Latest Odisha News

ସ୍ୱପ୍ନାଦେଶ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଫଗୁଣ ମାସ ପଶିକି ଏଇ ଦିନେ ଦି ଦିନ ହେଇଥିବ। ଗାଁରେ ସେତେବେଳକୁ ଜମିବାଡ଼ିରେ ଏତେ କିଛି କାମ ନାହିଁ। ମାଘ ମାସ ସୁଦ୍ଧା ସମସ୍ତଙ୍କ ଧାନ ଅମଳ ସରିଛି। ସେଥିପାଇଁ କେହି କେହି ଜମିରେ ମୁଗ ବିରି ବୁଣିଛନ୍ତି ତ ଆଉ କିଏ ଖରାଦିନିଆ ପନିପରିବା ଗଣ୍ଡେ ଚାଷ କରିଛନ୍ତି। ଆଉ ଯେଉଁମାନଙ୍କ ନିଜର ଆମ୍ବ ପଣସର ତୋଟା ଅଛି କିମ୍ବା କାଜୁ ବଗିଚା ଅଛି, ସେଇଠି ସେମାନେ ଡେରା ବାନ୍ଧିବା ଆରମ୍ଭ କରିସାରିଲେଣି। ହେଲେ ଏ ସବୁ କାମରୁ ମୁକ୍ତ ଅଛି ରାମପୁର ଗାଁର ସାବିତ୍ରୀ। ପୁଅ ଝିଅ ନିଜ ନିଜ ସଂସାରରେ ବ୍ୟସ୍ତ। ସ୍ୱାମୀ ସବୁ ବେଳେ ଶାସ୍ତ୍ର ଜ୍ଞାନ ଚର୍ଚ୍ଚାରେ ମଗ୍ନ। ଆଉ ସେ ନିଜେ ନିଜର ସମସ୍ତ ସମୟ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ କଟାଇଦିଏ।

ରାମପୁର ଗାଁର ସବୁଠୁ ବଡ଼ ଆକର୍ଷଣ ହେଉଛି, ସେଇଠି ସବୁଦିନ ସନ୍ଧ୍ୟାରେ ହେଉଥିବା ସଂକୀର୍ତ୍ତନ୍ୟ। ପରସ୍ଥିତି ଯାହା ହେଉ ନା କାହିଁକି, ସବୁଦିନ ସନ୍ଧ୍ୟାରେ ସଂକୀର୍ତ୍ତନ୍ୟ ମଣ୍ଡଳୀ ଗାଁ ପରିକ୍ରମା କରିବା ଧାର୍ଯ୍ୟ। ହରେକୃଷ୍ଣ ହରେରାମ ଧ୍ୱନିରେ ଗାଁ ଦାଣ୍ଡ ଅଧାଘଣ୍ଟା ପାଇଁ କମ୍ପିଉଠେ। ସାତ ଆଠ ବର୍ଷର ପିଲାଟିଏ ଲଣ୍ଠନଟିଏ ଧରି ଆଗେ ଆଗେ ଚାଲେ, ତା ପଛକୁ ନାମ ଗାଇ କୀର୍ତ୍ତନିଆମାନେ ତାଳ, ମୃଦଙ୍ଗ ବଜାଇ ଚାଲନ୍ତି। ପ୍ରତିଦିନ ଗାଁର ଜଣକ ଦୁଆର ମୁହଁରେ ଠାକୁର ଭୋଗ ଖାଆନ୍ତି। ଆଜି ଜଣକ ଦୁଆରେ ତ କାଲି ତା ପଡ଼ୋଶୀର ଦୁଆରେ, ତା ପରଦିନ ତା ପାଖ ଦୁଆରେ.. ଏମିତି ହିଁ ଭୋଗ ଖାଆନ୍ତି ଠାକୁର। ବର୍ଷସାରା ଏହି ଧାରା ଅବ୍ୟାହତ ରହିଛି କାହିଁ କେଉଁ କାଳରୁ। କେବଳ ସେତିକି ନୁହେଁ, ଗାଁରେ ପ୍ରତି କାର୍ତ୍ତିକ ପୂର୍ଣ୍ଣିମା ଦିନ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞର ଆୟୋଜନ କରାଯାଏ। କିନ୍ତୁ ପ୍ରାୟ ପଚିଶ ବର୍ଷ ହେଲାଣି ଗାଁରେ ଚବିଶ ପ୍ରହର ନାମଯଜ୍ଞ ହୋଇନାହିଁ। ଏଥିପାଇଁ କିଏ କେତେ କାରଣ ଦେଖାଉଛନ୍ତି। ଆଖପାଖ ଗାଁ ଲୋକେ ବର୍ଷେ ଦି ବର୍ଷ ବ୍ୟବଧାନରେ ଚବିଶ ପ୍ରହର (ବାସ୍ତରୀ ଘଣ୍ଟା- ତିନି ଦିନ) ନାମଯଜ୍ଞ ଆୟୋଜନ କରୁଛନ୍ତି। କିନ୍ତୁ ରାମପୁର ପାଇଁ କେତେବେଳେ କେଉଁ ସମସ୍ୟା। ସେଥିପାଇଁ ବୋଧେ ପଚିଶ ବର୍ଷ ହେଲାଣି ଏଭଳି ଆୟୋଜନ କରିବା ସମ୍ଭବ ହୋଇପାରିନି।

ସେଦିନ ଫଗୁଣର ନିଶାର୍ଦ୍ଧରେ ପୂରା ଗାଁ ଶୋଇଥିଲା ନିଘୋଡ଼ ନିଦରେ। କୃଷ୍ଣପକ୍ଷ .. ଅନ୍ଧାର ରାତି। ଗାଁରେ ତ ବିଜୁଳିବତି ନଥିଲା। କାଉ କୁକୁଡ଼ାର ବି ଶବ୍ଦ ନାହିଁ। ହଠାତ୍ ଶେଯରୁ ଉଠି ବସିଲା ସାବିତ୍ରୀ। ଚାଉଁକିନା ତା ନିଦ ଭାଙ୍ଗି ଯାଇଥିଲା। ଅନ୍ଧାର ଘରଟା ଭିତରେ ତାକୁ କିଛି ଦେଖାଯାଉନଥିଲା। କିନ୍ତୁ ସେ ଅନୁଭବ କରିପାରୁଥିଲା ତା ଦେହଟା ଝାଳରେ ଗୋଟାତୁଲେ ଓଦା ହୋଇଯାଇଛି। ସେ ଭାବୁଥିଲା, କଣ ସବୁ ଦେଖିଲା ସେ। ତା ସ୍ୱପ୍ନରେ ଥିଲେ ଜଣେ ତେଜୋଦୀପ୍ତ ଯୁବ ସନ୍ନ୍ୟାସୀ। ତାଙ୍କ ସାଙ୍ଗରେ ଦଳେ ଶିଷ୍ୟ। ସମସ୍ତେ ଖୋଳ କରତାଳ ମୃଦଙ୍ଗ ଧରି ଉଦଣ୍ଡ କୀର୍ତ୍ତନ କରୁଛନ୍ତି। ସେ ଅନୁଭବ କରିପାରୁଥିଲା ଝୁଣା, କର୍ପୂର, ଚନ୍ଦନ, ଗୁଗୁଳର ମହମହ ବାସ୍ନା। ହରେକୃଷ୍ଣ ହରେ ରାମ ଧ୍ୱନିରେ ସତେ ଯେମିତି କେବଳ ଗାଁ ନୁହେଁ, ପୂରା ଚଉଦଭୁବନ କମ୍ପିଉଠୁଛି। ଗାଁ ମହିଳାମାନେ ଦୁଆର ମୁହଁରେ ଗୋବର ଲିପି, ତା ଉପରେ ଝୋଟି ମୁରୁଜ ପକାଇ, ପୂର୍ଣ୍ଣକୁମ୍ଭ ଥୋଇ, ଦୀପ ଜଳାଇ ହୁଳହୁଳି ପକାଇ ପାଛୋଟି ନେଉଛନ୍ତି ସେହି ସନ୍ନ୍ୟାସୀ ଓ ତାଙ୍କ ଅନୁଗାମୀମାନଙ୍କୁ। ଧୀରେ ଧୀରେ ସେମାନଙ୍କ ସହିତ ପୂରା ରାମପୁର ଗାଁର ପିଲାରୁ ବୁଢ଼ା ସମସ୍ତେ ମଜ୍ଜିଯାଇଛନ୍ତି ଉଦଣ୍ଡ କୀର୍ତ୍ତନରେ।

ଅନ୍ଧାର ଭିତରେ ମୁଣ୍ଡପାଖରୁ ନିଆଁପେଡ଼ିଟାକୁ ବାହାର କରି ଜଳାଇବା ପୂର୍ବରୁ ସେଇ ପାଖରେ ଥିବା ପାଣି ଢାଳଟାରୁ ପାଣି ତକ ଢକ ଢକ କରି ପିଇଗଲା ସାବିତ୍ରୀ। ତା ପରେ ମିଞ୍ଜିମିଞ୍ଜି ଡିବିରି ଆଲୁଅରେ ନିଜ ଶେଯରୁ ଉଠି ଘରର କବାଟ ଖୋଲିଲା। ବାହାରକୁ ଯାଇ ଦେଖିଲା ଆକାଶଟା ନିର୍ମଳ। ତାରି ଭିତରେ ଗୋଠେ ତାରା ଝଲମଲ କରି ଝଲସୁଛନ୍ତି। କିନ୍ତୁ ଗାଁ ଦାଣ୍ଡରେ ସେମିତି କୌଣସି ସଂକୀର୍ତ୍ତନ୍ୟର ସଂକେତ ନାହିଁ। ସେତେବେଳେ ଯାଇ ସେ ଜାଣିପାରିଲା ଯେ, ଏଇଟା ଥିଲା ତାର ସ୍ୱପ୍ନ। କିନ୍ତୁ ଏ କଣ, ଯଦି ଏଇଟା ସ୍ୱପ୍ନ ଥିଲା, ତାହେଲେ ଗାଁ ଦାଣ୍ଡଟା ଏମିତି ଚୁଆ ଚନ୍ଦନ ବାସ୍ନାରେ ମହମହ ବାସୁଛି କେମିତି? ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲା ସାବିତ୍ରୀ। ଏତିକିବେଳେ ବାରଣ୍ଡାରେ ଶୋଇଥିବା ତା ସ୍ୱାମୀଙ୍କ ନିଦ ଭାଙ୍ଗିଗଲା। ପଚାରିଲେ, କଣ ହେଲା। ଏଇଠି ଏମିତି ରାତିରେ କାହିଁକି ଠିଆ ହୋଇଛୁ। କିଛି ଅସୁବିଧା ହେଲାକି? ସେତେବେଳକୁ ସାବିତ୍ରୀର ଆଖିରୁ ନିଦ ସମ୍ପୂର୍ଣ୍ଣ ରୂପେ ଯାଇସାରିଥିଲା। ସେ ଆଉ ନିଜକୁ ରୋକି ପାରିଲା ନାହିଁ। ଅନର୍ଗଳ ଭାବେ କହିଚାଲିଲା ସେ ଦେଖିଥିବା ସ୍ୱପ୍ନର କାହାଣୀ।

ଏତିକିବେଳେ ଗାଁ ଦାଣ୍ଡରେ ଜଣେ ଦି ଜଣ ମହିଳା ପାହାନ୍ତିଆ ପୂର୍ବରୁ ନିତ୍ୟକର୍ମ ସାରିବା ପାଇଁ ପୋଖରୀ ଆଡ଼େ ଯାଉଥାନ୍ତି। ସାବିତ୍ରୀ ଆଉ ଶୋଇବ କଣ। ସେ ବି ଚାଲିଲା ସେମାନଙ୍କ ସହିତ। ସ୍ନାନଶୌଚ ହୋଇ ଘରକୁ ଫେରି ପ୍ରଥମେ ଈଶାଣ ପାଖରେ ଦୀପଟିଏ ଲଗାଇଲା ସାବିତ୍ରୀ। ତା ମନରେ ଉଠୁଥିବା ପ୍ରଶ୍ନ ସବୁ ନେଇ ସେ ଘରର ଈଶାଣ ମହାପ୍ରଭୁଙ୍କ ପାଖରେ ହିଁ ବସିପଡ଼ିଲା। ତା ଭିତରେ ଚାଲିଥିଲା ଏହି ସବୁ ପ୍ରଶ୍ନ। ଏଭଳି ସ୍ୱପ୍ନ ସେ ଦେଖିଲା କାହିଁକି? ଏ ସ୍ୱପ୍ନର ମାନେ କଣ? ପ୍ରକୃତରେ କଣ ଶ୍ରୀଚୈତନ୍ୟ ତା ସ୍ୱପ୍ନରେ ଆସିଥିଲେ?  ଏ ସ୍ୱପ୍ନର କଣ କିଛି ବାର୍ତ୍ତା ଅଛି? ସେ ସନ୍ନ୍ୟାସୀମାନେ କଣ ଏଇଆ କହିବାକୁ ଆସିଥିଲେ ଯେ, ରାମପୁର ଗାଁରେ ଚବିଶପ୍ରହର ନାମଯଜ୍ଞ ହେବା ଦରକାର? କିନ୍ତୁ ତା ପାଖରେ ସେ ସବୁ ପ୍ରଶ୍ନର କୌଣସି ଉତ୍ତର ନଥିଲା।

ପରଦିନ ସକାଳୁ ଗାଁର ମୁରବୀ ସ୍ଥାନୀୟ ଲୋକଙ୍କୁ ଏହି କଥା କହିଲା ସାବିତ୍ରୀ। ଜଣକ ପରେ ଜଣେ ସମସ୍ତେ ସେ ଦେଖିଥିବା ଏହି ସ୍ୱପ୍ନ ସମ୍ପର୍କରେ ଜାଣିଲେ। ତା ପରେ କଣ ହେଲା କେଜାଣି, ଗାଁ ଲୋକେ ସେଦିନ ସନ୍ଧ୍ୟାରେ ହିଁ ଡକାଇଲା ଗ୍ରାମସଭା। ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ସଭାରେ। ଏତିକି ବେଳେ ପ୍ରଥମ ଥର ପାଇଁ ସାବିତ୍ରୀକୁ ଡକାଗଲା ଗାଁ ସଭାକୁ। ସେଇଠି ସମସ୍ତଙ୍କ ସାମ୍ନାରେ ସ୍ୱପ୍ନ ସମ୍ପର୍କରେ ବଖାଣି ବସିଲା ସାବିତ୍ରୀ। ତା କଥା ସରିଲା ବେଳକୁ ତା ଆଖିରୁ ବହିଯାଉଥିଲା ଧାର ଧାର ଲୁହ। ସେ ସମ୍ପୂର୍ଣ୍ଣରୂପେ ମୋହାଚ୍ଛନ୍ନ ଥିଲା। ଏତିକି ବେଳେ ଗାଁର ବୟୋବୃଦ୍ଧ ବ୍ୟକ୍ତିମାନେ କହିଲେ, ଏଇଟା ଏକ ସ୍ୱପ୍ନାଦେଶ। ଆମକୁ ମାନିବାକୁ ହିଁ ହେବ। ସମସ୍ତେ ଭାବୁଥିଲେ ଟୋକାପିଲାମାନେ ଏକଥାକୁ ବିରୋଧ କରିବେ। କିନ୍ତୁ ସେୟା ହେଲାନି। ସମସ୍ତେ ଏକାଠି ଏକସ୍ୱରରେ କହିଲେ, ଏହି ଦୋଳପୂର୍ଣ୍ଣିମାକୁ ଆମେ ଗାଁରେ ଚବିଶପ୍ରହର ନାମଯଜ୍ଞ କରିବା। ଏଥିରେ ଆଉ ବିଳମ୍ବ ନାହିଁ।

ସେହି ରାତିର ଗାଁ ସଭାରେ ହିଁ ସ୍ଥିର ହେଲା ଯେ ନାମଯଜ୍ଞ ନିଶ୍ଚିତ ରୂପେ କରାଯିବ। ତା ପରେ ଗାଁରେ ଲୋକଙ୍କ ମନରେ ଯେଉଁ ଆନନ୍ଦ ତାହା ଦେଖିଲାଭଳି। ସମସ୍ତଙ୍କ ମନରେ ଏକ ଅଭୂତ ଉତ୍ସାହ। ଗାଁର ରାସ୍ତା, ଗାଁ ନାମଯଜ୍ଞ ମଣ୍ଡପର ମରାମତି ସାଙ୍ଗକୁ, ପୂରା ଗାଁକୁ କିଭଳି ଆକର୍ଷଣୀୟ ଶୈଳୀରେ ସଜାଇ ଦିଆଯାଇପାରିବ, ସେଥିପାଇଁ ଲାଗିପଡ଼ିଥିଲା ପୂରା ଗାଁ। ସମସ୍ତେ ଲାଗିପଡ଼ିଥିଲେ ନିଜ ନିଜ ଯୋଗଦାନ ଦେବା ପାଇଁ। କିଏ ସ୍ୱେଚ୍ଛାକୃତ ଭାବେ ପ୍ରସାଦସେବନ ବ୍ୟବସ୍ଥାର ଦାୟିତ୍ୱ ନେଇଥିଲା ତ, ଆଉ କିଏ ଆଖପାଖ ସମସ୍ତ ଗାଁରୁ ଅତିଥି ନିମନ୍ତ୍ରଣ ଦାୟିତ୍ୱ। କିଏ ବୁଝୁଥିଲା ସାଜସଜ୍ଜା କଥା ତ ଆଉ କିଏ ଏହି ମହୋତ୍ସବ ପାଇଁ ପ୍ରତି ଘରୁ ଚାଉଳ, ଅନୁଦାନ ସଂଗ୍ରହ କରିବାରେ ବ୍ୟସ୍ତଥିଲା । ଲାଗୁଥିଲା ପୂରା ଗାଁଟା ଗୋଟିଏ ପରିବାର ପାଲଟି ଯାଇଛି।

ଦୋଳପୂର୍ଣ୍ଣିମାର ତିନି ଦିନ ପୂର୍ବରୁ ହେଲା ନାମଯଜ୍ଞର ଅଧିବାସ। ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ଆରମ୍ଭ ହେଲା ନାମଯଜ୍ଞ। କୀର୍ତ୍ତନିଆଙ୍କ ଖୋଳ କରତାଳ ଧ୍ୱନିରେ ସତକୁ ସତ କମ୍ପିଉଠିଲା ପୂରା ରାମପୁର ଗାଁ। ପୂରା ଗାଁରେ ଥିଲା ଏକ ଆନନ୍ଦମୟ ପରିବେଶ। ଲୋକଙ୍କୁ ଦେଖିଲେ ଲାଗୁଥିଲା ସତେ ଯେମିତି ଏଇଠି କୌଣସି ବାଦ ବିବାଦ, ଗଣ୍ଡଗୋଳ, ମନାନ୍ତର କି ମତାନ୍ତର ନାହିଁ। ସମସ୍ତେ ସମସ୍ତଙ୍କ ସହଯୋଗୀ। ଆଖପାଖ ପ୍ରାୟ ପଚିଶ ଖଣ୍ଡ ଗାଁର କୀର୍ତ୍ତନିଆଙ୍କ ସମେତ ସେ ସବୁ ଗାଁର ନିମନ୍ତ୍ରିତ ଲୋକେ ଆସି ସାମିଲ ହୋଇଥିଲେ ନାମଯଜ୍ଞରେ। ଦିନ ରାତି ଚାଲିଥିଲା ନାମ ସଂକୀର୍ତ୍ତନ୍ୟ, ଅନ୍ନଯଜ୍ଞ ଏବଂ ଗାଁ ଠାକୁରାଣୀଙ୍କ ନିକଟରେ ଘୃତଯଜ୍ଞ। ନିଜ ଘରର ପୁଅ କିମ୍ବା ଝିଅ ବାହାଘର ପାଇଁ ଲୋକମାନେ ଯେମିତି ବ୍ୟସ୍ତ ରହନ୍ତି, ଠିକ୍ ସେମିତି ଗାଁଟା ଯାକ ଲୋକ ବିଭିନ୍ନ କାମରେ ଲାଗିପଡ଼ିଥିଲେ। ତିନି ଦିନର ନାମଯଜ୍ଞ ପରେ ଶେଷରେ ଦୋଳପୂର୍ଣ୍ଣିମା ଦିନ ହେଲା ଯମୁନାସ୍ନାନ। ନାମଯଜ୍ଞ ଶେଷ ହେଲା। ଗାଁର ପିଲାରୁ ବୁଢ଼ା ସମସ୍ତେ ନାଚିଲେ ନଗର ପରିକ୍ରମାରେ। ରଙ୍ଗ ଅବିରର ଖେଳରେ ଗାଁ ଲୋକ ଓ ଗାଁ ଦାଣ୍ଡ ସବୁକିଛି ରଙ୍ଗିନ ହୋଇଉଠିଲା। ହେଲେ ସେଦିନର ପୂର୍ଣ୍ଣାହୁତି ଓ ନାମଯଜ୍ଞ ଅବସାନ ପରେ ସମସ୍ତଙ୍କ ଆଖିରେ ଥିଲା ଲୁହ। ଲାଗୁଥିଲା ଯେମିତି କେହି ଗାଁ ଛାଡ଼ି ଚାଲିଯାଇଛି ସବୁଦିନ ପାଇଁ।

ଏହି ନାମଯଜ୍ଞ ପରେ ଗୋଟିଏ କଥା ଦେଖିବାକୁ ମିଳିଲା ଗାଁରେ। କହିବାକୁ ଗଲେ, ପୂରା ଗାଁ ସେଦିନଠୁ ଗୋଟିଏ ପରିବାର ଭଳି ବ୍ୟବହାର କରୁଥିଲା। କାହାରି ଭିତରେ ମନାନ୍ତର ମତାନ୍ତର ନଥିଲା। ଜଣେ ଆଉ ଜଣକ ସୁଖଦୁଃଖରେ ପହଞ୍ଚି ଯାଉଥିଲା ବିନା ଡାକରାରେ। ପୂରା ଗାଁର ଲୋକଙ୍କୁ ଅନୁଭବ ହେଉଥିଲା, ଯେମିତି ଆଉ ସେ ଗାଁରେ କୌଣସି ଅଭାବ ନାହିଁ। କାହାରି କିଛି ଅଭାବ ଅସୁବିଧା ହେଲେ ଗାଁର ଅନ୍ୟମାନେ ଅଛନ୍ତି ସେଥିପାଇଁ। ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ବଢ଼ିଯାଇଥିଲା ଗାଁ ଲୋକଙ୍କର। ନାମଯଜ୍ଞ ପରେ କେତେ କଣ ଖର୍ଚ୍ଚ ହେଲା, ଆଉ କେଉଁଠି କିଛି ବକେୟା ରହିଗଲା କି, ସେକଥା ଆଲୋଚନା ପାଇଁ ପୁଣି ବସିଲା ଗାଁ ସଭା। ସେହି ସଭାରେ ପୁଣି ପହଞ୍ଚିଥିଲା ସାବିତ୍ରୀ। କିନ୍ତୁ, ସେ କିଛି କହିବା ପୂର୍ବରୁ, ଗାଁଟା ଯାକର ଲୋକ କହିଲେ, ଧନ୍ୟ ସାବିତ୍ରୀ .. ତୋତେ ଈଶ୍ୱର ସ୍ୱପ୍ନାଦେଶ ଦେଇ ଆମ ଗାଁର ଭାଗ୍ୟ ବଦଳାଇଦେଲେ। ଏ ଗାଁ ତତେ ସବୁବେଳେ ମନେ ରଖିଥିବ। ଏତିକିବେଳେ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲା ସାବିତ୍ରୀ।

 

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

 

 

Comments are closed.