Latest Odisha News

ମଦ୍ୟପର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

 

ନିଜ କଥା ନିଜେ ବୁଝିବା ଅବସ୍ଥାରେ ନଥିଲା କୃପାନିଧି। ସିଏ ଆଉ ନିଜ ପିଲା ପରିବାର କଥା କୁଆଡୁ ବୁଝନ୍ତା ? ତା ନିଜ ଉପରେ କେବେ ହେଲେ ତାର ନିଜର ନିୟନ୍ତ୍ରଣ ନଥିଲା। ସେଥିପାଇଁ ତ ଆଜି ୟା ସାଙ୍ଗରେ ତ କାଲି ତା ସାଙ୍ଗରେ ସେ ଘରୁ ବାହାରିଯାଏ। ଏମାନେ ସେଇ ସାଙ୍ଗ, ଯେଉଁମାନେ ପ୍ରତିଦିନ ତାକୁ ବାଟ କଢ଼ାଇ ନିଅନ୍ତି ଗାଁ ବାହାରେ ଥିବା ମଦ ଦୋକାନକୁ। ସେଇଠି ପହଞ୍ଚିଗଲା ପରେ ପିଇବା ଆରମ୍ଭ ହୁଏ। ତେବେ କୃପାନିଧି ଯେ କେବଳ ନିଜ ପିଇବା ପାଇଁ ଦୋକାନୀକୁ ପଇସା ଦିଏ, ତା ନୁହେଁ। ସେ ଯାହା ସାଙ୍ଗରେ ଯାଇଥାଏ, ତା ପାଇଁ ବି ପଇସା ଦିଏ। ବିଳମ୍ବିତ ରାତି ଯାଏଁ ମଦ ପିଇ ପିଇ ଶେଷରେ ସମ୍ପୂର୍ଣ୍ଣ ନିଶାସକ୍ତ ହୋଇ ଘରକୁ ଫେରେ କୃପାନିଧି। ଗାଁ ଦାଣ୍ଡରେ ବିଜୁଳିବତି ନାହିଁ କି କୌଣସି ଆଲୁଅ ବ୍ୟବସ୍ଥା ନାହିଁ। ସେହି ଅନ୍ଧାର ଭିତରେ ହିଁ ହଲି ହଲି ଝୁଲି ଝୁଲି ଚାଲୁଥାଏ ସେ। ଗାଁ ଦାଣ୍ଡରେ ଶୋଇଥିବା ବୁଲାକୁକୁରମାନେ ତାକୁ ଦେଖି ଭୁକିବା ଆରମ୍ଭ କରିଦିଅନ୍ତି। କୁକୁର ଭୁକିବା ଶବ୍ଦରୁ ଗାଁ ଲୋକେ ଜାଣି ଦିଅନ୍ତି ଯେ କୃପାନିଧି ଏବେ ମଦ ଦୋକାନରୁ ଫେରୁଛି।

କୁକୁରଙ୍କ ଭୁକା ଶବ୍ଦରେ ବିରକ୍ତ ହୁଏ କୃପାନିଧି। ସେହି ଅନ୍ଧାର ଭିତରେ ବୀରଦର୍ପରେ କୁକୁରମାନଙ୍କୁ କହେ, ଆରେ ଆଜି ଦେଶୀ ନାହିଁ, ବିଦେଶୀ ପିଇଛି। ଟିକିଏ ତ ସମ୍ମାନ ଦିଅ। ମୁଁ କଣ କାହା ବାପାର ପିଇଛି? ସେତେବେଳେ କୁକୁରମାନେ ଆହୁରି ଜୋରରେ ଭୁକି ଉଠନ୍ତି। ଅନ୍ଧାର ଭିତରେ କୁକୁରମାନଙ୍କୁ ଗୋଡ଼ାଇବାକୁ ଚେଷ୍ଟା କରେ କୃପାନିଧି। ଆଉ ଦୌଡ଼ିଲା ବେଳେ କେତେବେଳେ ଗାଁ ଦାଣ୍ଡରେ ଟଳ ଟଳ ପାଦରେ ଓଲଟି ପଡ଼େ। କେତେବେଳେ ମୁଣ୍ଡ ଫାଟେ ତ ପୁଣି କେବେ ଦେହ ଖଣ୍ଡିଆ ଖାବରା ହୋଇଯାଏ। ନିଶାରେ ଏତେ ବୁଡ଼ିକି ଥାଏ ଯେ, ସେ ଆଉ ଉଠି ଘରକୁ ଯିବା ଅବସ୍ଥାରେ ନଥାଏ। ବିଳମ୍ବିତ ରାତି ଯାଏଁ ଅପେକ୍ଷା କରି କରି କୃପାନିଧିର ପିଲାମାନେ ଶୋଇଯାଆନ୍ତି। ତା ସ୍ତ୍ରୀ ଲଣ୍ଠନଟିଏ ଧରି ସେହି ଅନ୍ଧାର ରାତିରେ ଖୋଜି ବାହାରେ ସ୍ୱାମୀ କୃପାନିଧିକୁ। ଶେଷରେ କେଉଁଠି, କି ଅବସ୍ଥାରେ ପଡ଼ିଥାଏ ସେ, ତାକୁ ଉଠାଇ ଘରକୁ ଆଣିବାକୁ ଚେଷ୍ଟା କରେ। କେବେ ପାରେ, କେବେ ପାରେନା। ସେଇଠି ବସି କାନ୍ଦେ। ନିଜ ବାପାମାଆଙ୍କୁ ବହେ ଶୋଧେ ମନେ ମନେ। କାହିଁକି ୟାର ହାତ ଧରିଥିଲି ବୋଲି ନିଜେ ନିଜେ ହୃଦୁଃଖୀ ହୁଏ। କିନ୍ତୁ ଗାଁର ନିରୀହ ମହିଳା, ଆଉ କଣ ବା କରିପାରିବ, ମୁଣ୍ଡକାନ ଆଉଁସି ଘରକୁ ଫେରେ। କୃପାନିଧିର ମଦପିଆ ଦେଖି କେହି କେହି କହନ୍ତି, କୃପାନିଧି ପାଇଁ ତ ଗାଁ ମୁଣ୍ଡର ମଦଦୋକାନୀ ବଞ୍ଚିଛି। ନହେଲେ କୋଉକାଳୁ ସେ ଦେବାଳିଆ ହୋଇସାରନ୍ତାଣି। ହେଲେ ଗାଁ ଲୋକଙ୍କ ଏ ପ୍ରମାଣପତ୍ରରେ ପେଟପୂରେନି କୃପାନିଧିର ପରିବାରର।

କୃପାନିଧିର ଘରେ ସାତଟା ପିଲା। ତିନିଟା ପୁଅ, ଚାରିଟା ଝିଅ। ଗୋଟିଏ ଝିଅ ସବୁଠୁ ବଡ଼ ତା ତଳକୁ ଦୁଇ ପୁଅ, ତା ତଳକୁ ତିନି ଝିଅ ଏବଂ ଶେଷରେ ଗୋଟିଏ ପୁଅ। ସବା ବଡ଼ ଏବଂ ସବା ସାନ ପିଲା ଭିତରେ ଚଉଦ ବର୍ଷର ଫରକ୍। ଗାଁ ଭାଷାରେ ବଡ଼ ଝିଅଟା ବଡ଼ ହୋଇସାରିଲାଣି। ଗାଁ ଗହଳିରେ ତ ଝିଅ ଘରଯୋଗ୍ୟ ହୋଇଗଲେ କେମିତି ତାକୁ ବିଦା କରାଯିବ, ସେଇ ଚିନ୍ତା। ଆଉ ସେଇ ଚିନ୍ତା ଘାରିଥାଏ କୃପାନିଧର ସ୍ତ୍ରୀକୁ। କାରଣ ତା ଝିଅ ଘରଯୋଗ୍ୟ ହେବାର ପାଞ୍ଚ ବର୍ଷ ହେଲାଣି। କିନ୍ତୁ କୃପାନିଧିର କୌଣସି ଚିନ୍ତା ନାହିଁ। ସବୁଦିନ ସନ୍ଧ୍ୟାରେ ମଦ ପିଉଥିବା କୃପାନିଧି, ଏବେ ଧୀରେ ଧୀରେ ଏମିତି ଅଭ୍ୟସ୍ତ ହୋଇଗଲାଣି ଯେ, ତାର ରାତି ପାହୁଛି ମଦରେ। ସେ ମଦରେ ନିତିଦିନ ମୁହଁ ଧୋଉଛି କହିଲେ ଭୁଲ ହେବନି। ଏହି ଅଭ୍ୟାସ ଯୋଗୁଁ ସେ ଆଉ ଜମିବାଡ଼ିରେ କାମ ବି କରୁନି। ଘର ଚଳିବ କେମିତି, ସେ ଚିନ୍ତା ତାକୁ ନାହିଁ। କୃପାନିଧିର ସ୍ତ୍ରୀ ତାର କୁନି କୁନି ପିଲାମାନଙ୍କୁ ନେଇ ଜମିରେ କାମ କରେ। ସେଥିରୁ ଯାହା କିଛି ମିଳେ ସେଥିରେ ତା ଘର ଚଳେ। ହେଲେ କୃପାନିଧିର ମଦପିଆ ଖର୍ଚ୍ଚ ମେଣ୍ଟାଇବା ପାଇଁ ଏବେ ଜମିର ରୋଜଗାର ବି ଅଣ୍ଟୁନି। ଘରର ଧାନ ଚାଉଳ ସବୁ ବିକି ଦେଉଛି କୃପାନିଧି।

ଦିନେ ଜମିର ଦସ୍ତାବିଜ୍ ନେଇ ଗାଁ ସାହୁକାର ପାଖରେ ଜମି ବନ୍ଧକ ରଖିବା ପାଇଁ ପହଞ୍ଚିଲା କୃପାନିଧି। ସାହୁକାର ତ ଅନାଇ ବସିଥିଲା ଏହି ଦିନକୁ। କିନ୍ତୁ ସେ ଚାହିଁଲାନି ସେ ଜମିର କାଗଜପତ୍ର ରଖି ତାକୁ କୌଣସି ପ୍ରକାରେ ଟଙ୍କା ଦେବାକୁ। ଓଲଟା ବୁଝାଇଲା ସାହୁକାର। କହିଲା, ଆରେ ତୁ ତ କିଛି ରୋଜଗାର କରୁନୁ। ଓଲଟା ନିଶାପାଣି କରୁଛି। ଏମିତିରେ ସେହି ଜମି କୁଣେ ମାଣେରୁ ଯାହାର ଆଦାୟ ହେଉଛି ସେଥିରୁ ତୋ ପିଲାମାନଙ୍କ ପେଟ ପୋଷା ହେଉଛି। ତାକୁ ଯଦି ତୁ ବନ୍ଧକ ରଖିଦେବୁ, ତୋ ପିଲାମାନେ ଭୋକରେ ମରିଯିବେ। ନିଶାସକ୍ତ କୃପାନିଧିକୁ କିନ୍ତୁ ଏ କଥାରେ କିଛି ଫରକ୍ ପଡ଼ିଲାନି। ବରଂ ସେ ଜିଦ୍ ଧରି ବସିଲା, ସେହି ଜମିର ଦସ୍ତାବିଜ୍ ରଖି, କିଛି ଟଙ୍କା ଦେବା ପାଇଁ। ଏତିକି ବେଳେ କୃପାନିଧିର ସ୍ତ୍ରୀ କେମିତ କୌଣସି ସୂତ୍ରରୁ ଏ ଖବର ଜାଣିପାରି ନିଜ ପିଲାମାନଙ୍କୁ ନେଇ ପହଞ୍ଚିଲା ସାହୁକାର ଘରେ। ସେଠାରେ ନିଜ ସ୍ୱାମୀର କାରନାମା ଦେଖି କେବଳ ନିଜକୁ ଧିକ୍କାର କରିବା ବ୍ୟତୀତ ତା ପାଖରେ ଆଉ କୌଣସି ଉପାୟ ନଥିଲା। ତାର ହସ୍ତକ୍ଷେପ ଫଳରେ ସେ ଜମିର ଦସ୍ତାବିଜ୍ ଧରି ସେ ଘରକୁ ଫେରିପାରିଲା।

ସେଦିନ ରାତିରେ ଆଉ କୃପାନିଧି ଘରେ ଚୁଲି ଲାଗିଲାନି। କୃପାନିଧିର ବଡ଼ ପୁଅ, ଯାହାର ବୟସ ମାତ୍ର ପନ୍ଦର ବର୍ଷ, ଦୁଆର ମୁହଁର ଏରୁଣ୍ଡି ବନ୍ଧ ଉପରେ ବସି ରହିଲା। ତାର ଗୋଟିଏ ଜିଦ୍, ତା ବାପାକୁ ସେ ଆଉ ଘରେ ପୂରାଇ ଦେବନାହିଁ। ତାର ଜିଦ୍ ଦେଖି, ତା ସାଙ୍ଗରେ ସାମିଲ ହୋଇଗଲେ ତାର ସବୁ ଭାଇ ଭଉଣୀ। ଦୁଆର ମୁହଁରେ ବସି ରହିଲେ ସେମାନେ। ସମସ୍ତଙ୍କ ଏକା ଜିଦ୍, ବାପା ମଦ ପିଇବା ଛାଡ଼ନ୍ତୁ, ନହେଲେ ଘର ଛାଡ଼ିକି ଯାଆନ୍ତୁ। ବାପାର ମଦପିଆକୁ ନେଇ କେବେ ବି ମୁହଁ ଖୋଲି ନଥିବା ପିଲାମାନେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ, ସେଦିନ ରାତିରେ ଯେତେବେଳେ ମଦନିଶାରେ ଟୁଲ୍ ହୋଇ ଘରେ ପହଞ୍ଚିଲା କୃପାନିଧି, ତାର ବାଟ ଓଗାଳି ବସିଲେ ସେମାନେ। ପିଲାମାନେ ଗୋଟିଏ ସ୍ୱରରେ କହିଲେ, ଯେଉଁଦିନ ତମେ ମଦ ପିଇବନି, ସେଦିନ ଘରେ ପଶିବ। ନହେଲେ ଏ ଘରେ ତମର କୌଣସି ସ୍ଥାନ ନାହିଁ।

ନିଶାସକ୍ତ କୃପାନିଧି ଏକଥାରେ ଖୁବ୍ ରାଗିଗଲା। ସଙ୍ଗେ ସଙ୍ଗେ ହାତ ଉଠାଇଲା ତା ବଡ଼ପୁଅକୁ ମାରିବା ପାଇଁ। ତାର ଉଠିଲା ହାତକୁ ଧରି ପକାଇଲା ତା ବଡ଼ଝିଅ। କହିଲା, କଣ ଭୁଲ୍ କହିଲୁ ଆମେ। ଦିନେ କେବେ ପଚାରିଛ, ଆମେ କଣ ଖାଇଲୁ, କଣ ପିଇଲୁ, କଣ ପିନ୍ଧିଲୁ? ଓଲଟା ଆମକୁ ଭାତ ଲୁଗା ଦେଉଥିବା ଶୁଦ୍ଧସୁବର୍ଣ୍ଣ ଜମିକୁ ତମେ ଯାଇଥିଲ ବନ୍ଧକ ରଖିବା ପାଇଁ। ତମକୁ ବାପା କହିବାକୁ ଘୃଣା ଲାଗୁଛି। ତା ପରେ ଗୋଟିଏ ପରେ ଗୋଟିଏ ପିଲା ନିଜର କ୍ଷୋଭ, ରାଗ ସବୁ ଓଗାଳି ଗଲେ। ନିଶାରେ ଥିଲେ ବି କିଛି କିଛି ବୁଝିପାରୁଥିଲା କୃପାନିଧି। ପିଲାଙ୍କ ଜିଦ୍ ଆଗରେ ତାକୁ ହାର୍ ମାନିବାକୁ ପଡ଼ିଲା। ସେଦିନ ରାତିରେ ଆଉ ଘରେ ପଶିପାରିଲାନି କୃପାନିଧି। ଆଉ ତା ପିଲାମାନେ ବି ସେମିତି ହିଁ ରାତି ସାରା ସେହି ଏରୁଣ୍ଡିବନ୍ଧ ଉପରେ ବସି ରହିଥିଲେ। ଛୋଟଗୁଡ଼ାକ ଢୁଳେଇ ପଡ଼ି ଦୁଆରବନ୍ଧକୁ ଆଉଜି ସେଠାରେ ହିଁ ଶୋଇପଡ଼ିଲେ। କିନ୍ତୁ ବଡ଼ଝିଅ ଓ ପୁଅ ସେମିତି ହିଁ ବାଡ଼ ଭଳି ଦୁଆର ଜଗି ବସିଥାନ୍ତି। କୃପାନିଧି ଘର ବାରଣ୍ଡା ତଳେ ଥିବା ପାହାଚ ଉପରେ ବସି ରହି ଟଳି ପଡ଼ିଥାଏ। ମଝିରେ ମଝିରେ ଟିକିଏ ଆଖି ଖୋଲିଲେ ଦେଖେ ଭାଇ ଭଉଣୀ ଦୁଇଜଣ ତା ବାଟ ଓଗାଳି ବସିଛନ୍ତି। ଅନ୍ୟପିଲାମାନେ ଦୁଆରମୁହଁରେ ଶୋଇଛନ୍ତି। ତଥାପି କିଛି ଫରକ୍ ପଡୁନଥାଏ କୃପାନିଧିକୁ। ପାହାନ୍ତିଆ ବେଳକୁ ଟିକିଏ ନିଶାଛାଡ଼ି ଆସୁଥାଏ କୃପାନିଧିର। ତା ପରେ ସକାଳ ହେଲା ବେଳକୁ ଗାଁ ଦାଣ୍ଡରେ ଲୋକ ଯାଆଆସ କଲେଣି। ସ୍ତ୍ରୀ ଲୋକମାନେ ଗାଈଗୋରୁ ଫିଟାଇ ଗୁହାଳ ଗୋବର କଲେଣି। ଦୁଆର ମୁହଁରେ ପହଁରା ମାରି ସଫା କଲେଣି। ସେତେବେଳକୁ ପୂର ନିଶା ଛାଡ଼ି ଯାଇଥିଲା କୃପାନିଧିର। ଦେଖିଲା, ପିଲାମାନେ ଉଠିନାହାନ୍ତି। ଭାଇ ଭଉଣୀ ସେମିତି ହିଁ ବସିଛନ୍ତି। ସେମାନଙ୍କ ମୁହଁ ଶୁଖିଯାଇଛି।

ଏତିକି ବେଳେ ହଠାତ୍ ନିଦରୁ ଉଠି ପଡ଼ିଲା ସବା ସାନପୁଅଟି। ମାତ୍ର ଚାରି ବର୍ଷର ବକଟେ ପିଲା। ନିଦରୁ ଉଠି ବାପା ଉପରକୁ ଝପଟି ପଡ଼ିଲା। କହିଲା, ତମ ପାଇଁ ଆମ ଘରେ ରାତିରେ ମାଆ ରାନ୍ଧିଲାନି। ଆମେ କେହି କିଛି ଖାଇନୁ। ସମସ୍ତେ ଭୋକରେ ଅଛୁ। ତମେ ଆମ ଘରକୁ ଆଉ ଆସନି। ଏତକ କହି ଭୋ ଭୋ ହୋଇ କାନ୍ଦି ଉଠିଲା ପିଲାଟି। ଏ ଦୃଶ୍ୟ ଦେଖି କୃପାନିଧି ଅବାକ୍ ହୋଇଗଲା। ତା ଆଖିରୁ ଧାର ଧାର ଲୁହ ବହୁଥାଏ। ସେ କଣ କହିବ, କଣ କରିବ କିଛି ଭାବି ପାରୁନଥାଏ। ତାକୁ ଲାଗୁଥିଲା, ମଦ ପିଇଦେଲା ପରେ ଇନ୍ଦ୍ର ଚନ୍ଦ୍ର ମାନୁନଥିବା କୃପାନିଧି ସତେ ଯେମିତି ଆଜି ନିଃସ୍ୱ ହୋଇଯାଇଛି। ତା ପିଲାମାନଙ୍କ ପାଖରେ ସେ ହାରିଯାଇଛି। ସେ ଭିଡ଼ିଧରିଲା ତା ସାନ ପୁଅକୁ। ଏତିକି ବେଳେ ପିଲାଟି ତାକୁ ଧକ୍କା ଦେଇ ଦୂରେଇ ଗଲା। କହିଲା, ଯଦି ତମେ ମଦପିଇବା ବନ୍ଦକରିବ, ତାହେଲେ ଆମେ ତମ ପାଖକୁ ଯିବୁ। ନହେଲେ ତମେ ଆମର ବାପା ନୁହଁ, କି ଆମେ ତମର ପିଲା ନୁହଁ। ଏତିକିବେଳେ ଘର ଭିତରେ ଠିଆ ହୋଇ କୃପାନିଧିର ସ୍ତ୍ରୀ କେବଳ ଲୁହ ଗଡ଼ାଉଥାଏ। କୃପାନିଧି ଆଉ ନିଜର କୋହ ସମ୍ବରଣ କରିପାରିଲାନି। ଭୋ ଭୋ ହୋଇ କାନ୍ଦି ଉଠିଲା।

ପୂର୍ବରୁ ବାପାକୁ କେବେ ଏମିତି ଅବସ୍ଥାରେ ଦେଖିନଥିଲେ ତାର ପିଲାମାନେ। ଏପରିକି ବଡ଼ ଝିଅ ଓ ପୁଅ ବି କେବେ ଦେଖିନାହାନ୍ତି ବାପାକୁ କାନ୍ଦିବା ଅବସ୍ଥାରେ। ସେମାନେ ସମସ୍ତେ ଏକାଠି ଉଠି ଆସି କୁଣ୍ଢାଇ ଧରିଲେ ବାପାକୁ। ସମସ୍ତଙ୍କ ଆଖିରେ ଥିଲା ଲୁହ। ଏତେ ବର୍ଷ ଭିତରେ କୃପାନିଧି ତା ପିଲାମାନଙ୍କୁ କେବେ ଏମିତି ଦେଖିନଥିଲା। ସେ ସେଦିନ ଅନୁଭବ କରିପାରୁଥିଲା ଯେ, ଏଇତକ ବର୍ଷ ଭିତରେ ସେ ମଦନିଶାରେ କେମିତି ଭୁଲିଯାଇଛି ତା ପରିବାରକୁ। ତା ପିଲାମାନଙ୍କୁ। ପିଲାମାନଙ୍କୁ କୋଳେଇ ଧରିଥିବା ଅବସ୍ଥାରେ ପଶ୍ଚାତ୍ତାପର ନିଆଁରେ ଜଳୁଥିଲା କୃପାନିଧି। ଏକ ନୀରିହ ଚାହାଣିରେ ସେ ଅନାଇ ରହିଥିଲା ଏରୁଣ୍ଡିବନ୍ଧର ଭିତର ପାଖରେ ଥିବା ତା ସ୍ତ୍ରୀର ମୁହଁକୁ। ଆଉ ମନେ ମନେ ଶପଥ ନେଉଥିଲା, ନା .. ସେ ଏମିତି ଆଉ କେବେ ହେବାକୁ ଦେବନି। ସେ ନିଜେ ସମ୍ଭାଳିନେବ ତା ପରିବାରକୁ, ପିଲାମାନଙ୍କୁ। ସେଦିନଠୁ ଆଉ ମଦ ଦୋକାନ ପାଖେ କେହି କେବେ ଦେଖିନି କୃପାନିଧିକୁ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.