ଅନୁବାଦ ଗଳ୍ପ : ଚେର
ଆଧୁନିକ ଉର୍ଦ୍ଦୁ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଭାବେ ଇସମତ୍ ଚୁଘତାଇ ସୁପ୍ରସିଦ୍ଧ । ୧୯୨୫ ମସିହାରେ ଉତ୍ତର ପ୍ରଦେଶର ବଦାୟୁଁ ଠାରେ ଜନ୍ମିତ ଏହି ସୁଲେଖିକା ପ୍ରଗତିଶୀଳ ଉର୍ଦ୍ଦୁ ସାହିତ୍ୟ ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ସାତଟି ଚର୍ଚ୍ଚିତ ଉପନ୍ୟାସ (ସେଥି ମଧ୍ୟରୁ ‘ଜିଦ୍ଦି’ ସର୍ବଶ୍ରେଷ୍ଠ) ଏବଂ ଦଶରୁ ଉର୍ଦ୍ଧ୍ୱ ଗଳ୍ପ ସଙ୍କଳନ ରଚନା କରି ସେ ଅସଜ୍ର ପାଠକୀୟ ଆଦୃତି ଲାଭ କରିଥିଲେ । ତାଙ୍କରି ଗଳ୍ପର କଥାବସ୍ତୁ ଉପରେ ଦେଶ ବିଭାଜନ ଉପରେ ‘ଗରମ ହାୱା’ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ସେହିଭଳି ‘ଲିହାଫ’ କ୍ଷୁଦ୍ରଗଳ୍ପ ତାଙ୍କ ବଳିଷ୍ଠ ଚିନ୍ତ୍ରଧାରାକୁ ପ୍ରକଟିତ କରେ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮
ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ
ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଥିଲେ । କିଏ କାହା ମୁଣ୍ଡକୁ ପାହାରେ ପକେଇଲାଣି ତ ଆଉ କିଏ ଘରେ ଧାଁଦଉଡ଼ କରି ଜିନିଷପତ୍ର ଛିନଛତ୍ର କଲାଣି । ସବୁବେଳେ ହୋହଲ୍ଲା କରି ଘରଟାକୁ ସତେ ଯେମିତି ଫଟେଇ ପକାଉଥିଲେ । ଆଉ କେତେବେଳେ ମାଙ୍କଡ଼ଚିତ୍ ମାରି ଉତ୍ପାତ କରୁଥିଲେ । ସେମାନେ
ସଦାବେଳେ ସେମିତିକିଆ । ତେଣୁ ଅଗଷ୍ଟ ୧୫ ତାରିଖ ସେମାନଙ୍କ ଲାଗି କିଛି ବିଶେଷ ମାନ୍ୟତା ବହନ କରି ନ ଥିଲା । ଯେମିତି ବିଶେଷ କିଛି ଘଟିନି । ପୋଡ଼ାମୁହାଁ ପିଲା ପଞ୍ଝାକ ଏକଥା ବୁଝିପାରୁ ନ ଥିଲେ ଯେ ଏ ଦେଶ ଛାଡ଼ି ଗୋରାମାନେ ନିଜ ଦେଶକୁ ବାହୁଡ଼ି ସାରିଲେଣି । ଆଉ ଲେଉଟିବା ଆଗରୁ ସେମାନେ ଆମକୁ ଏମତି କ୍ଷତାକ୍ତ କରି ଯାଇଛନ୍ତି ଯେ ସେ ଘାଆ ଶୁଖିବାକୁ ବର୍ଷ ବର୍ଷ ଲାଗିବ ।
ଏଭଳି ଅପଦାର୍ଥ ଲୋକଙ୍କ ହାତରେ ଭାରତର ଅସ୍ତ୍ରୋପଚାର କରାଯାଇଛି ଓ ଏତେ ଦନ୍ଥଡ଼ା ଛୁରୀରେ ଯେ ପିଢ଼ି ପିଢ଼ି ଉଜୁଡ଼ି ଯାଇଛି । ଚାରିଆଡ଼େ ରକ୍ତର ନଦୀ ବହୁଛି । ଆଉ ଆଁ ଭଳି ମେଲି ଯାଇଥିବା ଘାଆକୁ ସିଲେଇ କରିବାକୁ କାହାର ନିଘା ନାହିଁ । ଯଦି କୌଣସି ସାଧାରଣ ଦିନ ହୋଇଥାଆନ୍ତା, ତା’ହେଲେ ବୋଧହୁଏ କେହି ପିଲାମାନଙ୍କୁ ବାହାରକୁ ଯାଇ ଯେତେ ଇଚ୍ଛା ସେତେ ହୋହଲ୍ଲା କରିବାକୁ ତାଗିଦ୍ କରିଥାଆନ୍ତା । କିନ୍ତୁ ଗଲା କେଇଦିନ ଧରି ସହରଟା ସାରା ପରିବେଶ ଏମିତି ଭୟଙ୍କର ହୋଇ ପଡ଼ିଛି ଯେ ସବୁ ମୁସଲମାନ ଲୋକ ଯେମିତି ନିଜ ପ୍ରାଣ ବଞ୍ଚେଇବାକୁ ଲୁଚି ରହିଛନ୍ତି । ସିଭିଲ୍ ଲାଇନ୍ସ ଏରିଆ ସଦାବେଳ ପରି ଶାନ୍ତିପୂର୍ଣ୍ଣ ଥିଲା । ଏମିତିକା ଗୁଜବ ଓ ହିଂସା ଅଧିକ ମାତ୍ରାରେ ସାଧାରଣ ଲୋକ ବସବାସ କରୁଥିବା ଇଲାକାରେ ବ୍ୟାପେ । ଯେଉଁଠି ଅଜ୍ଞତା ଓ ଦାରିଦ୍ୟ ଥାଏ ସେଠାରେ ଘୃଣା ଅଧିକତରଭାବେ ଆକ୍ରାନ୍ତ କରେ । ଧର୍ମ ନାଁରେ ସେଇସବୁ ସ୍ଥାନରେ ସେଇଭଳିଆ ଲୋକମାନେ ହିଁ ସେମାନଙ୍କର ସ୍ୱାର୍ଥ ସାଧନ ସକାଶେ ଏମିତିକିଆ ଗୁଜବ ଓ ହିଂସାର ସାହାରା ନେଇଥାଆନ୍ତି । ଏବେ ସେମିତିକିଆ ଭୟ ସାରା ପରିବେଶକୁ କଳୁଷିତ କରି ପକାଇଛି । ତା’ ଉପରେ ପୁଣି ଦିନକୁ ଦିନ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । ଫି’ଦିନ ପଞ୍ଜାବରୁ ସେମାନଙ୍କ ସୁଅ ଛୁଟିଥିଲା । ସେମାନେ ସହରର ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମନର ଭୟକୁ ଆହୁରି ବଢ଼ାଇ ଦେଉଥିଲେ । ଏବେସୁଦ୍ଧା ଦି’ ଦି’ଥର ହିଂସାକାଣ୍ଡ ଘଟି ସାରିଥିଲା କିନ୍ତୁ ମେୱାରର ହିନ୍ଦୁ ଓ ମୁସଲମାନମାନେ ଏମିତି ମିଳିମିଶି ବସବାସ କରି ରହୁଥିଲେ ଯେ ସେମାନଙ୍କ ନାଁରୁ ସୁଦ୍ଧା ସେମାନଙ୍କୁ ଭାଗ ଭାଗ କରିବା କଷ୍ଟକର ବ୍ୟାପାର ଥିଲା । ଏପରିକି ରଙ୍ଗ ଢଙ୍ଗ, ବେଶ ପୋଷାକ, ଚାଲିଚଳଣ, ହାବଭାବ ଓ ଚେହେରା – ସବୁ ସମାନ । ଯେଉଁମାନଭ୍କୁ ସହଜରେ ଅନ୍ୟମାନଙ୍କଠାରୁ ବାଛି ହୋଇଥାଆନ୍ତା, ସେମାନେ ପାକିସ୍ତାନକୁ ଯାଇ ସାରିଥିଲେ ।
ଅଗଷ୍ଟ ୧୫ ତାରିଖ ଦିନ କ’ଣ ହେବାକୁ ଯାଉଛି ସେମାନେ ତା’ର ଟେର ଆଗୁଆ ପାଇ ସାରିଥିଲେ । କିନ୍ତୁ ଏ ସହରରେ ଯେଉଁମାନେ ପୀଢ଼ି ପୀଢ଼ି ଧରି ବସବାସ କରି ଆସୁଥିଲେ, ସେମାନେ ଏ ପାଣିପବନ ଓ ପରିବେଶ ସହ ଏମିତି ଜଡ଼ିତ ହୋଇ ସାରିଥିଲେ ଯେ ପାକିସ୍ତାନ ଓ ଭାରତ ଭିତରେ ପ୍ରକୃତରେ ସମସ୍ୟାଟି କ’ଣ ସେକଥା ବୁଝିବା ଲାଗି ସେମାନଙ୍କର ସାମର୍ଥ୍ୟ ହିଁ ନଥିଲା । ପୁଣି କେହି ଏପରି ଲୋକ ନ ଥିଲେ ଯିଏ ସେମାନଙ୍କୁ ଏକଥା ଭଲଭାବେ ବୁଝେଇ ପାରିବେ । ଯେଉଁ କିଛି ଲୋକ ପାକିସ୍ତାନ ପଳେଇବାକୁ ମନ ବଳାଉଥିଲେ ସେମାନେ ଶୁଣିବାକୁ ପାଉଥିଲେ ଯେ ସେଠାରେ ଗହମ ସେର କାଳେ ଚାରିଟଙ୍କା! ଆଉ ହାତ ପାପୁଲି ଲମ୍ବା ନାନ୍ ପଟକୁ ଚାରିଅଣା । ଏକଥା ଶୁଣି ସେମାନଙ୍କ ମନରୁ ପାକିସ୍ତାନ ପଳେଇ ଯିବାର ସରାଗ ମରି ସାରିଥିଲା । ସେମାନେ ଘରୁ ଗୋଡ଼ କାଢ଼ି ପାରୁ ନ ଥିଲେ । ଯେଉଁମାନେ ଯାଇଥିଲେ ସେମାନେ ବି ଫେରୁଥିଲେ ।
କାରଣ, ପାକିସ୍ତାନରେ ପହଞ୍ôଚଲାପରେ ସେମାନଙ୍କୁ ଖାଇବା ଲଗାି ଗହମ କିଣାଲ ଦରକାର ପଡ଼ୁଥିଲା । ଗହମ ସେର ଚାରିଟଙ୍କା ଦେଇ କିଣିବାକୁ ସେମାନଙ୍କ ହାତରେ ଟଙ୍କା କାହିଁ? ଖଣ୍ଡେ ନାନ୍ କିଣିବାକୁ ସୁଦ୍ଧା ସେମାନଙ୍କ ଅଣ୍ଟାରେ ପଇସା ନ ଥିଲା । ଟଙ୍କା ତ ଆଉ କ୍ଷେତରୁ ଅମଳ ହୁଏନି କି ଯେଉଁ ଦୋକାନରେ ମିଳେନି । ଟଙ୍କା ରୋଜଗାର କରିବାର ଉପାୟ ନଥିଲା, ଆଉ ଟଙ୍କା ବିନା ସେମାନେ ଏଠି ତିଷ୍ଠି ରହିବା ଅସମ୍ଭବ ଥିଲା । ଯେତେବେଳେ ଆମ ଇଲାକାରୁ ସବୁ ମୁସଲମାନଙ୍କ ତଡ଼ି ଦିଆଯିବା ପାଇଁ ଖୋଲାଖୋଲି ଭାବେ ଆହ୍ୱାନ ଦିଆଗଲା, ଆମମାନଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଗଲା । ଠାକୁରମାନେ କିନ୍ତୁ ସେକଥାକୁ ମାନିବାକୁ ପ୍ରସ୍ତୁତ ନ ଥିଲେ । ସେମାନଙ୍କ ମତ ଥିଲା ଯେ ଦୁଇ ସମ୍ପ୍ରଦାୟର ଲୋକ ଏଠାରେ ଏମିତି ମିଳିମିଶି ବସବାସ କରୁଛନ୍ତି ଯେ ସେମାନଙ୍କ ଭିତରୁ ମୁସଲମାନଙ୍କୁ ଖୋଜି ଚିହ୍ନି ବାହାର କରିବା ଲାଗି ଅନେକ ଲୋକ ଦରକାର । ଏତେ କଥା କରିବା ଅଯଥାରେ ଅର୍ଥଶ୍ରାଦ୍ଧ କରିବା ସଙ୍ଗେ ସମାନ ହେବ ବୋଲି ସେମାନେ ମତ ଦେଲେ । ବରଂ ସେଇ ପଇସାରେ ଜଙ୍ଗଲ ଜମି କିଣି ଶରଣାର୍ଥୀମାନଙ୍କୁ ଥଇଥାନ କରିବା ଉଚିତ ହେବ ବୋଲି ପରାମର୍ଶ ଦେଲେ । ହେଲେ ଜଙ୍ଗଲରେ ତ ହିଂସ୍ର ଜୀବଜନ୍ତୁ ବସବାସ କରନ୍ତି, ଆଉ ସେମାନଙ୍କୁ ଏମିତି ଯେତେବେଳେ ଇଚ୍ଛା ସେତେବେଳେ ତଡ଼ି ବାହାର କରି ଦିଆଯିବ!
ଏବେ ସୁଦ୍ଧା କିଛି ସମ୍ଭ୍ରାନ୍ତ ମୁସଲମାନ ପରିବାର ସେ ଇଲାକା ଛାଡ଼ି ନ ଥିଲେ । ସେମାନେ ମହାରାଜାଙ୍କ ଅଧୀନରେ ଚାକିରୀ କରିଥିଲେ ଅବା ସେମାନଙ୍କର ଅତି ପ୍ରିୟ ଥିଲେ । ତେଣୁ ସେମାନଙ୍କର ଏ ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାର ପ୍ରଶ୍ନ ଉଠୁ ନ ଥିଲା । ଆଉ କିଛି ମୁସଲମାନ ପରିବାର ଥିଲେ ଯିଏ ନିଜର ଭିଟାମାଟି ଛାଡ଼ିବାକୁ କସ୍ମିନ୍ କାଳେ ପ୍ରସ୍ତୁତ ନ ଥିଲେ । ଆମ ପରିବାର ସେମାନଙ୍କ ଭିତରୁ ଗୋଟିଏ । ଆମେ ଘରଦ୍ୱାର ଛାଡ଼ିବାକୁ ଆଦୌ ତରତର ନଥିଲୁ । ହେଲେ ମୋ ବଡ଼ଭାଇ ଆଜମେରରୁ ଲେଉଟିବା ପରେ ସବୁ ଯୋଜନା ଓଲଟପାଲଟ ହୋଇଯାଇଥିଲା । ସେ ସମସ୍ତଙ୍କୁ ଉସୁକେଇଲା, ସେମାନଙ୍କ ମନରେ ଘୃଣା, କ୍ରୋଧ ଭରିଲା । ସେମାନଙ୍କ କାନ ଫୋଡ଼ିଲା ଓ ତତେଇଲା । ତଥାପି ଘରଛାଡ଼ି ଚାଲିଯିବାକୁ କେହି ଏତେ ସହସା ନିଷ୍ପତ୍ତିରେ ପହଞ୍ଚିବେ ପାରୁ ନ ଥିଲେ । ବଡ଼ଭାଇର କଥାକୁ କେହି ବିଶେଷ ଧ୍ୟନ ଦେଇ ନ ଥାନ୍ତେ ଯଦି ଚବ୍ବା ମିଆଁ – ଆଲ୍ଲା ତାଙ୍କର ମଙ୍ଗଳ କରନ୍ତୁ- ଅନ୍ୟମାନଙ୍କୁ ଗଣ୍ଡଗୋଳ କରିବାକୁ ଉସ୍କେଇ ନ ଥାଆନ୍ତା ।
ମୋ ବଡ଼ଭାଇ ଏ ଇଲାକା ଛାଡ଼ିବାକୁ ମନେ ମନେ ସିଦ୍ଧାନ୍ତ ନେଇ ସାରିଥିଲା । ଏପରିକି ଏଇ ପ୍ରସଙ୍ଗକୁ ନେଇ ଘରର ଅନ୍ୟମାନଙ୍କ ସାଙ୍ଗରେ ଆଲୋଚନା କି ଯୁକ୍ତିତର୍କ କରିବା ସୁଦ୍ଧା ସେ ବନ୍ଦ୍ କରିଦେଇଥିଲା । ହଠାତ୍ ତା’ରି ଭିତରେ ଦିନେ ଚବ୍ବା ମିଆଁ ଗାଆଁ ସ୍କୁଲ କାନ୍ଥରେ ‘ପାକିସ୍ତାନ ଜିନ୍ଦାବାଦ୍’ ବୋଲି ଲେଖିଦେଲା । ରୂପଚାନ୍ଦଜୀଙ୍କ ପିଲାମାନେ ତାକୁ ବାରଣ କଲେ । ସେମାନେ ତୁରନ୍ତ ସେ ଲେଖାକୁ ଲିଭେଇ ସେଠାରେ ଲେଖିଦେଲେ, ‘ଅଖଣ୍ଡ ହିନ୍ଦୁସ୍ତାନ’ । ଏହାର ପରିଣାମ ହେଲା ଗଣ୍ଡଗୋଳ ଓ ହିଂସା । ଉଭୟ ଗୋଷ୍ଠୀ ଏବେ ଖୋଲାଖୋଲିଭାବେ ସେ ଇଲାକାରୁ ଅନ୍ୟ ସମ୍ପ୍ରଦାୟକୁ ନିଶ୍ଚିହ୍ନ କରିଦେବେ ବୋଲି ଘୋଷଣା କଲେ । ଖୁବ୍ ଶୀଘ୍ର ପରିସ୍ଥିତି ଅଣଆୟତ୍ତ ହୋଇପଡ଼ିଲା । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସକୁ ଡକାଗଲା । ଗଣ୍ଡଗୋଳରେ ଲିପ୍ତ କିଛି ମୁସଲମାନ ଟୋକାଙ୍କୁ ପୁଲିସ ଧରି ପରେ ସେମାନଙ୍କ ପରିବାର ଜିମ୍ମା ଦେଲା ।
ପିଲାମାନେ ଘରକୁ ଲେଉଟିବା ମାତ୍ରେ, ହଇଜା ଟାଉନର ମା’ମାନେ ସେମାନଙ୍କ କୁଳନନ୍ଦନମାନଙ୍କୁ ଯଥାରୀତି କୁଣ୍ଢେଇ ଧରି ସ୍ୱାଗତ କରିବାକୁ ଧାଇଁ ଆସିଲେ । ଅତୀତରେ ଯେତେଥର ରୂପଚାନ୍ଦଜୀଙ୍କ ପିଲାମାନଙ୍କ ସାଥିରେ ମାରପିଟ କରି ଘରକୁ ଫେରେ, ତା’ର ମା’ ତାକୁ ଜୋତାରେ ଆହୁରି ପରସ୍ତେ ସେକେ ଓ ପୁଣି ସେ ରୂପଚାନ୍ଦଜୀଙ୍କ ଘରକୁ ଜଡାତେଲ ଓ କୁଇନାଇନ ବଟିକା ଆଣିବାକୁ ପଠାଏ । ରୂପଚାନ୍ଦଜୀ କେବଳ ଆମ ପରିବାରର ଡାକ୍ତର ନ ଥିଲେ, ସେ ଥିଲେ ମୋ ବାପାଙ୍କର ବନ୍ଧୁ । ତାଙ୍କ ପୁଅମାନେ ଆମ ପରିବାରର ପିଲାମାନଙ୍କ ଘନିଷ୍ଠ ସାଙ୍ଗ । ତାଙ୍କ ପରିବାରର ମହିଳାମାନେ ଥିଲେ ଆମ ପରିବାରର ମହିଳାମାନଙ୍କର ଅତି ପ୍ରିୟ । ମୋଟ ଉପରେ ଦୁଇ ପରିବାର ଭିତରେ ସମ୍ପର୍କ ଅତି ନିବିଡ଼ ଥିଲା । ଦୀର୍ଘ ବର୍ଷ ଧରି ଏଇ ବନ୍ଧୁତାକୁ ଉଭୟ ପରିବାର ଅତୁଟ ରଖି ଆସିଥିଲେ । ପ୍ରାୟ ତିନି ପିଢ଼ି ଧରି ଏ ସମ୍ପର୍କ କାଏମ ରହିଆସିଥିଲା । ତେଣୁ ଦେଶ ବିଭାଜନ ପରେ ଏ ଘନିଷ୍ଠତା ତୁଟି ଉଭୟ ପରିବାର ଭିତରେ କଳିତକରାଳ ହେବ ବୋଲି କେହି କେବେ ବିଶ୍ୱାସ କରିପାରୁ ନ ଥିଲେ ।
ଏକଥା ସତଯେ ଉଭୟ ପରିବାରରେ ମୁସଲିମ୍ ଲିଗ୍, କଂଗ୍ରେସ ଓ ହିନ୍ଦ ମହାସଭାର ସମର୍ଥକମାନେ ଥିଲେ । ଧର୍ମ ଓ ରାଜନୀତିକୁ ନେଇ ବେଳେବେଳେ ସେମାନଙ୍କ ଭିତରେ ଘମାଘୋଟ ଯୁକ୍ତିତର୍କ ଚାଲେ । କିନ୍ତୁ ଫୁଟବଲ କି କ୍ରିକେଟ ମ୍ୟାଚ ପରି ସେ ବାଦବିବାଦ ପୁଣି ଥମିଯାଏ । ମୋ ବାପା ଥିଲେ ସଚ୍ଚା କଂଗ୍ରେସୀ, ଡାକ୍ତର ସା’ବ୍ ଓ ତାଙ୍କ ବଡ଼ପୁଅ ଥିଲେ କଟ୍ଟରପନ୍ଥୀ ମୁସଲିମ୍ ଲିଗ୍ ସମର୍ଥକ । ଜ୍ଞାନଚାନ୍ଦ ଥିଲେ ହିନ୍ଦୁ ମହାସଭାବାଦୀ । ମୋ ସାନଭାଇ ହେଲା କମ୍ୟୁନିଷ୍ଟବାଲା ଓ ଗୁଲାବଚନ୍ଦ ଥିଲେ ସୋସାଲିଷ୍ଟପନ୍ଥୀ । ଉଭୟ ପରିବାରର ସ୍ତ୍ରୀଲୋକ ଓ ପିଲାମାନେ ଯେଝାଯେଝା ସ୍ୱାମୀ ଓ ବାପାମାନଙ୍କ ଦଳର ସମର୍ଥକ ଥିଲେ । ସାଧାରଣଭାବେ ଯେତେବେଳେ କୌଣସି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲେ, ଅଧିକାଂଶ ସଦସ୍ୟ କଂଗ୍ରେସକୁ ସମର୍ଥନ କରିଥାଆନ୍ତି । କମ୍ୟୁନିଷ୍ଟ ଓ ସୋସାଲିଷ୍ଟିଆମାନେ ସମସ୍ତଙ୍କୁ ଉଚ୍ଚ ସ୍ୱରରେ ଗାଳିଗୁଲଜ କରନ୍ତି, ହେଲେ ଶେଷରେ ସେଇ କଂଗ୍ରେସକୁ ସମର୍ଥକ କରିଥାନ୍ତି । ଶେଷକୁ ବଳିପଡ଼ନ୍ତି ମୁସଲିମ୍ ଲିଗ୍ ଓ ମହାସଭା ସମର୍ଥକ । ଉଭ,ୟ ଉଭୟଙ୍କ ପ୍ରତିଦ୍ୱନ୍ଦ୍ୱୀ । ହେଲେ କଂଗ୍ରେସକୁ ସମାଲୋଚନା କଲାବେଳେ ସେମାନେ ନିଜ ଶତ୍ରୁତାକୁ ଭୁଲି ପରସ୍ପର ମଧ୍ୟରେ ହାତ ମିଳାଇଥାଆନ୍ତି । ଗଲା କେଇବର୍ଷ ଭିତରେ ଲିଗ୍ ଓ ମହାସଭା ପ୍ରତି ଲୋକଙ୍କ ମନରେ ସମର୍ଥନ ବଢ଼ି ଯାଇଥିଲା । କଂଗ୍ରେସ ତ ପୂରାପୂରି ତଳିତଳାନ୍ତ ହୋଇ ସାରିଥିଲା । ମୋ ବଡ଼ଭାଇଙ୍କ ନେତୃତ୍ୱରେ, ଆମ ପରିବାରର କେଇଜଣ କଂଗ୍ରେସ ସମର୍ଥକଙ୍କୁ ଛାଡ଼ି ସମସ୍ତେ ନ୍ୟାସନାଲ ଗାର୍ଡର ଏକ ଗୋଷ୍ଠୀ ଗଠନ କରିଥିଲେ ।
ଜ୍ଞାନଚାନ୍ଦଙ୍କ ନେତୃତ୍ୱରେ ଅନ୍ୟ ପରିବାରରେ ମଧ୍ୟ ସେବକ ସଂଘର ଛୋଟମୋଟ ଗୋଷ୍ଠୀମାନ ସୃଷ୍ଟି ହୋଇ ସାରିଥିଲା । କିନ୍ତୁ ଏହା ସତ୍ତ୍ୱେ, ଉଭୟ ପରିବାର ମଧ୍ୟରେ ଥିବା ପାରସ୍ପରିକ ଶ୍ରଦ୍ଧା ଓ ଘନିଷ୍ଠତାରେ କୌଣସି ପ୍ରକାର ଭଟ୍ଟା ପଡ଼ି ନ ଥିଲା । ମହାସଭା ସମର୍ଥକ ଜ୍ଞାନଚାନ୍ଦ୍ ସଦାବେଳେ ନିଜ ଲିଗ୍ପନ୍ଥୀ ବାପାଙ୍କୁ କହେ, ‘ମୁଁ ମୋ ପୁଅକୁ ମୁନ୍ନି ସାଙ୍ଗରେ ବାହା କରେଇଦେବି । ତାକୁ ସୁନାର ପାଉଁଜି ଦେବି ।’
ବଡ଼ଭାଇ ଏକଥା ଶୁଣି ପରିହାସ କରି କହନ୍ତି, ‘ଆରେ, ସୁନା ପାଉଁଜି କହି ସୁନାପାଣି ଦିଆ ନକଲି ପାଉଁଜି ଯେମିତି ଠକି ନ ଦେଉ ।’
ନ୍ୟାସନାଲ ଗାର୍ଡର ସମର୍ଥକମାନେ ଟାଉନସାରା କାନ୍ଥବାଡ଼ରେ ‘ପାକିସ୍ତାନ ଜିନ୍ଦାବାଦ୍’ ବୋଲି ଲେଖି ଚାଲିଥାଆନ୍ତି । ଆଉ ସେମିତି ଲେଖାକୁ ଲିଭେଇ ସେବକ ସଂଘବାଲାଏ ସେଠାରେ ‘ଅଖଣ୍ଡ ହିନ୍ଦୁସ୍ତାନ’ ବୋଲି ଲେଖି ଦିଅନ୍ତି । ଏକଥା ସେତିକିବେଳେ ଚାଲିଥିଲା ଯେତେବେଳେ ପାକିସ୍ତାନ ଗଠନ ହେବ କି ନ ହେବ, ସେଇ ପ୍ରସଙ୍ଗକୁ ନେଇ ଲୋକମାନେ ପରସ୍ପର ଭିତରେ ଥଟ୍ଟା ପରିହାସ ହେଉଥିଲେ । ଆବ୍ବା ଓ ରୂପଚାନ୍ଦ୍ ସମସ୍ତଙ୍କ କଥାକୁ ନୀରବରେ ଶୁଣନ୍ତି ଓ ମନେମନେ
ଅଖଣ୍ଡ ଏସିଆ ଗଠନ କଥା ଭାବନ୍ତି । ଅମ୍ମି ଓ ଚାଚୀ ରାଜନୀତିର ଧାର ଧାରନ୍ତିନି । ସେମାନଙ୍କ କଥାବାର୍ତ୍ତା ହଳଦୀ, ଧନିଆ, ସେମାନଙ୍କ ଝିଅମାନଙ୍କ ଯୌତୁକ, ଉଭୟ ପରିବାରର ବଢ଼ିଲା ଝିଅମାନଙ୍କ କଥାରେ ହିଁ ସୀମିତ ରହିଥାଏ । ନହେଲେ ସେମାନେ ପିନ୍ଧିଥିବା ଶାଢ଼ି କି ଗହଣାର ଡିଜାଇନକୁ ନେଇ ଦୁଃଖସୁଖ ହୁଅନ୍ତି । ଡାକ୍ତର ସା’ବଙ୍କ ଘରୁ ଔଷଧ ସାଙ୍ଗରେ ଲୁଣ କି ମସଲା ଆଦି ଆର ପରିବାରକୁ ଆସେ । ଆର ପରିବାରରେ ଯଦି କିଏ କାଶିଲା କି ଛିଙ୍କିଲା, ଡାକ୍ତର ସା’ବଙ୍କ ପରାମର୍ଶ ଲାଗି ସେମାନେ ଦୌଡ଼ି ଆସନ୍ତି ।
ଆମ ଭିତରୁ ଯଦି କାହାର ଦେହ ଖରାପ ହେଲା, ତା’ହେଲେ ଅମ୍ମି ଡାଲିପୂରଦିଆ ରୁଟି କି ଦହିବରା ତିଆରି କରି ଡାକ୍ତର ସା’ବଙ୍କୁ ନିମନ୍ତ୍ରଣ କରନ୍ତି । ଡାକ୍ତର ସା’ବ ତାଙ୍କର ଗୋଟିଏ ସାନ ନାତିର ହାତକୁ ଧରି ଆସି ଆମ ଘରେ ହାଜର ହୋଇଯାଆନ୍ତି । ଡାକ୍ତର ସା’ବ ଆମ ଘରକୁ ଆସିବା ଆଗରୁ ତାଙ୍କ ପତ୍ନୀ ବାରମ୍ବାର ତାଗିଦ୍ କରି କହୁଥିବେ, ‘ହୁସିଆର, ତାଙ୍କ ଘରେ ଯେମିତି କିଛି ନ ଖାଅ, ମୁଁ କ’ଣ କହୁଛି ତୁମ କାନରେ ପଶୁଚି ଟି …?’ ଡାକ୍ତର ସା’ବ ପରିହାସ କରି କହନ୍ତି, ‘ଠିକ୍ କଥା କହୁଚ । ହେଲେ ମୋ ଫିସ୍ ସେମାନଙ୍କଠୁ କେମିତି ଆଦାୟ କରିବି? ଶୁଣ, ମୋ ପଛେ ପଛେ ଲଲ୍ଲୁ ଆଉ ଚୁନ୍ନିଙ୍କୁ ବି ପଠେଇଦେବ ।’
ଅମ୍ମି ଯେତେବେଳେ ବେମାର ପଡ଼େ ସେତେବେଳେ ଘରେ ଖୁବ୍ ମଜା ହୁଏ । ଡାକ୍ତର ସା’ବଙ୍କୁ ଅମ୍ମିର ହାଲ୍ ଡର । ସିଏ କହେ, ‘ଖବରଦାର, ମୁଁ ସମସ୍ତଙ୍କୁ ହୁସିଆର କରିଦେଉଚି । ସେ ଡାକ୍ତରଙ୍କ ହାତରେ ମୁଁ ଚିକିତ୍ସା ହେବିନି । ଲୋକଟା ମତେ ବାର କଥା କହିବ ।’ କିନ୍ତୁ ଅମ୍ମି ଲାଗି ଆଉ ଜଣେ ଡାକ୍ତର ଯୋଗାଡ଼ କରିବା ସକାଶେ କେହି ସହରକୁ ଯାଆନ୍ତିନି । ତା’ଛଡ଼ା ଅମ୍ମି ଅସୁସ୍ଥ ହୋଇଛି ବୋଲି ଶୁଣିବା ମାତ୍ରେ ଡାକ୍ତର ସା’ବ ଧଡ଼ପଡ଼ ବାଜି ବସିବା ଜାଗାରୁ ଉଠି ଆମ ଘରେ ହାଜର ହୋଇ ଯାଆନ୍ତି ଓ ଅମ୍ମିର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଦିଅନ୍ତି ।
ଅମ୍ମିକୁ ପରିହାସ କରି କହନ୍ତି, ‘ହାଣ୍ଡିକ ପଲାଉ ଯଦି ଏକୁଟିଆ ଖାଇବ, ତୁମେ ବେମାର ପଡ଼ିବ ନା ନାଇଁ?’ ପର୍ଦା ପଛପଟୁ ଅମ୍ମି ବି ଡାକ୍ତର ସା’ବଙ୍କୁ ତୁରନ୍ତ ଜବାବ ଦିଏ, ‘ସମସ୍ତେ ଆପଣଙ୍କ ଭଳିଆ ପେଟୁ ନୁହନ୍ତି ।’
ଡାକ୍ତର ସା’ବ ତା’ପରେ ପ୍ରସଙ୍ଗ ବଦଳାଇ କହନ୍ତି, ‘ତୁମର ଦେହ କିଛି ଖରାପ ହେଇନି । ତୁମେ ଖାଲି ବାହାନା କରୁଛ, କେମିତି ମୁଁ ଆସି ତୁରନ୍ତ ତୁମ ଦେହମୁଣ୍ଡ ପରୀକ୍ଷା କରିବି । ଏତେ ଉପାସ ବ୍ରତ କରିବାର କି ଦରକାର?’ ଏପରି କହି ଡାକ୍ତର ସା’ବ ଆଖିମିଟିକା ମାରନ୍ତି । ମୁହଁରେ ପରିହାସିଆ ହସ ଫୁଟାଇ ମଜା କରନ୍ତି । ଅମ୍ମି ଡାକ୍ତର ସା’ବଙ୍କ ହାତରୁ ନିଜ ପାପୁଲିକୁ ଭିଡ଼ିନିଏ । ଆବ୍ବାଜାନ୍ ପାଖରେ ବସି ସବୁ ଲକ୍ଷ୍ୟ କରନ୍ତି ଓ ମୁରୁକି ମୁରୁକି ହସନ୍ତି ।
ଡାକ୍ତର ସା’ବ ଆମ ଘରକୁ ଜଣେ ରୋଗୀକୁ ଦେଖିବାକୁ ଆସିଲେ ଘରର ସମସ୍ତେ ଧାଡ଼ିବାନ୍ଧି ଠିଆ ହୋଇପଡ଼ନ୍ତି । କାହା ଗାଲରେ ବ୍ରଣ ଉଠିଚି ତ ଆଉ କାହାର କାନ ଟଣକୁଛି କିମ୍ବା ଆଉ କାହା ନାକରୁ ରକ୍ତ ପଡ଼ୁଛି ।
ଡାକ୍ତର ସା’ବ୍ ଆବ୍ବାଙ୍କ ମୁହଁକୁ ଚାହିଁ କହନ୍ତି, ‘ଦେଖୁଛଟି, ଡେପୁଟୀ ସା’ବ୍, ଏମାନେ ମୋତେ କେମିତି ହଇରାଣ କରୁଚନ୍ତି । ଭାବୁଛି ଜଣେ ଦି’ଜଣଙ୍କୁ ବିଷ ପିଆଇଦେବି । ଏମାନେ କ’ଣ ମତେ ପଶୁଡାକ୍ତର ଭାବୁଚନ୍ତି ନା କ’ଣ? ସମସ୍ତେ ଆସି ମୋ ଆଗରେ ରୁଣ୍ଡ ହୋଇ ଯାଉଛନ୍ତି?’
ଆଉ ଯଦି ଘରର କୌଣସି ବୋହୂର ପିଲାଛୁଆ ହେବାର ଅଛି ବୋଲି ଶୁଣନ୍ତି, ତା’ହେଲେ ତ ଡାକ୍ତର ସା’ବ ପୃଥିବୀସାରା ସବୁ ଲୋକଙ୍କୁ ଅଭିଶାପ ଦେବା ଆରମ୍ଭ କରିଦିଅନ୍ତି । ଗୁଣୁଗୁଣୁ ହୋଇ କହିଚାଲନ୍ତି, ‘ହଁ, ମାଗଣାରେ ଔଷଧ ମିଳିଯାଉଚି ତ… ଆହୁରି ପିଲାଛୁଆ ଜନ୍ମ କରିଚାଲ । ସେମାନଙ୍କୁ ସମସ୍ତଙ୍କୁ ଆଣି ମୋରି ମୁଣ୍ଡ ଉପରେ ଲଦ ।’ କିନ୍ତୁ ଯେଉଁ ମୁହୂର୍ତ୍ତରେ ବୋହୂମାନଙ୍କର ପ୍ରସବ ବେଦନା ଆରମ୍ଭ ହେବାକଥା ଶୁଣନ୍ତି, ତୁରନ୍ତ ଆସି ଆମ ଓ ତାଙ୍କ ଘର ମଝି ଅଗଣାରେ ହାଜର ହୋଇଯାଆନ୍ତି । ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଅସ୍ତବ୍ୟସ୍ତ ହୋଇପଡ଼ିବା ପରି ଖାଲି ଟହଲ ମାରୁଥାଆନ୍ତି । ସମସ୍ତଙ୍କ ଉପରେ ଚିଲ୍ଲେଇ ଗାଳିଗୁଲଜ କରନ୍ତି । ବନ୍ଧୁ ପରିଜନ ଓ ସାଇପଡ଼ିଶା ଆସି ରୁଣ୍ଡ ହୁଅନ୍ତି । ପିଲାଟିର ବାପକୁ ବି ଡାକ୍ତର ସା’ବ୍ ଗାଳି ଦିଅନ୍ତି, ବେଳେବେଳେ ଚାପୁଡ଼ାଟିଏ କଷି ଦିଅନ୍ତି! ହେଲେ ଯେମିତି ନବଜାତକଟିର କୁଆଁ କୁଆଁ ଶବ୍ଦ ତାଙ୍କ କାନରେ ପଡ଼େ, ଆଉ ସମ୍ଭାଳି ନ ପାରି ଆମ ବାରଣ୍ଡା ଉପରକୁ ଉଠିଆସନ୍ତି । କବାଟ ଖୋଲି କୋଠରି ଭିତରକୁ ପଶିଯାଆନ୍ତି । ସାଙ୍ଗରେ ଆବ୍ବାଙ୍କ ହାତକୁ ବି ଭିଡ଼ି ନିଅନ୍ତି । ଆବ୍ବାଙ୍କ ମୁହଁ ସେତେବେଳକୁ ଭାରି ଗମ୍ଭୀର ଓ ଚିନ୍ତାଗ୍ରସ୍ତ ଲାଗୁଥିବ । ପୋଖତୀଘରେ ଥିବା ଅନ୍ୟ ମହିଳାମାନେ ଦୁହିଁଙ୍କୁ ଠେଲିପେଲି ପଦାକୁ ବାହାର କରିଦିଅନ୍ତି । ଗାଳିଗୁଲଜ ବି କରନ୍ତି । ହେଲେ ଡାକ୍ତର ସା’ବ କି ଛାଡ଼ିବା ଜନ୍ତୁ! ସଙ୍ଗେ ସଙ୍ଗେ ନବଜାତକର ନାଡ଼ି ପରୀକ୍ଷା କରନ୍ତି ଓ ଶିଶୁଟିର ପଛପଟେ ଟିପାଟିଏ ମାରି କହନ୍ତି, ‘ସବୁ ଠିକ୍ ଅଛି ।
ଶେର୍ କା ବଚ୍ଚା!’ ଏଥର ଶିଶୁଟିର ନାହି କାଟି ତାକୁ ଭଲକରି ଗାଧୋଇ ଦିଅନ୍ତି । ତାଙ୍କ ପାଖରେ ଡରି ଡରି ଠିଆ ହୋଇଥିବା ଅବ୍ବୁ ନର୍ସର ଭୂମିକା ଗ୍ରହଣ କରନ୍ତି । ଅମ୍ମି କିନ୍ତୁ ବାହାରୁ ଦୁଇଜଣଙ୍କ ଉପରେ ଗାଳି ବର୍ଷି ଚାଲିଥିବ, ‘ହାଏ ଆଲ୍ଲା! ଏ ଦି’ଟା ଲୋକ ପିଲାଟାକୁ ମଣିଷ ଛୁଆ ବୋଲି ଭାବୁଚନ୍ତି ନା ସିଏ କୁକୁର ଛୁଆ!’ ଦିଓଟି ଦୁଷ୍ଟ ବାଳକ ପରି ଏଥର ଡାକ୍ତର ସା’ବ୍ ଓ ଆବ୍ବା ସେ ଘର ଭିତରୁ ଚୁପ୍ଚାପ୍ ବାହାରି ଆସନ୍ତି । ଆବ୍ବାଙ୍କର ପ୍ରଥମ ପାରାଲିଟିକ୍ ଷ୍ଟ୍ରୋକ୍ ହେଲାବେଳକୁ ରୂପଚାନ୍ଦଜୀ ହସପିଟାଲରୁ ଅବସର ନେଇ ସାରିଥାନ୍ତି । ଏବେ ତାଙ୍କର ଡାକ୍ତରୀ ଚିକିତ୍ସା କହିଲେ କେବଳ ତାଙ୍କ ଓ ଆମ ପରିବାରର ସଦସ୍ୟଙ୍କ ଭିତରେ ହିଁ ସୀମିତ । ଅନ୍ୟ ଡାକ୍ତରମାନେ ଆବ୍ୱାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଫି’ଥର ଡାକ୍ତର ସା’ବ୍ ଅମ୍ମି ଓ ନର୍ସମାନଙ୍କ ସାଙ୍ଗରେ ଡାକ୍ତରଖାନା ଯାଆନ୍ତି । ଆବ୍ବାଙ୍କର କାଳ ହେବାପରେ କେବଳ ଆମ ପରିବାର ପ୍ରତି ତାଙ୍କର ଶ୍ରଦ୍ଧାକୁ ସେ ଯଥାରୀତି କାଏମ ରଖି ନ ଥିଲେ, ବରଂ ଆମ ପରିବାରପାଇଁ ତାଙ୍କର ଦାୟିତ୍ୱ କେତେ ତାହା ଭଲଭାବେ ଜାଣି ସାରିଥିଲେ । ସେ ଆମ ପିଲାମାନଙ୍କ ସ୍କୁଲ୍ ଫିି’ ଛାଡ଼ କରେଇ ଦେଇଥିଲେ । ଜ୍ଞାନଚାନ୍ଦଙ୍କୁ ତାଙ୍କ ଝିଅମାନଙ୍କ ସକାଶେ ଯୌତୁକ ନ
ମାଗିବାକୁ ତାଗିଦ୍ କରିଥିଲେ । ଡାକ୍ତର ସା’ବଙ୍କ ବିନା ପରାମର୍ଶରେ ଆମ ଘରେ ଛୋଟ ହେଉ କି ବଡ଼ କୌଣସି ନିଷ୍ପତ୍ତି ନିଆଯାଉ ନଥିଲା । ଏପରିକି ଘରର ପଶ୍ଚିମ ପଟକୁ ଯେତେବେଳେ ଆଉ ଦି’ବଖରା ଘର ବାହାର କରାଯିବ ବୋଲି କଥା ଉଠିଲା, ଡାକ୍ତର ସା’ବଙ୍କ ମତ ପ୍ରଥମେ ଲୋଡା ଯାଇଥିଲା । ଡାକ୍ତର ସା’ବ ପ୍ରସ୍ତାବ ଦେଇଥିଲେ,‘ଦ୍ୱିତୀୟ ମହଲାରେ ଦି’ବଖରା ବାହାର କଲେ କ୍ଷତି କ’ଣ?’ ତାଙ୍କରି କଥା ଉପରେ ଆମ ପରିବାରସାରା ସମସ୍ତେ ଗୁରୁତ୍ୱର ସହ ଆଲୋଚନା କରିଥିଲେ । ଯେତେବେଳେ ମଜ୍ଜାନ୍ ତା’ର ଏଫଏ ପରୀକ୍ଷାରେ ବିଜ୍ଞାନ ପଢ଼ିବନି ବୋଲି ରୋକଠୋକ୍ ମନା କରିଦେଲା, ଡାକ୍ତର ସା’ବ୍ ତାକୁ ନିଜ ଜୋତାରେ ବହେ ପିଟିଥିଲେ । ଶେଷରେ ମଜ୍ଜାନ୍ ତା’ର ମତ ବଦଳେଇ ବିଜ୍ଞାନ ପଢ଼ିବାକୁ ରାଜି ହୋଇଥିଲା । ଫରିଦା ତା’ ସ୍ୱାମୀ ସାଙ୍ଗରେ ଝଗଡ଼ା ଲଗେଇ ବାପଘରକୁ ପଳେଇ ଆସିଥିଲା । ତା’ ସ୍ୱାମୀ ଆସି ଡାକ୍ତର ସା’ବଙ୍କ ପାଖରେ ପହଞ୍ଚିବ ସବୁକଥା ଫେରାଦ ହୋଇଥିଲା, ଫରିଦାକୁ ବୁଝେଇବାକୁ ସହାୟତା ଲୋଡ଼ିଥିଲା । ଏପରିକି ତାଙ୍କ
ଦ୍ୱିତୀୟ ପତ୍ନୀ ମଧ୍ୟ ଆସି ଡାକ୍ତର ସା’ବଙ୍କୁ ଅନୁରୋଧ କରିଥିଲା । ଯେତେବେଳେ ଶୀଲା ତାଙ୍କ ଘରକୁ ବାହାଘର ପରେ ବୋହୂ ହୋଇ ଆସିଥିଲା, ଆମ ଘରେ ଆୟାପାଇଁ ଲାଗୁଥିବା ଝଗଡ଼ା ସମାପ୍ତ ହୋଇଯାଇଥିଲା । ସେ କେବଳ ତା’ର ଫି’ ଅପରିବର୍ତ୍ତିତ ରଖିନଥିଲା, ପ୍ରତି ନବଜାତକଙ୍କପାଇଁ ନୂଆ କୁର୍ତ୍ତା ଓ ଟୋପି ମଧ୍ୟ ଆଣି ଠିକ୍ ଷଷ୍ଠ ଦିନ ହାଜର ହୋଇଯାଉଥିଲା ।
କିନ୍ତୁ ଏବେ ଯେଉଁଦିନ ଚବ୍ବା ମାରପିଟ କରି ଘରକୁ ଲେଉଟିଥିଲା, ତାକୁ ସମସ୍ତେ ସ୍ୱାଗତ ଜଣାଇଥିଲେ । ସତେ ଯେମିତି ମହମ୍ମଦ ଗଜନୀ ଯୁଦ୍ଧ ଜୟ କରି ସ୍ୱଦେଶ ଲେଉଟି ଆସିଥିଲା । ସମସ୍ତେ ତାକୁ ତା’ର ବୀରତ୍ୱ କଥା ପଚାରି ବୁଝିଥିଲେ । ଏଇ ହୋହଲ୍ଲା ଭିତରେ କେବଳ ଯାହା ଅମ୍ମି ଚୁପଚାପ୍ ବସି ରହିଥିଲା । ସତ କହିଲେ ସେ ତୁଣ୍ଡ ଖୋଲିବାକୁ ସେଇ ଦିନଠାରୁ ଚାହୁଁ ନ ଥିଲା ଯେଉଁଦିନ ଡାକ୍ତର ସା’ବଙ୍କ ଘର ଉପରେ ତ୍ରିରଙ୍ଗା ଆଉ ଆମ ଛାତ ଉପରେ ମୁସଲିମ୍ ଲିଗ୍ ପତାକା ଉଡ଼ାଯାଇଥିଲା । ଏହା ପରେ ଯେମିତି ଆମ ଦୁହିଙ୍କ ଘର ଭିତରେ ମାଇଲ ମାଇଲ ଲମ୍ବା ଓ ଗଭୀର ଫାଟ ସୃଷ୍ଟି ହୋଇ ଯାଇଥିଲା! ମନରେ ଗ୍ଳାନି ଓ ଆଖିରେ ଲୁହ ଆଣି ସେ ସେହି ଦୂରତ୍ୱ ଆଡ଼କୁ ନିରବରେ ଦେଖୁଥିଲା । ତା’ପରେ ପରେ ଆରମ୍ଭ ହୋଇଯାଇଥିଲା ଶରଣାର୍ଥୀ ସମସ୍ୟା ।
ବଡ଼ବୋହୂର ବାପମା’ ଭାଗ୍ୟ ବଳରେ ଜୀବନ ବଞ୍ଚାଇ ପଳାଇ ଆସିଥିଲେ । ଆଉ ନିର୍ମଳାର ଶାଶୂଶ୍ୱଶୁର ତ ରାଓଲପିଣ୍ଡିରେ ସର୍ବସ୍ୱ ହରାଇ ଆସି ସେମାନଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏବେ ଉଭୟ ପରିବାର ମଧ୍ୟରେ ସୃଷ୍ଟି ସେଇ ଦୂରତ୍ୱରେ ସତେ ଯେମିତି ବିଷଧର ସାପମାନେ ଘୂରି ବୁଲୁଥିଲେ ।
ଯେଉଁଦିନ ଛୋଟ ଭାଉଜ ତାଙ୍କ ପୁଅର ପେଟ କାଟୁଛି ବୋଲି ଚାକର ହାତରେ ଡାକ୍ତର ସା’ବଙ୍କ ପାଖକୁ ଖବର ପଠେଇଥିଲା, ଶୀଲା ଭାଉଜ ଚାକର ଟୋକାକୁ ଲେଉଟାଇ ଦେଇଥିଲେ । ଏହି କଥାକୁ ନେଇ ଘରେ କେହି ଯୁକ୍ତିତର୍କ କରି ନ ଥିଲେ । ବରଂ ସମସ୍ତେ ସାନପିଲାଟିର ଅସୁସ୍ଥତା ପ୍ରତି ଯତ୍ନଶୀଳ ହୋଇପଡ଼ିଥିଲେ । ବଡ଼ ଭାଉଜ ତ ତାଙ୍କ ଉନ୍ମାଦକୁ ଭୁଲି ଚଟାପଟ୍ ଲୁଗାପଟା ବନ୍ଧାବନ୍ଧି ଆରମ୍ଭ କରିଦେଇଥିଲେ । ଶେଷରେ ଅମ୍ମି ତୁଣ୍ଡ ଖୋଲିଥିଲା, ‘ହୁସିଆର! ମୋ ଟ୍ରଙ୍କକୁ କେହି
ଯେମିତି ନ ଛୁଏଁ!’ ତା’ କଥା ଶୁଣି ସମସ୍ତେ ଆବାକାବା ହୋଇ ଯାଇଥିଲେ ।
ବଡ଼ଭାଇ ତାକୁ ଚଢ଼ାଗଳାରେ ପଚାରିଥିଲେ, ‘ତୁ କ’ଣ ଆମ ସାଙ୍ଗରେ ଯିବୁନି?’
:‘ନା । ତୁ କ’ଣ ଭାବୁଚୁ ମୁଁ ଯାଇ ସେ ସିନ୍ଧୀ ଲୋକଗୁଡ଼ାଙ୍କ ଭିତରେ ମରିବି! ସେଇ କୁର୍ତ୍ତା ପାଇଜାମାପିନ୍ଧା ବାରବୁଲା
ଅଲାଜୁକଙ୍କ ଗହଣରେ ରହିବି?’ ‘ତା’ହେଲେ ତୁ ତୋ ସାନପୁଅ ଘରକୁ ପଳା ।’ ‘ଆରେ, ସିଏ ଢାକା ପର୍ଯ୍ୟନ୍ତ ଏତେ ବାଟ ଯିବ କାହିଁକି? ଦେଖିଛଟି ସିଏ ବଙ୍ଗାଳୀଗୁଡ଼ାକ ପାଟିରେ ହାତ ପୁରେଇ କେମିତି ଭାତ ତରକାରି ହାପୁଡ଼ନ୍ତି?’ ସାନଭାଇର ଶାଶୂ ମୁମାନୀ ବି ଛିଗୁଲେଇଲା ଭଳି କହିଲା । ନହେଲେ ଫରୀଦା ପାଖକୁ ରାଓଲପିଣ୍ଡି ଚାଲିଯାଉ ।’ ଖାଲା ପ୍ରସ୍ତାବ ଦେଲା ।
‘ତୋବା, ତୋବା! ଆଲ୍ଲା ମୋତେ ସେ ପଞ୍ଜାବୀମାନଙ୍କ ହାତରୁ ବଞ୍ଚେଇ ରଖନ୍ତୁ । ସେ ଲୋକଗୁଡ଼ାକ ନର୍କର ରାକ୍ଷସଙ୍କ ପରି କଥାବାର୍ତ୍ତା ହୁଅନ୍ତି ।’ ସେଦିନ ମୋର ସେଇ ଗୁମସୁମ୍ ଓ ନରମ ସ୍ୱଭାବର ଅମ୍ମି ତୁଣ୍ଡରୁ ଏମିତିକିଆ କଥା ବାହାରିଥିଲା । ତା’ର ଖାତିର ନ ଥିଲା ସିଏ କ’ଣ କହୁଛି , ଅବା ତା’ କଥା କାହାକୁ ଅପମାନିତ କରୁଛି ।
‘ଆଲୋ ବୁଆ, ତୁ ତ ହେଲୁ ମାଇପିଲୋକ । ଆଉ ଏବେ ତୁ ଗଧିଆ ପଞ୍ଝା କବଳିତ । ତଥାପି ଝିଅ ଘରକୁ ଯିବାକୁ ମଙ୍ଗୁନୁ!
ଆଲୋ ବୁଆ, ତୁ ଭାବନା ଯେ ତୋତେ କେଉଁ ସମ୍ରାଟଙ୍କ ଠାରୁ ନିମନ୍ତ୍ରଣ ଆସିବ… ଦେଖୁନୁ, ତୋତେ କେଉଁଟା ବି ଭଲ ଲାଗୁନି । ତୋ ନଜରରେ କେହି ସୁନ୍ଦର ନୁହନ୍ତି । ତୁ ତ ମନେ ମନେ…’ ସେତେବେଳକୁ ଘର ଭିତରର ବାତାବରଣ ସମ୍ପୂର୍ଣ୍ଣ ଗମ୍ଭୀର
ହୋଇସାରିଥିଲା । କିନ୍ତୁ ଏଇ ଶେଷ ମନ୍ତବ୍ୟ ଘରେ ହଠାତ୍ ହଟ୍ଟଗୋଳ ସୃଷ୍ଟି କରିଥିଲା । ଅମ୍ମି ମୋର ଆହୁରି ରାଗି ଯାଇଥିଲା । ନ୍ୟାସନାଲ ଗାର୍ଡ ନେତା ପଚାରିଲେ, ‘ତୁ ଏମିତି ପିଲାଙ୍କ ଭଳିଆ କାହିଁକି କଥାବାର୍ତ୍ତା କରୁଚୁ କହିଲୁ? ଏସବୁ ବାଜେ କଥା ଛାଡ଼୍, ଅମ୍ମି । ତୁ କ’ଣ ଭାବୁଚୁ ଆମେ ସମସ୍ତେ ଏଇଠି ରହିବା ଓ ସେମାନଙ୍କ ହାତରେ ମରିବା ?’
ତୋ ଇଚ୍ଛା, ତୁ ଯା’ । ମୁଁ ଏ ବୁଢ଼ୀ ଦିନେ କୁଆଡ଼େ ଯିବି?’
:‘ତୁ ଚାହୁଁଛୁ ଯେ ସେ କଫିର୍ମାନେ ତୋତେ ହତ୍ୟା କରନ୍ତୁ?’
ଖଲା ତା’ର ପ୍ରତିଟି ବ୍ୟାଗକୁ ଗୋଟିଗୋଟି କରି ଗଣି ଚାଲିଥିଲା । ତା’ର ସୁନାରୁପା ଗହଣାଗାଣ୍ଠି ସାଙ୍ଗରେ ସେ ଶୁଖିଲା ମେଥି, ମୁଲତାନୀ ମିଟ୍ଟି, ଆଉ କେଇ ପ୍ୟାକେଟ୍ ହାଡ଼ଗୁଣ୍ଡ ବି ବ୍ୟାଗରେ ପୁରାଇଥିଲା । ନିଜ ଜିନିଷପତ୍ର ସଜାଡ଼ିବାରେ ସେ ଏତେ ବ୍ୟସ୍ତ ବିବ୍ରତ ଥିଲା ଯେ ଲାଗୁଥିଲା ଯେମିତି ସେଥିରୁ ସାମାନ୍ୟ ଊଣା ହେଲେ ପାକିସ୍ତାନ ବ୍ୟାଙ୍କରେ ଷ୍ଟର୍ଲିଂ ରିଜର୍ଭ ଦୟନୀୟଭାବେ କମିଯିବ । କନ୍ଥା ଉପରେ ପଡ଼ିଥିବା ସୂତା ଲୁଗାରେ ଗଣ୍ଠିଲି ବାନ୍ଧିବାକୁ ତାକୁ ସମସ୍ତେ ବାଧ୍ୟ କରୁଥିଲେ । ସେ ଲୁଗାରେ ତା’ର ପିଲାମାନେ ମୂତିଥିଲେ । ଘରର ବାସନକୁସନ ଗୋଟିଏ ବଡ଼ ଅଖାବସ୍ତାରେ ଭର୍ତ୍ତି ହୋଇଥିଲା । ଖଟସବୁ ଖୋଲି ତା’ର ଗୋଡ଼ଗୁଡ଼ାକ ଦଉଡ଼ାରେ ଏକାଠି ବନ୍ଧା ସରିଥିଲା । ମାତ୍ର କେଇଟା ଦିନ ଭିତରେ ଏତେ ବଡ଼ ଖାନଦାନ୍ ପରିବାରଟା ଯେମିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ କେଇଟା ଗଣ୍ଠିଲିରେ ପରିଣତ ହୋଇଯାଇଥିଲା!
ହଁ, ସେସବୁ ଗଣ୍ଠିଲି ଭିତରୁ ବଙ୍କା ତେଢ଼ା ହୋଇ ଜିନିଷପତ୍ର ପଦାକୁ ଦିଶୁଥିଲା ଓ ଘରସାରା ସେସବୁ ଗଡ଼ୁଥିଲା । କିଛି ସମୟ ଲାଗି ସ୍ଥିର ହୋଇଯାଇ, ପୁଣି ସେସବୁ ଫିଟା ବନ୍ଧା ଚାଲିଥିଲା । କିନ୍ତୁ ଅମ୍ମିର ଟ୍ରଙ୍କ୍ଟା ସେମିତି ଯଥା ସ୍ଥାନରେ ଥୁଆ ହୋଇଥାଏ ।
ଭାଇ ପରିଶେଷରେ ତାଙ୍କ ଚରମ ଚେତାବନୀ ଶୁଣାଇ ଅମ୍ମିକୁ କହିଲେ, ‘ତୁ ଯଦି ଏଇଠି ମରିବାଲାଗି ମନେ ମନେ ସ୍ଥିର କରିଚୁ, ଭଲ କଥା । କେହି ତୋତେ ରୋକିବେନି ।’
ବିଚାରୀ ମୋ ନିରୀହ ଓ ସରଳ ଅମ୍ମି କେବଳ ଧୂସର ଆକାଶକୁ ଫାଙ୍କ ଦୃଷ୍ଟିରେ ଚାହିଁ ରହିଥିଲା । ସତେ ଯେମିତି ସେଇ ଆକାଶରୁ ସେ କିଛି ଖୋଜୁଥିଲା – ମୋତେ କିଏ ହତ୍ୟା କଲା? କେତେବେଳେ? ମୋ ସାନଭାଇ ଫିିସଫିସ୍ ହୋଇ ସମସ୍ତଙ୍କ କାନରେ ପଡ଼ିବା ପରି କହିଲା, ‘ଅମ୍ମିର ବୟସ ବଢ଼ିବା ସହିତ ଦିହ ମନ ବି ଥକି ଗଲାଣି । ସିଏ ଆଉ ଭଲ ମନ୍ଦ ବୁଝିପାରୁନି ।’
‘ସିଏ ବୁଝିପାରୁନି ସେ କାଫେରଗୁଡ଼ାକ ନିରୀହ ଲୋକଙ୍କ ଉପରେ କି ପ୍ରକାର ଅତ୍ୟାଚାର ଚଳେଇଛନ୍ତି । ଆମର ଯଦି ନିଜର ଦେଶଟିଏ ଅଛି, ଅନ୍ତତଃ ସେଠି ଆମ ଧନଜୀବନ ତ ରକ୍ଷା ହୋଇଯିବ ।’ ମନ ଭିତରେ କୋରି ହୋଇ ପଡ଼ୁଥିବା ଅମ୍ମିର ତୁଣ୍ଡ ଯଦି ଆଜି ଖୋଲିଥାଆନ୍ତା, ସିଏ ଚଟାପଟ୍ କହି ସାରିଥାଆନ୍ତା,‘ସିଏ ବିଚିତ୍ର ଚଢ଼େଇର ନାଁ କ’ଣ? କହିଲା କ’ଣ ନା ଆମ ଦେଶ! ମୋତେ ପ୍ରଥମେ କହିଲ, ସେ ଦେଶ କେଉଁଠି? ଇଏ ସେଇ ଦେଶ ଯେଉଁଠି ତୁମେ ଜନ୍ମ ହେଇଚ, ଯିଏ ତୁମକୁ ଜନ୍ମ ଦେଇଛି । ଏଇ ମାଟି ପାଣି ପବନରେ ତୁମେମାନେ ବଢ଼ିଛ । ଯଦି ଏ ଦେଶ ତୁମର ହୋଇ ନ ପାରିଲା, ତା’ହେଲେ ଯେଉଁ ଦୂର ଭୂଇଁକୁ ତୁମେ ନିଜ ଦେଶ ବୋଲି କହୁଛ , ସେଠାକୁ ଯାଇ ବସବାସ କଲେ, ସିଏ କେମିତି ତୁମର ହୋଇଯିବ? ତା’ଛଡ଼ା ତୁମକୁ ସେଠାରୁ ଯେ କିଏ ଭଗେଇ ନ ଦେବ, ସେ ଗ୍ୟାରେଣ୍ଟି କିଏ ଦେବ? ତୁମକୁ ଆଉ କେହି ଆଉ କେଉଁଠାକୁ ତଡ଼ି ନଦେବ କାହିଁକି? ମୁଁ ଏଇଠି ସେମିତି କ୍ଷୀଣ ବତିଟିଏ ପରି ବସିରହିଚି । କେତେବେଳେ ଦଲକାଏ ପବନ ଆସି ମୋତେ ଲିଭେଇଦେବ । ଆଉ ନିଜ ଦେଶ ଖୋଜା ମାନସିକ ଯନ୍ତ୍ରଣାରୁ ମୋତେ ସବୁଦିନପାଇଁ ମୁକ୍ତ କରିଦେବ । ପୁରୁଣା ଦେଶକୁ ନଷ୍ଟ କରି ନୂଆ ଦେଶ ଗଢ଼ିବାର ଏ ଯେଉଁ ତାମସା ଚାଲିଛି, ସେଥିରେ ମୋର ଆଦୌ ଆଗ୍ରହ ନାହିଁ । ଦିନ ଥିଲା ଯେତେବେଳେ ମୋଗଲମାନେ ନିଜ ଦେଶ ଛାଡ଼ି ଆସି ଏଠି ନୂଆକରି ସାମ୍ରାଜ୍ୟ ଗଢ଼ିଥିଲେ ଆଉ ଏବେ ଆମେ ଏ ଭୂଇଁ ଛାଡ଼ି ଆମପାଇଁ ଅନ୍ୟତ୍ର ଗୋଟିଏ ନୂଆ ଦେଶ ଗଢ଼ିବାକୁ ଚାହୁଁଛୁ । ଦେଶକୁ ତ ତୁମେ ହଳେ ଜୋତାଠୁ ଆହୁରି ଶସ୍ତା କରିଦେଲ! ଜୋତା ହଳକ ଟିକେ ଢିଲା କି ଟାଇଟ୍ ହୋଇଗଲେ କି ଛୋଟ ହୋଇଗଲେ ତାକୁ ଫିଙ୍ଗିଦେଇ ଆଉ ହଳେ ନୂଆ ଗଳେଇ ପକେଇଲ!’ କିନ୍ତୁ ସେ ଚୁପ୍ ରହିଥିଲା । ପୂର୍ବାପେକ୍ଷା ସେ ଆହୁରି କ୍ଳାନ୍ତ ଲାଗୁଥିଲା । ସତେ ଯେମିତି ଶହ ଶହ ବର୍ଷ ଧରି ସେ ତା’ ନିଜ ଦେଶ ଖୋଜି ବୁଲୁଥିଲା ଓ ସେଇ ଖୋଜିବା ପ୍ରକ୍ରିୟାରେ ନିଜ ହୃଦୟକୁ ହଜେଇ ସାରିଛି! ଏବେ ସେ କ୍ଳାନ୍ତଶ୍ରାନ୍ତ, ଆଉ ଆଗକୁ ଆଗେଇ ପାରୁନି ।
କେତେ ଲୋକ ଆସିଲେ ଆଉ ଗଲେ । କିନ୍ତୁ ଅମ୍ମି ସେମିତି ବୁଢ଼ା ବରଗଛଟିଏ ଭଳି ବସି ରହିଥିଲା । ଯେମିତି ସେ ବରଗଛ ଜୀବନରେ ଅନେକ ଝଡ଼ଝଞ୍ଜାକୁ ଅଙ୍ଗେ ନିଭେଇଛି! କିନ୍ତୁ ଯେତେବେଳେ ତା’ ପୁଅ,ଝିଅ, ବୋହୂ, ନାତିନାତୁଣୀ, ଜ୍ୱାଇଁମାନଙ୍କୁ ଧରି ଗାଡ଼ି ଘର ଆଗରୁ ଆଗକୁ ଗଡ଼ିଲା, ମା’ ହୃଦୟ ଭାଙ୍ଗିପଡ଼ିଲା । ପୁଲିସ ସୁରକ୍ଷା ଭିତରେ ସେମାନେ ଏ ସହର ଛାଡ଼ୁଥିଲେ । ତା’ରି ଆଖି ସାମ୍ନାରେ ଜଣଜଣ କରି ସମସ୍ତେ ଲରିରେ ବସିଥିଲେ । ଲରି ଫାଟକ ପାର ହୋଇ ଆଗକୁ ବଢ଼ିଲା । ଭୟ ଓ ଆତଙ୍କ ମନରେ ସେ ପୁଣି ଥରେ ଚାହିଁଲା ସେଇ ଅଦୃଶ୍ୟ ଫାଟ ଆଡ଼େ ଯାହା ଆମ ଘର ଓ ରୂପଚାନ୍ଦଜୀଙ୍କ ଘର ଭିତରେ ସୃଷ୍ଟି ହୋଇଥିଲା । ଆରପଟ ଘର ଲାଗୁଥିଲା କେଉଁ ଏକ ଦୂର ଦେଶର ଅପରିଚିତ ଘର ପରି । ରୂପଚାନ୍ଦଜୀଙ୍କ ବାରଣ୍ଡା ବି ଶୂନଶାନ୍ ଲାଗୁଥିଲା । ମଝିରେ ମଝିରେ ତାଙ୍କ ଘରର ପିଲାମାନେ ଝର୍କାଫାଙ୍କ ଦେଇ ବାହାରକୁ ଉଣ୍ଡୁଥିଲେ । କିନ୍ତୁ ଘର ଭିତରୁ କୌଣସି ଗୋଟିଏ ଅଦୃଶ୍ୟ ହାତ ସେମାନଙ୍କୁ ସେଠାରୁ ପୁଣି ପଛକୁ ଭିଡ଼ି ନେଉଥିଲା । ସେଇ ବନ୍ଦ୍ ଝର୍କାଦେଇ ଆରପଟ ଘରୁ ଲୋକମାନେ ତାକୁ ଚାହୁଁଥିବା ଦୃଶ୍ୟକୁ ମଧ୍ୟ ଅମ୍ମି ଲୁହଭିଜା ଆଖିରେ ଦେଖୁଥିଲା । ତା’ ତୁଣ୍ଡରେ କଥା ନ ଥିଲା କି ସେ ଆଗକୁ କିଛି ଭାବି ପାରୁ ନ ଥିଲା ।
ପୁଳାଏ ଧୂଳି ଉଡ଼େଇ ଟ୍ରକଟି ଚାଲିଯିବା ପରେ, ଆରପଟ ଘରର କବାଟ ଆସ୍ତେ ଖୋଲିଲା । ଚୋର ପରି ଧୀରେ ଧୀରେ ପାଦ ଚିପିଚିପି ରୂପଚାନ୍ଦଜୀ ପଦାକୁ ବାହାରିଲେ । ସେ ବାରଣ୍ଡାରେ ଠିଆହୋଇ ପ୍ରଥମେ ଧୂଳିଉଡ଼ା ଫାଙ୍କା ସଡ଼କ ଆଡ଼େ ଓ ପରେ ସାମ୍ନାର ଶୂନ୍ୟ ଘର ଆଡ଼କୁ ଚାହିଁଲେ । ସମ୍ଭବତଃ ସେ ମନେମନେ ସେଇ ପରିଚିତ ମୁହଁଙ୍କୁ ଖୋଜୁଥିଲେ । ପରିତ୍ୟକ୍ତ ଘରଟିରେ କାହାକୁ ନ ଦେଖି ଆତ୍ମଗ୍ଳାନିଭରା ମନରେ ସେ ନିଜ ନଜରକୁ ତଳକୁ କରିନେଲେ ।
ଅମ୍ମି ମନରୁ ସବୁକିଛି ତୁଟି ସାରିଥିଲା- ସମସ୍ତଙ୍କ ପ୍ରତି ଥିବା ସ୍ନେହ ଓ ସଦ୍ଭାବନା, ଜୀବନସାରା ସଞ୍ଚୟ କରିଥିବା ଧନସମ୍ପତ୍ତି ସବୁକିଛି ସେ ସେଇ ଆଲ୍ଲାଙ୍କ ହାତରେ ସମର୍ପି ଦେଇଥିଲା । ଏବେ ସେ ବାରଣ୍ଡା ଉପରକୁ ଆସି ବସିଲା । ଚାରିଆଡ଼େ ତା’ ଆଖିରେ ଯେଉଁ ଦୃଶ୍ୟ ପଡ଼ିଲା ସେଥିରେ ତା’ ଭଗ୍ନ ହୃଦୟ ଆହୁରି ମରିଗଲା । ଶିଶୁଟିଏ ପରି ତା’ ମନକୁ ନାନାପ୍ରକାର ଆଶଙ୍କା ଆସୁଥିଲା । ତାକୁ ଲାଗୁଥିଲା ସତେକି ଚାରିପଟୁ ଅଶରୀରୀ ଆତ୍ମାମାନେ ତା’ ଉପରେକୁ ଝାମ୍ପ ମାରିବେ ଓ ତା’ ତଣ୍ଟି ଚିପି ପକାଇବେ! ତା’ ମୁଣ୍ଡ ଘୂରେଇଗଲା ଓ ସେ ଖୁଣ୍ଟ ଉପରେ ହାତଥାପି ନିଜକୁ ସମ୍ଭାଳିନେଲା । ଆଖି ଖୋଲି ଚାହିଁଲା ବେଳକୁ ତା’ ଜିଭ ଅଗକୁ କଲିଜା ବାହାରି ଆସିବା କରି ଲାଗୁଥିଲା । ଏଇ ତ ସେଇ କୋଠରି ଯେଉଁଠି ତା’ ସୋହର ତାକୁ ପ୍ରଥମେ ଗାଢ଼ ଆଶ୍ଳେଷରେ ଭିଡ଼ି ଥରିଥିଲେ । ପ୍ରଥମ ଥର ଲାଗି କେହି ତା’ମୁହଁରୁ ପର୍ଦା ଉଠେଇଥିଲେ । ସେତେବେଳେ ସେ କେଡ଼େ ନିରୀହ ସରଳ ବୋହୂଟିଏ ହୋଇ ଏ ଘରକୁ ଆସିଥିଲା । ତା’ର ସର୍ବାଙ୍ଗ ବରଡ଼ାପତ୍ର ପରି ଥରୁଥିଲା । ଆଉ ସେଇ ଦିନଠାରୁ ସେ ଏ ଘରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିଲା । ଆଉ ସାମ୍ନାକୁ ଦିଶୁଥିବା କୋଠରିରେ ହିଁ ସେ ଜନ୍ମ ଦେଇଥିଲା ତା’ର ପ୍ରଥମ କନ୍ୟାକୁ… ଦଲକାଏ ବିଜୁଳି ପରି ବଡ଼ଝିଅର ଜନ୍ମ ବେଳର ସ୍ମୃତି ତା’ ମନକୁ ହଠାତ୍ ଧଶେଇ ପଶିଆସିଲା । ସେଇ କୋଠରିର ଗୋଟିଏ କୋଣକୁ ବଡ଼ଝିଅର କଟା ନାହି ପୋତା ହୋଇଥିଲ । କେବଳ ବଡ଼ ଝିଅର ନୁହେଁ, ସେ ଜନ୍ମ କରିଥିବା ଦଶ ଦଶଟି ପିଲାଙ୍କ ନାହି ସବୁ ସେଇ ଘରେ ହିଁ ପୋତା ହୋଇଥିଲା । ସେଇ କୋଠରି ଭିତରୁ ହିଁ ସେ ତା’ର ଦଶଟିଯାକ ଛୁଆଙ୍କୁ ଏ ସଂସାରର ଆଲୋକ ଦେଖାଇଥିଲା । ଦଶଟି ଜୀବନ୍ତ ଓ ନିଃଶ୍ୱାସପ୍ରଶ୍ୱାସ ନେଉଥବବା ଆତ୍ମା; ତାରି ଉଦରରେ ବଢ଼ିଥିବା ଦଶଟି ଜୀବନ । ଆଉ ଆଜି ସମସ୍ତେ ତାକୁ ଏକୁଟିଆ ଛାଡ଼ି ଚାଲିଗଲେ! ତାକୁ ଲାଗିଲା ସେ ଏମିତି ଗୋଟିଏ ଅଲୋଡ଼ା ଚିଜ ଯାହାଆଡ଼ୁ ସମସ୍ତେ ମୁହଁ ଘୂରେଇ ନେଇଛନ୍ତି ଓ ଯାହାକୁ ସେମାନେ ରାସ୍ତାକଡ଼ କଣ୍ଟା ବୁଦା ଓ ଅଳିଆଗଦାରେ ଫିଙ୍ଗି ଦେଇ ନିଜ ବାଟରେ ଚାଲିଯାଇଛନ୍ତି ! ନିଜର ଆତ୍ମସମ୍ମାନ ଓ ଶାନ୍ତି ସନ୍ଧାନରେ ଟଙ୍କାକୁ ଚାରି
ସେର ଗହମ ବିକ୍ରି ହେଉଥିବା ଏକ ଅପରିଚିତ ସ୍ଥାନ ଉଦ୍ଦେଶ୍ୟରେ ପଳେଇଛନ୍ତି । ସେମାନଙ୍କର ସେଇ ନିରୀହ ଆଖିସବୁ ସତେକି ସେଇ ଅନ୍ଧାରିଆ କୋଠରି ଭିତରୁ ଝଟକୁଛି! ଅମ୍ମି ଦି’ହାତ ପତେଇ ସେ ଘର ଭିତରକୁ ଦୌଡ଼ି ଯାଉଛି, କିନ୍ତୁ ସେଠାରେ କାହାକୁ ପାଉନି । ଆଜି ସେ ଗର୍ଭାଶୟ ଶୂନ୍ୟ, ଯାହା ଉପରେ ସୁହାଗିନୀ ନାରୀ ନିଜ ପବିତ୍ର ହାତକୁ ବୁଲେଇ ସନ୍ତାନସମ୍ଭବା ହେବାର କାମନା କରିଥାଆନ୍ତି । ସବୁକିଛି ଶୂନ୍ୟ ଲାଗୁଛି । ବ୍ୟତିବ୍ୟସ୍ତ ହୋଇ ସେ ସେହି ଚଟାଣ ଉପରେ
କଚାଡ଼ି ହୋଇପଡ଼ୁଛି । ସେଇ ଅତୀତକୁ ଫେରେଇ ଆଣିବା ସକାଶେ ଯାହାକିଛି କରିବାକୁ, ଯେକୌଣସି ମୂଲ୍ୟ ଦେବାକୁ ସେ ପ୍ରସ୍ତୁତ ଅଛି । ଯେଉଁମାନେ ଏ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି, ପୁଣି ଥରେ ସେମାନେ ଯେମିତି ତା’ ଡାକ ଶୁଣିପାରିବେ । ଟଳମଳ ପାଦରେ ସେ ପାଖ କୋଠରି ଭିତରକୁ ଗଲା । ଏଇ କୋଠରିରେ ତ ସେ ତା’ ସ୍ୱାମୀଙ୍କ ସହ ପଚାଶ ବର୍ଷର ଦାମ୍ପତ୍ୟ ଜୀବନ ବିତାଇଥିଲା । ଆଖି ବୁଜିବା ଆଗରୁ ସ୍ୱାମୀ ତା’ର କାନ୍ଥ ଆଡ଼କୁ ମୁହଁ ଘୂରାଇ ନେଇଥିଲେ । ସେଇ ଦୁଆରମୁହଁ ସାମ୍ନାରେ ହିଁ ତାଙ୍କ ଶବକୁ କଫିନରେ ପୂରାଯାଇଥିଲା । ସେ କଫିନକୁ ସାରା ପରିବାର ଲୋକେ ଘେରି ଠିଆ ହୋଇଥିଲେ । ସିଏ ତ ଭାଗ୍ୟବାନ ଯାହାଙ୍କ ଚାରିକଡ଼େ ପରିବାରର ପ୍ରତି ସଦସ୍ୟଙ୍କ ସ୍ନେହ ଥିଲା, ଆଖିରେ ଲୁହ ଥିଲା । ହେଲେ ସେ ତାଙ୍କ ସହଧର୍ମିଣୀଙ୍କୁ ଏମିତି ଏକୁଟିଆ ଛାଡ଼ି ଚାଲି ଯାଇଥିଲେ । ଅମ୍ମିକୁ ଲାଗୁଥିଲା ସେ ଏମିତି ଗୋଟିଏ ପରିତ୍ୟକ୍ତ ଶବ ଯାହାକୁ ପୁରାଇବା ଲାଗି କଫିନଟିଏ ସୁଦ୍ଧା ନାହିଁ! ଆଗକୁ ପାଦ ବଢ଼ାଇବା ଲାଗି ତା’ର ଜୁ’ ପାଉ ନ ଥିଲା । କୋଠରିର ସେଇ ସ୍ଥାନରେ ସେ ନିଶ୍ଚଳ ମୂର୍ତ୍ତିଟିଏ ପରି ବସି ରହିଥିଲା, ଯେଉଁଠି ସେ ନିଜ ଜନ୍ମକଲା ସନ୍ତାନଙ୍କପାଇଁ ଥରଥର ହାତରେ ଦଶ ଦଶ ଥର ଦୀପ ଜାଳିଥିଲା । ହେଲେ ଆଜି ସେ ଦୀପରେ ଆଉ ତେଲ ନ ଥିଲା, ଏପରିକି ସଳିତା ସୁଦ୍ଧା ନିଃଶେଷ ହୋଇ ସାରିଥିଲା ।
ରୂପଚାନ୍ଦଜୀ ତାଙ୍କ ବାରଣ୍ଡାରେ ଏପଟ ସେପଟ ହେଉଥିଲେ । ସେ ସମସ୍ତଙ୍କ ଉପରେ ଗାଳି ଓ ଅଭିଶାପ ବର୍ଷଣ କରି ଚାଲିଥିଲେ । ତାଙ୍କ ପତ୍ନୀ ଓ ପିଲାଛୁଆ ସମସ୍ତଙ୍କ ଉପରେ ଏପରିକି ଚାକରବାକର ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ । ତାଙ୍କ ସାମ୍ନାର ପରିତ୍ୟକ୍ତ ସଡ଼କ, ଇଟାପଥର, ଛୁରୀ ଓ ଖଣ୍ଡା ସମସ୍ତଙ୍କୁ ସେ ଗାଳି ଦେଉଥିଲେ । ବ୍ରହ୍ମାଣ୍ଡ ସାରା ତାଙ୍କ ଗାଳିରୁ କେହି ବର୍ତ୍ତି ନ ଥିଲେ । ତେବେ ତାଙ୍କ ସାମ୍ନାର ସେଇ ପରିତ୍ୟକ୍ତ ଘରଟିକୁ ଦେଖି ତାଙ୍କୁ ବେଶୀ ରାଗ ମାଡ଼ୁଥିଲା । ସତେ ଯେମିତି ସେ ଶୂନ୍ୟ ଘରଟି ତାଙ୍କୁ ଚାହିଁ ଖତେଇ ହେଉଥିଲା! ତାଙ୍କୁ ଲାଗୁଥିଲା, ଯେମିତି ସେ ନିଜ ହାତରେ ସେଇ ଘରଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି ।
ପ୍ରତି ଖଣ୍ଡ ଇଟାକୁ ଭାଙ୍ଗି ଚୂରମାର କରି ପକାଇଛନ୍ତି । ନିଜ ମନରୁ ସେ କିଛି ସ୍ମୃତିକୁ ପୂରାପୂରି ପୋଛି ପକାଇବାକୁ ଚାହୁଁଥିଲେ । ନିଜର ସବୁ ସାମର୍ଥ୍ୟ ଲଗାଇ ସେ ସମ୍ପର୍କକୁ ତୁଟାଇ ଦେବାକୁ ପ୍ରୟାସ କରୁଥିଲେ । ହେଲେ ପାରୁ ନ ଥିଲେ । ତାଙ୍କ ବିରକ୍ତି ଓ କ୍ରେଧର କାରଣ ଥିଲା ଏଇଆ । ତାଙ୍କ ମନରୁ ସେ ଅତୀତ ଦିନର ସେଇସବୁ ସ୍ମୃତିକୁ ଓପାଡ଼ି ଫୋପାଡ଼ି ଦେବାକୁ ପ୍ରୟାସ କରୁଥିଲେ । କିନ୍ତୁ କେଉଁ ଗୋଟିଏ ବିରାଟ ପୁରୁଣା ବରଗଛ ଭଳି ସେ ସ୍ମୃତି ଶାଖାପ୍ରଶାଖା, ଚେର ଓ ଓହଳ
ଲମ୍ବେଇ କାୟା ବିସ୍ତାର କରି ବସିଥିଲା । ତାଙ୍କୁ ସମ୍ପୂର୍ଣ୍ଣ ରୂପେ କବଳିତ କରିରଖିଥିଲା । ରୂପଚାନ୍ଦଜୀଙ୍କୁ ଲାଗୁଥିଲା କେହି ଜଣେ ଯେପରି ଧୀରେ ଧୀରେ ତାଙ୍କ ଶରୀରରୁ ଚମଡ଼ା ଉତାରି ଚାଲିଛି । ସେ କିଛି ସମୟ ଧରି ଗଁ ଗଁ ବାଜିବା ପରେ ତଳେ ପଡ଼ି ହଠାତ୍ ନିଶ୍ଚଳ ହୋଇଗଲେ । ତାଙ୍କ ପଦଚାରଣ, ତାଙ୍କ ଗାଳିବର୍ଷଣ ସବୁକିଛି ତୁନି ପଡ଼ିଗଲା । ସେଠାରେ ସେମିତି କିଛି ସମୟ ପଡ଼ି ରହିବା ପରେ ସେ ଧଡ଼ପଡ଼ ହୋଇ ଉଠିବସିଲେ ଓ ପର ମୁହୂର୍ତ୍ତରେ କାରରେ ବସି କୁଆଡେ ଏକମୁହାଁ
ଚାଲିଗଲେ ।
ସେଦିନ ରାତିରେ ରାସ୍ତା ପୂରାପୁରି ଶୂନଶାନ୍ ହୋଇଯିବା ପରେ, ରୂପଚାନ୍ଦଜୀଙ୍କ ବୋହୂ ପାଦ ଚିପିଚିପି ଆମ ଘର ଭିତରେ ପଶିଥିଲେ । ତାହା ପୁଣି ପଛପଟ ଦରଜା ଦେଇ । ଚୋର ଭଳି । ତାଙ୍କ ଦି’ହାତରେ ଖାଦ୍ୟଭରା ଦିଓଟି ଥାଳି । ସେ ଓ ମୋ ଅମ୍ମି ଦୁହେଁ ପରସ୍ପର ସାମ୍ନାରେ ବସି ରହିଥିଲେ, ଉପଯୁକ୍ତ ଦୂରତା ରକ୍ଷାକରି । କାହାରି ତୁଣ୍ଡରୁ କିଛି କଥା ବାହାରୁ ନ ଥିଲା; କିନ୍ତୁ ଦିହିଁଙ୍କ ଚାହାଣିରେ ଭରି ରହିଥିଲା ସମବେଦନା ଓ ଆଶ୍ୱାସନା । ସ୍ତ୍ରୀଲୋକମାନେ ଯେତେବେଳେ କାହା ବିଷୟରେ କଥା
ହୁଅନ୍ତି ସେମାନଙ୍କ ଜିଭରେ ବାଡ଼ବତା ରହେନି; କିନ୍ତୁ ଯେତେବେଳେ ସେମାନଙ୍କ ଭାବାବେଗ ଆକ୍ରାନ୍ତ ହୁଏ ସେମାନଙ୍କ ଓଠ ଆପେ ବନ୍ଦ୍ ହୋଇଯାଏ ।
ଏତେ ବଡ଼ ଘରଟା ଭିତରେ ଏକୁଟିଆ ପଡ଼ିରହିଲାବେଳେ ସେଦିନ ରାତିସାରା ମୋ ଅମ୍ମି ମନକୁ କାହିଁ କେତେ ଆଶଙ୍କା ଓ ଭୟ ଆଚ୍ଛନ୍ନ କରି ପକାଇଥିଲା । ସେ ମନେମନେ ଭାବୁଥିଲା, ‘ବାଟରେ ମୋ ପିଲାମାନଙ୍କ ଉପରେ କେହି ଆକ୍ରମଣ କରି ନାହାନ୍ତି ତ … ସେମାନଙ୍କୁ ଜୀବନରେ ମାରି ପକାଇ ନାହାନ୍ତି ତ? ଆଜିକାଲି ତ ଚଳନ୍ତା ଟ୍ରେନକୁ ଅଟକେଇ ଲୋକମାନଙ୍କୁ ଟାଣିଆଣି ଦୁର୍ବୃତ୍ତମାନେ ମାରି ପକାଉଛନ୍ତି! ପଚାଶବର୍ଷ ଧରି ଏଇ ଦେଶ ଲାଗି ଆମେ ଲଢ଼ିଲୁ; ତା’ରି ପାଇଁ କେତେ ଲହୁଲୁହ ଦେଲୁ । ଆଉ ଆଜି ସେଇ ଦେଶରୁ ଆମକୁ ଭଗାଇ ଦିଆଯାଉଛି! ଆମପାଇଁ ଆଉ କେଉଁଠି ଗୋଟିଏ ନୂଆ ଦେଶ ସୃଷ୍ଟି କରାହୋଇଛି!
କିଏ ଜାଣେ ସେଠାରେ ସେମାନେ କି ପ୍ରକାର ଜୀବନ ବଞ୍ଚିବେ ସମୃଦ୍ଧି କରିବେ? ସେଇ ଭୂଇଁରେ କ’ଣ ସେଇ ଶସ୍ୟ ଉପୁଜିବ ଯାହା ଏଠି ଉପୁଜୁଛି ? ସେ ଭୂଇଁରେ କ’ଣ ସେଇ ଗଛପତ୍ର କଅଁଳିବ? ମୋ ସାନବୋହୂକୁ ଆଲ୍ଲା ସାହାଭରସା ହୋଇଥାଆନ୍ତୁ । ବିଚାରୀର କ’ଣ ଛୁଆପିଲା ହେବ ଏଇ ଦିନ କେଇଟା ଭିତରେ । କିଏ ଜାଣେ କେଉଁ ଜଙ୍ଗଲ କି ଅପନ୍ତରା ଭୂଇଁରେ ସେ ଛୁଆଟିକୁ ଜନ୍ମ ଦେବ? ସେମାନେ ତ ଏଠି ସବୁକିଛି ଛାଡ଼ି ଯାଇଛନ୍ତି – ଘରଦ୍ୱାର, ସୁଖଶାନ୍ତି, କାମଧନ୍ଦା, ବେପାରବଣିଜ, ସବୁକିଛି । ସେ ନୂଆ ଭୂଇଁରେ କ’ଣ ଲୁଟେରାମାନେ କିଛି ଛାଡ଼ି ଯାଇଥିବେ? ନା ସେମାନଙ୍କୁ ପୁଣି ଥରେ ମୁହଁ ଶୁଖେଇ ଏଇଠିକୁ ଫେରିଆସିବାକୁ ପଡ଼ିବ? ଯଦିବା ଫେରନ୍ତି, ସେମାନଙ୍କର କ’ଣ ଆଉ ଥରେ ଚେର ବଢ଼ାଇବାର ସୁଯୋଗ ମିଳିବ?
କିଏ କହିବ ଏ ହାଣକାଟ, ଘୃଣା ଓ ହିଂସାର ଋତୁ ଶେଷ ହେବା ଆଗରୁ ମୋର ଏ ଦଦରା ଓ ପୁରୁଣା ପ୍ରାଣ ଥିବ କି ନାହିଁ?’ ସେଦିନ ରାତିରେ ବୁଢ଼ୀଟି ଘଣ୍ଟା ଘଣ୍ଟା ଧରି କାନ୍ଥକୁ ଓ ଦୁଆରକୁ ବାଡ଼େଇ ମନକୁ ମନ କ’ଣସବୁ ଗପି ଚାଲିଥିଲା, ସେକଥା କେହି ଶୁଣିବାକୁ ନ ଥିଲେ । ଏମିତି ଗପି ଗପି ସେ ତୁନି ପଡ଼ିଯାଇଥିଲା । ଶୋଇ ପଡ଼ିଥିଲା ନା କ’ଣ? ନା, ରାତିସାରା ସେ ମନେମନେ ଭାବି ଚାଲିଥିଲା । ତା’ମନକୁ ନାନା ପ୍ରକାର ଦୁଶ୍ଚିନ୍ତା ଘାରୁଥିଲା । କେତେବେଳେ ଭାବୁଥିଲା, ତା’ର ସୁନ୍ଦରୀ ଭୁଆସୁଣୀ ବୋହୂମାନଙ୍କୁ କେମିତି ରାସ୍ତାରେ ବିବସ୍ତ୍ର କରି ଚଲାଯାଉଛି, ସେମାନଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଅଜଣା ଦୁର୍ବୃତ୍ତମାନେ ହାଣି ପକାଉଛନ୍ତି ।
ତା’ର ପୁଅ ଓ ନାତିମାନଙ୍କୁ ଜିଅନ୍ତା ଛାଲି ଦିଆଯାଉଛି! କିଏ ଜାଣେ ଏ ଘର ଉପରେ ସେମିତି ବିପଦ ଆସି ପଡ଼ିବ ଓ ତା’ରି ଉପରେ ଗଣ୍ଡଗୋଳକାରୀମାନେ ଦାଉ ସାଧିବେ? ଜଣେ ଜୀବନକୁ ଭଲ ପାଉ ନ ଥାଉ ପଛେ, ଏପରିକି କ୍ଷୀଣ ଦୀପଶିଖାଟିଏ ଲିଭିବା ପୂର୍ବରୁ ବି ଥରିଉଠେ । ତା’ଛଡ଼ା ସ୍ୱାଭାବିକ ମୃତ୍ୟୁ ତ ଏମିତିରେ ଭୟଙ୍କର; ଆଉ ସେ ନରପିଶାଚମାନଙ୍କ ଆଗମନ ତ ଆହୁରି ଭୟପ୍ରଦ ଲାଗିବ । ଆମେ ତ ଶୁଣୁଚୁ ସେମାନେ ବୁଢ଼ୀଲୋକଗୁଡ଼ାଙ୍କୁ ବି ଛାଡ଼ୁ ନାହାନ୍ତି । ସେମାନଙ୍କ ମୁଣ୍ଡର କେଶଧରି ବିଚ୍ ରାସ୍ତାେରେ ଘୋଷାରି ଘୋଷାରି ନେଉଛନ୍ତି । ସେମାନଙ୍କ ଦେହରୁ ଚମଡ଼ା ଉତୁରି ଲହୁଲୁହାଣ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଘୋଷରା ଓଟରା କରୁଛନ୍ତି । ତଥାପି ମଣିଷ ଏ ଭୟଙ୍କର ଦୁନିଆ ଛାଡ଼ିବାକୁ ନାରାଜ!
ବାହାର ପଟୁ ଦରଜାରେ କାହାର ଆଘାତ ଆହୁରି ଜୋର୍ ଜୋର୍ ଶୁଭୁଚି । ସତେ ଯେମିତି ମୃତ୍ୟୁ ବି ଏଠି ତରତର! ହଠାତ୍ ଦାଣ୍ଡଦରଜା ଖୋଲିଗଲା । ଘର ଭିତରକୁ ମେଞ୍ଚାଏ ଆଲୁଅ ଧଶେଇ ପଶିଆସିଲା । କାହାର ଜଣକର ଡାକ ଶୁଭୁଚି । ଯେମିତି କୂଅଭିତରୁ ଆସିବା ପରି ସେ ସ୍ୱର ଅସ୍ପଷ୍ଟ ଲାଗୁଥିଲା । ଏ କ’ଣ ତା’ ବଡ଼ପୁଅର କଣ୍ଠସ୍ୱର? ନା, ଆଉ କେଉଁ ପୁଅର ବୋଧେ… ଯେମିତି ଦୁନିଆର ଆର କୋଣରୁ ସେ ଶବ୍ଦ ଅସ୍ପଷ୍ଟ ଭାସି ଆସୁଥିଲା । ତା’ହେଲେ ତୁମମାନଙ୍କୁ ନିଜ ନିଜ ନୂଆ ଦେଶ ମିଳିଗଲା! ଏତେ ଶୀଘ୍ର? ଦ୍ୱିତୀୟ ପୁଅ! ତା’ପଛକୁ ତା’ର ସାନପୁଅ! ଅମ୍ମି ସେମାନଙ୍କୁ ସ୍ପଷ୍ଟ ଦେଖି ପାରୁଥିଲା । ସେମାନଙ୍କ ପଛେପଛେ ବୋହୂମାନେ ଓ ଅନ୍ୟ ପିଲାମାନେ । ମାତ୍ର କେଇଟା ମୁହୂର୍ତ୍ତ ଭିତରେ ଶୂନ୍ୟ ଘରଟା ପୁଣି ଥରେ କୋଳାହଳରେ ଭରି ଉଠିଲା । ଜୀବନ୍ତ ହୋଇଗଲା । ସବୁ ଆତ୍ମା ଯେମିତି ଜାଗି ଉଠିଲେ ଓ ଦୁଃଖିନୀ ମା’ଚାରିକଡ଼େ ଘେରିଗଲେ ।ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତା’ର ହାତପାଦକୁ ଛୁଇଁ ଗେଲ କଲେ । ଅମ୍ମି ମୁହଁରେ ଚେନାଏ ହସ ଉକୁଟି ଉଠିଲା । ତା’ ମନର ସବୁ ଦୁଃଖ କୁଆଡ଼େ ଉଭେଇଗଲା । ଖୁସିରେ ତା’ମନ କୁରୁଳି ଉଠିଲା । ସବୁ ଆଶଙ୍କା କୁଆଡ଼େ ମିଳେଇଗଲା । ତା’ ଚାରିକଡ଼ରୁ ଅନ୍ଧାର ହଟିଗଲା ।
ଅମ୍ମି ଯେତେବେଳେ ଆଖି ଖୋଲିଲା, ତା’ହାତର ନାଡ଼ିକୁ ଚିପି ପରୀକ୍ଷା କରୁଥିବା ଲୋକଟିର ସ୍ପର୍ଶକୁ ସେ ଭଲ ଭାବେ ଅନୁଭବ କରିପାରୁଥିଲା । ପର୍ଦା ପଛପଟେ ଠିଆହୋଇ ରୂପଚାନ୍ଦଜୀ କହୁଥିଲେ, ‘ଆରେ ଭାଉଜ, ତୁମେ ଯଦି ମତେ ଡାକି ପଠେଇଥାଆନ୍ତ,ମୁଁ ସାଙ୍ଗେ ସାଙ୍ଗେ ଆସି ହାଜର ହୋଇଯାଇଥାଆନ୍ତି । ଏତିକି କଥା ଲାଗି ଏତେ ନାଟକ, ଏତେ ପେଖେନା କାଢ଼ିବାର କି ଦରକାର ଥିଲା? କିନ୍ତୁ ଭାଉଜ, ଆଜି ମୁଁ ଆପଣଙ୍କଠୁ ନିଶ୍ଚୟ ମୋ ଫିସ୍ ନେବି । ଦେଖୁନ, ତୁମର ଏଇ ଅପଦାର୍ଥ ପୁଅଗୁଡ଼ାଙ୍କୁ ମୁଁ ଲୋନୀ ଜଙ୍କସନ ପାଖରୁ ଘରକୁ ଫେରେଇ ଆଣିଛି । ବଦମାସଗୁଡ଼ାକ କୁଆଡ଼େ ଖସି ପଳାଉଥିଲେ । ପୁଲିସ ସୁପରିଟେଣ୍ଡେଣ୍ଟଙ୍କ କଥାକୁ ବି ବିଶ୍ୱାସ କରୁ ନ ଥିଲେ ।
ଏଥର ବୁଢ଼ୀ ଓଠରେ ଆଶ୍ୱସ୍ତିର ହସ ଉକୁଟି ଉଠିଲା । ସେ ଉଠି ବସିଲା । ବେଶ୍ କିଛି ସମୟ ଧରି ଶେଯଟା ଉପରେ ସେମିତି ଗୁମସୁମ୍ ହୋଇ ବସିରହିଲା । କାହାକୁ କିଛି କହିଲାନି । କେବଳ ଯାହା ତା’ଆଖିରୁ ଦି’ଟା ବଡ଼ ବଡ଼ ଲୁହଟୋପା ଖସି ଆସିଲା ଓ ସେ ଲୁହ ପଡ଼ିଲା ରୂପଚାନ୍ଦଜୀଙ୍କ ଲୋଚାକୋଚା ହାତ ପାପୁଲି ଉପରେ ।
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.