ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
ଧର୍ମରୁ ସଂସ୍କୃତି ଓ ରାଜନୀତି ପର୍ଯ୍ୟନ୍ତ ସାରାପୃଥିବୀରେ ବିଭିନ୍ନ ବିପ୍ଲବର କଥା ଇତିହାସ କହିଆସିଛି । ଆଜି ବି ବିପ୍ଲବର କଥା କୁହାଯାଉଛି ପୋଷ୍ଟର୍ରେ, ପ୍ଲାକାର୍ଡ୍ରେ, ସ୍ଲୋଗାନ୍ରେ, ଭାଷଣବାଜିରେ , ସଭାରେ, ସଙ୍ଗଠନରେ, ଶୋଭାଯାତ୍ରାରେ ଆଉ ଭିନ୍ନଭିନ୍ନ ଜନମଞ୍ଚରେ । ସବୁ ବିପ୍ଲବ ଶେଷରେ ତାର ପରିଣତିର ପାଉଁଶଗଦାରେ ପାଲଟୁଛି ପାଳଭୂତ !
ବିପ୍ଲବ ଏକ ବିତର୍କ । ବିପ୍ଲବର ଏଇ ବିତର୍କିତ ଅବସ୍ଥା ଉପୁଜୁଛି ଠିକ୍ ସେତିକିବେଳେ, ଯେତେବେଳେ ପ୍ରୟାସ ଅପେକ୍ଷା ପ୍ରଚାର ହେଉଛି ବିଚାରହୀନ ଦୃଷ୍ଟିଭଙ୍ଗୀରେ ଏବଂ ଏ ଦୃଷ୍ଟିଭଙ୍ଗୀର ଦାବୀଦାର୍ ଭୂମିକାରେ ଅଭିନୟ କରି ଚାଲୁଛନ୍ତି ନାନା ସଙ୍ଗଠନ । ଧର୍ମ ହେଉ କି ରାଜନୀତି, ସଂସ୍କୃତି ହେଉ କି ଅର୍ଥନୀତି । ମୁଖ୍ୟତଃ, ବିପ୍ଲବ ଏକପ୍ରକାର ସାମାଜିକ ପ୍ରସଙ୍ଗକୁ ନେଇ ଆରମ୍ଭ ହେଉଥିଲେ ହେଁ ଶେଷକୁ ବ୍ୟକ୍ତିଗତ ନେତୃତ୍ୱ ଓ ଦଳୀୟ ଅନୁଷ୍ଠାନ ମଧ୍ୟରେ ପରିସୀମିତ ହୋଇପଡୁଛି । ଜନାଭିମୁଖୀ ଓ ଗଣାଭିମୁଖୀ ଆଭିମୁଖ୍ୟ କେବଳ ମୁଖା ଭାବରେ ବ୍ୟବହୃତ ହେଉଛି । ମୁଖା ଭିତରର ଅସଲ ମୁହଁ ଗୁଡିକ କିନ୍ତୁ କ୍ଷମତାର କ୍ଷୁଧା ଓ ପ୍ରାଚୁର୍ଯ୍ୟର ପିପାସାରେ ରେଖାଙ୍କିତ ମାତ୍ର !
ବିଂଶଶତାଦ୍ଦୀରେ ଆମେ ବିପ୍ଲବର ବିଚଳନ ଲକ୍ଷ୍ୟ କରିବା ପରେ ଏକବିଂଶ ଶତାଦ୍ଦୀର ଉପଲବ୍ଧି କରୁଛୁ ବିପ୍ଲବର ବୈରାଗ୍ୟ । ଧର୍ମ ପାଲଟିଛି ଔପଚାରିକ ଅନୁଷ୍ଠାନ ଏବଂ ରାଜନୀତି ହୋଇସାରିଛି ସ୍ୱେଚ୍ଛାଚାରୀ ସାଙ୍ଗଠାନିକତା । ଆଜି ଏତେ ଧର୍ମ, କିନ୍ତୁ ଜଣେ ବୁଦ୍ଧ କି ଜଣେ ଯୀଶୁ କାହାନ୍ତି? ଆଜି ଏତେ ରାଜନୀତି, କିନ୍ତୁ ଜଣେ ଗାନ୍ଧି, ଲେନିନ୍ କି ଲିଙ୍କନ ବି କାହାନ୍ତି? ବ୍ୟକ୍ତିତ୍ୱ ବଦଳରେ ବ୍ୟକ୍ତି । ଏବର ଅଭିବ୍ୟକ୍ତି । ବ୍ୟକ୍ତିସ୍ୱାର୍ଥ ଜନ୍ମଦେଉଛି ନ୍ୟସ୍ତସ୍ୱାର୍ଥ ପ୍ରକ୍ରିୟା, ଯାହା ସମାଜର ଗତିଶୀଳତା ଓ ଦେଶର ପ୍ରଗତିଶୀଳତା ଚାରିପଟେ ସୃଷ୍ଟି କରୁଛି ସଂଶୟ, ସଙ୍କଟ , ଏପରିକି ସନ୍ତ୍ରାସ !
ଏପରି ଦୁଃଖଦ ପରିଣାମର କାରଣ କ’ଣ? ଅସଲ କାରଣ ହେଉଛି । ଫସଲକ୍ଷେତରେ ବୁଣାଚାଲିଛି ନକଲି ବିହନ । ଆମେ ସେଇମାନଙ୍କ ହସକୁ ପଟଚିତ୍ର କି ଫଟୋ କରି ଘରେ ଟାଙ୍ଗୁଛୁ, ଯେଉଁମାନେ ବାହାରର କାନ୍ଦଣା କି ଯନ୍ତ୍ରଣାକୁ କେବେ ବି ନିଜ ଭିତରେ ଭେଦାଇନାହାନ୍ତି । ଠିକ୍କୁ ଠା’ ଦେଉନୁ, କିନ୍ତୁ ଭୁଲ୍କୁ ଦେଇଆସିଛୁ ଭୋଟ୍ । ବିପର୍ଯ୍ୟୟରେ ଜୟଜୟ ଡାକରା ଦେଇ ଅଣ୍ଟା ଭିଡ଼ି ବାହାରି ପଡିବା ଅପେକ୍ଷା କମ୍ବଳ ଭିତରେ ଶୋଇ ସମ୍ବଳବୃଦ୍ଧିର ସ୍ୱପ୍ନ ଦେଖୁଛୁ ଏବଂ ଏଇ ସ୍ୱପ୍ନବାଟେ ବିପ୍ଲବର ବିଚିତ୍ର ଚିତ୍ରାଙ୍କନ ଖୋଜୁଛୁ ।
ବିପ୍ଲବ କ’ଣ ଆମର ଏଇ ଛୋଟ ଛୋଟ ସ୍ୱପ୍ନର ପ୍ରଶ୍ନୋତର ? ଆମେ ପାଞ୍ଚଜଣ ଭଲରେ ରହିଥିବାବେଳେ ବାକି ପଞ୍ଚାନବେଜଣ ସଢୁଥିବେ ଅନାହାର, ଅର୍ଦ୍ଧାହାରରେ ? ଧର୍ମରେ ବହୁ ପ୍ରବର୍ତନର ପ୍ରବାହ ଆସିଛି ଆଉ ରାଜନୀତିରେ ନାନା ତନ୍ତ୍ରର ନିରୀକ୍ଷା । ସବୁଠି ସବୁ ଅଧା । ସବୁ ଅଧୁରା ଅପୂରା । ବିପ୍ଲବର ବୀଜମନ୍ତ୍ର ଦୁଃସ୍ଥଦୁର୍ଗତ ଦରିଦ୍ରବର୍ଗର ପଞ୍ଚାକ୍ଷରୀ ଜପ ଭିତରେ ଭୁଆଁ ବୁଲୁଛି । ‘ଜନ ଆନ୍ଦୋଳନ’ କି ‘ଗଣ ଆନ୍ଦୋଳନ’ ନାଆଁରେ ଯେଉଁମାନେ ବିପ୍ଲବକୁ ଡାକରାଟାଏ କରିଦେଇଛନ୍ତି ବୋଲି ଭାବୁଥାନ୍ତି କି ଭାଷଣ ଦେଉଥାନ୍ତି, ସେମାନେ ସମସ୍ତେ ପ୍ରଥମେ ଗୋଟିଏ ସରଳ ପ୍ରଶ୍ନର ଉତ୍ତର ଦେବେ କି ? ସେମାନେ ଛାତିରେ ହାତ ରଖି କହନ୍ତୁ ତ ସେମାନଙ୍କ ପ୍ରଚାରିତ ଏକ ‘ଜନ’ ଓ ‘ଗଣ’ ସୂଚନାଟିରେ ଗାଆଁବାଲା କେତେ, ପାହାଡିଆ କେତେ, ତଳମାଳିଆ କେତେ ଗରିବଗୁରୁବା କେତେ ଆଉ ଆମର ଏ ଗଣତନ୍ତ୍ର ଦ୍ୱାରା ବରାବର ଉପେକ୍ଷିତ ହୋଇ ଚାଲିଥିବା ଉପଦ୍ରୁତ କେତେ ?
ଏମାନଙ୍କୁ ଧର୍ମବାଣୀ ଶୁଣାଇ ଯେତିକି ଶାନ୍ତଶିଷ୍ଟ କରିରଖିବାର ପ୍ରକ୍ରିୟାଟିକୁ ବଜାୟ ରଖାଯାଉଛି, ସରକାରୀ ସହାୟତାର ସୁସମାଚାର ଶୁଣାଇ ସେତିକି ବି ଶିଥିଳ କରିଦେବାର ପ୍ରୟାସକୁ ବଳବତର କରାଯାଇଆସୁଛି ସବୁବେଳେ । ମନେ ରଖିବାକୁ ହେବ ଯେ ସାରା ପୃଥିବୀରେ ଗରିବଶ୍ରେଣୀ ଦ୍ୱାରା ହିଁ ସୃଷ୍ଟି ହୋଇଆସିଛି ଆମର ସଂସ୍କୃତି । ଧନୀଶ୍ରେଣୀ ସଂସ୍କୃତି ନୁହେଁ, କେବଳ ସମ୍ପତ୍ତି ସୃଷ୍ଟିରେ ନିର୍ବାହ କରିଆସିଛି ନିଜର ମୁନାଫାଭିତିକ ମାଲିକାନାଧର୍ମୀ ଭୂମିକା । ପୃଥିବୀର ଜଳସ୍ଥଳ ପାତାଳ ସବୁ ଉପରେ ସେମାନେ ସବାର୍ ବ୍ୟୋମମାର୍ଗ ହିଁ ସେମାନଙ୍କ ବିଚରଣକ୍ଷେତ୍ର । ଭବିଷ୍ୟତରେ ଏ ପ୍ରକ୍ରିୟା ପୃଥିବୀରେ ସୃଷ୍ଟି କରିବ ଦରିଦ୍ରବର୍ଗ ପାଇଁ ଏକ ଅନଚିନ୍ତନୀୟ ଆତଙ୍କ ବିସ୍ଥାପନ !
ଅଷ୍ଟାଦଶ ଶତାଦ୍ଦୀର ଶିଳ୍ପବିପ୍ଳବ – ଦରିଦ୍ରବର୍ଗ ଦ୍ୱାରା ପ୍ରସାରିତ ସଂସ୍କୃତି ଓ ଜୀବନଧାରାକୁ ଧ୍ୱଂସ କରିଦେଇ ଧନିକବର୍ଗ ଦ୍ୱାରା ପ୍ରଚଳିତ ସଭ୍ୟତା ଓ ସୌଦାଗରୀ ସ୍ରୋତ ପ୍ରତି ଆନୁୂମୂଲ୍ୟକୁ ଆନୁଷ୍ଠାନିକତା ପ୍ରଦାନ କଲା । ଶିଳ୍ପ ଶଦ୍ଦଟି ସହିତ ଯୋଡ଼ି ଦିଆଗଲା ବିପ୍ଲବ ଶଦ୍ଦ । ମାତ୍ର ଦରିଦ୍ରର କୁଟୀରଶିଳ୍ପର କବର ଉପରେ ଧନିକର କୁବେରତନ୍ତ୍ର ଠିଆ କରାଇଦେଲା ଯନ୍ତ୍ରଶିଳ୍ପର ଯୋଜନାବଦ୍ଧ ଯୁଗାନ୍ତର ! ଯନ୍ତ୍ରଶିଳ୍ପର ଉଦ୍ୟୋକ୍ତା ଓ ପ୍ରବକ୍ତାମାନେ ସହରରେ ବଡବଡ କଳକାରଖାନାର କମ୍ପାନୀ ଖୋଲି ଗାଆଁ ଗଣ୍ଡାରୁ ଶସ୍ତାରେ ବୁହାଇଆଣିଲେ ଚାଷୀମୂଲିଆଙ୍କୁ । ଚାଷୀ ହେଲା ଚାରି ଦଉଡିକଟା, ମୂଲିଆ ହେଲା ମଳିମୁଣ୍ଡିଆ । ମଣିଷକୁ ମାମୁଲି କରିଦେଲା ।
ନିହାତି ମାମୁଲି ଏ ଶିଳ୍ପବିପ୍ଲବ । ଯେତେବେଳେ ହଜାରେ ମଣିଷକୁ ବିସ୍ଥାପିତ କରିଦିଆଗଲା ଗୋଟାଏ ମେସିନ୍ଦ୍ୱାରା, ସେତେବେଳେ ସାରା ପୃଥିବୀ କବଳିତ ହେଲା କୁଚକ୍ରୀ କୁବେରତନ୍ତ୍ରର କାଳପାଶରେ । କୌଶଳ କଳ । ଏ କଳ କୌଶଳର କରାମତି ଆଉ ମରାମତି ଆଗରେ ଦରିଦ୍ର ଜନଗଣର କଳା, କୀର୍ତି, କୃତି ଓ ସଂସ୍କୃତି କ୍ରମେ ଦୁଃସ୍ଥିତିର ଦଶା ଭୋଗି ମୂଳପୋଛ ହେବାକୁ ଲାଗିଲା । ପୃଥିବୀରେ ପ୍ରତିଦିନ ଗୋଟିଏ ଗୋଟିଏ ଭାଷା ମରିଯିବାକୁ ବସିଲା । ପ୍ରତିବର୍ଷ ଭୁଶୁଡିବାକୁ ଲାଗିଲା ଖଣ୍ଡିଏ ଖଣ୍ଡିଏ ଭୂଇଁ । ଅଧିବାସୀ ହେଲା ପ୍ରବାସୀ ଦୂର ମାନଚିତ୍ରର । ଆଦିବାସୀ ହେଲା ଅନ୍ତେବାସୀ ଅରଣ୍ୟର ।
ବିପ୍ଲବର ବଜାରୀକରଣ ଆରମ୍ଭ ହେଲା । ପ୍ରଥମେ ନଗରୀକରଣ ଓ ପରେ ଜଗତୀକରଣ ପ୍ରକ୍ରିୟାରେ । ଗୋଟିଏ ସହର ଗଢିବାପାଇଁ ହଜାରେ ଗାଆଁ, ଗୋଟିଏ ଶିଳ୍ପାଞ୍ଚଳ ସୃଷ୍ଟି କରିବାପାଇଁ ହଜାରେ ଜଙ୍ଗଲକୁ ଜଳାଇଦିଆଗଲା ନିର୍ବିଚାରରେ । ଜୀବନ ଅପେକ୍ଷା ଧନ, ସ୍ୱପ୍ନ ଅପେକ୍ଷା ଶୋଷଣ ହୋଇପଡିଲା ଆଧୁନିକ ଆଭିମୁଖ୍ୟ । କେନ୍ଦ୍ରବିନ୍ଦୁରୁ କରୁଣା ବିଚ୍ୟୁତ ହେଲା – ପରିଧିରେ ଶୂନ୍ୟତା କେବଳ । ଲକ୍ଷ୍ୟହୀନ ଗତି ଯେଉଁ ଆବେଗବିହୀନ ବେଗ ସୃଷ୍ଟି କଲା, ସେ ବେଗ ଆଗରେ ଆଗେ ଅସହାୟ ଶିକାର ହେଲେ ଧର୍ମର ‘ଈଶ୍ୱର’ ଏବଂ ପରେ ରାଜନୀତିର ‘ମଣିଷ’ ।
ଆରିଷ୍ଟୋଟଲ କହିଥିଲେ ‘ମଣିଷ ହେଉଛି ଏକ ରାଜନୈତିକ ପ୍ରାଣୀ’ । ମଣିଷର ସାମାଜିକ ପ୍ରାଣୀର ପରିଚୟ ଏଇ ‘ରାଜନୈତିକ ପ୍ରାଣୀ’ର ପରିଚୟରୁ ଆରମ୍ଭ ହୋଇ ମାର୍କସ୍ଙ୍କର ‘ଅର୍ଥନୈତିକ ପ୍ରାଣୀ’ର ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ବିପ୍ଲବଟା ଇତିହାସରୁ ଓହ୍ଲାଇଆସିଲା ରାଜନୀତିକୁ । କିନ୍ତୁ ଦେଖନ୍ତୁ କୁବେର ତନ୍ତ୍ରର କୁହୁକ । ସାରା ପୃଥିବୀର ଧର୍ମକୁ ପରିଧିସ୍ଥ କରିସାରିବା ପରେ କୁବେର ତନ୍ତ୍ର ଦଖଲ କରିନେଲା ରାଜନୀତିକୁ ବି । କୁବେର ହେଲା କିଙ୍ଗ୍ମେକର୍ ତା’ ହାତରେ ଧର୍ମ ହେଲା ନାଲିପାନ ଟୀକା, ଆଉ ରାଜନୀତି ହେଲା କଳାପାନ ଟୀକା । ଠିକିରି ହେଲା ଠିକାଦାରି, ଚିଡିଆ ହେଲା କଳାଟଙ୍କା ।
ଆମେ ଯାହାକୁ ଏବେ ଧର୍ମ କହୁଛୁ, ତାହା କେବଳ ମଠର ଶୋଭନ ସଂସ୍କରଣ ମାତ୍ର । ଯାହାକୁ ରାଜନୀତି ବୋଲି ଠଉରାଉଛୁ, ତାହା କେବଳ ହାଟର ହଟ୍ଟଗୋଳ ସାରା ପୃଥିବୀ ଧର୍ମ ଓ ରାଜନୀତି ସମେତ ବିପ୍ଲବକୁ ମଧ୍ୟ କରିଦେଇଛି ବଜାରର ଖୁଚୁରା । ଏ ବଜାରରେ ମଣିଷକୁ ଭକ୍ତ, ଭୋଟର୍ ଓ ଭାଟରେ ପରିଣତ କରିଦେଇ କୁବେରତନ୍ତ୍ର ଜାରୀ ରଖିଛି ତାର ବାଣିଜ୍ୟିକ ବ୍ୟବସ୍ଥା । ବର୍ତ୍ତମାନ ସମୟରେ ମାର୍କସ୍ଙ୍କର ‘ବନ୍ଧୁକନଳୀ ହିଁ ବିପ୍ଲବର ବାଟ’ ଉକ୍ତିର ସଂଶୋଧନ ଲୋଡ଼ା ପଡିଲାଣି । କାରଣ ବନ୍ଧୁକ ଆଉ ପୁଲିସ୍ କି ମିଲିଟାରୀ ହାତରେ ନାହିଁ କେବଳ, ବରଂ ତାକୁ ହାତେଇସାରିଲେଣି ହତ୍ୟାକାରୀ, ଡାକୁ, ଲୁଟେରା, ଘାତକ, ଅପରାଧୀବର୍ଗ । ଡନ୍- ଆଜିର ହିରୋ । ମାଫିଆ – ଆଜିର ମହିମାବନ୍ତ ମହାକାଳ । ଅପରାଧୀବର୍ଗର ବନ୍ଧୁକ ନଳୀ ଆଗରେ ପ୍ରବଞ୍ଚିତ ପ୍ରଜାପତି ପରି ଅଳୀକ ଆୟୁଷ ନେଇ ଉଡିବୁଲୁଛି ମଣିଷର ସ୍ୱପ୍ନ… ଆଶା ଆଉ ଅଭିଳାଷ ।
ବର୍ତ୍ତମାନର ବିପ୍ଲବ ଆରମ୍ଭ ହେବ ବନ୍ଧୁକ ବିରୋଧରେ ମଣିଷର ଯୁଦ୍ଧ ଇସ୍ତାହାରରୁ ବନ୍ଧୁକ, ତାହା ବଣିକତନ୍ତ୍ର ଦ୍ୱାରା ବଶୀଭୂତ ଶାସନତନ୍ତ୍ରର ହେଉ କି କୁବେରତନ୍ତ୍ର ଦ୍ୱାରା ଗୃହପାଳିତ ଅସାମାଜିକ ଶକ୍ତିର ହେଉ – କୌଣସି ଆଳରେ କାହାର ଜୀବନ ନ ନେଉ । ଯଦି ବାଘଟାଏ ଗୁଳିରେ ମରୁଛି କି କୁମ୍ଭୀରଟାଏ , ତା’ହେଲେ ଜଙ୍ଗଲ ଆଇନ୍ ଉଜୁଡିଗଲା ବୋଲି ଗଣମାଧ୍ୟମ ଦ୍ୱାରା ହୁରି ପଡୁଛି । ମାତ୍ର ମଣିଷ ଯଦି ଗୁଳି ଚୋଟରେ ଟଳିପଡୁଚି, ସମାଜ-ଆଇନ୍ର ଏ ତାସ୍ଘର ତ କାହିଁ ଭୁଶୁଡି ପଡୁନି ଟିକିଏ ? ଖବର କାଗଜରେ ଶୀର୍ଷକ ପଢୁଛୁ ୩ ପୁଲିସ୍ ମୃତ, ୯ ନକ୍ସଲ୍ ନିହତ ; ଅଥଚ ଏ ପୁଲିସ୍ର ଖାକି ତଳେ କି ନକ୍ସଲ୍ର ନକାବ୍ ତଳେ ମଣିଷ କୁଆଡେ ନିଖୋଜ ? ୩ ଆଉ ୯ ମିଶି ୧୨ ମଣିଷ ମରିଗଲେ ବୋଲି ମନ୍ତବ୍ୟ ଦେଲେ କ’ଣ ଖବରକାଗଜର ଅଙ୍କ ଭୁଲ୍ ହେଇଯାଏ ?
ବିପ୍ଲବ ଏଇ ଅଙ୍କଗୁଡାକୁ ଗଣି ଶିଖୁ ଆଉଥରେ । ଅଙ୍କଗୁଡ଼ିକ ଭିତରେ ମାଓ କି ମିଲିଟାରୀ ନିଦିଶି ମଣିଷ ଦିଶୁ ଅନ୍ତତଃ । ନହେଲେ ଅପରାଧୀ ଘାତକବର୍ଗର ମଣିଷମରା ଆଉ ଆସନଅଧିକାରୀ ଶାସନତନ୍ତ୍ରର ମଣିଷମରା ଭିତରେ ଫରକ କ’ଣ ?
ଅଦୂର ଭବିତବ୍ୟ କାଳରେ ବିପ୍ଲବର ବୀଜମନ୍ତ୍ର ହେଉଛି ବିନାଗୁଲିର ଗଣତନ୍ତ୍ର । ଆସନ୍ତାକାଲି ଯିଏ ଏଇ ବିନାଗୁଳିର ଗଣତନ୍ତ୍ର ପାଇଁ ଜ୍ଞାନ ଦେଇପାରିବ, ସେ ହିଁ ହେବ ବିପ୍ଲବର ବିବର୍ତ୍ତକ । କ୍ଷୁଧାମୁକ୍ତ, ବ୍ୟାଧିମୁକ୍ତ, ଯୁଦ୍ଧମୁକ୍ତ ପୃଥିବୀ ପରିବିନାଗୁଳିର ଗଣତନ୍ତ୍ର ହିଁ ହେଉଛି ସେଇ ପୃଥକ୍ ପୃଥିବୀର ପ୍ରତିଶ୍ରୁତି। ଯେଉଁ ପ୍ରତିଶ୍ରୁତିରେ ଅଛି ପୁଞ୍ଜିବାଦ ଦ୍ୱାରା ଦୀର୍ଘମିଆଦୀ ପରାଧୀନତାରୁ ବିପ୍ଲବର ପ୍ରକୃତ ମୁକ୍ତି ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.