Latest Odisha News

ତିନି ଶହ ରାମାୟଣ (୩)

ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି  ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।

ମୂଳ ରଚନା  : ଏ. କେ. ରାମାନୁଜନ୍ 

ରାମଙ୍କର କୃପାରୁ

ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ?

ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ;

ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ,

କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ ।

ନମ୍ମାଲୱାର ୭.୫.୧ (ରାମାନୁଜନ ୧୯୮୧, ୪୭)

କମ୍ବରଙ୍କର ମହାନ କାବ୍ୟ ନମ୍ମାଲଭାରଙ୍କର ରାମଙ୍କର ଲୀଳାର ଏକ ବିସ୍ତୃତ ଓ ପ୍ରେମପୂର୍ଣ୍ଣ ବ୍ୟାଖ୍ୟାନ ଅଟେ ।

ଅତଏବ୍ ଦୁଇଟିଯାକ ରାମକଥାରେ ଅହଲ୍ୟା ଅଧ୍ୟାୟଟି ପ୍ରାୟ ସମାନ । ମାତ୍ର କଥନିକା ରଚିବାର ଶୈଳୀ, ରଙ୍ଗ ଓ ଓ ବିଭାବ ଅଲଗାଅଲଗା । କମ୍ବରଙ୍କର କଥାର ରସ ବାଲ୍ମିକୀଙ୍କର କଥାର ଉପଯୁକ୍ତ ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ । ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ, ପର ସମୟର ସମସ୍ତ ରାମକଥା ଗୁ଼ଡିକ ନିଜର ପୂର୍ବ ରାମକଥାଗୁଡ଼ିକର ଆଖ୍ୟାୟିକାମାନଙ୍କର ଜ୍ଞାନ ଉପରେ ନିର୍ଭରଶୀଳ; ଏଣୁକରି ସେଗୁଡ଼ିକୁ ଆମେ ମେଟା-ରାମାୟଣ ବୋଲି କହିପାରିବା ।

ଏଠାରେ ମୁଁ ମୋର ପ୍ରିୟତମ ଉଦାହରଣ ନଦେଇ ରହିପାରିବି ନାହିଁ । ଅନେକ ରାମାୟଣରେ, ଉଦାହରଣ ସ୍ୱରୂପ, ଷଡ଼ଦଶ ଶତାବ୍ଦୀରେ ରଚିତ ଆଧ୍ୟାତ୍ମ ରାମାୟଣରେ, ରାମଙ୍କୁ ବନବାସ ଭୋଗ କରିବାର ଆଦେଶ ମିଳିଲା ପରେ, ସେ ସୀତାଙ୍କୁ ନେଇ ଦେଶାନ୍ତର ହୋଇ ବନଗମନ କରିବାକୁ ଚାହାନ୍ତି ନାହିଁ । ଏଥିକୁ ନେଇ ସୀତା ତାଙ୍କ ସହିତ ଯୁକ୍ତି କରନ୍ତି । ପ୍ରଥମେ ସେ ତାଙ୍କୁ ଚିରାଚରିତ ଉଦାହରଣମାନ ଦିଅନ୍ତି । ଯଥା, ସୀତା ରାମଙ୍କର ପତ୍ନୀ ହୋଇଥିବାରୁ ସେ ତାଙ୍କ ସହ ବନବାସ କରି ପତିଙ୍କର ଦୁଃଖରେ ଭାଗୀ ହେବା ବିଧେୟ ଇତ୍ୟାଦି ।

ମାତ୍ର ଏଥିକୁ ରାମ ନିଜର ବିରୋଧ ଜାରି ରଖିବାରୁ ସେ କ୍ରୋଧରେ ଫାଟି ପଡ଼ି କୁହନ୍ତି ଯେ, ଏହା ପୂର୍ବରୁ ଅଗଣିତ ରାମାୟଣ ଲେଖା ହୋଇସାରିଛି । ତୁମେ ଏପରି ଗୋଟିଏ ବି ରାମାୟଣ ଜାଣିଛ କି, ଯେଉଁଥିରେ ସୀତା ରାମଙ୍କ ସହ ବନକୁ ଯାଇନାହାନ୍ତି ?’ ଏଥି ସହିତ ସମସ୍ତ ଯୁକ୍ତିତର୍କର ଅନ୍ତ ହୁଏ ଓ ସେ ରାମଙ୍କ ସହ ବନବାସ କରନ୍ତି । (ଅଧ୍ୟାତ୍ମ ରାମାୟଣ ୨.୪.୭୭-୭୮ : ନାଥ ୧୯୧୩, ପୃଷ୍ଠା ୩୯ ଦେଖନ୍ତୁ) ତେଣୁ ଭାରତରେ କୌଣସି ଜିନିଷ ସ୍ୱତନ୍ତ୍ର ଭାବରେ କେବଳ ଥରେ ଘଟେ ନାହିଁ ; ଏହି ଆଖ୍ୟାୟିକାଟିକୁ ଆମେ ଏକାଧିକ ରାମାୟଣରେ ଦେଖିବାକୁ ପାଇବା ।

କମ୍ବରଙ୍କର  ରାମାୟଣ ଲେଖା ହେବା ପରେ ଏହା ନିଜର ସନ୍ତତି, ନିଜର ପ୍ରଭାବର ଏକ ବିଶେଷ ଅଞ୍ଚଳ, ସୃଷ୍ଟିକରେ । ଲୋକେ ତେଲଗୁ ଦେଶରେ ତେଲଗୁ ଲିପିରେ ଏହାକୁ ପଢ଼ନ୍ତି, ମାଲୟାଲମ ଅଞ୍ଚଳର ମନ୍ଦିରମାନଙ୍କର ରୀତିନୀତିରେ ଏହା ନାଟ୍ୟରୂପ ନିଏ । ରାମକଥାର ଦକ୍ଷିଣପୂର୍ବ ଏସିଆକୁ ପ୍ରବାହରେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଏ । ଏହା ପ୍ରମାଣ କରାଯାଇସାରିଛି ଯେ, ଅଷ୍ଟାଦଶ ଶତାବ୍ଦୀରେ ଥାୟୀ ଭାଷାରେ ଲିଖିତ ‘ରାମକିଏନ୍’ ର ଅବଲମ୍ବନ ଅନେକ ଦୃଷ୍ଟିରୁ ଏହି ତାମିଳ ଗାଥା ।

ଉଦାହରଣ ସ୍ୱରୂପ, ଏହି ଥାୟୀ ରାମକଥାରେ ଅନେକ ଚରିତ୍ରମାନଙ୍କର ନାମ ସଂସ୍କୃତ ଭାଷାର ନୁହେଁ ବରଂ ସେଗୁଡ଼ିକର ଉତ୍ସ ତାମିଳ । ଯଥା, ସଂସ୍କୃତରେ ଯାହା ୠଷ୍ୟଶୃଙ୍ଗ, ତାହା ତାମିଳ ରାମାୟଣରେ କଳାଇକୋଟୁ । ଥାଇ ‘ରାମକିଏନ୍’ରେ ଆମେ ଏହି ତାମିଳ ନାମ ହିଁ ପାଇବା । ତୁଳସୀଦାସ ରଚିତ ହିନ୍ଦିଭାଷାରେ ଲିଖିତ ‘ରାମଚରିତ ମାନସ’ ଏବଂ ମାଳୟ ଭାଷାରେ ଲିଖିତ ‘ହିକାୟତସେରିରାମ’ରେ ଅନେକ ବର୍ଣ୍ଣନାର ଉତ୍ସ କମ୍ବରଙ୍କର କାବ୍ୟ (ସିଙ୍ଗରାଭେଲୁ ୧୯୬୮) ।

ଅତଏବ ଏହି କାବ୍ୟିକ ରୁଆପୋତା ଅନେକ ମାର୍ଗ ଦେଇ ହୋଇଅଛି । ଆମେ ଏହି ପ୍ରକ୍ରିୟାର ଅନ୍ୟ ଉଦାହରଣ ମଧ୍ୟ ଦେଇପାରିବା । କେତେ ଭାଷାରେ ଯାହା ପାଇଁ ଶବ୍ଦ ଉତ୍ତର ଚୀନ୍ ଦେଇ ଆସିଥିବାବେଳେ ଅନ୍ୟ କେତେକ ଭାଷାରେ ଏହା ଦକ୍ଷିଣ ଚୀନ୍ ରୁ ଆସିଅଛି । ଅତଏବ୍, ଇଂରାଜୀ ଓ ପ୍ରେଞ୍ଚ୍ ଭଳି କିଛି ଭାଷାରେ ‘ଟି’ ଶବ୍ଦର କିଛି ରୂପ ଥିବାବେଳେ ହିନ୍ଦୀ ଓ ଋଷୀୟଭଳି ଭାଷାମାନଙ୍କରେ ଆମେ ‘ଚା’ ଶବ୍ଦର କିଛି ରୂପ ଦେଖିବାକୁ ପାଇବା ।

ସେହିପରି ସନ୍ତୋଷ ଦେଶାଇଙ୍କ ମତାନୁସାରେ ରାମଙ୍କର କଥା ତିନୋଟି ମାର୍ଗରେ ଭ୍ରମଣ କରିଥିବାର ଜଣାଯାଏ । ଉତ୍ତର ଦିଗର ମାର୍ଗଟି ଗପଟିକୁ ପଞ୍ଜାବ ଏବଂ କାଶ୍ମୀରରୁ ଚୀନ, ତିବ୍ଦତ ଓ ପୂର୍ବ ତୁର୍କିସ୍ଥାନ କୁ ନେଲା; ସମୁଦ୍ର ଦେଇ ଦକ୍ଷିଣ ମାର୍ଗଟି ଗୁଜୁରାଟ ଏବଂ ଦକ୍ଷିଣ ଭାରତରୁ ଗପଟିକୁ ଜାଭା, ସୁମାତ୍ରା ଏବଂ ମାଳୟକୁ ନେଲା । ଏବଂ ଆଉ ଥରେ ପୁଣି ପୂର୍ବ ଦିଗର ମାର୍ଗଟି ଗପଟିକୁ ବଙ୍ଗଳାଦେଶରୁ ବର୍ମା, ଥାଇଲାଣ୍ଡ ଓ ଲାଓ ଆଦି ଦେଶକୁ ନେଲା । ଭିଏତନାମ୍ ଏବଂ କାମ୍ବୋଜ ସେମାନଙ୍କର ଗପଗୁଡ଼ିକୁ କିଛି ଅଂଶରେ ଜାଭା ଦ୍ୱୀପରୁ ଓ ଆଉ କିଛି ଅଂଶରେ ପୂର୍ବ ଦିଗର ମାର୍ଗ ଦେଇ ଭାରତରୁ ପାଇଲେ (ଦେଶାଇ ୧୯୭୦, ୫) ।

ଜୈନ କଥନ

ଆମେ ଜୈନ କଥନର ଦୁନିଆକୁ ପ୍ରବେଶ କଲେ ଦେଖିବା ଯେ, ରାମଙ୍କର ଗଳ୍ପରେ ଆଉ ହିନ୍ଦୁ ମୂଲ୍ୟବୋଧଟିମାନ ନାହିଁ । ଜୈନ ପୋଥିଗୁଡ଼ିକ ଏହି ଭାବ ପ୍ରକାଶ କରନ୍ତି ଯେ, ହିନ୍ଦୁମାନେ ଓ ବିଶେଷତଃ ବ୍ରାହ୍ମଣମାନେ, ରାବଣଙ୍କର ଚରିତ୍ର ସଂହାର କରି ତାଙ୍କୁ ଏକ ଖଳନାୟକରେ ପରିଣତ କରିଛନ୍ତି । ଜୈନ ପୋଥିଗୁଡ଼ିକ କେତେଗୁଡ଼ିଏ ପ୍ରଶ୍ନ ପଚାରି ନିଜର ବକ୍ତବ୍ୟ ଆରମ୍ଭ କରନ୍ତି ।

ସେହି ପ୍ରଶ୍ନଗୁଡ଼ିକ ହେଲା – ମାଙ୍କଡ଼ମାନେ ରାବଣଙ୍କ ପରି କ୍ଷମତାଶାଳୀ ରାକ୍ଷସ ବୀରମାନଙ୍କୁ କିଭଳି ଭାବେ ପରାଜିତ କରିପାରିବେ ? ରାବଣଙ୍କ ଭଳି ସମ୍ଭ୍ରାନ୍ତ ଓ ଜୈନ ବ୍ୟକ୍ତି କିଭଳି ମାଂସଭକ୍ଷଣ ଓ ରକ୍ତପାନ କରିପାରିବେ ? କୁମ୍ଭକର୍ଣ୍ଣ କିପରି ବର୍ଷକେ ଲଗାତାର ଛଅ ମାସ ଶୋଇପାରିବ ତଥା କାନରେ ଜଳନ୍ତା ତେଲ ଢଳାଗଲେ ମଧ୍ୟ ଓ ଉପରେ ହାତୀଟିମାନ ଚଢ଼ାଗଲେ ମଧ୍ୟ, କାନ ପାଖରେ ଯୁଦ୍ଧର ଭେରୀ, ତୁରୀ ଓ ଶଙ୍ଖ ଆଦି ବଜାଗଲେ ମଧ୍ୟ, ନିଦରୁ ଉଠିବ ନାହିଁ ? ରାବଣ କୁଆଡ଼େ ଇନ୍ଦ୍ରଙ୍କୁ ହାତକଡ଼ି ପକାଇ ଲଙ୍କାକୁ ଟାଣିଆଣିଥିଲା । ଇନ୍ଦ୍ରଙ୍କୁ ଏହା କିଏ କରାଇପାରିବ କି?

ସବୁ କିଛି ତେଣୁ କରି ଉଦ୍ଭଟ କଳ୍ପନାପ୍ରସୂତ । ଏଗୁଡ଼ିକ ମିଥ୍ୟା ଏବଂ ଯୁକ୍ତିସଙ୍ଗତ ନୁହେଁ । ରାଜା ଶ୍ରେଣିକ ତାଙ୍କର ସେହି ପ୍ରଶ୍ନଗୁଡ଼ିକ ବିଷୟରେ ଚିନ୍ତା କରି ଋଷି ଗୌତମଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କୁ ସତ୍ୟ କଥା ବର୍ଣ୍ଣନା କରି ସନ୍ଦେହମୋଚନ କରିବା ପାଇଁ ଅନୁରୋଧ କରନ୍ତି । ଗୌତମ ତାଙ୍କୁ କହନ୍ତି, ‘ମୁଁ ତୁମ୍ଭଙ୍କୁ ଜୈନ ପଣ୍ଡିତମାନେ ଏ ବିଷୟରେ କ’ଣ କହନ୍ତି ତାହା କହିବି । ରାବଣ ରାକ୍ଷସ ନୁହେଁ କିମ୍ବା ସେ ମଣିଷ ଇତର ମାଂସଭକ୍ଷକ ନୁହେଁ । ବୁଦ୍ଧିଭ୍ରଷ୍ଟ କବି ଓ ମୂର୍ଖମାନେ ଏହିପରି ମିଛ କହନ୍ତି ।’ ଏହାପରେ ସେ ତାଙ୍କୁ ଗଳ୍ପର ନିଜର ରୂପ କହିବାକୁ ଆରମ୍ଭ କରନ୍ତି (ଚନ୍ଦ୍ର ୧୯୭୦, ୨୩୪) ।

ବିମଳ ମୁନିଙ୍କର ପୌମଚରୀୟ (ସଂସ୍କୃତ ପଦ୍ମଚରିତର ପ୍ରାକୃତ ରୂପ) ନାମକ ଜୈନ ରାମାୟଣ ବାଲ୍ମିକୀଙ୍କ ସଂସ୍କୃତ ରାମାୟଣ ବିଷୟରେ ସମ୍ପୂର୍ଣ୍ଣ ସଚେତନ । ମାତ୍ର ଏହା ନିଜେ ଦେଖୁଥିବା ହିନ୍ଦୁ ପ୍ରମାଦ ଓ ବହ୍ୱାଡ଼ମ୍ବରକୁ ଠିକ୍ କରିବାକୁ ଚେଷ୍ଟା କରେ । ଅନ୍ୟ ଜୈନ ପୁରାଣ ପରି ଏହା ମଧ୍ୟ ଏକ ପ୍ରତିପୁରାଣ । ‘ପ୍ରତି’ ଉପସର୍ଗଟି ଜୈନମାନଙ୍କର ଅତି ପ୍ରିୟ ।

ବିମଳ ମୁନିଙ୍କର ଜୈନ ରାମକଥା ରାମଙ୍କର ବଂଶାବଳୀ ଏବଂ ମହାନତାରୁ ଆରମ୍ଭ ହୁଏ ନାହିଁ । ବରଂ ସେ ରାବଣର ବଂଶାବଳୀ ଓ ମହାନତାରୁ କଥାଟିକୁ ଆରମ୍ଭ କରନ୍ତି । ରାବଣ ଜୈନ ପରମ୍ପରାର ୬୩ଟି ସଳାକାପୁରୁଷ ଅର୍ଥାତ ଅଗ୍ରଜଙ୍କର ମଧ୍ୟରୁ ଜଣେ । ସେ ସମ୍ଭ୍ରାନ୍ତ ଓ ପ୍ରାଜ୍ଞ । ସେ ଜୈନ ମୁନିମାନଙ୍କର ଭକ୍ତ ଏବଂ ନିଜର ସମସ୍ତ ଆଦିଭୌତିକ କ୍ଷମତା ଓ ଶସ୍ତ୍ରମାନ ସେ ତପଶ୍ଚର୍ଯ୍ୟ ଦ୍ୱାରା ଅର୍ଜନ କରନ୍ତି । ଜଣେ ଜୈନମୁନିଙ୍କୁ ଖୁସି କରିବା ପାଇଁ ସେ କୌଣସି ଅନିଚ୍ଛୁକ ନାରୀକୁ ନ ଛୁଇଁବା ପାଇଁ ବ୍ରତ ମଧ୍ୟ ନିଅନ୍ତି ।

ଏକ ସ୍ମରଣୀୟ ଘଟଣାବଳୀରେ ସେ ଏକ ଅଭେଦ୍ୟ ଦୁର୍ଗକୁ ଘେରାଉ କରନ୍ତି । ସେହି ରାଜ୍ୟର ରାଣୀ ତାଙ୍କୁ ଭଲପାଉଥିବାରୁ ସେ ତାଙ୍କ ପାଖକୁ ଦୂତ ପଠାନ୍ତି । ରାଣୀଙ୍କ ଠାରୁ ଦୁର୍ଗଭେଦ କରିବାର ଉପାୟ ଜାଣି ରାବଣ ଦୁର୍ଗ ଜୟ କରି ରାଜାଙ୍କୁ ପରାଜିତ କରନ୍ତି । ମାତ୍ର ଦୁର୍ଗ ଜୟ ପରେ ରାଜ୍ୟଟିକୁ ରାଜାଙ୍କୁ ଲେଉଟାଇ ଦେଇ, ରାଣୀଙ୍କୁ ନିଜ ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ଉପଦେଶ ଦିଅନ୍ତି । ପରେ ଜ୍ୟୋତିଷମାନଙ୍କ ଠାରୁ ସେ ଯେତେବେଳେ ଜାଣନ୍ତି କି, ସୀତା ନାମକ ଏକ ନାରୀ ତାଙ୍କର ଅନ୍ତର କାରଣ ହେବ, ସେତେବେଳେ ସେ ହୁଅନ୍ତି ଥରହର ।

ଏହିପରି ବ୍ୟକ୍ତିତ୍ତ୍ୱର ଅଧିକାରୀ ରାବଣ, ସୀତାଙ୍କର ପ୍ରେମରେ ପଡ଼ି ତାଙ୍କୁ ଅପହରଣ କରନ୍ତି । ତାଙ୍କର ମନ ଜିଣିବାର ବିଫଳ ପ୍ରୟାସ କରନ୍ତି । ନିଜର ପତନ ଦେଖନ୍ତି ଏବଂ ଶେଷକୁ ରଣଭୂମିରେ ପ୍ରାଣତ୍ୟାଗ କରନ୍ତି । ଏହି ଜୈନଗଳ୍ପଗୁଡ଼ିକର ରାବଣ ଏପରି ଏକ ଉତ୍ତେଜନା ଓ କାମନାର ଫଳଭୋଗ କରନ୍ତି, ଯାହା ବିରୁଦ୍ଧରେ ସେ ଶପଥ ନେଇଛନ୍ତି, ମାତ୍ର ଯାହାକୁ ବିରୋଧ କରିବାର କ୍ଷମତା ତାଙ୍କର ନାହିଁ । ଜୈନ ରାମାୟଣର ଅନ୍ୟ ଏକ ପରମ୍ପରାରେ, ସୀତା ରାବଣଙ୍କର ଝିଅ, ଯଦିଓ ସେ ନିଜେ ଏହି କଥା ଜାଣନ୍ତି ନାହିଁ । ଏହି ପରିସ୍ଥିତିରେ ଟ୍ରାଜେଡ଼ିର ପସାପାଲି ମୂଳରୁ ହିଁ ତାଙ୍କ ବିରୁଦ୍ଧରେ ସ୍ଥିର ହୋଇସାରିଛି । ମୁଁ ସୀତାଙ୍କର ଜନ୍ମ ବିଷୟରେ ଆସନ୍ତା ବିଭାଗରେ କହିବି ।

ଆମର ଆଧୁନିକ ଆଖିରେ ଅବଶ୍ୟ ରାବଣ ଏକ ଟ୍ରାଜିକ ପୁରୁଷ । ଜୈନମାନେ ଯେତେବେଳେ ତାଙ୍କର ରାମଗଳ୍ପ କହନ୍ତି ସେତେବେଳେ ଆମେ ରାବଣ ପାଇଁ ଦୟା ଓ ବିସ୍ମୟରେ ଭରିଯାଉ । ମୁଁ ଏହିଠାରେ ଆଉ ଏକ ପ୍ରସଙ୍ଗ କହିବା ଉଚିତ ହେବ । ଜୈନ ଚିନ୍ତାକଳ୍ପରେ ବାସୁଦେବ ଓ ପ୍ରତି-ବାସୁଦେବ (ନାୟକ ଓ ଖଳନାୟକ, ଠିକ୍ ସ୍ୱ ଓ ଅପର ପରି ପରସ୍ପର ବିରୋଧୀ ପୁରୁଷ), ଜନ୍ମ ଜନ୍ମାନ୍ତର ଧରି ପରସ୍ପର ସହିତ ଲଢ଼େଇ କରିବା ପାଇଁ ବିଧି ଦ୍ୱାରା ବାଧ୍ୟ ।

ଲକ୍ଷ୍ମଣ ଓ ରାବଣ ଏହି ବାସୁଦେବ ଓ ପ୍ରତି-ବାସୁଦେବଙ୍କର ଅଷ୍ଟମ ଅବତାର । ସେମାନେ ଯୁଗ ପରେ ଯୁଗ ଜନ୍ମ ନିଅନ୍ତି, ଅନେକ ଦ୍ୱନ୍ଦ୍ୱ ପରେ ରଣଭୂମିରେ ପରସ୍ପରକୁ ଭେଟନ୍ତି ଓ ପ୍ରତି ଥର ବାସୁଦେବ ପ୍ରତି-ବାସୁଦେବଙ୍କର ବଧ କରନ୍ତି । ରାବଣ ଅନ୍ତରେ ଜାଣି ପାରନ୍ତି ଯେ ଲକ୍ଷ୍ମଣ ତାଙ୍କର ବଧ ନିମନ୍ତେ ଅବତାର ଗ୍ରହଣ କରିଥିବା ଏହିପରି ଏକ ବାସୁଦେବ । ଶାନ୍ତି ନିମନ୍ତେ ସନ୍ଧିର ଏକ ଶେଷ ପ୍ରୟାସର ବିଫଳତା ପରେ ସେ ନିଜର ନିରାଶାକୁ ଏଡ଼ାଇ ଦେଇ, ଯୁଦ୍ଧଭୂମିରେ ଦୈବନିର୍ଦ୍ଧାରିତ ଶତୃ ଆଗରେ ଆଦିଭୌତିକ କ୍ଷମତାଶାଳୀ ଶସ୍ତ୍ରମାନ ଧରି ବିରାଜମାନ ହୁଅନ୍ତି । ଶେଷରେ ଯେତେବେଳେ ସେ ନିଜର ଚକ୍ର ଫିଙ୍ଗନ୍ତି, ତାହା କାମ କରେନାହିଁ । ଚକ୍ର ନିଜେ ଚିହ୍ନିପାରେ ଯେ ଲକ୍ଷ୍ମଣ ସ୍ୱୟଂ ବାସୁଦେବ ଓ ଏହା ତାଙ୍କର ଶୀର ଚ୍ଛେଦନ ନ କରି ତାଙ୍କର ହାତକୁ ହିଁ ଚାଲିଯାଏ । ଅତଏବ୍, ଲକ୍ଷ୍ମଣ ରାବଣଙ୍କୁ ତାଙ୍କର ନିଜର ପ୍ରିୟ ଶସ୍ତ୍ର ସାହାଯ୍ୟରେ ହିଁ ବଧ କରନ୍ତି ।

ହିନ୍ଦୁ ରାମାୟଣମାନଙ୍କ ପରି ଏହି ଜୈନ କଥାମାନଙ୍କରେ ରାମ ରାବଣଙ୍କର ବଧ ମଧ୍ୟ କରନ୍ତି ନାହିଁ । କାରଣ ରାମ ନିଜେ ଜଣେ ବିବର୍ତ୍ତିତ ଜୈନ ଆତ୍ମା ଯେ କି ନିଜର ସମସ୍ତ କାମନା ଉପରେ ବିଜୟ ଲାଭ କରିସାରିଛନ୍ତି । ଯେହେତୁ ଏହା ତାଙ୍କର ଶେଷ ଜନ୍ମ, ସେ ଜୀବହତ୍ୟା କରିବାକୁ ଚାହାନ୍ତି ନାହିଁ । ଏଥି ଯୋଗୁଁ ଲକ୍ଷ୍ମଣ ହିଁ ରାବଣଙ୍କର ବଧ କରନ୍ତି । ଫଳସ୍ୱରୂପ ସେ ନର୍କକୁ ଯାଆନ୍ତି ଓ ରାମ ପାଆନ୍ତି କୈବଲ୍ୟ ।

ଏଠାରେ ବୋଧହୁଏ ଏହା କହିବା ଜରୁରୀ ନୁହେଁ ଯେ ପୌମଚରୀୟ ଗ୍ରନ୍ଥଟି ଜୈନ ତୀର୍ଥ ସ୍ଥାନ ଓ ଜୈନ ମୁନିମାନଙ୍କ ବିଷୟରେ ଗଳ୍ପ, ତଥା ଜୈନ କଥା ଓ କଥନିକା ମାନଙ୍କରେ ପରିପୂର୍ଣ୍ଣ । ଜୈନମାନେ ନିଜକୁ ଯୁକ୍ତିବାଦୀ ବୋଲି ଭାବନ୍ତି ଓ ହିନ୍ଦୁମାନେ ଅତି ମାତ୍ରାରେ ରକ୍ତାକ୍ତ କର୍ମକାଣ୍ଡ ଓ କଳ୍ପନାରେ ବୁଡ଼ି ରହିଥାନ୍ତି ବୋଲି ଧାରଣା ରଖନ୍ତି । ତେଣୁ କୌଣସି ପ୍ରକାରର ବଳି ତଥା ଅଲୌକିକ ଜନ୍ମ ଇତ୍ୟାଦିର ବର୍ଣ୍ଣନା ଜୈନମାନେ କରନ୍ତି ନାହିଁ ।

ତେଣୁକରି ଜୈନ ରାମକଥାମାନଙ୍କର ରାମ ଏବଂ ତାଙ୍କ ଭ୍ରାତାମାନଙ୍କର ଜନ୍ମ, ସାଧାରଣ ଉପାୟରେ ହିଁ ହୁଏ । ସେମାନେ ରାବଣଙ୍କର ଦଶମୁଖ ପରିକଳ୍ପନାର ମଧ୍ୟ ଏକ ଯୁକ୍ତିବାଦୀ କାରଣ ଦିଅନ୍ତି । ସେମାନଙ୍କ ମତରେ ରାବଣଙ୍କର ଜନ୍ମ ସମୟରେ ରାବଣଙ୍କର ମାତାଙ୍କୁ ଏକ ନବରତ୍ନ ଜଡ଼ିତ ମାଳା ଦିଆଯାଇଥିଲା । ସେ ଯେତେବେଳେ ଏହାକୁ ରାବଣଙ୍କର ଗଳାରେ ପକାଇଲେ ସେହି ନଅଟି ରତ୍ନରେ ରାବଣଙ୍କର ମୁଖର ପ୍ରତିଫଳନ ଦେଖାଗଲା । ଏଥିଯୋଗୁଁ ତାଙ୍କର ମାତା ତାଙ୍କୁ ଦଶମୁଖ ବୋଲି ଡାକିଲେ ।

ସେହିପରି ମର୍କଟମାନେ ମଧ୍ୟ ମାଙ୍କଡ଼ ନୁହନ୍ତି ବରଂ ସେମାନେ ରାବଣଙ୍କର ସହିତ ସମ୍ପର୍କିତ ବିଦ୍ୟାଧରମାନଙ୍କର ଏକ କୁଳ । ରାବଣଙ୍କ ସହିତ ସେମାନଙ୍କ ସମ୍ପର୍କ ଅଣଜେଜେବାପାଙ୍କର ସମ୍ପର୍କ । ଯେହେତୁ ଏହି ବିଦ୍ୟାଧରମାନେ ବାନରମାନଙ୍କୁ ସେମାନଙ୍କର ଚିହ୍ନ ହିସାବରେ ନିଜର ପତାକାରେ ବ୍ୟବହାର କରନ୍ତି, ସେମାନେ ବାନର ବୋଲି ନାମିତ ।

ଲିଖିତରୁ ବାଚନିକ

ଆମେ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଲୋକ ରାମାୟଣଙ୍କ ମଧ୍ୟରୁ ଗୋଟିକ ଉପରେ ଦୃଷ୍ଟିପାତ କରିବା । ଏହି ଲୋକକଥାଗୁଡ଼ିକ ଆମେ ରାମକଥାରେ ଖଣ୍ଡ ବିଖଣ୍ଡିତ ଆକାରରେ ପାଇବା । ଉଦାହରଣ ସ୍ୱରୂପ କନ୍ନଡ଼ ଭାଷାରେ ସୀତାଙ୍କର ଜନ୍ମ, ତାଙ୍କର ବିଭାଘର, ଅଗ୍ନିପରୀକ୍ଷା, ବନବାସ, ଲବ-କୁଶଙ୍କର ଜନ୍ମ, ସେମାନଙ୍କର ପିତା ରାମଙ୍କ ସହିତ ଯୁଦ୍ଧ, ଇତ୍ୟାଦି ବିଷୟଟିମାନ ଭିନ୍ନ ଭିନ୍ନ କବିତାରେ ପାଇବା । ମାତ୍ର ପାରମ୍ପରିକ କଥକ (ତମ୍ବୁରି ଦାସୟାଗଣ)ଙ୍କ ଦ୍ୱାରା କଥିତ ଗୋଟିଏ ସମ୍ପୂର୍ଣ୍ଣ ରାମକଥା ଅଛି । ଏହାକୁ ପ୍ରତି ଦୁଇ ଧାଡ଼ିରେ ଏକ କୋରସ୍ ଗାଉଥିବା ଘୋଷା ସହିତ ଗାନ କରାଯାଏ । ନିମ୍ନଲିଖିତ ଆଲୋଚନା ପାଇଁ ମୁଁ ରାମେ ଗୌଡ଼ା, ଇ.କେ. ରାଜଶେଖର ତଥା ଏସ. ବାସବେୟା କରିଥିବା ପ୍ରତିଲିପିକରଣ ନିକଟରେ ଋଣୀ (୧୯୭୩) ।

ଏହି ଲୋକକଥା ରାବଣ (ଏଠାରେ ରାବୁଳ ଭାବରେ କଥିତ) ଏବଂ ତାଙ୍କର ରାଣୀ ମନ୍ଦୋଦରୀଙ୍କ ସହ ଆରମ୍ଭ ହୁଏ । ସେମାନେ ସନ୍ତାନହୀନତା ଯୋଗୁଁ ଦୁଃଖି । ତେଣୁକରି ରାବୁଳ ବନକୁ ଯାଇ ସେଠାରେ ଭୂମି ଉପରେ ପିଠିରୁ ରକ୍ତ ନ ଗଡ଼ିବା ପର୍ଯ୍ୟନ୍ତ ଗଡ଼ିବା ଭଳି ନାନା କଷ୍ଟଦାୟକ ତପଶ୍ଚର୍ଯ୍ୟା ଆଚରଣ କରେ । ସେ ସେଠାରେ ଯୋଗୀ ରୂପକ ଶିବଙ୍କୁ ଭେଟେ । ଶିବ ତାଙ୍କୁ ଗୋଟିଏ ଅଲୌକିକ ଆମ୍ବ ଦେଇ ପଚାରନ୍ତି ଯେ, ସେହି ଆମ୍ବଟିକୁ ନିଜ ସ୍ତ୍ରୀ ସହିତ ସେ କିଭଳି ଭାଗ କରିବେ ।

ରାବଣ କହେ ଯେ, ‘ମୁଁ ତାଙ୍କୁ ଆମ୍ବର ମିଠା ରସତକ ଦେବି ଏବଂ ନିଜେ ଆମ୍ବର ଟାକୁଆଟିକୁ ଚାଟିବି ।’ ଯୋଗୀ ଜଣକ ଏହାକୁ ସହଜରେ ବିଶ୍ୱାସ ନ କରି ରାବଣଙ୍କୁ କୁହନ୍ତି, ‘ତୁମ୍ଭେ ମୋତେ ଗୋଟେ ପ୍ରକାର କଥା କହୁଛ, ହେଲେ ତମ ପେଟରେ ବିଷ ଭର୍ତ୍ତି। ମୋତେ ଲହୁଣୀ ଖୁଆଉଚ ହେଲେ ତୁମ୍ଭର ଅର୍ଥ କିଛି ଅଲଗା । ମତେ ଯଦି ମିଛ କହୁଥିବ ତେବେ ନିଜ କାମର ଫଳକୁ ନିଜେ ଭୁଞ୍ଜିବାକୁ ପଡ଼ିବ ।’ ଏଠାରେ କବି କହନ୍ତି କି ରାବୁଳ ସ୍ୱପ୍ନରେ ଗୋଟେ ଜିନିଷ ଓ ଚେଇଁଥିବା ବେଳେ ଆଉ ଗୋଟେ । ସେ ଯେତେବେଳେ ପୂଜା ପାଇଁ ଫୁଲ ଓ ଧୂପ ସହିତ ଅଲୌକିକ ଆମ୍ବ ଧରି ଘରକୁ ଆସନ୍ତି, ସେତେବେଳେ ମନ୍ଦୋଦରି ବହୁତ ଖୁସି ହୁଅନ୍ତି ।

ଶିବଙ୍କୁ ପୂଜା ଓ ପ୍ରାର୍ଥନା ପରେ ରାବୁଳ ଆମ୍ବଟିକୁ ଭୋଗ କରିବା ପାଇଁ ପ୍ରସ୍ତୁତ । ମାତ୍ର ଏହି ସମୟରେ ସେ ଭାବନ୍ତି, ‘ମୁଁ ଯଦି ତାକୁ ଫଳଟିକୁ ଦେବି, ତା ପେଟ ତ ପୁରିବ । କିନ୍ତୁ, ମୁଁ ରହିବି ଭୋକିଲା ।’ ଏହା ଭାବି ସେ ନିଜେ ଫଳର ମାଂସତକ ଗିଳିପକାଇ, ମନ୍ଦୋଦରୀଙ୍କୁ କେବଳ ଟାକୁଆ ଚାଟିବା ପାଇଁ ଦେଲେ । ସେ ଯେତେବେଳେ ଟାକୁଆଟିକୁ ବାଡ଼ିରେ ଫିଙ୍ଗିଲେ, ସେଥିରୁ ଗଜା ହୋଇ ଗୋଟିଏ ଡେଙ୍ଗା ଆମ୍ବ ଗଛ ହେଲା । ଏହି ସମୟରେ ରାବୁଳ ନିଜେ ଗର୍ଭ ହୋଇ ଗର୍ଭ ପ୍ରତିଦିନ ଏକ ମାସ ହିସାବରେ ବଢ଼ିବାକୁ ଲାଗିଲା ।

ଦିବସ ପରେ ଦିବସ / ହୋଇଲାକ ଏକମାସ

ଖାଇବାକୁ ନାନା ସାଦ / ମନରେ ହେଲା ଉନ୍ମାଦ

ଋାବୁଳ ଡାକିଲା ଶିବ / ଦେଲ ମତେ ପରାଭବ

ଦେଲ ମତେ ଗର୍ଭ କରି / ନିଶ କାଟିଣ ମୋହରି

ତୃତୀୟ ଦିବସ ଶେଷ / ଗର୍ଭରେ ତୃତୀୟ ମାସ

ଦେଲ ମତେ ଗର୍ଭ କରି / ନିଶ କାଟିଣ ମୋହରି

ଦିନ ଚତୁର୍ଥ ସରିଲା / ଗର୍ଭେ ଚାରି ମାସ ହେଲା

ସହିବି କୁହ କେମନ୍ତ/ ଆହେ ପ୍ରଭୁ ଲୋକନାଥ

ପଞ୍ଚମ ଦିନର ଅନ୍ତ / ହେଲା ଆସି ପାଞ୍ଚ ମାସ

ଶୁଣ ହେ କୈଳାସ ନାଥ / ଦେଲ ଯେ କଷ୍ଟ ବିଶେଷ

ରାବୁଳ କଷ୍ଟରେ ରଡି / କହେ ବଞ୍ଚିବି କିପରି

ଛ’ ଦିନେ ଛ’ ମାସ ହୋଇ / ମାଆଲୋ ମୁଁ ଗଲି ମରି

ସାତ ଦିନେ ସାତ ମାସ/ ଲଜ୍ଜା ପାଇଲି ଅଶେଷ

ସପ୍ତମ ମାସର ଶେଷ / ଆସିଲା ଅଷ୍ଟମ ମାସ

ଶିବ ଶିବ ଡାକି କରି / ନଅ ଦିନ ଗଲା ପୂରି

ସେହୁ ପରିପୂର୍ଣ୍ଣ ହୋନ୍ତେ / କନ୍ୟାଟି ଏକ ଜନ୍ମନ୍ତେ

ଛିଙ୍କୁ ଛିଙ୍କୁ ସେ ରାବୁଳ / ସୀତା ନାକରୁ ବାହାର

ନାମ ବି ରାବୁଳ ଦେଲା / ସିତମ୍ମା ବୋଲି ଡାକିଲା

କନ୍ନଡ଼ ଭାଷାରେ ସୀତା ଶବ୍ଦର ଅର୍ଥ ହେଲା, ସେ ଛିଙ୍କିଲା: ରାବଣ ନିଜର ଝିଅକୁ ସୀତା ବୋଲି ଡାକିଲେ, କାରଣ ତାଙ୍କର ଜନ୍ମ ଏକ ଛିଙ୍କ ଦ୍ୱାରା । ଅତଏବ, ଏହି କଥାରେ ସୀତାଙ୍କର ନାମର ମୂଳ ଆମେ କନ୍ନଡ଼ ଲୋକ ବିଚାରରେ ପାଇବା । ଠିକ୍ ଯେପରି, ସଂସ୍କୃତରେ ସୀତାଙ୍କର ନାମର ଉତ୍ସ ସଂସ୍କୃତ ଭାଷାର ଅବବୋଧର ଅଛି: ସୀତା (ଶିଆର)ରେ ରାଜା ଜନକଙ୍କୁ କନ୍ୟା ପ୍ରାପ୍ତ ହୋଇଥିବାରୁ, ତାଙ୍କର ନାମ ସୀତା ।

ଏହାପରେ ରାବୁଳ ଜ୍ୟୋତିଷମାନଙ୍କ ପାଖକୁ ଯିବାରୁ, ସେମାନେ ତାଙ୍କୁ କହିଲେ ଯେ, ଶିବଙ୍କୁ ଦେଇଥିବା ବଚନ ପାଳନ ନ କରି ନିଜେ ଆମ୍ବର ମାଂସ ଖାଇ ସ୍ତ୍ରୀଙ୍କୁ ଟାକୁଆ ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଲା । ସେମାନେ ତାଙ୍କୁ ଏହି ଉପଦେଶ ଦେଲେ ଯେ, ପିଲାଟିକୁ ଖୁଆଇ ଜାମାପଟା ପିନ୍ଧାଇ ଏପରି ଏକ ଜାଗାରେ ଛାଡ଼ି ଆସିବା ପାଇଁ ଯେପରିକି, କୌଣସି ଏକ ଦମ୍ପତ୍ତି ତାକୁ ପାଇ ପାଳନ କରିବେ । ଏହାପରେ ସେ ଝିଅଟିକୁ ଏକ ବାକ୍ସରେ ପଶାଇ ଜନକଙ୍କର କ୍ଷେତରେ ଛାଡ଼ି ଆସିଲେ ।

ସୀତାଙ୍କର ଜନ୍ମ ପରେ ହିଁ ଏହି କଥାରେ କବି ରାମ ଓ ଲକ୍ଷ୍ମଣଙ୍କର ଜନ୍ମ ତଥା ଦୁଃସାହସିକ କର୍ମମାନଙ୍କର ବର୍ଣ୍ଣନା ଗାଇବା ଆରମ୍ଭ କରନ୍ତି । ଏହା ପରେ ସୀତାଙ୍କର ସ୍ୱୟମ୍ବର ବିଷୟରେ ଏକ ଦୀର୍ଘ ବିଭାଗ ଆସେ, ଯେଉଁଥିରେ ରାବୁଳ ସ୍ୱୟମ୍ବରକୁ ଆସି ଶିବଧନୁକୁ ଉଠାଇ ନ ପାରି ଅପମାନିତ ହୁଏ । ରାମ ଶିବଧନୁ ଉତ୍ତୋଳନ କରି ସୀତାଙ୍କୁ ବିବାହ କରନ୍ତି । ଏହାପରେ ସୀତା ରାବୁଳ ଦ୍ୱାରା ଅପହୃତ ହୁଅନ୍ତି । ରାମ ନିଜର ବାନର ମିତ୍ରମାନଙ୍କ ସାହାଯ୍ୟରେ ଲଙ୍କା ଅବରୋଧ କରନ୍ତି ଏବଂ ଏକ କ୍ଷୁଦ୍ର ବିଭାଗରେ ସେ ସୀତାଙ୍କୁ ଲେଉଟାଇ ଆଣି ରାଜା ଭାବରେ ଅଭିଷିକ୍ତ ହୁଅନ୍ତି ।

କବି ଏହା ପରେ ଆଉଥରେ ସୀତାଙ୍କର ପରୀକ୍ଷା ଓ କ୍ଳେଶର କାହାଣୀକୁ ଲେଉଟନ୍ତି । ଲୋକାପବାଦ ପାଇ ଦେଶାନ୍ତରୀ ହେବା ପରେ, ସେ ଯମଜ ପୁତ୍ରସନ୍ତାନଙ୍କୁ ଜନ୍ମ ଦିଅନ୍ତି । ଯେଉଁମାନେ ବଡ଼ ହୋଇ ହୁଅନ୍ତି ମହାନ ବୀର । ସେମାନେ ରାମଙ୍କର ଯଜ୍ଞାଶ୍ୱକୁ ବନ୍ଦୀ କରନ୍ତି ଏବଂ ଅଶ୍ୱକୁ ରକ୍ଷା କରିବା ପାଇଁ ଉଦ୍ଧିଷ୍ଟ ସେନାକୁ ପରାସ୍ତ କରନ୍ତି । ଏହା ଫଳରେ ସେମାନେ ନିଜର ମାତାପିତାଙ୍କୁ ଶେଷଥର ପାଇଁ ଏକତ୍ର କରାନ୍ତି ।

ଏଠାରେ କେବଳ କଥାର ଗୁରୁତ୍ୱ ଅଲଗା ଅଲଗା ସେ କଥା ନୁହେଁ, କଥକ ଜଣକ ସବୁ ସ୍ଥାନରେ ସୀତା, ତାଙ୍କର ଯଉବନ, ତାଙ୍କର ଜନ୍ମ, ଜନକଙ୍କ ଦ୍ୱାରା ତାଙ୍କର ପାଳନ, ତାଙ୍କର ବିବାହ, ତାଙ୍କର ଅପହରଣ ତଥା ତାଙ୍କର ଲେଉଟାଣିକୁ ଫେରି ଆସିବା ପାଇଁ ବ୍ୟଗ୍ର । ତାଙ୍କର ଦେଶାନ୍ତର, ଗର୍ଭ ତଥା ସ୍ୱାମୀଙ୍କ ସହିତ ପୁନଃ-ଏକତ୍ରିକରଣ ବିଷୟର ବିଭାଗଟିମାନ, ରାମ ଓ ଲକ୍ଷ୍ମଣଙ୍କର ଜନ୍ମ, ବନବାସ ତଥା ରାବଣ ବିରୁଦ୍ଧରେ ଯୁଦ୍ଧ ଆଦି ବିଷୟର ବିଭାଗମାନଙ୍କର ଦୈର୍ଘ୍ୟ ସହତ ତୁଳନୀୟ ।

ଜଣେ ପୁରୁଷ ରାବଣଙ୍କର ଗର୍ଭରୁ ସାତାଙ୍କର ଅପ୍ରାକୃତିକ ଜନ୍ମ, ଗପଟିକୁ ଗୋଟିଏ ନୂଆ ଆଙ୍ଗିକର ପ୍ରସ୍ଥାବନାମାନ ଆଣେ । ଭାରତୀୟ ସାହିତ୍ୟରେ ବାରମ୍ବାର ଦେଖାଯାଉଥିବା ପୁରୁଷଙ୍କର ଗର୍ଭ ଓ ସନ୍ତାନ ଜନ୍ମ ନେଇ ଇର୍ଷା, ବାପାମାନଙ୍କର ଝିଅମାନଙ୍କ ପ୍ରତି ଇଡିପୀୟ କାମନାର ଭାରତୀୟ ବିଷୟବସ୍ତୁ, ତଥା ଏହି କ୍ଷେତ୍ରରେ ଜଣେ ଝିଅ ତା’ର ଅଗମ୍ୟଗମ୍ୟକ ପିତାର ମୃତ୍ୟୁର କାରଣ ବନିବା ଇତ୍ୟାଦି  (ଦି କଲେକ୍ଟେଡ଼ ଏସେଜ ଅଫ ଏ.କେ.ରାମାନୁଜନ ସଙ୍କଳନରେ, ୨୨ତମ ଅଧ୍ୟାୟ ଭାବରେ ଛପାଯାଇଥିବା, ‘ଦି ଇଣ୍ଡିଆନ ଇଡିପସ’ ଦେଖନ୍ତୁ) ଟୁ ରେଲ୍ମସ ଅଫ କନ୍ନଡ଼ ଫୋକଲୋର’ ଶୀର୍ଷକର ଲେଖାଟିକୁ ଦେଖନ୍ତୁ ।

ଅବଶ୍ୟ ରାବଣର କନ୍ୟା ହିସାବରେ ସୀତାଙ୍କର ପରିଚୟ ଅନ୍ୟଠାରେ ଅଜଣା ନୁହେଁ । ଜୈନ କଥାମାନଙ୍କର ଗୋଟିଏ ପରମ୍ପରାରେ (ଉଦାହରଣ ସ୍ୱରୂପ ବାସୁଦେବହିମଦି ) ତଥା କନ୍ନଡ଼ ଏବଂ ତେଲୁଗୁ ଲୋକ ପରମ୍ପରାମାନଙ୍କରେ, ଆଉ ଅନେକ ଦକ୍ଷିଣପୂର୍ବ ଏସୀୟ ରାମକଥାମାନଙ୍କର, ଆମେ ଏହାକୁ ଦେଖିବାକୁ ପାଉ । କେତେକ କଥାରେ ରାବଣ ନିଜର ଯୁବାବସ୍ଥାରେ ଜଣେ ଯୁବତୀର ଧର୍ଷଣ କରିଥିବାରୁ, ଯୁବତୀ ଜଣକ ପ୍ରତିଶୋଧର ବ୍ରତ ନେଇ ତାଙ୍କର ଝିଅ ହିସାବରେ ହିଁ ତାଙ୍କର ଧ୍ୱଂସ କରିବା ପାଇଁ ଆଉ ଥରେ ଜନ୍ମନିଅନ୍ତି । ଅତଏବ ବାଲ୍ମିକୀଙ୍କ ରାମାୟଣରେ ଦେଖାଯାଉ ନଥିବା ବିଷୟମାନ ଆମେ ବାଚନିକ ପରମ୍ପରାର ରାମକଥାମାନଙ୍କରେ ପାଇବା ।

ଅନୁବାଦ – ଶୈଲେନ ରାଉତରାୟ 

Comments are closed.