Latest Odisha News

ଏକତାର ପର୍ବ ରଙ୍ଗ ମହୋତ୍ସବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ଧରାପୃଷ୍ଠକୁ ଋତୁରାଜ ବସନ୍ତର ଆଗମନ । ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ବସନ୍ତ । ମୃଦୁ ମଳୟ , ଦୂର ଦିଗନ୍ତରେ ନାଲି ନେଳି କିଶଳୟ ହସ, ସୋରିଷ ଫୁଲର ଲହଡ଼ି, ସୁମନ ସୁରଭିତ ବାସ୍ନା ଦିଗ ଚହଟାଇ ପ୍ରକୃତିର ଜୟ ଗାନ କରୁଥିବା ବେଳେ କୋଇଲିର ଆମ୍ରକୁଞ୍ଜରୁ କୁହୁକୁହୁ ତାନ ସତେ ଯେମିତି ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଆଗଭର । ଠିକ୍ ସେହି ବାସ୍ନା ମହମହ ଅମୃତମୟ ମୁହୂର୍ତ୍ତରେ ଦୋଳଯାତ୍ରା ପର୍ବର ଆୟୋଜନ କରାଯାଇଥାଏ । ଓଡ଼ିଶାର ଦୋଳଯାତ୍ରା ଚୈତ୍ର ନବମୀ/ ଫଗୁ ଦଶମୀ ଠାରୁ ଆରମ୍ଭ ବୋଲି ଧରାଯାଏ । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ଏହା ଏକ ଆନନ୍ଦ ଉଲ୍ଲାସ ରଙ୍ଗର ପର୍ବ । ଏହାକୁ ଦୋଳ, ରଙ୍ଗ ବା ହୋଲି ପର୍ବ ଭାବରେ ଗ୍ରହଣ କରାଯାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଛି ‌। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି ।

ସାଧାରଣତଃ ଦୋଳ ପର୍ବ ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । ଓଡ଼ିଶାର କେତେକ ସ୍ଥାନରେ ଏହି ପର୍ବ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯାଉଥିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ । ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଅନୁରୂପେ ଦୋଳ ମଣ୍ଡପରେ ଦୋଳ ମେଲଣ ଆୟୋଜିତ ହେବାର ଦୃଷ୍ଟାନ୍ତ ରହିଛି । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ମଧ୍ୟ ରହିଛି ।

Celebrate Holi In Home Amid Covid Norms

ଦୋଳ ଯାତ୍ରା ବିଭିନ୍ନ ପୁରାଣର କାହାଣୀ ସହିତ ସମ୍ପୃକ୍ତ । ଗୋଟିଏ ପଟରେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ବିଭିନ୍ନ ପୌରାଣିକ ଆଖ୍ୟାନର ବନ୍ଧନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭମୟ ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା – ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ । ଯାହା ସାମାଜିକ ଜୀବନକୁ ପ୍ରେମମୟ କରିଦିଏ । ଶ୍ରୀରାଧା – କୃଷ୍ଣଙ୍କର ଅନାବିଳ ପ୍ରେମର ମନ୍ଦାକିନୀ । ପୁରାଣ ବର୍ଣ୍ଣିତ ସବୁ ଆଖ୍ୟାନ ଉପାଖ୍ୟାନ ଦୋଳ ଓ ହୋଲିକୁ ଯୁଗ୍ମ ପର୍ବ ଭାବରେ ବିବେଚନା କରାଯାଏ । ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ଅନ୍ୟ ପକ୍ଷରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ବଧ ନିମନ୍ତେ ଭଗବାନ ଆବିର୍ଭାବ ହୋଇଥିଲେ । ପୃଥିବୀକୁ ପାପ ମୁକ୍ତ କରିଥିବାରୁ ଏହି ପର୍ବର ଅୟାରମ୍ଭ ହୋଇଥିଲା ।

ଏକ ପକ୍ଷରେ ନବ ବସନ୍ତ, କୋକିଳର କୁହୁତାନ, ଚୂତବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ ଓ ଅନ୍ୟ ପକ୍ଷରେ ସତୀଙ୍କର ଅକାଳ ମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନ ଅପେକ୍ଷାରେ ଦେବଗଣ । ମହାଯୋଗୀ ଶିବଙ୍କର ଧ୍ୟାନ ଭଗ୍ନ ହେଲେ ଯାଇ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ । ଫଳରେ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ ହେବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କୁ ଅଭୟ ପ୍ରଦାନ କରି ଦେବଗଣଙ୍କ ସେନାପତି ହୋଇ ତାରକାସୁରକୁ ନିଧନ କରିବାରେ ଏକମାତ୍ର ସମର୍ଥ ବୀର । ତେଣୁ ଗୋଟିଏ ଗୋଟିଏ କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ । ଉନ୍ମୁକ୍ତ ଘଟିଥିଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ନୟନ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭାବ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବଗଣଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କୁହାଯାଏ ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି ।

ପୁନର୍ବାର ଦୋଳ ପୂର୍ଣ୍ଣିମା ରାତିରେ ଗାଁର ଶେଷ ପ୍ରାନ୍ତରେ ନଡ଼ା ଗଦାକରି ଅଗ୍ନି ଜ୍ୱଳନ କରିବାର ପରମ୍ପରା । ଏହାକୁ ମଧ୍ୟ ଅଇଘରା ବା ଅଗିରା ଉତ୍ସବ କୁହାଯାଏ । ଅଗିରା ଚାରିପଟେ ଲୋକମାନେ ଏକତ୍ରିତ ହୋଇ ଉପାସନା କରନ୍ତି ଓ ସେମାନଙ୍କର ଅନ୍ତର୍ନିହିତ ମନ୍ଦ ଶକ୍ତି ନଷ୍ଟ ହେବା ପାଇଁ ପ୍ରାର୍ଥନା କରନ୍ତି । ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ନେଇ ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ଲଭିଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା । ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ନିଜର ଉଦ୍ଧତ ଗର୍ବ ଅହଙ୍କାର ପାଇଁ ଭସ୍ମୀଭୂତ ହୋଇଥିଲା ।

ଅନ୍ୟ ଏକ ପୈାରାଣିକ ଉପାଖ୍ୟାନ ମଥୁରାର ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି । ତେଣୁ ନିଜର ରକ୍ଷା ପାଇବା ପାଇଁ ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି । ସେଥିପାଇଁ ଛଦ୍ମବେଶୀ ରାକ୍ଷସୀ ପୁତନା ଗୋପପୁରକୁ ପଠାଇ ଥିଲା । ପୁତନା ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣକରି ଯେତେବେଳେ କୃଷ୍ଣଙ୍କୁ ପୁତନା ସ୍ତନ୍ୟପାନ କରିବାର ଛଳନା କରିଥିଲା ସେତେବେଳେ କୃଷ୍ଣ ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣା ଶୋଷଣ କରିଥିଲେ । ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା । ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରିଥିବା ବେଳେ କେତେକ ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ ସମ୍ପୃକ୍ତ କରିଛନ୍ତି ।

ଶ୍ରୀମଦ ଭାଗବତର ଗୋପଲୀଳାରରେ ଉଲ୍ଲେଖ କଂସ ପ୍ରେରିତ ଅସୁର, ଅସୁରିଣୀଙ୍କ ନିଧନ ସହିତ ମଧ୍ୟ ଏହି ଦୋଳଉତ୍ସବକୁ କେତେକ ସଂପୃକ୍ତ କରିଛନ୍ତି । ବାସ୍ତବରେ ଗୋପଲୀଳାର ସର୍ବୋକ୍ତୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ ଅଟେ । ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୁଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ତାକୁ ଦୋଳ ମଣ୍ଡପ କୁହାଯାଏ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ । ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ଠାକୁରଙ୍କୁ ବସାଇ ଗ୍ରାମ ପରିକ୍ରମା କରାଯାଇ ଭାଇଚାରାର ସାମାଜିକ ରୀତିନୀତି ଗାଁ ଏକତାର ପ୍ରତୀକ ପାଲଟେ ।

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରମ୍ପରା ରୂପେ ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରାଯାଏ । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି । ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ । ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ ମଧ୍ୟ କୁହାଯାଏ ।

ଅନେକଙ୍କ ମତରେ ଶ୍ରୀଚୈତନ୍ୟ (୧୪୮୬ ଖ୍ରୀ: – ୧୫୩୩ ଖ୍ରୀ: )ଙ୍କ ଦୀର୍ଘ ଅବସ୍ଥାନ ଏବଂ ଶ୍ରୀଜଗନ୍ନାଥଙ୍କୁ ବୃନ୍ଦାବନ ବିହାରୀ ରୂପେ ଏକ କରିଦେବା ହିଁ ଶ୍ରୀଜଗନ୍ନାଥ ମନ୍ଦିରରେ ବୈଷ୍ଣବ ବିଚାର ଓ ଆଚାର ପ୍ରବେଶର ମୁଖ୍ୟ ସମୟ । ବହୁ ଆଗରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକକରି ଦେଖିବାର ପ୍ରୟାସ ସାଧୁସନ୍ଥମାନେ କରିଆସିଥିଲେ । ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା ଏବଂ ଜଗନ୍ନାଥଙ୍କର ବିଗ୍ରହକୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା । ଥରେ ଠାକୁରମାନେ ଦୋଳି ଖେଳିବାବେଳେ ହଠାତ୍ ଦୋଳିର ଗୋଟିଏ ପଟ ଛିଣ୍ଡି ପଡ଼ିଲା । ଫଳରେ ଜଗନ୍ନାଥଙ୍କ ବିଗ୍ରହର ଗୋଟିଏ ପଟ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବାରୁ ଦୁର୍ଘଟଣା ସେହି ଦିନଠାରୁ ଜଗନ୍ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ନିର୍ମିତ ମଦନମୋହନଙ୍କ ବିଗ୍ରହକୁ ଦୋଳମଣ୍ଡପକୁ ନେବା ବିଧି ପ୍ରଚଳନ ହୋଇଆସୁଛି । ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରାଯାଇଛି । ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । ବୈଷ୍ଣବଧର୍ମର ଅନ୍ୟତମ ପ୍ରସିଦ୍ଧ ରଚନା ଶ୍ରୀଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦରେ ବସନ୍ତରାସରେ ଏହା ବର୍ଣ୍ଣିତ ହୋଇଛି ।

କେବଳ ଓଡ଼ିଶାରେ ନୁହେଁ ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ପ୍ରଭୁ ବିଷ୍ଣୁ ତାଙ୍କ ଭକ୍ତ ପ୍ରହ୍ଲାଦଙ୍କୁ ବଞ୍ଚାଇବା ପାଇଁ ଏହି ନିଆଁରେ ହୋଲିକାଙ୍କୁ ହତ୍ୟା କରିଥିଲେ । ଉତ୍ତମ ଶକ୍ତିର ବିଜୟ ଏହି ପର୍ବ ପ୍ରତୀକାତ୍ମକ ଭାବଧାରା । ଭାରତୀୟ ଉପମହାଦେଶରୁ ଉତ୍ପନ୍ନ ହୋଲି ଏସିଆର ଅନ୍ୟ ଭାଗକୁ, ଏପରିକି ପଶ୍ଚିମ ଦିଗକୁ ବ୍ୟାପିଛି । ଏହି ପର୍ବ ଭାରତର ପ୍ରତ୍ୟେକ ଭାଗରେ ପାଳନ କରାଯାଏ । ବିଭିନ୍ନ ରାଜ୍ୟଗୁଡ଼ିକର ଭିନ୍ନ ନାମ ଅଛି । ଭାରତରେ ପଶ୍ଚିମବଙ୍ଗ , ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଏହି ପର୍ବ ବିଭିନ୍ନ ନାମରେ ପାଳନ କରାଯାଏ । ଯଥା ଉତ୍ତରାଖଣ୍ଡର ଖରି ହୋଲି, ପଞ୍ଜାବର ହୋଲା ମହଲା, ଉତ୍ତରପ୍ରଦେଶର ଲାଥମାର ହୋଲି, ବିହାରର ଫାଗୁଆ ଇତ୍ୟାଦି । ଯାହାହେଉ, ନାମ ଯାହା ହେଉନା କାହିଁକି, ଏହି ପର୍ବ ରଙ୍ଗୀନ ଅଟେ । ସମସ୍ତେ ଜାତି, ବର୍ଣ୍ଣ, ଧର୍ମ, ସଂପ୍ରଦାୟକୁ ଭୁଲି ରଙ୍ଗ ପିଚକାରୀର ମହୋତ୍ସବରେ ଅହେତୁକ ମଜା ନିଅନ୍ତି..!!!

ଏହି ରଙ୍ଗ ଖେଳରେ ଅନେକ ବିପଦ ଅଛି । ରଙ୍ଗରେ ରାସାୟନିକ ପଦାର୍ଥ ଥାଏ ଯାହା ଆମ ଚର୍ମରେ କର୍କଟ ସୃଷ୍ଟି କରିଥାଏ । ବେପରୁଆ ଭାବରେ ଖେଳାଗଲେ ବିପଜ୍ଜନକ ରଙ୍ଗ ଆଖି ଓ ମୁହଁକୁ ନଷ୍ଟ କରିବାର ସମ୍ଭାବନା ଅଧିକ । ବର୍ତ୍ତମାନ ଅନେକ ସ୍ଥାନରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି । ତେଣୁ ପ୍ରାକୃତିକ ପ୍ରସ୍ତୁତି ରଙ୍ଗରେ ରଙ୍ଗ ଖେଳି ରଙ୍ଗ ମହୋତ୍ସବରେ ଆନନ୍ଦିତ ହୁଅନ୍ତୁ..!!!

 ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ: ୯୪୩୭୭ ୪୦୨୮୦
Email : Laxmansahoo9040@gmail.com

Leave A Reply

Your email address will not be published.