ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ
ଏବେ ବି ମୁଁ ପାରିନାହିଁ ଭୁଲି
ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା
ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ
ଆଉ ସିଏ ଜୋର କରି ହାତ ତା’ର ଟାଣିନେବା ବେଳେ
ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ ।
କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି
ଆଉ ସେଇ ଅନର୍ଥକ ବଞ୍ଚିବାର ବୋଝ
ଦେଲା ବ୍ୟଥା ଦାରୁଣ ଆମକୁ , ଶିର କଲା ନତ
ନିଆଁ ପରି ଜଳିଲା ଜାଳିଲା
ଦିନର ବଢ଼ିବା ସାଥେ ଚର୍ଚ୍ଚର ଗମ୍ବୁଜମାନ
ଭୁତ ପ୍ରେତ ପରି ଦୀର୍ଘରୁ ଦୀର୍ଘତର ହେଲା।
ଝରକା ତଳୁ ଶୁଭୁଥିବା ପାଦଚଲା ଶବ୍ଦ
ମନେ ହେଉଥିଲା ଖୁବ୍ ଚଞ୍ଚଳ ଓ ତ୍ୱରାନ୍ୱିତ
ମୂଷଳ ବରଷାର ବଡ଼ ବଡ଼ ଟୋପାମାନ
ଜମିଥିବା ଧୂସର ଓ ଆବିଳ ପାଣିରେ ପଡ଼ି
ବୃତ୍ତର ପରିଧିକୁ କରି ଚାଲିଥିଲେ ସଂଚାରିତ।
ଏବଂ ଆମର ସେଇ ବେକାର ଓ ବୃଥା ଯୁକ୍ତି ତର୍କ
ଟଣା ଓଟରା ହୋଇ ବଢ଼ି ଚାଲିଥିଲା ସାରାଟା ସକାଳ
ମାତ୍ର ଏତେ ଝଡ଼ର ଲୁହ ଝରଣା ପରି ବହିଯିବା ପରେ ମଧ୍ୟ
କିଛି ସିଦ୍ଧାନ୍ତରେ ପହଞ୍ଚି ନପାରି ଆମେ ହେଲୁ ଅସଫଳ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.