ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ସଭାରେ ଠିଆ ହୋଇ ଭାଷଣ ଦେବା ହେଉ, ଅଥବା ପଚାଶ ଲୋକଙ୍କୁ ସାମ୍ନା କରିବା, ଜଣେ ମନୋବଳ ଜୁଟାଇ ସହଜରେ ଏ କାମ କରିପାରିବ। କିନ୍ତୁ ନିତିଦିନିଆ ଜୀବନରେ ପ୍ରତିମୁହୂର୍ତ୍ତରେ ଯଦି ସାମାଜିକ ନିନ୍ଦା, ଅପବାଦ ବା ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼େ, ତାହେଲେ ସେଥିପାଇଁ ଯେତିକି ସାହସ ଦରକାର, ତାହା ଜୁଟାଇବା ବଡ଼ କାଠିକର ପାଠ। ହଁ, ଯିଏ ଏକଥାକୁ ନିଜ ଜୀବନରେ ଦେଖିଛି ବା ଅଙ୍ଗେନିଭାଇଛି, ସିଏ ହିଁ ସହଜରେ କହିପାରିବ କେତେ ସାହସ ଦରକାର।
ନୂପୁର ସାମଲ ଯେଉଁଦିନ ତା ପାଠପଢ଼ାରେ ଡୋର ବାନ୍ଧିଥିଲା, ସେ ଦିନଟି ଆଜି ତା ଆଖି ଆଗରେ ଜଳ ଜଳ ହୋଇ ଦିଶୁଛି। ସେ ସେତେବେଳେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ବୟସ ଏଇ ତେର ଚଉଦ ବର୍ଷ। ବାପା ଜମିବାଡ଼ିରେ କାମ କଲେ ଯାହା କିଛି ମିଳେ, ସେଥିରେ ପରିବାର ଚଳାନ୍ତି। କଷ୍ଟେମଷ୍ଟେ ତାକୁ ଆଉ ତା ଦୁଇ ଭାଇଙ୍କୁ ସ୍କୁଲ ପଠାନ୍ତି। ସେମାନଙ୍କ ପାଇଁ ବହିପତ୍ର ପୋଷାକ ଇତ୍ୟାଦି କିଣି ପାରନ୍ତି। ଯେଉଁବର୍ଷ ଫସଲ ନାହିଁ, ସେହିବର୍ଷ ନୂପୁର କିମ୍ବା ତା ଭାଇମାନଙ୍କ ଭାଗ୍ୟରେ ନୂଆ ପୋଷାକ ଜୁଟେନି। ବଡ଼ ଶ୍ରେଣୀର ପିଲାଙ୍କଠୁ ପୁରୁଣା ବହିପତ୍ର କିଣି ସେମାନଙ୍କ ପାଠପଢ଼ା ଚାଲେ। ଏମିତି ହିଁ ଚାଲିଥିଲା ସେମାନଙ୍କ ଜୀବନ।
ଦିନେ ହଠାତ୍ ତାଙ୍କ ପାଖ ଗାଁର ନରହରି ପରିଡ଼ାଙ୍କ ଘରୁ ବିବାହ ପ୍ରସ୍ତାବ ଆସିଲା ନୂପୁରର ଘରକୁ। ନରହରିଙ୍କ ପୁଅ ଗୋଟିଏ ଘରୋଇ କମ୍ପାନିରେ କିରାଣି ଭାବେ କାମ କରୁଛି। ମାସକୁ ଆଠ ହଜାର ଟଙ୍କା ଦରମା। ପିଲା ଭଲ କାମ କରୁଥିବାରୁ ଏବେ ଏବେ ତାର ପଦୋନ୍ନତି ହୋଇଛି। ଆଉ ତା ଦରମା ଦଶ ହଜାର ହେବ ବୋଲି ଚିଠି ବି ମିଳିସାରିଛି। ତେଣୁ ନରହରି ଚାହୁଁଛନ୍ତି ପୁଅକୁ ଶୀଘ୍ର ବାହା କରାଇଦେଲେ ତାଙ୍କ ଦାୟିତ୍ୱ ତୁଟିଯିବ। ସେଥିପାଇଁ ନୂପୁର ଘରେ ପହଞ୍ଚିଛନ୍ତି ସେ। ନରହରି ଚାହୁଁଛନ୍ତି ନୂପୁରକୁ ବୋହୂ କରିବା ପାଇଁ। କିନ୍ତୁ ଏହି କଥା ଜାଣିବା ପରେ ନୂପୁର ରୋକଠୋକ୍ ମନା କରିଦେଇଥିଲା ବାହା ହେବା ପାଇଁ। ବାହାଘର କଣ ତାକୁ ଜଣାନାହିଁ। ପିଲାଟିଏ ସେ। ସେ ବା କଣ ଜାଣିବ ଘର ସଂସାର, ବାହାଘର ଏସବୁ କଥା। ସେଥିପାଇଁ ସେ ମନା କରିଦେଇଥିଲା । ନୂପୁରର କଥାରେ ରାଜି ହୋଇଥିଲେ ତା ବାପା। କିନ୍ତୁ ନୂପୁରର ମାଆ ଚାହୁଁଥିଲେ, ଭଲ ପ୍ରସ୍ତାବଟା। ତା ଛଡ଼ା ପୁଅଟା ଭଲପିଲାଟାଏ। ଆଖ ପାଖ ଗାଁରେ ସେ ପିଲାର ଭଲ ନାଁ ଅଛି। ନମ୍ର, ଭଦ୍ର ତଥା କର୍ମତତ୍ପର ପିଲାଟିଏ ସେ। ତେଣୁ ଏଭଳି ଏକ ପ୍ରସ୍ତାବକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ନୂପୁରର ମାଆ। ସେ ଜିଦ୍ ଧରିଲେ, ନୂପୁରୁର ପାଠପଢ଼ା ବନ୍ଦ କରାଯାଉ। ଆଉ ତାକୁ ଶାଶୂଘରକୁ ପଠାଇ ଦିଆଯାଉ। ନୂପୁର ଓ ତା ବାପାଙ୍କ ଇଚ୍ଛା ନଥିବା ସତ୍ତ୍ୱେ, ମାଆଙ୍କ ଜିଦ୍ ଆଗରେ ତାଙ୍କୁ ମୁଣ୍ଡନୁଆଁଇବାକୁ ପଡ଼ିଲା। ଶେଷରେ ବସ୍ତାନିରେ ଡୋର ବନ୍ଧାହେଲା, ନୂପୁରର ପାଠପଢ଼ାରେ ପଡ଼ିଲା ପୂର୍ଣ୍ଣଛେଦ। ଘରସଂସାର କଣ ଜାଣିବା ଆଗରୁ ପାଦରେ ଅଳତା, ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର ପିନ୍ଧି ବୋହୂ ହୋଇ ଗଲା ନରହରିଙ୍କ ଘରକୁ।
ବୟସରେ ଅନ୍ୟୁନ ଦଶବର୍ଷ ବଡ଼ଥିବା ନୂପୁରର ସ୍ୱାମୀ ନରେଶ ଅତ୍ୟନ୍ତ ସହଯୋଗୀ ଓ ଦାୟିତ୍ୱସମ୍ପନ୍ନ ଥିଲା। ତେଣୁ ଆରମ୍ଭରୁ ହିଁ ଖୁବ୍ ଯତ୍ନ ନେଇଥିଲା ନୂପୁରର। ସ୍ୱଳ୍ପ ରୋଜଗାରରେ ବି ଗାଁର ସାଧାରଣ ଜୀବନ ଜିଇଁ ଅତି ସୁରୁଖୁରୁରେ ଚାଲିଥିଲା ସେମାନଙ୍କ ସଂସାର। ଉଭୟଙ୍କ ବାହାଘରକୁ ଏହାରି ଭିତରେ ବିତିଯାଇଥିଲା ବାର ବର୍ଷ। ସେମାନଙ୍କ ଦୁଇଟି ଛୁଆ ବି ଧୀରେ ଧୀରେ ବଡ଼ ହୋଇସାରିଥିଲେ। ବଡ଼ ପୁଅକୁ ଦଶବର୍ଷ। ଝିଅକୁ ଛଅ ବର୍ଷ। ନୂପୁର ଓ ନରେଶର ହସଖୁସିର ସଂସାରରେ ହଠାତ୍ ଚଡ଼କ ପଡ଼ିଲା। ଅଫିସରେ କାମ କରୁଥିଲା ବେଳେ ହୃଦଘାତରେ ପ୍ରାଣ ହରାଇଲା ନରେଶ। ଖବରଟା ଘରେ ପହଞ୍ଚିଲା କ୍ଷଣି ଠିଆ ହୋଇଥିବା ସ୍ଥାନରେ ହିଁ ଟଳିପଡ଼ିଲା ନୂପୁର। ପିଲାମାନେ କିଛି ବୁଝିବା ଆଗରୁ, ଖବର ଆଣିଥିବା ଲୋକଟି ନୂପୁର ମୁହଁରେ ପାଣି ଛାଟି ତାକୁ ଚେତା କରାଇଲା।
ଏହି ଘଟଣାରେ ନୂପୁର ଏତେ ଭାଙ୍ଗିପଡ଼ିଲା ଯେ, ସେ ତା ପିଲାମାନଙ୍କୁ ନେଇ କେମିତି ଆଗକୁ ବଢ଼ିବ ସେ କଥା ଭାବି ପାରୁନଥିଲା। ତାକୁ ଲାଗୁଥିଲା, ସେ ଯଦି ସେତେବେଳେ ପାଠପଢ଼ାରେ ଡୋର ନବାନ୍ଧି ଆଗକୁ ପଢ଼ି ପାରିଥାନ୍ତା, ତାହେଲେ ହୁଏ ତ ଆଜିର ଏ ଅସମୟରେ ସେ ନିଜେ କିଛି କରି ତା ପିଲାମାନଙ୍କୁ ସମ୍ଭାଳି ପାରିଥାନ୍ତା। କିନ୍ତୁ ଆଜି ତାହା ବି ସମ୍ଭବ ନୁହେଁ। ଏଣେ ପୁଅ ମରିବା ଦୁଃଖରେ ନୂପୁରର ଶାଶୂ-ଶ୍ୱଶୂର ଏତେ ଭାଙ୍ଗି ପଡ଼ିଥିଲେ ଯେ, ସେମାନେ ଆଉ ନୂପୁର କିମ୍ବା ତା ପିଲାମାନଙ୍କ କଥା ବୁଝିବା ଅବସ୍ଥାରେ ନଥିଲେ। ଧୀରେ ଧୀରେ ନିଜ ଘରେ ହିଁ ନିଜେ ଉପେକ୍ଷିତ ଅନୁଭବ କରୁଥିଲା ନୂପୁର। ନିଜ ପିଲାମାନଙ୍କୁ ନେଇ ବାପାଘରକୁ ଫେରିଯାଇଥିଲା ସେ। ଘରକୁ ଫେରିଥିବାରୁ ବାପା ମାଆଙ୍କ କୌଣସି ଅଭିଯୋଗ ନଥିଲା। କିନ୍ତୁ ଅସନ୍ତୁଷ୍ଟ ଥିଲେ ତା ଦୁଇ ଭାଇ ଓ ଭାଉଜମାନେ। ସେମାନେ ଚାହୁଁନଥିଲେ ନୂପୁର ପିଲାମାନଙ୍କୁ ନେଇ ବାପାଘରେ ରହୁ।
ନୂପୁରର ଏହି ଦୁର୍ଦ୍ଦିନରେ ତା ପାଖରେ ଠିଆ ହୋଇଥିଲା ତା ପିଲାଦିନର ସାଙ୍ଗ ନନ୍ଦନ। ଉଭୟେ ପିଲାଦିନେ ପ୍ରାଥମିକ ବିଦ୍ୟାଳୟରେ ଏକାଠି ପଢୁଥିଲେ। ସେହି ସମୟରେ ସିଙ୍ଘାଣିନାକି ନୂପୁର କୌଣସି କାରଣ ପାଇଁ ସ୍କୁଲରେ କାନ୍ଦିଲେ, ତା ଲୁହ ପୋଛି ଦେଉଥିଲା ନନ୍ଦନ। ନନ୍ଦନ ପିଲାଦିନରୁ ବାପାମାଆ ଛେଉଣ୍ଡ। ତା କଥା ତା ମାଉସୀ ବୁଝୁଥିଲେ। ସିଏ ହିଁ ତାର ବାପା, ଆଉ ମାଆ। ମାଉସୀ ନନ୍ଦନକୁ ପାଠ ପଢ଼ାଇ ଆତ୍ମନିର୍ଭର କରିଦେଇଥିଲେ। ହେଲେ ଏବେ ସେ ବି ଆଉ ଏ ଦୁନିଆରେ ନାହାନ୍ତି। ତେଣୁ ସେ ଏବେ ଦୁନିଆରେ ନିଃସଙ୍ଗ। ନନ୍ଦନ ଯେତେବେଳେ ନୂପୁର ବିଷୟରେ ଜାଣିଲା, ସେ ନିଜକୁ ନିୟନ୍ତ୍ରଣ କରିପାରିଲା ନାହିଁ। ତା ପାଖକୁ ଯାଇ ତା ଦୁଃଖସୁଖ ଜାଣିବାକୁ ପ୍ରୟାସ କରିଥିଲା। ତେବେ ନୂପୁର ସହିତ ତାର ଦେଖା ସାକ୍ଷାତ ଓ କଥାବାର୍ତ୍ତାକୁ ନେଇ ଅନେକ ଉଲୁଗୁଣା ଶୁଣିବାକୁ ପଡ଼ିଥିଲା ଉଭୟଙ୍କୁ। ବାହାର ଲୋକ କେହି କିଛି କହିବା ପୂର୍ବରୁ ପ୍ରଥମେ ସମାଲୋଚନା ଆରମ୍ଭ ହୋଇଥିଲା ନୂପୁରର ଭାଉଜମାନଙ୍କ ପାଖରୁ। ସେମାନେ ନୂପୁରୁର ଚରିତ୍ରକୁ ନେଇ ଉଠାଇଥିଲେ ଅନେକ ପ୍ରଶ୍ନ। ଏପରିକି ନରେଶର ମୃତ୍ୟୁ ପଛରେ ତାର ଭୂମିକା ରହିଛି ବୋଲି ବି କହିବାକୁ ପଛାଇନଥିଲେ। ଏଭଳି କଥାରେ ଗଭୀର ଭାବେ ପ୍ରଭାବିତ ହୋଇଥିଲା ନୂପୁର। ସେ ଅଧିକରୁ ଅଧିକ ଭାଙ୍ଗିପଡ଼ିଥିଲା।
ଏତିକି ବେଳେ ସମସ୍ତଙ୍କୁ ଚକିତ କରି ସେଠାରେ ପହଞ୍ଚିଥିଲା ନନ୍ଦନ। ନୂପୁରର ବାପାମାଆ ଓ ଭାଇ ଭାଉଜଙ୍କ ଆଗରେ ରଖିଥିଲା ନୂପୁରର ପୁନର୍ବିବାହ ପ୍ରସ୍ତାବ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏହି ପ୍ରସ୍ତାବରେ। କାହାରି ମୁହଁରେ ଭାଷା ନଥିଲା। ସମସ୍ତେ ଚୁପ୍। କଣ କହିବେ, କେହି କିଛି ଭାବି ପାରୁନଥିଲେ। ଏତିକି ବେଳେ ନୂପୁର କହିଲା, ମୋ ବାହାଘର ବିଷୟରେ ଆଲୋଚନା କରିବା ପୂର୍ବରୁ ଥରେ ଅନ୍ତତଃ ମୋତେ ତ ପଚାରିବା ଦରକାର ଥିଲା। ଯେଉଁ ବୟସରେ ମୁଁ ବାହା ହେବା ପାଇଁ ପ୍ରସ୍ତୁତ ନଥିଲି, ସେତେବେଳେ ମୋତେ ଜୋରଜବରଦସ୍ତ ବାଧ୍ୟ କରି ବାହା କରାଇଦିଆଗଲା। ଆଉ ଆଜି ଯେତେବେଳେ ମୋ ସଂସାର ଭାଙ୍ଗିଗଲା, ପୁଣି ସଂସାର ଗଢ଼ିବା ପାଇଁ ମୋତେ ନପଚାରି ନିଷ୍ପତ୍ତି ନିଆଯାଉଛି। ନୂପୁରର ବାପା କିଛି କହିବା ପୂର୍ବରୁ ଆଗକୁ ଆସିଲା ନନ୍ଦନ। କହିଲା, ଏଥିପାଇଁ ମୋତେ କେହି ବାଧ୍ୟ କରିନି। ମୁଁ ସ୍ୱଚ୍ଛାକୃତ ଭାବେ ଆସିଛି ତୋତେ ବାହାହେବା ପାଇଁ। ନୂପୁର କହିଲା, ତୁ ମୋତେ ସିନା ବାହା ହୋଇଯିବୁରେ, ହେଲେ ମୋର ଦୁଇଟା ପିଲା ଯିବେ କୁଆଡ଼େ? ସେମାନଙ୍କ ପାଇଁ କଣ କରିପାରିବୁ ତୁ? ହସି ହସି ଏ ପ୍ରଶ୍ନର ଉତ୍ତର ଦେଲା ନନ୍ଦନ। କହିଲା, ଆରେ ତତେ ଯଦି ବାହାହେବି, ତୋ ପିଲାମାନଙ୍କୁ କଣ ଆଉ କୁଆଡ଼େ ପଠାଇଦେବି? ତୋ ସହିତ ତୋ ପିଲାମାନଙ୍କ ଦାୟିତ୍ୱ ନେବା ପାଇଁ ତ ମୁଁ ଏ ପ୍ରସ୍ତାବ ଦେଇଛି। ନୂପୁର ପଚାରିଲା, ଗାଁ ଲୋକଙ୍କ ନିନ୍ଦା, ଅପବାଦ ସବୁକିଛି ସହିପାରିବୁ ତ? ଏଥିପାଇଁ ଜୀବନରେ ଥରେ ସାହସ ଦରକାର ନାହିଁ, ଜୀବନ ସାରା ପ୍ରତିମୁହୂର୍ତ୍ତରେ ସାହସ ଦରକାର। କଣ ତୁ ପାରିବୁ? ଏଥିପାଇଁ ସାରା ଜୀବନ ସାହସ ଜୁଟାଇ ପାରିବୁ? ନିର୍ଦ୍ୱନ୍ଦ୍ୱରେ, ବିନା ଦ୍ୱିଧାରେ ହସି ହସି ଆଗକୁ ଆସିଲା ନନ୍ଦନ। ନୂପୁରର ହାତ ଧରି ତା ପିଲାମାନଙ୍କୁ କୋଳେଇ ନେଲା। ଘରେ ପହଞ୍ଚି କବାଟର ତାଲା ଖୋଲିଲା ବେଳକୁ ଗାଁ ଦାଣ୍ଡରେ ଭର୍ତ୍ତି ହୋଇଥାନ୍ତି ପିଲାରୁ ବୁଢ଼ା ସମସ୍ତେ। କେବଳ ଗୋଟିଏ କଥା କହୁଥାନ୍ତି କି ଦୁର୍ବୁଦ୍ଧି ଏ ପିଲାର। ବିଧବାଟାକୁ ଘରକୁ ଆଣୁଛି ବୋହୂକରି। ଏତିକି ବେଳେ ସେ ଗହଳି ଭିତରୁ ମଝିକୁ ଆସି ବୁଢ଼ାଲୋକ ଜଣେ କହିଲେ, ଆରେ ନିନ୍ଦା କରିବାତ ସହଜ, କୁହ ତମ ଭିତରୁ କେହି ଏମିତି କରିପାରିବ? ଏଥିପାଇଁ ବଡ଼ ହୃଦୟଟେ ଦରକାର। ମନଟେ ଦରକାର। ଆଉ ଅନେକ ସାହସ ଦରକାର।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.