Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଅଦ୍ଵିତୀୟ, ଦୁଃଖରହିତ, ସୁଖାନୁଭବସ୍ୱରୂପ, ଅନାଦି, ଅନନ୍ତ, ଅସୀମ, ନିରବଦ୍ୟ, ନିର୍ବିକାର, ସଚ୍ଚିଦାନନ୍ଦ, ପୂର୍ଣ୍ଣ, ନିତ୍ୟ ଓ ସର୍ବବ୍ୟାପକ, ବୋଲି ବିବେଚନା କରାଯାଏ । ପାଞ୍ଚରାତ୍ର ମତରେ ସେ ପ୍ରlକୃତ, ଗୁଣ ସ୍ପର୍ଶହୀନ, ପୁଣି ଅପ୍ରାକୃତ ଗୁଣମାନଙ୍କର ଅlସ୍ପଦ, ତଥା ଷଡ଼ ଗୁଣ ଯୁକ୍ତ ହେତୁ ସେ ଭଗବାନ। ଏହି ଷଡ଼ ଗୁଣ ହେଲା ଜ୍ଞାନ, ଶକ୍ତି, ଐଶ୍ଵର୍ଯ୍ୟ, ବଳ, ବୀର୍ଯ୍ୟ, ଓ ତେଜ। ସେ “ସର୍ବକାରଣ କାରଣମ “ହୋଇ ମଧ୍ୟ ପୁଣି “କାରଣାଣ୍ଣବଶାୟୀ ” ଅଟନ୍ତି। ଏହା ହିଁ ତ ରହସ୍ୟ, କାରଣ ଏହା ପରଂବ୍ରହ୍ମଙ୍କ ବାସୁଦେବ ତତ୍ତ୍ୱ, ସର୍ବଶକ୍ତିମତ୍ତା ଓ ସ୍ୱତନ୍ତ୍ରତାକୁ ଦ୍ୟୋତିତ କରୁଛି। ପୁନଶ୍ଚ ଅନ୍ୟ ଏକ ରହସ୍ୟ ହେଲା ଆମେ ଶ୍ରୀଜଗନ୍ନାଥଙ୍କୁ ଶକ୍ତିଧର ଓ ମା ଲକ୍ଷ୍ମୀଙ୍କୁ ତାଙ୍କର ଶକ୍ତି ରୂପେ ବିବେଚନା କରୁ। ଆମେ ଜାଣିଛେ ଶକ୍ତି ଓ ଶକ୍ତିଧର ଏକ ଓ ଅଭିନ୍ନ ବା ଅଦ୍ୱୈତ, କିନ୍ତୁ ବସ୍ତୁତଃ ଉଭୟଙ୍କ ମଧ୍ୟରେ ଅଦ୍ୱୈତତା ଥିବାର ଦୃଷ୍ଟି ଗୋଚର ହୁଏନି। ହୁଏତ ସେଥିପାଇଁ ରତ୍ନସିଂହାସନରେ ଜୀବ, ମାୟା ଓ ପରମ ସ୍ୱରୂପରେ ବଲଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପରିକଳ୍ପନା ହୋଇଛି । ଶାସ୍ତ୍ର କହୁଛି “ଏକୋହି ଶକ୍ତି ପରମେଶ୍ୱରସ୍ୟ, ଭିନ୍ନ ଭିନ୍ନତା ବିନିଯୋଗ କାଳେ, ଭବେ ଭବାନୀ ପୁରୁଷେଷୁ ବିଷ୍ଣୁ, କୋପେ ଚ କାଳୀ ସମରେ ଚ ଦୁର୍ଗା । “ ଏଥିରେ ପ୍ରଭୁଙ୍କର ଶକ୍ତି ସ୍ୱରୂପର ଚତୁର୍ବିଦ ରୂପ ବର୍ଣ୍ଣିତ ଯାହା ପରଂବ୍ରହ୍ମଙ୍କ ପରାଶକ୍ତି ଅଟନ୍ତି । ଏହି ପରାଶକ୍ତି ତ୍ରିଗୁଣମୟୀ (ସତ୍ତ୍ୱ, ରଜ ଓ ତମ )ମାୟାଶକ୍ତି ରୂପେ କୋଟି କୋଟି ବ୍ରହ୍ମlଣ୍ଡ ସଂରଚନାରେ ପରଂବ୍ରହ୍ମଙ୍କ ଇଛାଶକ୍ତିକୁ କ୍ରିୟାଶୀଳ କରନ୍ତି । ଏଠି ରହସ୍ୟ ଏତିକି ଯେ ନିଜ ଶକ୍ତି ସ୍ୱରୂପର ପରିଚାଳନାରେ ସ୍ୱୟଂ ସଚ୍ଚିଦାନନ୍ଦ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପରିଚାଳିତ, ଯାହାକୁ ଆମେ ସାଧାରଣରେ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭାବରେ ଗ୍ରହଣ କରିଥାଉ।

ଏହି ଲୀଳାର ଅନ୍ୟତମ ବିଚିତ୍ରତା ଶ୍ରୀଜଗନ୍ନାଥଙ୍କ ସ୍ୱାତନ୍ତ୍ର୍ୟ ରୂପୀ ଶକ୍ତି ମା ଲଷ୍ମୀ ସୃଷ୍ଟିକାଳରେ ମା ଲକ୍ଷ୍ମୀଙ୍କର ଦୁଇଟି ସ୍ୱରୂପ କାର୍ଯ୍ୟ କରେ। ପ୍ରଥମେ କ୍ରିୟାଶକ୍ତି ଓ ଦ୍ଵିତୀୟରେ ଭୂତଶକ୍ତି। ଏହା ଅତ୍ୟନ୍ତ ଗୂଢ଼ ତତ୍ତ୍ୱ ତଥାପି ଏତିକି ଜାଣିବା ଜଗତ ଉତ୍ପନ୍ନ କରିବାର ସଂକଳ୍ପ ହିଁ “କ୍ରିୟାଶକ୍ତି ଓ ଜଗତର ପରିଣତି ସଂଜ୍ଞକୁ ” ଭୂତଶକ୍ତି ” ରୂପେ ବିବେଚନା କରାଯାଏ । କେହି କେହି ମା’ ଲଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କ ଇଛାଶକ୍ତି ଓ ସୁଦର୍ଶନଙ୍କୁ କ୍ରିୟାଶକ୍ତି ଭାବରେ ବିବେଚନା କରନ୍ତି। ଆସନ୍ତୁ ଆମର ଅତି ପ୍ରିୟ ସର୍ବ ରହସ୍ୟମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଟିକିଏ ଭଜିବା :

ଅଚିନ୍ତ୍ୟ ଶକ୍ତି -ଶକ୍ତିମନ୍ତ,
ସ୍ବରୁପେ ଅଟେ ଏକ ତତ୍ତ୍ୱ,
କୋଟି ବ୍ରହ୍ମlଣ୍ଡ ବିରଚନେ,
ଯେଉଁ ଶକତି ବିଦ୍ୟମାନେ
ସକଳ ବ୍ରହ୍ମlଣ୍ଡ ତାଠାରେ,
ସେ ପୁଣି ସକଳ ଅନ୍ତରେ,
ପ୍ରତ୍ୟେକ ପରମାଣୁ ମଧ୍ୟେ,
ସ୍ବରୁପେ ପୂର୍ଣ୍ଣ ଭେଦା ଭେଦେ
ସେ ଆଦିପୁରୁଷ ଗୋବିନ୍ଦ,
ଭଜରେ ମୋର ମନ ମନ୍ଦ ।”

ପ୍ରଭୁ ଆମର ଏହିପରି ରହସ୍ୟମୟ ହୋଇ ରହିଥାନ୍ତୁ ସେହି ରହସ୍ୟ ପେଡି ଖୋଲିବାର ପ୍ରଚେଷ୍ଟାରେ ଭକ୍ତଟିଏ ପରମ ଆନନ୍ଦ ଲାଭ କରୁ ଏତିକି କାମନା।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.