ୟୁକ୍ରେନ୍ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ତୁହାକୁ ତୁହା ବୋମାମାଡ଼ ସାଙ୍ଗକୁ ଗୁଳିମାଡ଼ରେ ଖେଳି ଯାଇଛି ଭୟର ବାତାବରଣ । ଏପରି ସ୍ଥିତିରେ ୟୁକ୍ରେନସ୍ଥିତ ଆଣବିକ ପ୍ଲାଣ୍ଟକୁ ନେଇ ଦେଖାଦେଇଛି ସସପେନସ । ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ, ୟୁକ୍ରେନର ଜାପୋରିଝାଝିଆ ଆଣବିକ ପ୍ଲାଣ୍ଟକୁ ନେଇ ଚାଲିଛି ସଂଘର୍ଷ ।
ଯଦିଓ ଏହି ପ୍ଲାଣ୍ଟକୁ ଅକ୍ତିଆର କରାଯାଇଛି ବୋଲି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ନିକଟରେ ଋଷ କହିଛି, ତଥାପି ଏହି ପ୍ଲାଣ୍ଟ ଲାଗି ୟୁକ୍ରେନ ସୈନ୍ୟ ଲଢ଼େଇ ଜାରି ରଖିଥିବା ଜଣାପଡିଛି । ଜାପୋରିଝାଝିଆ ଆଣବିକ ପ୍ଲାଣ୍ଟ ପରିସରକୁ ଋଷୀୟ ସୈନ୍ୟଙ୍କୁ ପ୍ରବେଶ କରାଇ ନଦେବା ପାଇଁ ୟୁକ୍ରେନ ବାହିନୀ ପଦକ୍ଷେପ ନେଇଛନ୍ତି । ଜାପୋରିଝାଝିଆ ଆଣବିକ ପ୍ଲାଣ୍ଟକୁ ଯାଇଥିବା ରାସ୍ତାରେ ଗାଡି ଓ ଟାୟାର ରଖି ୟୁକ୍ରେନ ସୈନ୍ୟ ଋଷୀୟ ସୈନ୍ୟଙ୍କ ପ୍ରତିରୋଧ ଜାରି ରଖିଛନ୍ତି ।
ଋଷର ଘନ ଘନ ମିସାଇଲ ମାଡ଼ରେ ଧ୍ବସ ହୋଇଛି ୟୁକ୍ରେନର ଅନେକ ସହର । ଛାରଖାର ହୋଇଛି ବିରାଟ ବିରାଟ ଅପାର୍ଟମେଣ୍ଟ । ମିସାଇଲ ମାଡ଼ରେ ଥରୁଛି କିଭ୍ ଓ ଖାରକିବ । ହେଲେ ଶତ୍ରୁ ରାଷ୍ଟ୍ରର ସୈନ୍ୟଙ୍କୁ ମାନବିକତାର ଶିକ୍ଷା ଶିଖାଇଛନ୍ତି ୟୁକ୍ରେନବାସୀ । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଥକି ପଡ଼ିଥିବା ଜଣେ ଋଷ ସୈନ୍ୟଙ୍କୁ ୟୁକ୍ରେନବାସୀ ଖାଦ୍ୟ ଓ ଚା’ ଦେବା ପରେ ଭାବପ୍ରବଣ ହୋଇ ପଡ଼ିଛନ୍ତି ସୈନ୍ୟ ଜଣକ ।
Comments are closed.