Latest Odisha News

BREAKING NEWS

ଶ୍ରୀନଗରର ଲାଲଚୌକରେ ଲାଗିଲା ୪ ଆତଙ୍କବାଦୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ନିପାତ ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି । ଏଥିସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଚାଲିଛି । ଏହି ପରିପ୍ରେକ୍ଷୀରେ ଶ୍ରୀନଗରର ଲାଲ୍‌ଚୌକରେ ୪ ଜଣ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲଗାଇଛି ସୁରକ୍ଷା ଏଜେନ୍ସି । ଏହି ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ଥିଲେ ସୁରକ୍ଷା ଏଜେନ୍ସିକୁ ଜଣାଇବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍‌ କରାଯାଇଛି।

ପୋଷ୍ଟରରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ୪ ଜଣ ଆତଙ୍କବାଦୀ କଶ୍ମୀରର ବିଭିନ୍ନ ଜିଲ୍ଲାର ବାସିନ୍ଦା । ସେମାନଙ୍କ ମଧ୍ୟରେ ସୋପୋରର ବିଲାଲ ଅହମ୍ମଦ ମୀର ଓ ମହମ୍ମଦ ଉମର ମୀର, କୁଲଗାମର ମହମ୍ମଦ ଲତିଫ ଭଟ୍‌ ଏବଂ ବାରାମୁଲାର ଆବିଦ୍‌ କୟୁମ୍‌ ଲୋନ୍‌ ଅଛନ୍ତି ।

ସୂଚନା ଅନୁଯାୟୀ, ଲତିଫ ଭଟ୍‌ ଚଳିତ ବର୍ଷ ଜୁଲାଇରେ ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ କଥିତ ଭାବେ ସମ୍ପୃକ୍ତ ଥିଲା । ଶ୍ରୀନଗରର ପ୍ରମୁଖ ଅଞ୍ଚଳ ଲାଲ୍‌ଚୌକରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇବା ପଛରେ ରହିଛି ଲୋକଙ୍କୁ ସଚେତନ କରିବା ଏବଂ ସୁରକ୍ଷା ଏଜେନ୍ସିକୁ ସୂଚନା ଦେବା ପାଇଁ ଉତ୍ସାହିତ କରିବାର ଉଦ୍ଦେଶ୍ୟ । ଆତଙ୍କବାଦୀଙ୍କ ସମ୍ପର୍କରେ ଭରସାଯୋଗ୍ୟ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଲୋକଙ୍କୁ ଆତଙ୍କବାଦୀଙ୍କ ଗତିବିଧି କିମ୍ବା ସେମାନଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ବିଶ୍ୱସନୀୟ ସୂଚନା ଥିଲେ ସୁରକ୍ଷା ଏଜେନ୍ସିକୁ ଜଣାଇବାକୁ ଅପିଲ୍‌ କରାଯାଇଛି। ଏଥିସହ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ଆଶ୍ୱାସନା ଦିଆଯାଇଛି।

ଆତଙ୍କବାଦୀଙ୍କ ଗତିବିଧି, ଯାତାୟାତ କିମ୍ବା ସେମାନେ କେଉଁଠି ଲୁଚି ରହିଛନ୍ତି, ସେ ସମ୍ପର୍କରେ କୌଣସି ଠୋସ୍ ସୂଚନା ମିଳିଲେ ତୁରନ୍ତ ପୋଷ୍ଟରରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଜଣାଇବାକୁ ଲୋକଙ୍କୁ କୁହାଯାଇଛି ।

Leave A Reply

Your email address will not be published.