Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ । ବେଦାନ୍ତରେ ବର୍ଣ୍ଣିତ ହୋଇଛି “ଶାସ୍ତ୍ର ଯୋନିତ୍ୱାତ “ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ । ବସ୍ତୁତଃ ବିଭିନ୍ନ ଭାବରେ ବ୍ରହ୍ମ ପ୍ରତିଭାସିତ ହେଲେ ମଧ୍ୟ ସେ ଅଦ୍ବୟ ଓ ଅଖଣ୍ଡ ଅଟନ୍ତି । ସେ ହିଁ ଜଗତର ନିମିତ୍ତ କାରଣ ଓ ସେ ହିଁ ଉପାଦାନ କାରଣ ଅଟନ୍ତି ।

ଏହି ଜଗତର ପ୍ରତିଟି ଅଣୁରେ ବ୍ରହ୍ମ ନିବାସ କରିଥିବାରୁ ତାଙ୍କୁ ଶାସ୍ତ୍ରରେ “ଅନୋରଣୀୟାନ ମହୋତ ମହୀୟାନ “କୁହାଯାଏ, ଏହାକୁ ସର୍ବୋତ୍ତ ଭାବେ ଜାଣିଲେ ହୃଦୟର ଗ୍ରନ୍ଥି ଭେଦ ହୁଏ ଓ ମନର ସମସ୍ତ ସଂଶୟ ଦୂର ହୁଏ । ଶ୍ରୀମତ ଭାଗବତ ବାଣୀ କହେ –
“ଭିଦ୍ୟତେ ହୃଦୟ-ଗ୍ରନ୍ଥିଶ୍ଚ୍ଛି ଦ୍ୟନ୍ତେ ସର୍ବ ସଂଶୟା, କ୍ଷୀୟନ୍ତେ ଚାସ୍ୟ କର୍ମlଣୀ ଦୃଷ୍ଟ ଏବାତ୍ମନିଶ୍ୱରେ (୧ /୨ /୨୧ ଭାଗବତ ) । ଏସବୁ ଆଲୋଚନାର ମୂଳ ଭିତ୍ତି ହେଲା ଶାରଦୀୟ ପୂଜା ଆରମ୍ଭ ହୋଇ ଗଲାଣି । ଆମ୍ଭେମାନେ ଏବେ ଦୈବୀଶକ୍ତିର ଆରାଧନା ପାଇଁ ଶକ୍ତି ସ୍ୱରୂପିଣୀ ମା ଦୁର୍ଗେ, ଦୁର୍ଗତିନାଶିନୀଙ୍କ ଉପାସନାରେ ନିଜକୁ ନିୟୋଜିତ କରିବା, ବେଦ, ବେଦାନ୍ତରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶକ୍ତି ସ୍ୱରୂପା ମଧ୍ୟ ବର୍ଣ୍ଣନା କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଧାର ମଧ୍ୟ ଶକ୍ତି ବୋଲି ବିବେଚିତ ହୁଅନ୍ତି । ସେଥିପାଇଁ ରତ୍ନସିଂହାସନରେ ମା ସୁଭଦ୍ରା, ପୀଠର ଅଧିଶ୍ବରୀ ରୂପେ ମା ବିମଳା ଓ କ୍ଷେତ୍ରର ଅଧିଶ୍ବରୀ ରୂପେ ମା ମହାଲକ୍ଷ୍ମୀ (ଶ୍ରୀ )ବିରାଜମାନ କରି ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ପ୍ରତିପାଦନ କରିଛନ୍ତି । କେବଳ ଏତିକି ନୁହେଁ ଏହି କ୍ଷେତ୍ରରେ ବିରାଜିତ ଅସଂଖ୍ୟ ଶକ୍ତି ସ୍ୱରୂପା ଦେବୀ, ଏହାକୁ ଏକ ତନ୍ତ୍ର ପୀଠ ର ମାନ୍ୟତା ମଧ୍ୟ ଦେଇଛନ୍ତି । ଶାସ୍ତ୍ର ମତରେ ତ୍ରିମୁର୍ତ୍ତୀଙ୍କର ଶକ୍ତି ରୂପ :

“ଉଗ୍ରତାରା ଶୂଳପାଣି ସୁଭଦ୍ରା ଭୁବନେଶ୍ୱରୀ, ନୀଳାଦ୍ରୋତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳିକା । “

ଆଗକୁ ତନ୍ତ୍ର ଓ ଶକ୍ତି ଉପାସନାର ଗୂଢ଼ ତତ୍ତ୍ୱ ଆଲୋଚନା କରିବା, କିନ୍ତୁ ପ୍ରଥମେ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଠିକ ଭାବରେ ବୁଝିବା, ଅନେକ ତତ୍ତ୍ୱ ଓ ଅନେକ ମତ ଭିତରେ ଛନ୍ଦି ନହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ ଓ ଏ ଜଗତ ବ୍ରହ୍ମମୟ ଏତିକି ସଠିକ ରୂପେ ହୃଦୟଙ୍ଗମ କଲେ, ଆମର ସମସ୍ତ ସଂଶୟ ଦୂର ହେବ । ଏହି ବିଷୟରେ ଶ୍ରୀନିମ୍ବାକାଚାର୍ଯ୍ୟଙ୍କ ଦ୍ୱାରା ନିଜ ଶିଷ୍ୟମାନଙ୍କୁ ପ୍ରଦତ୍ତ ଉପଦେଶ ଅନୁସାରେ ଲିଖିତ ଶ୍ଳୋକଟି ଅତ୍ୟନ୍ତ ଉପାଦେୟ

“ଜ୍ଞାନ ସ୍ୱରୂପଂ ଚ ହରେରଧୀନଂ, ଶରୀର ସଂଯୋଗ ବିଯୋଗ ଯୋଗ୍ୟମ, ଅଣୁ ହି ଜୀବଂ ପ୍ରତି ଦେହେ ଭିନ୍ନଂ, ଜ୍ଞାତ୍ରୁତ୍ବବନ୍ତଂ ଯମନନ୍ତ ମାହୁଃ । “

ଅର୍ଥାତ ଜୀବ ଜ୍ଞାନ ସ୍ୱରୂପ ଏବଂ ଶ୍ରୀଜଗନ୍ନାଥ ଙ୍କ ଅଧିନ. ଏହା ଶରୀର ମାନଙ୍କ ସହଯୋଗ ଓ ବିଯୋଗ ହୋଇପାରେ । କିନ୍ତୁ ଜୀବ ରୂପୀ ଅଣୁ (ବ୍ରହ୍ମ )ଜ୍ଞାନ ଯୁକ୍ତ ଓ ଅନନ୍ତ । ଏହା ପ୍ରତ୍ୟେକ ଶରୀରରେ ଭିନ୍ନ । ଜୀବ ଅନାଦି ମାୟା ରେ ଆବୃତ ଓ ଈଶ୍ୱର (ପରଂବ୍ରହ୍ମ )ଙ୍କ କୃପାରୁ ବନ୍ଧନ ମୁକ୍ତ ହୁଏ । ଆଜି ଏତିକି କାଲିଠାରୁ ମହାମାୟା ତତ୍ତ୍ୱ ଆଲୋଚନା ଜାରି ରହିବ । ସବୁ କିନ୍ତୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ହେବ । ଜୟ ଜଗନ୍ନାଥ (ଦ.ତ୍ରୀ. ଉବାଚ )

Comments are closed.