ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୭
ମୂଳ ବଙ୍ଗଳା: ସମରେଶ ବସୁ
ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ପୁଲିସ ଜିପ୍ଟା ଭିକ୍ଟୋରିଆ ପାର୍କକୁ ଅତିକ୍ରମ କରିଗଲା । ଆଗ ରାସ୍ତା ମୋଡ଼ରେ ଖୁବ୍ ବେଗରେ ଅଦୃଶ୍ୟ ହୋଇଗଲା । ସାର ସହରରେ ୧୪୪ଧାରା ସାଙ୍ଗକୁ କର୍ଫ୍ୟୁ ଲାଗୁ ହୋଇଚି । ସାମ୍ପ୍ରଦାୟିକ ଦଙ୍ଗା ସହରଟାକୁ ଗ୍ରାସିଚି ସଂକ୍ରାମକ ବ୍ୟାଧି ଭଳି । ଛୁରୀ, କଟୁରୀ, ଭୁଜାଲି, ବର୍ଚ୍ଛା ଯିଏ ଯାହା ପାଇଲା ସେଥିରେ ଆକ୍ରମଣ କରିଚି ତା’ର ବିରୋଧୀ ସମ୍ପ୍ରଦାୟ ଉପରେ । ଏପରିକି ଲୁହାଛଡ଼ ପର୍ଯ୍ୟନ୍ତ ବାଦ୍ ପଡ଼ିନି । ଯେଉଁ ଗଳିକନ୍ଦି ଦେଖିବ ସବୁଠି କିଛି ନା କିଛି ଗଣ୍ଡଗୋଳ, ଛୁରାମାଡ଼, ବୋମା ବିସ୍ଫୋରଣ ଆଉ ପୋଡ଼ାଜଳା ଘଟିଛି । ସତେ କି ରାତିଟା ମହାକାଳ ସାଜି ସହରଟା ଉପରେ ତା’ ପଞ୍ଝା ଥାପିଛି । କେଉଁଠୁ କେମିତି ଦିଶୁଥିବା କ୍ଷୀଣ ଆଲୋକ ପ୍ରତୀୟମାନ ହେଉଛି ଆତତାୟୀର ତୀକ୍ଷ୍ଣ ଛୁରୀ ପରି । ଦଙ୍ଗା ଫସାଦ୍ ଭିଆଇବାକୁ ଦୁଇ ସମ୍ପ୍ରଦାୟର ଲୋକେ ବାହାରି ଆସିଛନ୍ତି ସହରର ରାଜରାସ୍ତା ଉପରକୁ । ଲକ୍ଷ୍ୟ କେବଳ ଲୁଟ୍ମାର୍ । କାଳରାତ୍ରି ହସୁଛି ଏଇ ଦୃଶ୍ୟ ଦେଖି । ବିଭିନ୍ନ ବସ୍ତିରୁ ନିଅିଁ ଉଠି ଆକାଶର କିଛି ଅଂଶକୁ ରକ୍ତାଭ କରି ଦେଇଛି । ନିସ୍ତବ୍ଧ ଗମ୍ଭୀର ବାତାବରଣ ସାଙ୍ଗକୁ ମହିଳାଙ୍କ ଆର୍ତ୍ତଚିତ୍କାର ଆହୁରି ଭୟଙ୍କର କରି ପକାଉଛି ସେ ରାତ୍ରିକୁ । ସାଙ୍ଗେ ସାଙ୍ଗେ ଫୌଜଭରା ଲରି ପହଞ୍ôଚଯାଉଛି ସେଠାରେ । ଚାରିଆଡ଼କୁ ଆଖିବୁଜା ଗୁଳି ଚଳାଉଛନ୍ତି ନିରାପତ୍ତା ରକ୍ଷାକାରୀ ଯବାନମାନେ- ଶାନ୍ତି ଓ ଆଇନଶୃଙ୍ଖଳା ରଖିବା ଲାଗି, ଧନଜନଙ୍କ ସୁରକ୍ଷା ସକାଶେ ।
ଗୋଟିଏ ଚୌକ ଉପରେ ଦୁଇ ବିପରୀତ ଦିଗରୁ ଲମ୍ବି ଆସିଥିବା ରାସ୍ତା ଦୁଇଟି ମିଶିଛି ନଦୀର ଦୁଇଟି ଧାର ଭଳି । ସେଇ ଚୌକ କଡ଼କୁ ଗୋଟିଏ ମଇଳାଭରା ମ୍ୟୁନିସିପାଲଟି ଡଷ୍ଟବିନ୍ ଓଲଟେଇହୋଇ ପଡ଼ିଛି । ତାକୁ ମୁଣ୍ଡରେ ଥୋଇ ଗୋଟିଏ ଗଳି ରାସ୍ତାରୁ ଲୋକଟିଏ ଧୀରେ ଧୀରେ ବାହାରି ଆସିଲା । ହଠାତ୍ ଚଳମାନ ଡଷ୍ଟବିନ୍ଟା ଗୋଟିଏ ଜାଗାରେ ସ୍ଥିର ହୋଇଗଲା । କିନ୍ତୁ ତା’ ଭିତରେ ଥିବା ଲୋକଟି ତଥାପି ବାହାରକୁ ମୁଣ୍ଡ ଟେକୁ ନ ଥାଏ । କାଳେ ଆଖପାଖରେ କିଏ କେଉଁଠି ଛପିଥିବ । ହଠାତ୍ ତା’ ଉପରକୁ କୁଦି ପଡ଼ିବ! ସେଇ ଡଷ୍ଟବିନ୍ ଭିତରୁ ଭୟାର୍ତ୍ତ ଲୋକଟି କାନ ଡେରିଥାଏ କିଛି ଦୂରରେ ଶୁଭୁଥିବା ଅସ୍ପଷ୍ଟ ଶବ୍ଦଆଡ଼େ । କିଛି ସଠିକ୍ ଠଉରାଇ ହେଉ ନ ଥାଏ । ଏଇଟା କି ଶବ୍ଦ ବୋଲି । ଆଉ କି ଶବ୍ଦ ହେବ? ହୋଇଥିବା ସେଇ
ପରିଚିତ ଆର୍ତ୍ତଚିତ୍କାର- ‘ଆଲ୍ଲା ହୋ ଆକବର!’ କିମ୍ବା ‘ବନ୍ଦେ ମାତରମ୍!’
ହଠାତ୍ ପୁଣି କିଛି ବାଟ ଘୁଞ୍ଚି ଗଲା ଡଷ୍ଟବିନଟି । ତା’ ଭିତରେ ଆତ୍ମଗୋପନ କରିଥିବା ଲୋକଟି ସବୁପ୍ରକାର ଆଶଙ୍କାରେ ଭୟଭୀତ ହୋଇ ପଡ଼ିଥାଏ । ପୁଣି ସ୍ଥିର ହୋଇ ସେ ଅପେକ୍ଷା କଲା ଶବ୍ଦ ଆସୁଥିବା ଦିଗ ଆଡ଼େ । ଆଉ କେଇ ସେକେଣ୍ଡ ସେମିତି ବିତିଗଲା । ଲୋକଟା ଭୟରେ ତା’ ଦି’ଓଠକୁ ଦାନ୍ତରେ ଭିଡ଼ି ଧରିଥାଏ । ଛାତି ପଡ଼ୁଥାଏ ଧମ୍ ଧମ୍ । ତଥାପି ଚାରିଆଡ଼େ ମୃତ୍ୟୁର ନିରବତା ।
ବୁଲା କୁକୁରଟାଏ ହେବ କି କ’ଣ । ତାକୁ ଘଉଡ଼େଇ ଦେବା ଲାଗି ସିଏ ପୁଣି କିଛି ବାଟ ଘୁଞ୍ଚେଇନେଲା ଡଷ୍ଟବିନଟିକୁ । ଟିଣ ଡଷ୍ଟବିନଟି ପିଚୁରାସ୍ତା ଉପରେ ଘୋଷାରିହୋଇ ସାମାନ୍ୟ ଶବ୍ଦ ସୃଷ୍ଟିକଲା । ତା’ପରେ ପୁଣି ସେଇ ନିସ୍ତବ୍ଧତା । ଏଥର ଲୋକଟି ନିଜ ଭିତରେ ସାହସ ସଞ୍ଚୟ କଲା ଓ ଧୀରେ ମୁଣ୍ଡ ଟେକିଲା ଡଷ୍ଟବିନ୍ ଭିତରୁ । ଡଷ୍ଟବିନ୍ ଆରପଟୁ ଆଉ ଗୋଟିଏ ମୁଣ୍ଡ ଉଠିଲା । ଆଉ ଜଣେ ଲୋକ । ଡଷ୍ଟବିନର ଦୁଇପଟେ ଦିଓଟି ଅଚିହ୍ନା ମୁହଁ । ଦୁହିଁଙ୍କ ଆଖିରେ ଆଖିଏ ଆଖିଏ ଭୟ ଭରି ରହିଥିଲା । କାହାରି ମୁହଁରେ ଭାଷା ନାହିଁ । ପରସ୍ପର ପ୍ରତି ଭୟ ଓ ଆଶଙ୍କା ବଢ଼ି ଚାଲିଥିଲା ଉଭୟଙ୍କ ମନରେ । ସନ୍ଦେହ ଜମାଟ ବାନ୍ଧୁଥିଲା । କେହି କାହା ଉପରେ ଭରସା କରିପାରୁ ନ ଥିଲେ । ଜଣକ ଆଖିରେ ଆଉ ଜଣେ ପାଲଟିଥିଲା ହତ୍ୟାକାରୀ, ଶତ୍ରୁ, ବିପରୀତ ସଂପ୍ରଦାୟର । ପ୍ରତ୍ୟେକ ମୁହୂର୍ତ୍ତରେ ଉଭୟ ଆଶଙ୍କା କରୁଥିଲେ କାଳେ ନିଜ ଉପରେ ଅପରପକ୍ଷ ଆକ୍ରମଣ କରିବ! ତଥାପି ଦୁହେଁ ସ୍ଥିର ନିଶ୍ଚଳ ।
ଏକା ସାଙ୍ଗରେ ଉଭୟଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଲା । ଅଚିହ୍ନା ଲୋକଟି ହିନ୍ଦୁ ଅବା ମୁସଲମାନ ସଂପ୍ରଦାୟର? କେହି ଭରସିପାରୁ ନ ଥିଲେ ପ୍ରଶ୍ନଟି ପ୍ରଥମେ ପଚାରିବାକୁ । ଯଦି ଅନ୍ୟ ଲୋକଟି ତା ଶତ୍ରୁପକ୍ଷ ସଂପ୍ରଦାୟର ହୋଇଥିବ! ପୁଣି ଦୁହିଁଙ୍କ ଭିତରେ କେହି ହେଲେ ଦୌଡ଼ି ପଳାଇବାକୁ ପ୍ରସ୍ତୁତ ନ ଥିଲେ ଯଦିଓ ଉଭୟେ ଭାବୁଥିଲେ ଯେ ସାମ୍ନା ଲୋକଟି ଦୌଡ଼ି ପଳାଇଯାଉ । ତା’ହେଲେ ପଛଆଡ଼ୁ ପରସ୍ପରକୁ କାବୁ କରିନେବାକୁ କିମ୍ବା ଆକ୍ରମଣ କରିବାକୁ ସୁଯୋଗ ମିଳିବ ।
ଏଇପ୍ରକାର ଆଶଙ୍କା, ଭୟ ଓ ସନ୍ଦେହରେ ଦୁହେଁ ଅସ୍ଥିର ହୋଇ ଉଠୁଥିଲେ । କିନ୍ତୁ ସେମାନେ ନିଜ ନିଜ ମନର ଭାବକୁ ମୁହଁରେ ପ୍ରକାଶ କରିବାକୁ ନାରାଜ । କାଳେ ଅପରପକ୍ଷ ଲୋକ ଜାଣି ପକାଇବ- ପ୍ରତିପକ୍ଷ ବ୍ୟକ୍ତି ମନରେ ସୃଷ୍ଟି ହୋଇଥିବା ଭୟକୁ! ଶେଷରେ ନିଜକୁ ଆଉ ଅଧିକ ସମୟ ସମ୍ଭାଳି ନ ପାରି ଜଣେ ପଚାରିଦେଲା, ‘କିଏ ତୁମେ? ହିନ୍ଦୁ ନା ମୁସଲମାନ?’
ଅନ୍ୟଜଣକୁ ଦଣ୍ଡେ ବି ଅପେକ୍ଷ ନ କରି ସେଇ ଏକା ପ୍ରଶ୍ନ ପଚାରିଲା
ପ୍ରଥମେ ପ୍ରଶ୍ନ କରିଥିବା ଲୋକଟିକୁ- ‘ତୁମେ ଆଗେ କୁହ, ତୁମେ କେଉଁ ଧର୍ମର- ହିନ୍ଦୁ ନା ମୁସଲମାନ?’ ନିଜ ନିଜ ଧର୍ମଭାବନାକୁ ଲୁଚାଇବାକୁ ପ୍ରୟାସ କରୁଥିବା ଦୁଇଜଣଯାକ ପୁଣି ଚୁପ୍ ପଡ଼ିଗଲେ ପରସ୍ପରର ପ୍ରଶ୍ନକୁ ଏଡ଼ାଇ ।
ତା’ପରେ ପୁଣି ପ୍ରଥମ ଜଣକ ପଚାରିଲା-‘ତୁମ ଘର କେଉଁଠି?’ ଏଥର ଦ୍ୱିତୀୟ ଲୋକଟି ଜବାବ ଦେଲା-‘ଏଇ ନଈ ଆରପାରିରେ ମୋ ଘର । ତୁମ ଘର କେଉଁଠି?’
:‘ଛାପ୍ରାରେ- ନାରାୟଣଗଞ୍ଜ ପାଖରେ । ତୁମେ କ’ଣ କରୁଚ?’
:‘ମୁଁ ନାଉରିଆ । ମୋର ଗୋଟିଏ ଡଙ୍ଗା ଅଛି । ଡଙ୍ଗାରେ ନଈ ପାର କରେଇବା ମୋର ବେଉସା । ଆଉ ତୁମେ କି କାମ କର?’
:‘ମୁଁ ନାରାୟଣଗଞ୍ଜରେ ଗୋଟିଏ ମିଲରେ କାମ କରେ ।’
ପୁଣି ଥରେ ନିରବତା ଦେଖାଦେଲା । କାରଣ ପରସ୍ପରଙ୍କୁ ପଚାରିଲା ଭଳି ଆଉ କିଛି ପ୍ରଶ୍ନ ସେମାନଙ୍କୁ ଜୁଟୁନଥିଲା । ଅନ୍ଧାର ଭିତରେ ଉଭୟେ କେବଳ ମେନେ ମେନେ ଅନୁମାନ କରି ଚାଲିଥାଆନ୍ତି, ଅପର ଜଣକ ଦେଖିବାକୁ କିପରି ହୋଇଥିବ । ନିରୀକ୍ଷଣ କରୁଥାଆନ୍ତି ପରସ୍ପରର ପୋଷାକକୁ । ସେଥିରୁ ଅବା ଜଣ ପଡ଼ିପାରେ ଲୋକଟା କେଉଁ ସମ୍ପ୍ରଦାୟର, ଧର୍ମର । କିନ୍ତୁ ଅନ୍ଧାର ସାଙ୍ଗକୁ ଡଷ୍ଟବିନ୍ଟା ସେଥିରେ ବି ଅନ୍ତରାୟ ସୃଷ୍ଟି କରୁଥାଏ । ହଠାତ୍ ନିକଟରେ କେଉଁଠି ଗୋଟିଏ ଗଣ୍ଡଗୋଳ ଘଟିଲା କି କ’ଣ! ଏକାସଙ୍ଗେ ଅନେକ ଲୋକଙ୍କ ଆର୍ତ୍ତଚିତ୍କାର ଦୁହିଁଙ୍କ କାନରେ ପଡ଼ିଲା । ତା’ସାଙ୍ଗକୁ ‘ଆଲ୍ଲା ହୋ ଆକବର!’ ଓ ‘ହର ହର ମହାଦେବ’ କୁହାଟ । ଅନ୍ଧାର ରାତିର ନିଶ୍ଚଳ ଛାତି ପୁଣି ଥରିଉଠିଲା ।
ଏଇ ଆକସ୍ମିକ ଗଣ୍ଡଗୋଳରେ ଉଭୟ ଲୋକ ଭୟରେ ଆତଙ୍କିତ ହୋଇପଡ଼ିଲେ । ମିଲ୍ ଶ୍ରମିକଟି ଏଥର କହିଲା, ‘ଗଣ୍ଡଗୋଳକାରୀମାନେ ଏଇଆଡ଼େ ଆସୁଛନ୍ତି ବୋଧହୁଏ ।’
‘ହଁ, ମତେ ବି ସେଇଆ ଲାଗୁଛି । ଚାଲ, ଜଲଦି ପଳେଇବା ।’ ନାଉରିଆ ଜଣଣକ ଭୟାର୍ତ୍ତ କଣ୍ଠରେ କହିଲା । ମିଲ୍ ଶ୍ରମିକ ଜଣକ ତାକୁ ବାରଣ କଲା- “ନା, ରହିଯା’ । ଦଣ୍ଡେ ଅପେକ୍ଷା କର । ହଠାତ୍ ମୁଣ୍ଡ ଉଠାଅନା । ମରିବ ନା କ’ଣ! କାଳେ ଆଖପାଖରେ ଲୁଚିଛପି ଥିବେ?”
ନାଉରିିଆଟି ମନରେ ପତଳା ହୋଇ ଆସୁଥିବା ଭୟ ଓ ସନ୍ଦେହ ପୁଣିଥରେ ଜମାଟ ବାନ୍ଧିଲା । ସେ ମନେମନେ ଭାବିଲା, ‘ଅପର ଲୋକଟାର ଉଦ୍ଦେଶ୍ୟ କଣ? କାଇଁକି ସିଏ ଏଠୁ ପଳେଇବାକୁ ବାରଣ କରୁଛି?’ ଅନ୍ଧାର ଭିତର ସିଏ ପୁଣି ନିରୀକ୍ଷଣ କଲା ଅନ୍ୟ ଲୋକଟା ମୁହଁକୁ । ମିଲ୍ ଶ୍ରମିକଟି ବି ଚାହିଁଥାଏ ନାଉରିଆ ଆଡ଼େ । ବୋଧହୁଏ ଦୁହିଁଙ୍କ ଆଖି ମିଳିଗଲା । ପ୍ରଥମ ଜଣକ କହିଲା,‘ବସିପଡ଼, ଟିକିଏ ବି ହଲଚଲ ହୁଅନା ।’
ନାଉରିଆ ଜଣକ ଏଥର ମନେମନେ ରାଗିଗଲା । ଆର ଲୋକଟା କ’ଣ ତାକୁ ଚୁପଚାପ୍ ବସିବାକୁ ଧମକ ଦେଉଛି ? ସନ୍ଦେହର କୁଣ୍ଡଳୀ ତା’ ମନ ଭିତରେ ଘନୀଭୂତ ହେବାରେ ଲାଗିଥାଏ ।
ସିଏ ବିରକ୍ତ ହୋଇ ପଚାରିଲା, ‘କାଇଁକି ଚୁପ୍ଚାପ୍ ବସି ରହିବି?’
‘କାଇଁକି କ’ଣ? କ’ଣ ମରିବାକୁ ଇଚ୍ଛା?’ ମିଲ୍ ଶ୍ରମିକଟି
ଅଭିଭାବକସୁଲଭ କଣ୍ଠରେ ତାଗିଦ୍ କଲାଭଳି କହିଲା । ନାଉରିଆଟିକୁ ଏମିତିକା କଥା ମୋଟେ ପସନ୍ଦ ହେଲାନି । ସିଏ କିଏ
ମୋତେ ବାରଣ କରିବାକୁ? ତା’ ମୁଣ୍ଡ ଭିତରେ ଅନେକ ପ୍ରକାର ସନ୍ଦେହ ଓ ଆଶଙ୍କା ଜମାଟ ବାନ୍ଧିବାକୁ ଲାଗିଲା । ତା’ପରେ ସେ ମିଲ୍ ଶ୍ରମିକଟି ଆଡ଼େ ଚାହିଁ କହିଲା, ‘ନାଇଁ ମୁଁ ଏଇଠି ଏମିତିକା ଆଣ୍ଠେଇ ରାତିସାରା ବସି ପାରିବିନି । ତୁମର ଯଦି ଏତେ ଭୟ ତୁମେ ଏଇ ପଚାଶଢ଼ା ଗନ୍ଧିଆ ଡଷ୍ଟବିନ୍ ଭିତରେ ପଶି ଲୁଚିଥାଅ ।’
ନାଉରିଆ ମୁହଁରୁ ଏପରି ବେପରୱା ଓ ପରିହାସିଆ କଥା ଶୁଣି ଆର ଲୋକଟି ମନରେ ବି ଭୟ ହେଲା । ସିଏ ମନେମନେ ଗୁଣୁଗୁଣୁ ହୋଲାଭଳି ଭାବିଲା,‘ଶଳା ଲୋକଟାର ହାବଭାବ କାଇଁକି ମୋଟେ ଭଲ ଦିଶୁନି ।’ ତା’ପରେ ହଠାତ୍ ସେ ପଚାରି ଉଠିଲା,‘ହଉ ହେଲା, ତୁମ ଇଚ୍ଛା, ଯଦି ଯିବ ଯାଅ । ହେଲେ ତମେ କୋଉ ଧର୍ମର ଲୋକ ସେକଥା ମତେ ତ କହିଲନି? ଯଦି ଏବେ ଆଗରୁ ତୁମରି ଧର୍ମର ଲୋକ ପଞ୍ଝାଏ ଆସୁଥିବେ ତା’ହେଲେ ତ ତୁମେ ସିଧା ଆସି ମତେ ଜୀବନରେ ମାରିଦେବ!’
‘କି କଥା କହୁଚ ହେ?’ ନାଉରିଆଟି ସହସା ଉତ୍ତ୍ୟକ୍ତ ହୋଇଯିବା ଭଳି କହିଉଠିଲା ।
‘ନାଇଁ, ମତେ ଭୁଲ୍ ବୁଝନି । ମୁଁ ଯାହା ଭାବିଲି ସେଇଆ ପଚାରୁଛି । ତୁମେ କ’ଣ ନିଜେ ଜାଣିନ ଇଏ ଦଙ୍ଗାହଙ୍ଗାମା ସମୟରେ
ଲୋକେ କେମିତି ସବୁ ପ୍ରକାର ଚିହ୍ନା ପରିଚୟ, ସମ୍ପର୍କକୁ ଭୁଲି ହାଣକାଟରେ ମାତିଛନ୍ତି?’
ଅପର ଲୋକଟି ତୁଣ୍ଡରୁ ଏଭଳି କଥା ଶୁଣି ନାଉରିଆଟି ସାମାନ୍ୟ ଆଶ୍ୱସ୍ତ ହେଲା । ମନେମନେ ଭାବିଲା, ‘ଲୋକଟାକୁ ସେ ଯେତିକି ଡରୁଥିଲା ସେ ସେତିକି ଭୟଙ୍କର ନୁହେଁ ।’ ଅନ୍ୟ ଲୋକଟି ଏଥର ପଚାରିଲା- ‘ତୁମେ ଯଦି ଚାଲିଯିବ ମୁଁ ଏକୁଟିଆ ଏଇଠି ଲୁଚି ବିସିବି । ଦି’ଜଣ ଥିଲେ ଟିକେ ସାହସ ମିଳୁଥିଲା ।
ଏବେ ମୁଁ ପୂରାପୂରି ଏକଲା ହୋଇ ସାରିଥିଲା । ମୃତ୍ୟୁ ଭଳି ପୁଣି ଥରେ ନିରବତା ଚାରିଆଡ଼କୁ ଆବୋରି ବସିଲା । ଅନ୍ଧାର ରାତିଟା ପୁଣି ଶୂନ୍ଶାନ୍ ପାଲଟିଗଲା । ପ୍ରତ୍ୟେକଟି ମୁହୂର୍ତ୍ତ ଲାଗୁଥାଏ ମହାକାଳର ଆଗମନ ପରି । ଯେମିତିି ଏ ଦୁଇଟି ପ୍ରାଣୀ ସେଇ ମହାକାଳର ଅପେକ୍ଷାରତ! ସେଇ ଅନ୍ଧାରୁଆ ରାସ୍ତାର ଡଷ୍ଟବିନ୍ ଦୁଇକଡ଼େ ଦୁଇଟି ଭୟାର୍ତ୍ତ ମଣିଷ: ଦୁହିଁଙ୍କ ମନରେ ପରସ୍ପର ପ୍ରତି ସନ୍ଦେହ ଓ ଭୟ । ପୁଣି ସେମାନଙ୍କ ମନେ ପଡ଼ିଯାଉଥାଏ ନିଜ ନିଜର ଘରଦ୍ୱାର ପିଲାଛୁଆଙ୍କ କଥା- ସ୍ତ୍ରୀ, ପୁଅ, ଝିଅ, ବାପମା… । ସତରେ କ’ଣ ଏଠୁ ସେମାନେ ଜୀବନ ଧରି ବର୍ତ୍ତିବେ? ସେମାନଙ୍କ ଘରକୁ ଫେରିପାରିବେ? ସହରରେ ହଠାତ୍ ଏଭଳି ଦଙ୍ଗା ଆରମ୍ଭ ହୋଇଚି । ଠିକ୍ ଅକାଳ ବଜ୍ରପାତ ଭଳି । ହସଖୁସିର ସହର ଭିତରେ ଆତଙ୍କର ଛାୟା ଖେଳିଯାଇଛି । ଚାରିଆଡ଼େ କେବଳ ହତ୍ୟା, ମାରପିଟ୍, ଲୁଣ୍ଠନ, ଅତ୍ୟାଚାର ଇତ୍ୟାଦି, ଇତ୍ୟାଦି… । ମଣିଷ ରକ୍ତ ରାସ୍ତା ଉପରେ ପଡ଼ି ବୋହିଛି ପାଣିର ଧାର ଭଳି ।
ହଠାତ୍ ଲୋକମାନେ ଯେ ଏମିତି ନିଷ୍ଠୁର ଓ ଅମାନୁଷିକ ପାଲଟିଯିବେ ସେକଥା କେହି ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରୁ ନ ଥିଲେ । ହେ ଭଗବାନ! ମଣିଷ ଜାତିଟା କି ଭୟଙ୍କର! ମିଲ୍ ଶ୍ରମିକଟି ନିରାଶାର ଦୀର୍ଘଶ୍ୱାସଟିଏ ଛାଡ଼ିଲା । ତା’ ଦେଖାଦେଖି ନାଉରିଆଟି ମଧ୍ୟ ହତାଶାଭାବ ପ୍ରକାଟ କଲା ଅନୁରୂପ ଢଙ୍ଗରେ । ମିଲ୍ ଶ୍ରମିକଟି ତା’ ପକେଟରୁ ଦି’ଖଣ୍ଡ ବିଡ଼ି ବାହାର କରି ଖଣ୍ଡିଏ ନିଜ ଓଠରେ ଧରେଇ ଅନ୍ୟଟି ନାଉରୀଆକୁ ଯାଚିଲା- ‘ବିଡ଼ି ଟାଣିବ?’ ନାଉରିଆଟି କିଛି ଉତ୍ତର ନେଦେଇ ବିଡ଼ିଟି ନେଲା ଓ କେଇଥର ସେଇଟିକୁ ଦି’ଆଙ୍ଗୁଳିରେ ମଳି ଓଠରେ ଧରେଇଲା । ମିଲ୍ ଶ୍ରମିକ ଜଣକ ଇତିମଧ୍ୟରେ ନିଜ ପକେଟରୁ ଦିଆସିଲିଟି କାଢ଼ିବାକୁ ହାତ ପୂରେଇ ଦେଖିଲା ଯେ ତା’ କୁର୍ତ୍ତାଟା ଏକବାରେ ଓଦା । ଦିଆଶିଲିଟା ପୂରାପୂରି ଭିଜିଯାଇଛି । ତଥାପି ପକେଟରୁ ସେ ଓଦା ଦିଆସିଲଟି କାଢ଼ି କାଠି ପରେ କାଠି ମାରିଚାଲିଲା ।
କେତୋଟି କାଠି ନଷ୍ଟ ହେବା ପରେ ଗୋଟିଏ କାଠି ନୀଳ ଆଲୋକ ଟିକେ ସୃଷ୍ଟି କଲାଭଳି ଲାଗିଲା । କିନ୍ତୁ ଜଳିଲାନି । ବିରକ୍ତିରେ ସେ କାଠିଟିକୁ ଫୋପାଡ଼ି ଦେଲା । ଖୋଳ ଭିତରୁ ଆଉ ଗୋଟିଏ କାଠି କାଢ଼ୁକାଢ଼ୁ ଶ୍ରମିକ ଜଣକ ବିରକ୍ତିଭରା ସ୍ୱରରେ କହିଲା, ‘ଶଳା ଦିଆଶିଲିଟା ବି ଏତିକିବେଳକୁ ଓଦା ହବାକୁ ଥିଲା! ଏତେ କାଠି ମାରି ଥକିଗଲେ ବି ଗୋଟିଏ ହେଲେ କାଠି ଜଳୁନି!’
ନାଉରିଆଟି ସେତେବେଳକୁ ମିଲ୍ ଶ୍ରମିକ ପାଖକୁ ଲାଗି ଆସିଥାଏ । ତା’ପରେ ସେ ତା’ର ସାଥୀ ହାତରୁ ଦିଆସିଲଟି ଆଣିବାକୁ ହାତ ବଢ଼େଇ କହିଲା – ‘ଜଳିବ, ବ୍ୟସ୍ତ ହୁଅନା, ମତେ ଦିଆଶିଲିଟା ଦିଅ ।’ ସତକୁ ସତ କିଛି ସମୟ ଘଷାଘଷି କରି ସେ
କାଠିଟାକୁ ଜଳେଇଲା ।
‘ହେ ଆଲ୍ଲା! ତେରା ମେହେରବାନ୍! ଶଳା ଗୋଟାଏ ଦିଆସିଲି କାଠି ଜଳେଇବାକୁ ପୁଣି ଏତେ କଷ୍ଟ କରିବାକୁ ପଡ଼େ! ଆସ ଭାଇ, ତୁମ ବିଡ଼ିରେ ନିଆଁ ଧରାଅ ।’
ବିଜୁଳି କରେଣ୍ଟ ଖାଇଲାପରି ତା’ମୁହଁ ଶେତା ପଡ଼ିଗଲା! ସାମ୍ନାରେ ସାକ୍ଷାତ୍ ଯମକୁ ଦେଖିଲା ପରି ସେ ଅନ୍ଧାର ଭିତରେ ଥରିଉଠିଲା । ତା’ ଅଜାଣତରେ ଓଠରୁ ବିଡ଼ିଟା ଖସିପଡ଼ିଲା । ‘ତା’ହେଲେ ତୁମେ… ।’ ରାସ୍ତା ଉପରେ ସୁଲୁସୁଲିଆ ପବନ ସେତେବେଳକୁ ଦିଆଶିଲି କାଠିଟାକୁ ଲିଭେଇ ସାରିଥାଏ । ପୁଣି ଅନ୍ଧାର ଓ ନିରବତା କେଇକ୍ଷଣ ଲାଗି ରାଜୁତି କଲା । ସେଇ ଅନ୍ଧାର ଭିତରେ ଦୁଇଟି ଆଖି
ଅବିଶ୍ୱାସ ଓ ଭୟରେ ଗୋଟାପଣେ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା ।
ନାଉରିଆ ଜଣକ ତତକ୍ଷଣାତ୍ ଉଠି ଠିଆହୋଇ ପଡ଼ିଲା ଓ ସାମାନ୍ୟ ଚଢ଼ା ଗଳାରେ କହିଲା, ‘ହଁ, ମୁଁ ଜଣେ ମୁସଲମାନ । ମୁଁ ମାନୁଛି ।
ହେଲେ କ’ଣ ହେଲା ସେଇଠୁ?’ ମିଲ୍ ଶ୍ରମିକଟି ଟିକିଏ ଶଙ୍କିଯିବା ଭଳି ମନେହେଲା । ପରିସ୍ଥିତିକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ଲାଗି ସେ କହିଲା, ‘ନା, ମତେ ଭୁଲ୍ ବୁଝନା । ମୁଁ ଏମିତି ପଚାରିଦେଲି । ହେଲେ… ତା’ପରେ ନାଉରିଆଟି କାଖରେ ଜାକି ଧରିଥିବା ପୁଡ଼ାଟି ଆଡ଼େ ଆଙ୍ଗୁଳି ଦେଖାଇ ପଚାରିଲା,‘ଆଚ୍ଛା ତୁମେ ଯେଉଁ ପୁଡ଼ାଟି ଧରିଚ ସେଥିରେ କ’ଣ ଅଛି?’
‘ସିଏ ପୁଡ଼ାରେ କ’ଣ ଅଛି ଯଦି ଜାଣିବାକୁ ଚାହୁଁଛ, ତା’ହେଲେ କହୁଛି , ଶୁଣ । ଆସନ୍ତାକାଲି ଇଦ୍ ପର୍ବ । ଏଇ ପୁଡ଼ାରେ ମୋ ଝିଅ
ପାଇଁ କେଇଖଣ୍ଡ ଫ୍ରକ୍ ଆଉ ମୋ ସ୍ତ୍ରୀ ପାଇଁ ଖଣ୍ଡେ ଶାଢ଼ି ଅଛି ।’‘କେବଳ ଫ୍ରକ୍ ଆଉ ଶାଢ଼ି ତ? ସତ କହୁଛ , ସେଥିରେ ଆଉ କିଛି
ନାହିଁ?’ ମିଲ୍ ଶ୍ରମିକଟି ପଚାରିଲା ।
‘ତୁମେ କ’ଣ ଭାବୁଛ, ମୁଁ ମିଛ କହୁଛି ବୋଲି? ଯଦି ସେମିତି ଭାବୁଥାଅ, ତା’ହେଲେ ନିଜେ ପୁଡ଼ାଟି ନେଇ ଦେଖ । ତା’ଭିତରେ କ’ଣ
ଅଛି ଜାଣିପାରିବ । ତୁମ ମନ ବୁଝିଯିବ ।’ ନାଉରିଆ କାଖରେ ଜାନିଥିବା ପୁଡ଼ାଟି ମିଲ୍ ଶ୍ରମିକ ଆଡ଼କୁ ବଢ଼େଇଦେଲା ।
‘ନାଇଁ, ନାଇଁ, ଥାଉ । ଆରେ ଭାଇ, ତୁମେ କହିଲ, ମୁଁ ବିଶ୍ୱାସ କଲି । ଆଉ ଦେଖିବା କ’ଣ ଦରକାର? ମତେ ଭୁଲ୍ ବୁଝିବନି । ଆଜିକାଲି ବେଳକାଳ ଯାହା ହେଲାଣି, କାହାକୁ ବିଶ୍ୱାସ କରିବ କହୁନ? କେତେବେଳେ କିଏ ବିଶ୍ୱାସରେ ବିଷ ଦେଇଦେବ ସେକଥା ଆଦୌ ଜାଣି ହବନି ।’
‘ସେକଥା ସତ ଯେ ଭାଇ, କିନ୍ତୁ ତୁମେ ଯେମିତି ମତେ ଅବିଶ୍ୱାସ କଲ, ମୁଁ ବି ସେମିତି ତମକୁ ଅବିଶ୍ୱାସ କରିବା ସ୍ୱାଭାବିକ । ନୁହେଁ? ଆଚ୍ଛା, ଏବେ କୁହ, ତୁମେ କିଛି ଛୁରୀ କି ଭୁଜାଲି ପାଖରେ ଲୁଚେଇ ରଖିନ ତ?’
‘ନା, ଭାଇ । ମୁଁ ଭଗବାନଙ୍କ ରାଣ ଖାଇ କହୁଛି , ମୋ ପାଖରେ ଛୁଞ୍ଚିଟିଏ ବି ନାହିଁ । ମୁଁ ତ କେମିତି ଜୀବନ ଧରି ମୋ ଘରେ ପହଞ୍ଚିବି ସେଥିପାଇଁ ବ୍ୟାକୁଳ ।’ ଏତିକି କହି ମିଲ୍ ଶ୍ରମିକଟି ଯାଇ ହାତ ଟେକି ଠିଆହେଲା ନାଉରିଆ ପାଖରେ । ‘ମୋ ଦେହମୁଣ୍ଡ ଭଲ କରି
ପରଖି ନିଅ । ମୋ ପାଖରେ କିଛି ବୋଲି କିଛି ମାରଣାସ୍ତ୍ର ନାହିଁ ।’ ଦି’ଜଣଯାକ ପୁଣି ପାଖାପାଖି ବସି ପଡ଼ିଲେ । ବିଡ଼ିରେ ନିଆଁ
ଧରେଇଲେ ଓ ଟାଣିବାରେ ମଜ୍ଜିଗଲେ । କିନ୍ତୁ ଏଇ ଅବିଶ୍ୱାସଭରା ବାର୍ତ୍ତାଳାପ ପରେ ପୁଣି ଥରେ କେମିତି କଥାବାର୍ତ୍ତା ଆରମ୍ଭ କରିବେ ସତେ କି ତା’ର ଉପାୟ ମନେ ମନେ ଖୋଜି ପାଉ ନ ଥିଲେ ଦୁହିଁଙ୍କୁ ଦୁହେଁ ।
ଏଥର ନାଉରୀଆ ଜଣକ ବେଶ୍ ଆତ୍ମୀୟତାଭରା ସ୍ୱରରେ ଆରମ୍ଭ କଲା- ‘ ଆଚ୍ଛା, ମତେ ଗୋଟିଏ କଥା ବୁଝେଇ କହିଲ, ଏସବୁ ଦଙ୍ଗାହାଙ୍ଗାମା, ହାଣକାଟ, ପୋଡ଼ାଜଳା କାହିଁକି ଘଟିଲା? ୟା’ ମୂଳ କେଉଁଠି?’ ମିଲ୍ ଶ୍ରମିକଟି ବେଳେବେଳେ ଖବରକାଗଜ ପଢ଼ି ସେଥିରୁ ଯାହାସବୁ ତଥ୍ୟ ଜାଣିଥିଲା ଅବା ତା’ ସାଙ୍ଗସାଥୀମାନଙ୍କ ଠାରୁ ଯାହା ସବୁ ଶୁଣିଥିଲା ସେଇଆକୁ ଗଣ୍ଠିଧନ କଲାଭଳି ତୁରନ୍ତ କହିଉଠିଲା, ‘ତୁମେ ଯାହା ଭାବ ଭାଇ, ଯେତେସବୁ ଗଣ୍ଡଗୋଳର କାରଣ, ତା’ ମୂଳରେ ତୁମରି ଲୋକ । ସେଇମାନେ ପ୍ରଥମେ ଏସବୁ ଦଙ୍ଗା ଆରମ୍ଭ କରିଛନ୍ତି ।’
ନାଉରିଆଟି ଏଭଳି ଉତ୍ତରର ପ୍ରତିବାଦ କଲାଭଳି କହିଲା, ‘ମୁଁ ତୁମକୁ ସେକଥା ପଚାରି ନଥିଲି । ମୋର ପଚାରିବା କଥା, ଏଭଳି
ହାଣକାଟରୁ ମିଳିବ କ’ଣ? ତୁମ ଧର୍ମର କିଛି ଲୋକ ମରିବେ, ଘର ଉଜୁଡ଼ିବ । କିଛି ମାଇପେ ରାଣ୍ଡ ହେବେ । କେତେ ଶିଶୁ ଅନାଥ
ହେବେ, ଦାଣ୍ଡରେ ଭିକ ମାଗି ବୁଲିବେ । ଆମ ଧର୍ମର ବି ସେଇ ଏକା ଦଶା ହେବ । ହେଲେ ଏସବୁଥିରୁ ଦେଶ ପାଇବ କ’ଣ? କୋଉ ଧର୍ମର ଲାଭ ହେବ?’ ମୁଁ ବି ଠିକ୍ ସେଇ କଥା ଜାଣିବାକୁ ଚାହୁଁଚି । ଭଲ ଆଉ ହେବ କ’ଣ? ଯାହା ହେବ ତାହା ଏଇଭଳିଆ ଦଙ୍ଗାଫସାଦ୍ ହିଁ ହେବ । ତୁମେ ନିଜେ ଭାବୁନା ଭାଇ, ଧର, ଏ ଦଙ୍ଗାରେ ତୁମେ ମର ବା ମୁଁ ମରେ, ଆମମାନଙ୍କ ଭାରିଜାମାନେ ତ ରାଣ୍ଡ ହେବେ ନିଶ୍ଚୟ; ଆମ ପିଲାଛୁଆଗୁଡ଼ାକ ଅନାଥ ହେବେ ନାହିଁ କି? ଗଲାଥର ଗଣ୍ଡଗୋଳବେଳେ କ’ଣ ହେଲା ଜାଣିଛ? ମୋ ଭିଣୋଇକୁ କିଏ ମାରିଦେଲା । ଖଣ୍ଡାରେ ଚାରିଗଡ଼ କରି ଦେଇଥିଲା । ମୋ ଭଉଣୀ ବିଧବା ହୋଇ ତା’ପିଲାଛୁଆ ଧରି ଆସି ଆମ ଘରେ ମୁଣ୍ଡ ଗୁଞ୍ଜିଚି । ସେମାନଙ୍କ ସବୁ ଦାୟିତ୍ୱ ଏବେ ମୋରି ଉପରେ ।’
‘ମତେ ବେଳେବେଳେ ଲାଗୁଛି ଆମକୁ ମଣିଷ ଜନ୍ମ ଦେଲା କିଏ? ବୋଧହୁଏ ଆମେ ସବୁ ମଣିଷ ନୁହଁ । ଗୋଟାଏ ଗୋଟାଏ ବୁଲା
କୁକୁର ।’ ନାଉରିଆ ଜଣକ ଦାର୍ଶନିକସୁଲଭ ମନ୍ତବ୍ୟ ଦେଲା ।
:‘ହଁ, ସତରେ, ଆମେମାମେ କୁକୁରଠାରୁ ବି ହୀନ ।’
:‘ଆମମାନଙ୍କ କଥା ଚିନ୍ତା କରୁଛି କିଏ?
ଏଇ ଦଙ୍ଗା ଲାଗିବା ଦିନଠାରୁ ମୋ ବେଉସା ମାନ୍ଦା । ମୋ ପିଲାଛୁଆଙ୍କ ମୁହଁରେ ଆହାର ଗଣ୍ଡେ ଦେଇ ପାରୁନି । ମୋ ଡଙ୍ଗାଟାକୁ ଲୋକେ ଛଡ଼େଇନେଲେ । ଆଉ କ’ଣ ମୋତେ ମୋ ଡଙ୍ଗା ମିଳିବ! ସେ ଆଶା ମୋର ନାହିଁ । ମାସକୁ ମାସ ଜମିଦାର ଓ ନାଏବ କୋର୍ଟକୁ ଯିବା ଲାଗି ମୋରି ଡଙ୍ଗାଟାକୁ ନେଉଥିଲେ । ଜମିଦାର ସା’ବ୍ ଓ ନାଏବବାବୁ ପାଞ୍ଚଟଙ୍କା ଭଡ଼ା ଦିଅନ୍ତି । ସେତିକିରେ ମୋ ଗୁଜରାଣ ମେଣ୍ଟିଯାଏ । ହେଲେ ଆଉ କ’ଣ ସିଏ ହିନ୍ଦୁ ଲୋକମାନେ ମୋ ଡଙ୍ଗାରେ ବସିବେ?’
ମିଲ୍ ଶ୍ରମିକଟି କିଛି କହିବାକୁ ଯାଉଥିଲା । କିନ୍ତୁ କହିବା ଆଗରୁ ହଠାତ୍ ଚୁପ୍ ପଡ଼ିଗଲା । ଗୋଟିଏ ଭାରିବୁଟ୍ ଜୋତାର ମଚ୍ ମଚ୍ ଶବ୍ଦ କ୍ରମେ ନିକଟତର ହେଉଥିଲା । ସହରର ମୁଖ୍ୟ ରାସ୍ତାଆଡ଼ୁ ଏଇ ଶବ୍ଦଟି ଆସୁଥିବା ପରି ଲାଗୁଥିଲା । ଭୟ ଓ
ବିସ୍ମୟପୂର୍ଣ୍ଣ ଆଖିରେ ଉଭୟେ ଉଭୟଙ୍କୁ ଚାହିଁ ରହିଲେ । କାହାରି ମୁହଁରେ ଭାଷା ନାହିଁ । ନାଉରିଆ ଜଣକ ନିଜର ପୁଡ଼ାଟିକୁ ଚଟାପଟ କାଖରେ ଜାକିଧରି ଚୁପ୍ଚାପ୍ ପଚାରିଲା,‘ଏବେ କ’ଣ କରିବା?’
ମିଲ୍ ଶ୍ରମିକଟି ପ୍ରସ୍ତାବ ଦେଲା- ‘ଚାଲ, ଦୌଡ଼ି ପଳେଇବା । ହେଲେ କେଉଁ ରାସ୍ତାରେ ଦୌଡ଼ିବା? ଇଏ ଜାଗାର ରାସ୍ତାଘାଟ ବିଷୟରେ ତ ମତେ ମାଲୁମ୍ ନାହିଁ ।’
ଏଥର ନାଉରୀଆଟି ଅଧୈର୍ଯ୍ୟ ହୋଇପଡ଼ିଲା ପରି କହିଲା- ‘ଆରେ ଭାଇ, ଯୁଆଡ଼େ ଇଚ୍ଛା ସିଆଡ଼େ ଚାଲ ଦୌଡ଼ିବା । ଏଠି ବସି
ରହିବା ଅର୍ଥ ଅଯଥାରେ ପୁଲି ମାଡ଼କୁ ମୂଲେଇବା ସଙ୍ଗେ ସମାନ । ସିଏ ହାରାମଜାଦାମାନଙ୍କୁ ତୁମେ ଚିହ୍ନିନ । ଥରେ ଧରି ପକେଇଲେ ଅଦା ଛେଚିଲା ଭଳିଆ ଛେଚିଦେଇ ଯିବେ ।’
‘ହଁ, ତୁମେ ଠିକ୍ କହୁଚ । ହେଲେ କେଉଁ ରାସ୍ତାରେ ଦୌଡ଼ିବା ତୁମେ କୁହ । ପୁଲିସ ପୂରାପୂରି ପାଖେଇ ଆସିଲାଣି ।’
‘ଏଇ ରାସ୍ତାରେ ଦୌଡ଼ିବା’- ନାଉରୀଆ ଜଣକ ସେମାନଙ୍କ ଡାହାଣପଟେ ଲମ୍ବିଥିବା ରାସ୍ତ।। ଆଡ଼କୁ ଆଙ୍ଗୁଳି ଦେଖାଇ
ନିର୍ଦ୍ଦେଶ ଦେଲା ଓ ଆଶ୍ୱାସନା ଦେଲାଭଳିଆ କହିଲା- ‘ଆମେ ଯଦି ବାଦାମ ନଦୀଘାଟ ପାଖରେ ପହଞ୍ଚି ଯାଇପାରିବା ତା’ହେଲେ ଆମର କେହି କିଛି କରି ପାରିବେନି ।’
ଏଥର ମୁଣ୍ଡଟିକୁ ନୁଆଁଇ ଦି’ଜଣଯାକ ଦୌଡ଼ା ଆରମ୍ଭ କରିଦେଲେ ଏକମୁହାଁ । ସେମାନେ ମୁଖ୍ୟ ରାସ୍ତା ଡେଇଁ ଆସି ପପହଞ୍ଚିଗଲେ
ପାତୁଆତୁଲି ରୋଡ୍ରେ ।
ସେତେବେଳକୁ ସେମାନେ ଗୋଟାପଣେ କ୍ଳାନ୍ତ ହୋଇଯାଉଥାଆନ୍ତି । ହେଲେ ସେଠାରେ କାହାରି ପାଦଶବ୍ଦ ଶୁଭୁ ନ ଥିଲା । ନିର୍ଜନ ରାସ୍ତାଟା କେବଳ ପାଖ ବତିଖୁଣ୍ଟରେ ଜଳୁଥିବା ଆଲୁଅରେ ଆଲୋକିତ ଦିଶୁଥାଏ । ଏବେ ସେଇଠି ଦୁହେଁ ଦଣ୍ଡେ ଠିଆହେଲେ । ସେମାନଙ୍କର ବିଶ୍ୱାସ ହେଲା ଏଠି ସେମାନଙ୍କୁ କେହି ଦେଖୁ ନାହାନ୍ତି ବୋଲି । କିନ୍ତୁ ଏଠି ଏମିତି ଅଧିକ ସମୟ ଠିଆ ହୋଇରହିବା ନିରାପଦ ନମଣି ପୁଣି ଦୁହେଁ ଦୌଡ଼ିଲେ ପଶ୍ଚିମଦିଗକୁ ଲମ୍ବିଥିବା ରାସ୍ତାରେ । ସେମାନେ କେଇ ପାହୁଣ୍ଡ ମାତ୍ର ଆଗକୁ ବଢ଼ିଛନ୍ତି କି ନାହିଁ ସେମାନଙ୍କ କାନରେ ପଡ଼ିଲା ଘୋଡ଼ା ଟାପୁର ଶବ୍ଦ । ଆଗକୁ ଚାହିଁ ଦୁହେଁ ଲକ୍ଷ୍ୟକଲେ, ଜଣେ କିଏ ଘୋଡ଼ା ପିଠିରେ ବସି ସେମାନଙ୍କ ଆଡ଼କୁ ଆସୁଚି । ଆଉ ଚିନ୍ତା କରିବାକୁ ବେଳ ନାହିଁ । ରାସ୍ତାକଡ଼ରୁ ଗଳି ଭିତରକୁ ସେମାନେ ପଶି ଛପିଗଲେ । କେଇ ସେକେଣ୍ଡ ପରେ ସେଇ ବାଟ ଦେଇ ଜଣେ ଗୋରା ପୁଲିସ୍ ଖୁବ୍ ଜୋରରେ ଘୋଡା ଼ଚଢ଼ି ଚାଲିଗଲା । ତାଙ୍କ ଅଣ୍ଟାରେ ରିଭଲଭରଟିଏ ଖୋସା ହୋଇଥିଲା । ଦୁହିଁଙ୍କ ଛାତି ସେତେବେଳକୁ ଥରି ଉଠୁଥାଏ । ଘୋଡ଼ ଟାପୁର ଶବ୍ଦ ମିଳାଇ ଯିବା ଯାଏ ସେମାନେ ସେଇ ଅନ୍ଧାରୁଆ
ଗଳି ଭିତରେ ଛପି ରହିଥାନ୍ତି । ତା’ପରେ ସେମାନେ ପ୍ରଥମେ ରାସ୍ତା ଉପରକୁ ଉଣ୍ଡି ଲକ୍ଷ୍ୟକଲେ, କାଳେ ଆଉ କିଏ ଆସୁଚି କି ନାହିଁ ।
ରାସ୍ତା ପୁଣି ନିର୍ଜନ ହୋଇଯିବା ଦେଖି ଏଥର ସେମାନେ ପୁଣି ରାସ୍ତା ଉପରକୁ ବାହାରି ଆସିଲେ । ରାସ୍ତାକଡ଼ ଫୁଟପାଥ୍ ଉପରେ ଲମ୍ବା ପାହୁଣ୍ଡ ପକାଇ ଚାଲୁ ଚାଲୁ ମିଲ୍ ଶ୍ରମିକଜଣକ ମନେମନେ ଗୁଣୁଗ୍ଣୁ ହୋଇ କ’ଣ କହିଚାଲିଥାଏ ।
କିଛି ବାଟ ଯାଇଚନ୍ତି କି ନାହିଁ ନାଉରିଆ ଜଣକ କହିଉଠିଲା- ‘ରହିଯାଅ ।’ ମିଲ୍ ଶ୍ରମିକଟି ଅଟକିଗଲା । କିନ୍ତୁ ଆଖିରେ ତା’ର
ବିସ୍ମୟର ପ୍ରଶ୍ନବାଚୀ । ସେ ପଚାରିଲା, ‘କ’ଣ ହେଲା?’
‘ଏଠିକି ଆସି ଦେଖ ।’ ମିଲ୍ ଶ୍ରମିକଟିର ହାତକୁ ଧରି ସିଏ ଆଙ୍ଗୁଳି ଦେଖାଇ ଗୋଟି ପାନଦୋକାନ କଡ଼କୁ ନେଇଯା କହିଲା,‘ଦେଖିପାରୁଚ ସେଇଆଡ଼େ?’ଶ୍ରମିକ ଜଣକ ଲକ୍ଷ୍ୟକଲା, ଗୋଟିଏ ଘରୁ ଆଲୁଅ ଦିଶୁଚି । ପାଖ ବାଲକୋନି ଉପରେ ଦଶ ବାରଜଣ ବନ୍ଧୁକଧାରୀ ପୁଲିସ୍ । ସେମାନଙ୍କ ସାମ୍ନାରେ ଠିଆ ହୋଇଚନ୍ତି ସେଇ ଗୋରା ଅଫିସର ଜଣକ, ଯିଏ ଏଇ କିଛି ସମୟ ଆଗରୁ ଏଇ ବାଟ ଦେଇ ଯାଇଥିଲେ । ଗୋରା ସାହାବ ବନ୍ଧୁକଧାରୀ ପୁଲିସମାନଙ୍କୁ କିଛି ନିର୍ଦେଶ ଦେଉଥିଲେ ବୋଧହୁଏ । ତାଙ୍କ ପାଟିରେ ଲାଗିଥିବା ଚୁରୁଟରୁ ଅନବରତ ଧୂଆଁ ବାହାରି ଚାଲିଥାଏ । ବାଲକୋନୀ ତଳେ ଆଉ ଜଣେ ଖାକି ପୋଷାକପିନ୍ଧା ପୁଲିସବାଲା ଘୋଟାଟିର ଲଗାମ ଧରି ଠିଆ ହୋଇଥାଏ ନିଶ୍ଚଳ ମୂର୍ତ୍ତିଟିଏ ଭଳି । ମଝିରେ ମଝିରେ ଘୋଡ଼ାଟି ତା’ର ଖୁରାକୁ ଜଣେ ଶୃଙ୍ଖଳିତ ସୈନିକ ଭଳି କଦମତାଲ କରି ଚାଲିଥାଏ ।
ନାଉରୀଆଟି ଶ୍ରମିକର କାନ ପାଖକୁ ଲାଗିଆସି କହିଲା- ‘ଏଇଟା ହେଉଛି ଇସଲାମପୁର ପୁଲିସ୍ ଆଉଟପୋଷ୍ଟ । ଆମେ ଆଉ ଟିକିଏ ଆଗକୁ ଯାଇ ପାରିଲେ ଆଉଟପୋଷ୍ଟର ବାଁ ପଟ ରାସ୍ତାରେ ଯାଇ ବାଦାମତାଲି ନଦୀଘାଟରେ ସହଜରେ ପହଞ୍ଚି ପାରିବା ।’
ମିଲ୍ ଶ୍ରମିକଟିର ମୁହଁ ସେତେବେଳକୁ ଭୟରେ କଳାକାଠ ପଡ଼ିଯାଇଥାଏ । ସିଏ ଭୟମିଶା କଣ୍ଠରେ ପଚାରିଲା, ‘ହେଲେ ଆମେ
ଥାନା ପାର ହେବା କେମିତି?’
‘ସେଇଥିପାଇଁ ତ କହୁଚି, ତୁମେ ଏଇଠି କେଉଁଠି ଛପିଯାଅ । ଘାଟ ପାଖକୁ ଗଲେ ତୁମର କିଛି ଲାଭ ହେବନି । ଏଇଟା ହିନ୍ଦୁ ଲୋକମାନଙ୍କ ଇଲାକା । କିନ୍ତୁ ଇସଲାମପୁର ମୁସଲମାନ ଲୋକଙ୍କ ଗାଆଁ । ତେଣୁ ରାତିଟାଏଇଠି ଲୁଚି ରହିବା ତୁମପାଇଁ ସବୁଠୁ ନିରାପଦ । ସକାଳୁ ସକାଳୁ ନିରାପଦରେ ଘରକୁ ଲେଉଟିଯାଇ ପାରିବ ।’ ନାଉରୀଆଟି କହିଲା ।
ନାଉରୀଆ ମୁହଁରୁ ଏମିତିକ କଥା ଶୁଣି ଶ୍ରମିକଟିର ହାଲୁକା ଶୁଖିଗଲା । ସିଏ ଉତ୍କଣ୍ଠାଭରା କଣ୍ଠରେ ପଚାରିଲା, ‘ତୁମେ କ’ଣ ସତରେ
ମତେ ଛାଡ଼ି ଚାଲିଯିବ?’ ଏଥର ନାଉରୀଆ ଟିକିଏ ଖାପଛଡ଼ା ସ୍ୱରରେ ଉତ୍ତର ଦେଲା, ‘ଦେଖ, ମୁଁ ଆଗରେ ଯାଉଚି । କାରଣ ମୁଁ ଆଉ ଦଣ୍ଡେହେଲେ ଏଠି ରହି ପାରିବିନି । ମୁଁ ଘରୁ ଆଠଦିନ ହେଲା ଆସିଲିଣି । ମୋ ପିଲାଛୁଆ ସମସ୍ତେ ମତେ ଚାହିଁ ବସିଥିବେ । ରାତି ପାହିଲେ ଇଦ୍ । ଘରେ ମୋର ପିଲାଛୁଆ କେମିତି ଅଛନ୍ତି ସେକଥା ବି ମତେ ମାଲୁମ୍ ନାହିଁ ।
ଆଲ୍ଲାଙ୍କୁ ଜଣା, ମୁଁ ସାମ୍ନା ରାସ୍ତାଟା କେମିତି ପାର ହେବି । ନଦୀଘାଟରେ ଥରେ ପହଞ୍ଚିଲେ ମୋର ଆଉ କାହାକୁ ଡର ନାହିଁ ।
ଘାଟରେ ଡଙ୍ଗା ନ ଥିଲେ ବି ମୁଁ ପହଁରି ପହଁରି ନଦୀ ପାର ହୋଇପାରିବି ।’
‘ତୁମେ କି କଥା କହୁଚ ଭାଇ! ମତେ ଏମିମତି ଏକୁଟିଆ ଛାଡ଼ିଦେଇ ଯିବାଟା କ’ଣ ତୁମର କର୍ତ୍ତବ୍ୟ?’ ଏତିକ କହି ମିଲ୍ ଶ୍ରମିକଟି ନାଉରିଆର କୁର୍ତ୍ତାଟିକୁ ଭିଡ଼ି ଧରିଲା । ‘ମତେ ଅଟକାଅନା ଭାଇ, ମତେ ଯିବାକୁ ଦିଅ । ବର୍ଷକରେ ଗୋଟିଏ ବୋଲି ପର୍ବ । ଆଜି ମୋ ପୁଅଝିଅମାନେ ଚାନ୍ଦ ଦେଖି ମୋ ଫେରିବା ପାଟକୁ ଅନେଇ ରହିଥିବେ । ସେମାନେ ବହୁତ ଖୁସିହେବେ । ପୁଣି ମୋ ସ୍ତ୍ରୀ ବି ମୋ ଫେରିବା ବାଟକୁ ଅପେକ୍ଷା କରି ରହିଥିବ । କୌଣସି ମତେ ମୁଁ ଆଉ ଅଟକି ପାରିବିନି ଭାଇ । ମତେ ଯେମିତି ହେଲେ ଯିବାକୁ
ପଡ଼ିବ ।’ନାଉରିଆଟିର କଣ୍ଠସ୍ୱର ବେଳକୁବେଳ କରୁଣ ଓ ଆର୍ଦ୍ର ହୋଇ ଉଠୁଥାଏ । ତା’ ସହିତ ମିଲ୍ ଶ୍ରମିକଟିର ହୃଦୟ ଯେମିତି ଦୁର୍ବଳ
ହୋଇ ପଡ଼ୁଥାଏ ବେଳକୁ ବେଳ । ନାଉରୀଆର କୁର୍ତ୍ତାରୁ ତା’ର ହାତମୁଠା ବି କେତେବେଳେ ଢିଲା ହୋଇ ସାରିଥିଲା ସେକଥା ତାକୁ ଜଣା
ନ ଥିଲା । ସେ ଏଥର ନିଜ କଥା ଭୁଲି ନାଉରିଆର ରାସ୍ତା ପାରହେବା ପ୍ରତି ଅଧିକ ଚିନ୍ତାଶୀଳ ହୋଇପଡ଼ିଲା ଓ ପଚାରିଲା, ‘ଆଚ୍ଛା, ରାସ୍ତା ପାର ହେଲାବେଳକୁ ଯଦି ସେମାନେ ତୁମକୁ ଧରିପକାନ୍ତି?’
‘ମତେ ସେମାନେ ଆଦୌ ଧରି ପାରିବେନି । ତୁମେ ମୋ ଲାଗି ବ୍ୟସ୍ତ ହୁଅନା । ଏଇଠି ଚୁପଚାପ୍ ବସିରହ । କାଲି ସକାଳେ ଘରକୁ ଫେରିଯିବ । ମୁଁ ଚାଲିଲି । ଏଇ କାଳ ରାତିର ଭୟଙ୍କର ଅଭିଜ୍ଞତାକୁ ମୁଁ ଜୀବନସାରା ଭୁଲି ପାରିବିନି । ଆଚ୍ଛା, ଚାଲିଲି ।’ ନାଉରୀଆଟି
ମୁଣ୍ଡ ତଳକୁ ନୁଆଁଇ ଧୀରେ ଧୀରେ ଆଗକୁ ବଢ଼ିବାକୁ ଆରମ୍ଭ କଲା । ପଛରେ ମିଲ୍ ଶ୍ରମିକଟି ନିଃଶ୍ୱାସ ବନ୍ଦ୍ କରି ଚାହିଁ ରହିଥାଏ
ନାଉରିଆକୁ, ଏକାଲୟରେ । ମନେ ମନେ ସେ ଭଗବାନଙ୍କୁ ଡାକୁଥାଏ- ‘ପ୍ରଭୁ, ବିଚରା ଲୋକଟି ତା’ ଘରେ ଭଲରେ ଭଳରେ ପହଞ୍ଚିଯାଉ ।’ କିନ୍ତୁ ତା ଛାତି ଧଡ଼ଧଡ଼ ବାଜୁଥାଏ । କାଳେ କେତେବେଳେ କିଏ ରାସ୍ତା ଉପରକୁ ଆସି ନାଉରିଆଟିକୁ ଦେଖିନେବ! ଏମିତି
କିଛି ସମୟ ନିରବରେ ବିତିଗଲା । ନାଉରିଆ କେତେବେଳୁ ଆଖିରୁ ଅଦୃଶ୍ୟ ହୋଇଗଲାଣି । ଘାଟରେ ବୋଧେ ପହଞ୍ଚି ସାରିବଣି । ତା’ର ପିଲାମାନେ ବାପକୁ ଦେଖି ଓ ନୂଆ ପୋଷାକ ପାଇ କେଡ଼େ ଖୁସି ନହେବେ! ବାପ ମନ ବି ଥୟ ଧରିଲାନି । ବିପଦକୁ ସୁଦ୍ଧା ଖାତିର ନ କରି ଘରମୁହାଁ ଧରିଲା । ଦୀର୍ଘଶ୍ୱାସଟିଏ ବାହାରି ଆସିଲା ଶ୍ରମିକଟି ଛାତିରୁ, ସତେ ଯେମିତି ସେଇ ଦୀର୍ଘଶ୍ୱାସ ଭିତରେ ତା’ ମନର ସବୁ ଭୟ ଓ ଦୁଃଖ ପଦାକୁ ବାହାରି ଆସିଲା! ସେ ପୁଣି ଭାବିଲା, ନାଉରିଆ ଘରେ ପହଞ୍ଚୁ ପହଞ୍ଚୁ ତା’ ସ୍ତ୍ରୀ ତା’ ଛାତି ଉପରକୁ ଆଉଜିଆସି କାନ୍ଦିଉଠିବ । ଖୁସିରେ ତା’ ଆଖିରୁ ଧାର ଧାର ଲୁହ ବହିଯିବ, ସ୍ୱାମୀ ଫେରିଥିବା ଆନନ୍ଦରେ । କହି ଉଠିବ- ‘ଆଲ୍ଲାଙ୍କୁ କୋଟି କୋଟି ସଲାମ, ସିଏ ତୁମକୁ ମରଣ ମୁହଁରୁ ବଞ୍ଚେଇଛନ୍ତି ।’ ତା’ର ଆଖିକୋଣରେ ହସ ଉକୁଟି ଉଠିବ । ଆଉ ସେତେବେଳେ ନାଉରିଆଟି ମନ ଗର୍ବରେ ଭରି ଉଠୁଥିବ ।
‘ରହି ଯା’ ।
ଏଁ! ଇଏ ପୁଣି କାହା ସ୍ୱର? ମିଲ୍ ଶ୍ରମିକଟିର ଛାତି ଥରି ଉଠିଲା । କେହି ଜଣେ ଭାରୀ ବୁଟ୍ପିନ୍ଧା ଲୋକ ଏଣେତେଣେ ଦୌଡ଼ାଦୌଡ଼ି
କରୁଥବାର ଶବ୍ଦ ଏବେ ବେଶ୍ ସ୍ପଷ୍ଟ ଶୁଭୁଥିଲା । ସେମାନେ ବଡ଼ପାଟିରେ ଚିତ୍କାର କରି କାହାକୁ ଜଣକୁ ପିଛା କରୁଥିଲେ ।
‘ଶଳା ଡାକୁ, ଦୌଡ଼ି ପଳଉଚି!’ ମୁହଁଟିକୁ ସାମାନ୍ୟ ଆଗକୁ ଆଣି ମିଲ୍ ଶ୍ରମିକ ଜଣକ ଲକ୍ଷ୍ୟକଲା, ହାତରେ ରିଭଲଭରଟିଏ ଧରି ଜଣେ ପୁଲିସ ଅଫିସର ରାସ୍ତା ଉପରକୁ ଡ଼େଇଁ ପଡ଼ିଲା । ସାମ୍ନାରେ କେଉଁ ଗୋଟିଏ ବସ୍ତୁକୁ ଲକ୍ଷ୍ୟକରି ଦୁଇଥର ଗୁଳି ଫୁଟାଇଲା ।
‘ଧାଏଁ, ଧାଏଁ!’ ଅଗ୍ନିର ଦୁଇଟି ନୀଳ ସ୍ଫୁଲିଙ୍ଗ ବାହାରି ପୁଣି ଅନ୍ଧାରରେ ମିଳେଇଗଲା । ସମଗ୍ର ପରିବେଶଟିର ନିରବତା ହଠାତ୍
ଯେପରି ଖିନଭିନ୍ ହୋଇଗଲା! ଭୟରେ ମିଲ୍ ଶ୍ରମିକଟି ସେତେବେଳକୁ ଚେତାଶୂନ୍ୟ ହୋଇଯିବା ଉପରେ ।
ସାଙ୍ଗେ ସାଙ୍ଗେ ଘୋଡ଼ାଟିଏ ପିଠି ଉପରକୁ ଡେଇଁପଡ଼ି ପୁଲିସ ଅଫିସର ଜଣକ ଆଗକୁ ମାଡ଼ି ଚାଲିଲେ । ରିଭଲଭରର ଗୁଳି ନିଶ୍ଚୟ
ଲକ୍ଷ୍ୟଭେଦ କରିଛି ବୋଲି ତାଙ୍କର ଦୃଢ଼ ବିଶ୍ୱାସ । କାରଣ ସେ ନିଜେ ଶୁଣି ପାରିଚନ୍ତି ପଳାତକର ଆର୍ତ୍ତ ଚିତ୍କାର ।
‘ଏଁ, ଇଏ କ’ଣ? ରାସ୍ତା ଉପରେ ଇଏ କାହା ଶରୀର ଗଡ଼ୁଚି! ଇଏ ତ ସେଇ ନାଉରୀଆ! ଏଇ ଟିକକ ଆଗରୁ ତା’ରି ସାଥିରେ ଲୁଚି
ବସିଥିଲା । ଶ୍ରମିକଟି ଚାହିଁ ଦେଖିଲା, ନାଉରିଆର ସେଇ ରକ୍ତ ଜୁଡ଼ୁବୁଡ଼ୁ ଦେହ ସହ ତା’ର ପିଲାମାନଙ୍କପାଇଁ ରଖିଥିବା ନୂଆ
ପୋଷାକପୁଡ଼ାଟି ବି ତାଜା ରକ୍ତରେ ଗୋଟାପଣେ ସାଲୁବାଲୁ । ପର ମୁହୂର୍ତ୍ତରେ ବିପଦକୁ ଖାତିର ନକରି ମିଲ୍ ଶ୍ରମିକଟି ଦୌଡ଼ିଗଲା
ତା’ ନିକଟକୁ । ଯନ୍ତ୍ରଣାରେ ଅଥୟ ହୋଇଉଠି ନାଉରିଆଟି ଖୁବ୍ କଷ୍ଟରେ କହିବାକୁ ଚେଷ୍ଟା କଲା, “ମୁଁ ମୋ ପିଲାମାନଙ୍କ ମୁହଁ ଦେଖି
ପାରିଲିନି ଭାଇ । କାଲି ଇଦ୍ପର୍ବରେ ମୋ ପିଲାମାନେ ଖଣ୍ଡେ ନୂଆ କନା ପିନ୍ଧିବାକୁ ନ ପାଇ କାନ୍ଦିବେ । ଏ ହୀନ ଲୋକଗୁଡ଼ାକ ମୋତେ
ମୋ ଘରେ ପହଞ୍ଚିବାକୁ ଦେଲେନି… ।’ ଆଉ କିଛି କହିବା ଆଗରୁ ତା’ର ସାରା ଶରୀରଟା ନିଶ୍ଚଳ ହୋଇଗଲା ଚିରଦିନ ସକାଶେ । ସେ ବିଦାୟ ନେଇ ସାରିଥିଲା ଶ୍ରମିକଟିଠାରୁ ।
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.