Latest Odisha News

BREAKING NEWS

ଭାଷା ଭାଗବତ : ଦ୍ବିରୂପୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୯ 

ସ୍ବର୍ଣ୍ଣିମ ସ୍ପର୍ଦ୍ଧିତ ବର୍ଦ୍ଧିଷ୍ଣୁ
ସ୍ବର୍ଣିମ ସ୍ପର୍ଧିତ ବର୍ଧିଷ୍ଣୁ
ଉଭୟ ରୂପ ଚଳେ ଯେଣୁ
ପରିଷ୍କୃତକୁ ଏବେ ମାନୁ

ମୁହୂର୍ତ୍ତ ସୌହାର୍ଦ୍ଦ୍ୟ ତଦୂର୍ଦ୍ଧ୍ବ
ମୁହୂର୍ତ ସୌହାର୍ଦ ତଦୂର୍ଧ୍ବ
ଉଭୟ ପ୍ରକାର ବିଶୁଦ୍ଧ
ଲେଖିବା ସହଜ ସୁବୋଧ୍ୟ

ସଞ୍ଚିତ ବଞ୍ଚିତ ବାଞ୍ଛିତ
ସଂଚିତ ବଂଚିତ ବାଂଛିତ
ଉଭୟ ରୂପ ପ୍ରଚଳିତ
ସରଳତାକୁ ଘେନୁ ଚିତ୍ତ

ଅର୍ଜ୍ଜିତ ରଞ୍ଜିତ ମନ୍ଥିତ
ଅର୍ଜିତ ରଂଜିତ ମଂଥିତ
ଯେଉଁ ରୂପଟି ସମର୍ଥିତ
ତାହା ହିଁ ହେଉ ବ୍ୟବହୃତ

ସମ୍ପୂର୍ଣ୍ଣ ପୂର୍ଣ୍ଣିମା ବର୍ଣ୍ଣିତ
ସଂପୂର୍ଣ ପୂର୍ଣିମା ବର୍ଣିତ
ଉଭୟ ସ୍ବରୂପ ସମାର୍ଥ
ସରଳ ହେଉ ସମାଦୃତ

ଅର୍ଜ୍ଜୁନ କର୍ତ୍ତୃତ୍ବ ନିର୍ଦ୍ଧୂମ
ଅର୍ଜୁନ କର୍ତୃତ୍ବ ନିର୍ଧୂମ
ସମାର୍ଥ, ସ୍ବରୂପ ଅସମ
ଲେଖିବା ଯାହା ବି ଉତ୍ତମ

ର୍‌ଣ ର୍ଣ ଅଟେ ଦୁଇ ବର୍ଣୀ
ର୍‌ଣ୍‌ଣ୍‌ ର୍ଣ୍ଣ ଅଟେ ତିନିବର୍ଣୀ
ଲେଖିଲେ ବୃଥା ଶ୍ରମହାନି
ଅଧିକ କିଛି ବି ହୁଏନି

ର୍ତ ର୍ଦ ର୍ଧ ସୁସ୍ପଷ୍ଟ ଅକ୍ଷର
ର୍ତ୍ତ ର୍ଦ୍ଦ ର୍ଦ୍ଧ ନୁହେ ଦରକାର
ଉଭୟ ରୂପ ସମାର୍ଥକ
କିପାଇଁ ଲେଖିବା ଅଧିକ ?

ପଢ଼ା ସୁସ୍ପଷ୍ଟ, ଲେଖା ଦ୍ରୁତ
ହେଲେ ହିଁ ସ୍ବଲିପି ଆଦୃତ
ହୋଇ ମୋହିବ ଜନମନ
ଘଟିବ ଭାଷା ଉନ୍ନୟନ

ଆପେ ଆପେ ବଢ଼େନି ଭାଷା
ଭାଷୀଂକ ସହଯୋଗ ଆଶା
କରେ, ପାଇଲେ ବଢ଼ିଥାଏ
ଚାରିଆଡ଼କୁ ବ୍ୟାପିଯାଏ

Comments are closed, but trackbacks and pingbacks are open.