Latest Odisha News

BREAKING NEWS

ସଡ଼କ ସୁରକ୍ଷାରେ ହେବନି କୌଣସି ବୁଝାମଣା; ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆପଣାଇବ CRUT

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ବ୍ୟାପକ କରିବା ଏବଂ ଯାତ୍ରୀମାନଙ୍କୁ ଏକ ନିରାପଦ ପରିବହନ ସେବା ଯୋଗାଇଦେବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ‘ଆମ ବସ୍ ସେବା’ କ୍ଷେତ୍ରରେ ଚାଳକମାନଙ୍କ ଅମାନିଆ ଗାଡ଼ି ଚାଳନା ଏବଂ ଅଶୃଙ୍ଖଳିତ ଆଚରଣ ବିରୋଧରେ ‘ଜିରୋ-ଟଲରାନ୍ସ’ (ଶୂନ୍ୟ ସହନଶୀଳତା) ନୀତି ଆପଣାଇଛି। ସାଧାରଣ ଜନତା ଓ ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି CRUT ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ସାର୍ବଜନୀନ ପରିବହନ ସେବା ଯେପରି ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଭାବେ ପରିଚାଳିତ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରତିଦିନ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି CRUT ‘X’ ପୋଷ୍ଟରେ ଜଣାଇଛି। ଏହି ନୀତି ଅଧୀନରେ CRUT ଏବଂ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା ଦ୍ରୁତ ଗତିରେ ଗାଡ଼ି ଚଳାଇବା, ବେପରୁଆ ଭାବେ ଓଭରଟେକ୍ କରିବା, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ନିୟମ ଉଲ୍ଲଙ୍ଘନ କରୁଥିବା ଡ୍ରାଇଭରମାନଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ବାତିଲ୍ କରିବା ପାଇଁ ସୁପାରିଶ କରାଯାଉଛି। ଏହା ସହିତ ସଂପୃକ୍ତ ଅପରେଟର ଏଜେନ୍ସିଗୁଡ଼ିକ ଉପରେ ମଧ୍ୟ ମୋଟା ଅଙ୍କର ଜରିମାନା ଲଗାଯାଉଛି। ବସ୍‌ଗୁଡ଼ିକରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ଜିପିଏସ୍ (GPS) ମାଧ୍ୟମରେ ଚାଳକମାନଙ୍କ ଗତିବିଧି ଓ ଗାଡ଼ିର ସ୍ପିଡ୍ ଉପରେ କଣ୍ଟ୍ରୋଲ୍ ରୁମ୍‌ରୁ ସୂକ୍ଷ୍ମ ନଜର ରଖାଯାଉଛି।

ଡ୍ୟୁଟି ସମୟରେ କିମ୍ବା ଯାତ୍ରା ପଥରେ ମଦ୍ୟପାନ କରିଥିବା ମୋଟ ୨୬ ଜଣ ବସ୍ କ୍ୟାପଟେନ୍‌ଙ୍କୁ ଚିହ୍ନଟ କରାଯାଇଥିଲା। ଏଭଳି ପ୍ରତ୍ୟେକ କ୍ଷେତ୍ରରେ, CRUT ସେମାନଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବା ସୁନିଶ୍ଚିତ କରିଥିଲା। ଏହା ସହିତ, ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକ (RTO) ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ନିଲମ୍ବିତ କରିଛନ୍ତି।

ଚାଳକ ଓ କଣ୍ଡକ୍ଟରମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ସମ୍ବେଦନଶୀଳତା ବୃଦ୍ଧି କରିବା ପାଇଁ ଓଡ଼ିଶା STA ଏବଂ CRUT ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ତାଲିମ ଶିବିର ଓ ସଡ଼କ ସୁରକ୍ଷା ସଂକଳ୍ପ ଅଭିଯାନ ଆୟୋଜନ କରାଯାଉଛି। ଯଦି କୌଣସି ଚାଳକ ଅଶୃଙ୍ଖଳିତ ଭାବେ ବସ୍ ଚଲାଉଛନ୍ତି, ତେବେ ଯାତ୍ରୀମାନେ ତୁରନ୍ତ କ୍ରୁଟ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ କିମ୍ବା ସ୍ୱତନ୍ତ୍ର ସେବା ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରିପାରିବେ।

Leave A Reply

Your email address will not be published.