ ଲୋକଙ୍କ ବହିପତ୍ର ଆବଶ୍ୟକତାକୁ ପୂରଣ କରିବାକୁ ପଡୁଛି ତାଙ୍କୁ। କାହା ଝିଅ ବାହାଘରରେ ତା ସିନ୍ଦୁକରେ ରାମାୟଣ କି ମହାଭାରତ ବା ଗୀତା ଭାଗବତ ଦିଆଯିବ, ସେଇଟା କୋଉଠୁ ଆସିବ? କେଉଁ ଚଉଁରାମୂଳେ କାର୍ତ୍ତିକ ମାସରେ ପୁରାଣ ପଢ଼ାଯିବ, ସେହି ପୁରାଣ ବହି ଆସିବ କୁଆଡୁ? ତେବେ ଏ ସବୁର ଉତ୍ତର ସୀତାନାଥ ସାରଙ୍କ ବହିଦୋକାନ।

ଏତେ ବର୍ଷ ଧରି ମିଳିତ ଭାବେ ଦୋକାନଟି ଚାଲିଥିଲେ ବି, କେବେ ସୀତାନାଥ ଏବଂ ଉମାନାଥଙ୍କ ମଧ୍ୟରେ କୌଣସି ବିବାଦ ଉଠିନି। ଛାତ୍ରାବସ୍ଥାରୁ ଆରମ୍ଭ କରିଥିବା ବହି ଦୋକାନ ଅତି ସୁରୁଖୁରୁରେ ଚାଲିଛି। ଏହାରି ଭିତରେ ଉଭୟେ କେତେବେଳେ ଯେ ପରିଣତ ବୟସରେ ପାଦଦେଲେ ତାହା ଜଣାପଡ଼ିଲାନି। ଉଭୟ ସୀତାନାଥ ଏବଂ ଉମାନାଥ ଚାକିରିରୁ ଅବସର ନେଇ ସାରିଲେଣି। ଏବେ ଅବସର ପରବର୍ତ୍ତୀ ସମୟକୁ ଅଧିକ ବିନିଯୋଗ କରିବା ଦିଗରେ ବେଶ୍ ସହାୟକ ହୋଇଛି ଏହି ବହିଦୋକାନ।

ପୁରୁଣା ଦୋକାନ ଘର ଏବେ ଭାଙ୍ଗିରୁଜି ଗଲାଣି। ଅନେକ ଥର ତାକୁ ମରାମତି କରିବାକୁ ଚେଷ୍ଟା କରିଛନ୍ତି ସୀତାନାଥ ସାର୍ । ହେଲେ ସମୟ ଏବଂ ଅର୍ଥ ଉଭୟ ବାଧକ ସାଜିଛି। ଏଭଳି ସ୍ଥଳେ ସେଦିନ ଯେତେବେଳେ ଗାଁ କମିଟି କହିଲା ଦୋକାନ ଖାଲି କରିବା ପାଇଁ, ଉଭୟେ ଚିନ୍ତାରେ ପଡ଼ିଗଲେ। ଦୋକାନ ଖାଲି କଲେ ଏତେ ବହିପତ୍ର ନେବେ କୁଆଡେ? କେଉଁଠି ରଖିବେ ଏ ସବୁ? ଏମିତି ଅନେକ କଥା ଭାବିଲା ବେଳେ, ଉଭୟଙ୍କ ପିଲାମାନେ କହିଲେ, ଏତେ ଚିନ୍ତା କରୁଛନ୍ତି କାହିଁକି? ଗାଁ ଲୋକେ ଯେତେବେଳେ ଦୋକାନ ଘରଟିକୁ ଭାଙ୍ଗି ନୂଆ ଘର ତିଆରି କରିଦେବେ, ସେତେବେଳେ ପୁଣି ଏଠାକୁ ଆସିଯିବାନି? ତେବେ ଉଭୟ ସୀତାନାଥ ଏବଂ ଉମାନାଥଙ୍କ ମନ ମାନିବାକୁ ନାରାଜ। କେଜାଣି କାହିଁକି ଏହି ଦୋକାନ ଏବଂ ଏହି ସ୍ଥାନ ସହିତ ଏକ ଭାବଗତ ସମ୍ପର୍କ ରହିଯାଇଛି ସେମାନଙ୍କର। ତାକୁ ତୁଟାଇବା ଏତେ ସହଜ ନୁହେଁ। ତଥାପି ଅଗତ୍ୟା ଏବେ ସେମାନେ ସେହି ବହିପତ୍ର ସବୁକୁ ନେଇ ଆଉ ଏକ ନୂଆ ଅସ୍ଥାୟୀ ଘରେ ରଖିଛନ୍ତି। ସେଇଠି ଦୋକାନ ଭଳି ବହିପତ୍ରକୁ ସଜାଇ ରଖିବା ସମ୍ଭବ ହୋଇପାରୁନି। ଏମିତି ହିଁ ଗଦା ଗଦା କରି ବହିପତ୍ର ସବୁକୁ ରଖିଥିବାରୁ ସେଇଠି ବସିବା ପାଇଁ ବି ମନ ମାନୁନି ଉଭୟଙ୍କର। ତେଣୁ ଅଧିକାଂଶ ସମୟରେ ଦୋକାନ ଖୋଲୁନି। ଆଉ ଯେତେବେଳେ ବି ଖୋଲୁଛି, ସେଇଠି ଅନ୍ୟ ଶିକ୍ଷକ ବା ବୁଦ୍ଧିଜୀବୀମାନଙ୍କ ଆସର ଜମୁନି। ଏବେ ଉଭୟ ନିଜ ନିଜର ସମୟ ବାହାର କରି ବହିଦୋକାନ ଚଳାଇବା ଅପେକ୍ଷା ସେହି ପୁରୁଣା ଦୋକାନଘରର ପୁନର୍ନିର୍ମାଣ କାମକୁ ଯାଇ ତଦାରଖ କରୁଛନ୍ତି।

ଦୁଇ ବନ୍ଧୁଙ୍କ ମଧ୍ୟରେ ଭାବଗତ ଏବଂ ବିଚାରଗତ ସମରସତା ଏମିତି ରହିଛି ଯେ, ବ୍ୟବସାୟକୁ ନେଇ ଲେଶମାତ୍ର ଅବିଶ୍ୱାସ କେବେ ବି କାହାରି ମନରେ ଉଠିନି। ଆଉ ଏହି ଦୁଇ ବନ୍ଧୁଙ୍କୁ ବର୍ଷ ପରେ ବର୍ଷ ଯୋଡ଼ି ରଖିବାରେ ସହାୟକ ହୋଇଛି ଏ ବହିଦୋକାନ। ପାଲଟି ଯାଇଛି ଦୁଇ ବନ୍ଧୁଙ୍କ ମଧ୍ୟରେ ଭିନ୍ନ ଏକ ସମ୍ପର୍କର ସୂତ୍ର। ସ୍ଥାନୀୟ ଲୋକମାନେ କଥା ପ୍ରସଙ୍ଗରେ ଉଭୟଙ୍କ ସମ୍ପର୍କର ଉଦାହରଣ ଦିଅନ୍ତି । ଗର୍ବରେ କହନ୍ତି, ଯଦି ସମସ୍ତେ ସବୁଠି ଏଭଳି ସମ୍ପର୍କ ସ୍ଥାପନ କରିବା ସହିତ ତାକୁ ସଫଳତାର ସହ ବଞ୍ଚାଇ ରଖିପାରିବେ, ତାହେଲେ ଖାଲି ଗାଁ କି ସହର ନୁହେଁ, ପୂରା ବିଶ୍ୱର କୋଣ ଅନୁକୋଣରେ ଥିବା ଅବିଶ୍ୱାସ ଓ ଛଳନାଜନିତ ଜାତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

Comments are closed.