Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ :  ୬

ଦୁଇ ବାନ୍ଧବୀ ବସି ଅନେକ ଗପିଲେ । ଏତେ ବର୍ଷର ବ୍ୟବଧାନ ପରେ ଦେଖା ଯେତେବେଳେ, ଗପ ସରିବାର ନାଁ ହିଁ ଉଠୁନି । ଇଏ ବି ଅଭିମାନ କଲା । ଏମିତି ଘରକୁ ନ’ ଆସି, ବାହାରୁ ବାହାରୁ ଦେଖା କରିବା କ’ଣ ଠିକ?

କଫିର ଶେଷ ସିପ୍ ବେଳକୁ ଲିପି, କଥାର ମୋଡ଼ ବଦଳାଇଲା । ନନ୍ଦିତାର ଆତ୍ମହତ୍ୟା ପ୍ରସଙ୍ଗ ଉଠେଇବା ଆରମ୍ଭ କଲା ।

ଜାଣିଥିବୁ ତ ଅରୁ, ନନ୍ଦିତା ଜଣକୁ ଭଲ ପାଉଥିଲା । ତା’କୁ ନିଜ ଜୀବନଠୁ ଅଧିକ ଚାହୁଁ ଥିଲା । ମୁଁ ତା’ ବିଷୟରେ ସବୁ ଜାଣି
ଥିଲି । ଯେହେତୁ ଆମେ ରୁମ୍ ମେଟ । ଜାଣିବିନି କେମିତି! ତୁମେମାନେ ଜୁନିୟରଙ୍କ ସହ ସବୁ ଉପର ଫ୍ଲୋର୍‌ରେ ରହୁନଥିଲ? ମନେ ଅଛିନା?

ମୋ ସହ ଆମ ଗାଁକୁ ଯାଉଛି କହି ତ’ ହଷ୍ଟେଲରୁ ବାହାରୁ ଆମେ ।

ସେମାନେ ଘଣ୍ଟା ଘଣ୍ଟା ପାର୍କରେ ବସି ଗପନ୍ତି । ମାନେ ତା’ ପ୍ରେମିକ ଓ ସିଏ । ଫାଷ୍ଟ ଫୁଡ଼ ଖାଉ ମିଶିକି । ମୁଁ କିଣାକିଣି ବାହାନାରେ
ବିଜି ହୁଏ ତ, ସେମାନେ ସିନେମା ଯାଆନ୍ତି । କିଛି ଦିନ ଭିତରେ ବହୁତ କ୍ଲୋଜ୍ ହେଇଯାଇଥିଲେ । ନନ୍ଦିତା ତ’ ତାଙ୍କ ଦୁହିଁଙ୍କ ଭିତରର ଅନେକ ଅନ୍ତରଙ୍ଗ ମୁର୍ହୁତ୍ତ ବି ମୋ’ ସହ ସେୟାର କରିଛି । କିନ୍ତୁ ସେସବୁ ବେଶୀ ଦିନ ଗଲା ନାହିଁ ।

ଅଳ୍ପ ଦିନ ପରେ ସବୁ କିଛି ଭାଙ୍ଗି ଗଲା । ସେ ପିଲାଟା ନିଜ କ୍ୟାରିୟର ପାଇଁ ତା’ ଠାରୁ ଦୂରେଇ ଯିବାକୁ ଚାହିଁଲା । ଇଏ ବି ମନା କରିନି, କହିଛି “ଯାଅ, ସେଟଲ୍‌ ହୁଅ । ମୁଁ ଅପେକ୍ଷା କରିବିା”

“କର, କିନ୍ତୁ ଅପେକ୍ଷାର ଅନ୍ତ କେବେ ଖୋଜିବନି । କାରଣ ମୋର ଠିକ୍ ଠିକଣା ନାହିଁ ।”

ଏହା ଥିଲା ତା ପ୍ରେମିକର ଉତ୍ତର ।

ସେଇୟାକୁ ନେଇ ଝଗଡା ଲାଗନ୍ତି । ଆଗ ପରି କିଛି ନଥାଏ ଆଉ । ଭେଟ ତ ହୁଅନ୍ତି କିନ୍ତୁ, ଫେରିଲା ବେଳକୁ ୟା ମୁହଁ ହାଣ୍ଡି ।

ଫାଇନାଲି ସେ ଯିବା କଥା ସ୍ଥିର ହେବରୁ ସହିପାରି ନଥିଲା ନନ୍ଦିତା ।

ଦିନେ ଛାତ ଉପରକୁ ଯାଇ ଫୋନ୍‌ରେ ଦୁହେଁ ଭୀଷଣ ଝଗଡା ଲାଗିଲେ । କଥା କଟାକଟି ହେଲେ ବୋଧୋ, ଇଏ କାନ୍ଦି କାନ୍ଦି ତଳକୁ ଧାଇଁ ଆସି ରାଗରେ କଚିରେ ଛୁରୀ ଲଗେଇଦେଲା । ଓଃ.. କି ପିଚ ପିଚ୍ ରକ୍ତ!

ଭାଗ୍ୟ ଭଲ ହଷ୍ଟେଲର ଅନେକ ପିଲା ଛୁଟି ଆଗରୁ ଘରକୁ ପଳେଇଥିଲେ । ନହେଲେ ଅଜଥା ଗହଳି ହେଇଥାଆନ୍ତା ।
ହଷ୍ଟେଲର ୱର୍ଡନ୍ ଓ ମୁଁ ମିଶି ତାକୁ ମେଡ଼ିକାଲ ନେଲୁ । ସୁସ୍ଥ ହେଇ ଫେରିବା ପରେ ରାଣ ନିୟମ ପକେଇ ମନା କଲା । ପ୍ରକୃତ କଥା
ଯେମିତି କେହି ଜଣେ ହେଲେ ନ ଜାଣନ୍ତି । ମୁଁ ବି ସେୟା କଲି । ଏହା ପଛର କାରଣ ବିଷୟରେ କାହାକୁ କାନୋ କାନ୍ ପତ୍ତା ଲାଗିଲାନି । ଯାହା ହବାର କଥା ହେଇଗଲା ଭାବି, ପ୍ରତିବଦଳରେ ସେମିତି ଗୋଟେ ହିପୋକ୍ରାଟଠାରୁ ଦୂରେଇ ରହିବାକୁ ତା’ ଠାରୁ ପ୍ରତିଶ୍ରୃତିଟେ ଆଦାୟ କରି ନେଇଥିଲି ।

(କ୍ରମଶଃ)

Comments are closed, but trackbacks and pingbacks are open.