Latest Odisha News

BREAKING NEWS

ଚାଲ, ଚନ୍ଦ୍ରର ଖଣି ସମ୍ପତ୍ତି ଚଳୁ କରିବା !

ମାୟାଧର ନାୟକଙ୍କ ସ୍ତମ୍ଭ ‘ଶବ୍ଦ ତୂଣୀର’

ଏବେ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ମିଳିଲାଣି ବୋଲି ଚନ୍ଦ୍ରାୟନ-୩ ଜରିଆରେ ‘ଇସ୍ରୋ’ କହୁଛି । ସେଠାକୁ ଯାଇ ଖଣିଖୋଳିଲେ ମୃତ୍ୟୁ ହେବନି । ସେହି ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ (ସଲଫର), ଆଲୁମିନିୟମ୍‍, କ୍ୟାଲସିୟମ୍‍, ଲୌହ, କ୍ରୋମିୟମ୍‍ ଓ ଟାଇଟାନିୟମ୍‍, ମାଙ୍ଗନିଜ୍‍, ସିଲିକନ୍‍ ରହିଛିବୋଲି ଚନ୍ଦ୍ରାୟନ୍‍-୩ ପ୍ରଜ୍ଞାନ ଜଣାଉଛି । ସେଠାରେ ହାଇଡ୍ରୋଜନ୍‍, ଜଳ ଅଛି କି ନାହିଁ ସେ ସନ୍ଧାନ ଚାଲିଛି । ସେଠାରେ ମାଟି ଅଛିକି ନାହିଁ ସନ୍ଧାନ ଚାଲିଛି ।

ଏବେ ପ୍ରଜ୍ଞାନ ଯାହା ଜଣାଉଛି – ସେଠାରେ ଉତ୍ତାପ ୫୦ ଡିଗ୍ରି ଉପରକୁ ତଳକୁ ୧୦ ଡିଗ୍ରି ଅଛି । ୫୦ ଡିଗ୍ରିରେ ମଣିଷ ଜଳିଯିବ । ମାଇନସ୍‍ ୧୦ ଡିଗ୍ରିରେ ହେମାଳ ହୋଇଯିବ । ଆମେରିକା ମଧ୍ୟ ଚନ୍ଦ୍ରକୁ ଯାଇ ଖଣିଜସଂପଦର ସନ୍ଧାନ ଜାରିରଖିଛି । ରୁଷ ପୃଥିବୀର ପାତାଳ ଭିତରେ ପଶି ଖଣି, ଡିଜେଲ ସନ୍ଧାନ କରୁଥିଲା । ଅତ୍ୟଧିକ ଗରମଯୋଗୁ ଫେରିଆସିଲା । ଚୀନ୍‍ ମଧ୍ୟ ପାତାଳ ପୃଥିବୀକୁ ୩୨୮୦୮ ମିଟରକୁ ପଶି ଖଣିଜସଂପଦ ଖୋଜୁଛି – ସଫଳ ହୋଇନି । ପୃଥିବୀବକ୍ଷରେ ପ୍ରକୃତି ସାଇତିରଖିଥିବା ଖଣିଜସଂପଦକୁ ଶିଳ୍ପପତି, ସରକାରମାନେ ଖୋଳିଖୋଳି ଶେଷକରିଦେବାକୁ ଆଉ ବେଶି ଡେରିନାହିଁ । ମର୍ତ୍ତ୍ୟରୁ ସରିଲେ ପାତାଳ ଓ ସ୍ୱର୍ଗକୁ ଘାଣ୍ଟିବେ । ଧନଲୋଭ ମଣିଷକୁ କେଉଁଠିକୁ ନେଇଗଲାଣି – ତାହା ଭାବିଲେ କେବଳ ଆଶ୍ଚର୍ଯ୍ୟ ନୁହେଁ ଭୟଙ୍କର ଭାବେ ଚିନ୍ତିତ । ପୃଥିବୀ ପାତାଳକୁ ଦବିଯିବ । କ’ଣ ଆଠଶହକୋଟି ମଣିଷ ପୋକମାଛି ଭଳି ମରିଯିବେ ?

ଅଦ୍‍ଭୂତ ଏ ଭାରତବର୍ଷ । ଏଠି ବିଜ୍ଞାନ-ଧର୍ମ କୁଣ୍ଢାକୁଣ୍ଢି । ଇସ୍ରୋ ମୁଖ୍ୟ ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କରିସାରିଥିଲେ । ଯେଉଁଦିନ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠ ଛୁଇଁଲା ସେଦିନ ଏଭଳି ପ୍ରଚାର ହେଲା – ସାରାଦେଶରେ ହାତତାଳିରେ କମ୍ପିଉଠିଲା । ସତେଯେମିତି ପ୍ରଧାନମନ୍ତ୍ରୀ ପ୍ରଜ୍ଞାନ-୩ ପାଇଲଟ୍‍ ଥିଲେ । ଯୁଦ୍ଧଜୟ କଲାଭଳି ବର୍ଣ୍ଣନା କଲେ । ଏଥର ନିର୍ବାଚନରେ ଆକାଶର ଚାନ୍ଦ କଥା ବେଶି କୁହାଯିବ । ପ୍ରଧାନମନ୍ତ୍ରୀ ଚନ୍ଦ୍ରାୟନ-୩ ଅବତରଣ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ଓ ଚନ୍ଦ୍ରାୟନ-୨, ୨୦୧୯ ଅସଫଳ ଅବତରଣ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ ନାମଦେବା ପ୍ରଚେଷ୍ଟା କରିଥିଲେ । ଏବେ ହିନ୍ଦୁମହାସଭା ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣିର ନିଦାନ ଆତଙ୍କବାଦୀଙ୍କ ହାତରୁ ରକ୍ଷାପାଇବା ପାଇଁ ‘ଚାନ୍ଦ’କୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ ।

‘ଚନ୍ଦ୍ରାୟନ-୩’ ଅବତରଣରେ ଚନ୍ଦ୍ରର ବିପୁଳ ସମ୍ଭାବନା, ଦୁର୍ଗମ ଶୀତଳତମ ଅନ୍ଧକାରଚ୍ଛନ ଦକ୍ଷିଣମେରୁରେ । ବିଶ୍ୱ ବିସ୍ମିତ ଦୁଇଟି କାରଣରୁ – ପ୍ରଥମେ – ଭାରତର କୃତିତ୍ୱ – ଦ୍ୱିତୀୟରେ ଉନ୍ନତ ଗଣତାନ୍ତ୍ରିକ ପରିଚିତ ଭାରତ କିଭଳି ସ୍ୱରତନ୍ତ୍ର ପ୍ରବଣତା’ରେ ନିମଜ୍ଜିତ ହୋଇ ଉଗ୍ର-ଧର୍ମୀୟ ଚେତନାରେ ଆଛନ୍ନ ହୋଇପଡିଛି । ଆମ ପ୍ରଧାନମନ୍ତ୍ରୀ ମୋଦି ମହାଶୟ ହଟଚମଟ ସୃଷ୍ଟି କରିବାରେ ମାଷ୍ଟର । ଏଇ ଯେମିତି ହଠାତ୍‍ ଲାହୋରଯାତ୍ରା । ‘ନୋଟବନ୍ଦୀ’, ଜି.ଏସ୍‍.ଟି. ପ୍ରଣୟନ, ‘ପ୍ରସ୍ତୁତିହୀନ ଲକ୍‍ଡାଉନ୍‍’ ପ୍ରମୁଖ ଅନେକ କ୍ଷେତ୍ରରେ ଚଟାପଟ ଘୋଷଣା କରନ୍ତି । ରାଜନୈତିକ କାରଣବିନା ମୋଦି କିଛି କରନ୍ତିନାହିଁ । ଚନ୍ଦ୍ରାୟନ-୩ ପ୍ରଚାର ସେ ଏକାଏକା ଶ୍ରେୟ ନେବେ । ବିରୋଧୀବାଲାଙ୍କୁ ପତ୍ତା ଦେବେନି । ସମୁଦ୍ରକୂଳରେ ବୁଲି ପ୍ଲାଷ୍ଟିକ୍‍ ବୋତଲ ସଂଗ୍ରହ କରିବା, ମୟୂରକୁ ଦାନାଦେବା, ହିମାଳୟ ଗୁମ୍ଫାରେ ଧ୍ୟାନ କରିବା, ଚିତାବାଘର ସଂଗେ ଫଟୋ ଉଠାଇବା, ବିମାନ ଅବତରଣବେଳେ ଏକାଏକା ଡଗଡଗହୋଇ ତଳକୁ ଆସିବା, ସଂସଦଭବନ ପରିଦର୍ଶନରେ ସେ ସବୁବେଳେ ଏକାଏକା । ସେ ସାରାଦେଶକୁ ସୂଚାଇଦେବାକୁ ଚାହାଁନ୍ତି – ମୋଦି ଏକାମାଧିଆ ବାଇଶ ପଳ । ମୋଦି ଚନ୍ଦ୍ରାୟନ ସଂଗେ ଜାତୀୟତାବାଦ ଓ ହିନ୍ଦୁତ୍ୱବାଦର ମିଶ୍ରଣକରି ନିର୍ବାଚନ ପ୍ରଚାର କରିବେବୋଲି ମସୁଧା କରିଛନ୍ତି ।

ନିଜକୁ ଅତି ଚାଲାଖିଆ ଭାବୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଦେଶବାସୀଙ୍କର ଚନ୍ଦ୍ରୋଦୟ ହେଲାବୋଲି ଡ୍ରମ୍‍ ପିଟି ଫଟାଇଦେଲେଣି । ଏଇ ଢୋଲପିଟାରେ ମଣିପୁର ନାରୀମାନଙ୍କ କରୁଣକ୍ରନ୍ଦନ, ଗରୀବର ହାହାକାର, ମଧ୍ୟବିତ୍ତର ନାଭିଶ୍ୱାସ, ବିଦ୍ୱେଶର ରକ୍ତସ୍ନାନ କୁଆଡେ ହଜିଯାଉଛି । ଦୀର୍ଘଦିନ କେହି କ୍ଷମତାରେ ରହିନାହାଁନ୍ତି । ନାନାଭାଷା ନାନାମତର ଭାରତବର୍ଷରେ ବହୁତ୍ୱବାଦ ଭାଙ୍ଗି ବିରୋଧୀଶୂନ୍ୟ କରିବାର ଚେଷ୍ଟା ଚାଲିଛି । ଧର୍ମନିରପେକ୍ଷତା, ଫେଡେରାଲ ଷ୍ଟ୍ରକ୍‍ଚର୍ସ, ରାଜ୍ୟର କ୍ଷମତା ସବୁକୁ ଚ୍ୟାଲେଞ୍ଜ୍‍ କରାଯାଉଛି । ଏହି ସମୟରେ ବିରୋଧୀମାନେ ‘ଇଣ୍ଡିଆ’ ମେଣ୍ଟ ଗଢିଛନ୍ତି । ମୋଦି ଜାରିସାରିଲେଣି ବିନାଯୁଦ୍ଧେ ନମିଳିବ ମୂଖଗ୍ରେ ମେଦିନି । ଦେଖାଯାଉ – ଚାନ୍ଦ କାହାକୁ ପାର୍‍ କରୁଛି ।

କୋଭିଡ୍‍ ପରବର୍ତ୍ତୀ ନିମ୍ନଗାମୀ ଅର୍ଥନୀତି ସତ୍ତ୍ୱେ ମୋଦିଙ୍କୁ ‘ବିଶ୍ୱଗୁରୁ’ ପ୍ରଚାର ଧୁମ୍‍ ଧରିଛି । ଭାରତରେ ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ରର ବଜେଟ୍‍ ୯୯୦ କୋଟି ଟଙ୍କା । ଏହାବାଦ ୨୯ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବର୍ଦ୍ଧିତ ଖର୍ଚ୍ଚ ଅଛି । ଏହି ଜି-୨୦ ସମ୍ମିଳନୀରେ ଆମେରିକା, ବ୍ରିଟେନ୍‍, କାନାଡା ସହ ବିଶ୍ୱର ବିବିଧ ଦେଶର ରାଷ୍ଟ୍ରପ୍ରଧାନମାନେ ଯୋଗଦେବେ । କିନ୍ତୁ ଚୀନର ରାଷ୍ଟ୍ରପତି ଶି-ଜୀନପିଂ ଓ ରୁଷ୍‍ ରାଷ୍ଟ୍ରପତି ପୁତିନ୍‍ ଅନୁପସ୍ଥିତ ରହିବେ । ଯୁଦ୍ଧବିରୋଧୀ, ନିରପେକ୍ଷ ବିଶ୍ୱନୀତି ସଂପର୍କରେ ଆମ ପ୍ରଧାନମନ୍ତ୍ରୀ ବିଦେଶନୀତିରେ କହିବୁଲୁଥିଲେ – ତାହା ଧକ୍କା ଖାଇଯିବ । ଜି-୨୦ ଅର୍ଥ କୋଡିଏଜଣ ରାଷ୍ଟ୍ରନାୟକ ଦିଲ୍ଲୀ ଆସୁଛନ୍ତି । ରାଜଧାନୀ ଦିଲ୍ଲୀ ରଣକ୍ଷେତ୍ରରେ ପରିଣତ ହୋଇଛି । ଅଧା ସାମରିକବାହିନୀ ଦିଲ୍ଲୀକୁ ଘେରାଉକରି ରଖିବେ । ପୃଥିବୀ ଶାନ୍ତି ଚାହେଁ । ଆମେରିକା-ଚୀନ୍‍-ରୁଷ୍‍ ରାଷ୍ଟ୍ରପତି ଏକାଠି ହେବାର ଥିଲା । ୨୪ ନିର୍ବାଚନ ପୂର୍ବରୁ ଜି-୨୦ ଗୋଟାଏ ‘ଯୁଦ୍ଧଦେହିଂ’ ପରିସ୍ଥିତି ସୃଷ୍ଟି କରିପାରେ ! କେବଳ ନିଆଁରେ ଘିଅ ଢଳା ଛଡା ଜି-୨୦ରେ ଯାହା ଚାହୁଁଥିଲେ – ତାହା ହେବନି ।

ଏବେ ରୁଷ-ୟୁକ୍ରେନ୍‍ ଯୁଦ୍ଧ ବନ୍ଦହେବାର ନାଁ ଧରୁନି । କେବେଠୁ ୫୫୦ଦିନ ଟପିଗଲାଣି । ଏପର୍ଯ୍ୟନ୍ତ ରୁଷ୍‍ ବିରୁଦ୍ଧରେ ନିନ୍ଦାପ୍ରସ୍ତାବ ‘ବିଶ୍ୱଗୁରୁ’ ପାଶ୍‍ କରିପାରିଲେଣି କି ? କାରଣ – ରୁଷରୁ ଯେଉଁ ଡିଜେଲ ଶସ୍ତାରେ ଆଣି ଭାରତୀୟ ବଜାରରେ ଚଢାଦାମରେ ବିକ୍ରିକରି ରାଜକୋଷ ଭର୍ତ୍ତି କରୁଛେ – ବିରୋଧ କଲେ ଡିଜେଲ ରୁଷ୍‍ ଦେବନି । ଏଥିପାଇଁ ନାଁ ଆମେ ରୁଷର ଅମାନବୀୟ କାର୍ଯ୍ୟକୁ ବିରୋଧ କରୁଛୁ – ନା ଆମେ ୟୁକ୍ରେନରେ ଚାଲିଥିବା ରକ୍ତତାଣ୍ଡବକୁ ବନ୍ଦକରିବା ପାଇଁ କହିପାରୁଛୁ । ଆମେକାଳେ ନିରପେକ୍ଷ ! ୟାଡେ ଧୁମ୍‍ ପ୍ରଚାର ଚାଲିଛି – ମୋଦି ଏକମାତ୍ର ତ୍ରାଣକର୍ତ୍ତା – ଗୁରୁଙ୍କ ଗୁରୁ ମହାଗୁରୁ । ଧନ୍ୟରେ ଭାରତବର୍ଷ !

ଚନ୍ଦ୍ରାୟନ-୩ ପାଇଁ କେବଳ ବାହାଦୂରୀ ବୈଜ୍ଞାନିକମାନଙ୍କର । ସେମାନଙ୍କୁ କମ ଦରମା ଦିଆଯାଉଛି । ଚନ୍ଦ୍ରାୟନ-୩ରେ ମାତ୍ର ୬୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଠାରୁ ଗୋଟିଏ ଦକ୍ଷିଣୀ ଫିଲମ୍‍ରେ ବେଶି ଟଙ୍କା ଖର୍ଚ୍ଚ ହେଉଛି । ବୈଜ୍ଞାନିକମାନଙ୍କ ସଫଳତାକୁ ମୋଦି ଏକାଏକା ଅଣ୍ଟିରେ ପୁରାଇବା ହାସ୍ୟାସ୍ପଦ । ସମଗ୍ର ବିଶ୍ୱ ଦେଖୁଛି – କିଭଳି ଭାରତ ପ୍ରେମ ଓ ସହନଶୀଳତା ତ୍ୟାଗକରି ଉଗ୍ର-ଧର୍ମୀୟଚେତନାରେ ବୁଡିଯାଇଛି । ଘୃଣା ଓ ବିଦ୍ୱେଶକୁ ଜାବୁଡି ଧରିଛି । ସାରାଦୁନିଆ ଏହି ବିସ୍ମୟ ଅବଲୋକନ କରୁଛି ।

ଚନ୍ଦ୍ରର ଆବାହନ ସମଗ୍ର ବିଶ୍ୱ କରୁଛି । କିନ୍ତୁ ଚନ୍ଦ୍ରକୁ ନେଇ ନିର୍ବାଚନ ବୈତରଣୀ ପାରହେବା କ’ଣ ସମ୍ଭବ ? ୨୦୧୪ରେ ନରେନ୍ଦ୍ର ମୋଦି କୁରୁକ୍ଷେତ୍ରରେ ଜୟଲାଭପରେ ଆଗାମୀ ନିର୍ବାଚନ ଏଥର ଚନ୍ଦ୍ରମୟ ହୋଇଯିବ ! ବର୍ତ୍ତମାନ ଚନ୍ଦ୍ର ଆଗରେ ମଣିପୁର ରକ୍ତତାଣ୍ଡବ ପଛରେ । ଚନ୍ଦ୍ରାୟନର ସାଫଲ୍ୟରେ ମୋଦିଜୀଙ୍କ ଭକ୍ତଗଣ ଏଭଳି ନାମସଂକିର୍ତ୍ତନରେ ମାତିଛନ୍ତି, ବିଶ୍ୱବାସୀ ଭାବୁଛନ୍ତି – ଆଉ କିଛି ହେଲା କି ? ଏଠାରେ ବୈଜ୍ଞାନିକମାନଙ୍କର ଅକ୍ଲାନ୍ତ ପରିଶ୍ରମର ମୂଲ୍ୟ କିଛି ନାହିଁ । ଆମେରିକା-ରୁଷ-ଚୀନ୍‍ ପରେ ଏଥର ଭାରତ । ପାକିସ୍ତାନକୁ ଆମେ ଧମକାଇ ପାରିବା – ଏଥର ବେଶି ବଦମାସ୍‍ କଲେ ତମ ମୁଣ୍ଡରେ ଚାନ୍ଦ ଚାପିଦେବୁ !

ଏଇ ବିଶ୍ୱ ସଂସାରରେ ସୁନୀଳ ଆକାଶ, ମେଘ, ବୃଷ୍ଟି ଦେଇଛି । ମେରୁଦେଶଠାରୁ ମାଉଣ୍ଟ୍‍ ଏଭେରେଷ୍ଟ୍‍ । ତଥାପି ମଣିଷର ତୃପ୍ତିର ଶେଷନାହିଁ । ସେ ପୃଥିବୀଗ୍ରହରୁ ୧୫ଲକ୍ଷ କିଲୋମିଟର ଦୂର ଚନ୍ଦ୍ରଗ୍ରହକୁ ଯାଉଛି । ଯେଉଁ ଚନ୍ଦ୍ରାଲୋକଦ୍ୱାରା ପୃଥିବୀ ଆଲୋକମୟ । ବର୍ତ୍ତମାନ ଚନ୍ଦ୍ର ପରେ ଆମେ ସୂର୍ଯ୍ୟକୁ ଆଖି ପକେଇଲେଣି । ଏହି ସୂର୍ଯ୍ୟ ତେଜର ପ୍ରତୀକ । ସୂର୍ଯ୍ୟ ସଂସାରର କର୍ତ୍ତା ହେଲେ ଚନ୍ଦ୍ର ଲାସ୍ୟମୟୀ ପ୍ରେମିକା । ମଣିଷ ସବୁଦିନେ ସୂର୍ଯ୍ୟଚନ୍ଦ୍ରକୁ ପୂଜା କରିଆସୁଛି । ସୂର୍ଯ୍ୟକୁ ଦୂରରେ ମଧ୍ୟ ଦେଖି ହୁଏନା – ପାଖକୁ ଗଲେ ଜଳିପୋଡି ପାଉଁଶ ହୋଇଯିବା । କିନ୍ତୁ ଚାନ୍ଦ ପ୍ରତି ଆମର ଦୃର୍ବଳତା ଅଛି । ୬୦ବର୍ଷ ପୂର୍ବରୁ ‘ଇସ୍ରୋ’ ଗଠନ ହେଲା ଦିନଠୁ ଚନ୍ଦ୍ରାଭୀଯାନ ଲକ୍ଷ ରଖାଯାଇଥିଲା । ଶେଷରେ ସ୍ୱପ୍ନ ସଫଳ ହୋଇଛି – କିନ୍ତୁ ଯେଉଁସବୁ ଖଣିଜପଦାର୍ଥର ସନ୍ଧାନ ମିଳିଛି – ସେସବୁକୁ ଆମେ ପୃଥିବୀବକ୍ଷକୁ ଆଣି କ’ଣ ବିକ୍ରିକରିପାରିବା ? ଏବେ ଚନ୍ଦ୍ରରେ କଲୋନୀ ନିର୍ମାଣ କଥା ଉଠିଲାଣି । ଆମ ଶିଳ୍ପପତିମାନେ ଏବେଠୁ ଦି’ଚାରିଟା ଫ୍ଲାଟ୍‍ କିଣି ପକାଇବେ ନିଶ୍ଚୟ !

ପୃଥିବୀରେ ଆମେ ଆମର ଖଣିସମ୍ପତ୍ତି ବଢେଇ ବଢେଇ ମାଟିତଳର ଗୋଦାମ ଖାଲି କରି ସାରିଲୁଣୁ – ଆଉ ଏ ଗ୍ରହ ଆମ ଖଣିକ୍ଷୁଧାକୁ ପ୍ରଶମିତ କରିବାପାଇଁ ଆପଣା ଅକ୍ଷମତା ପ୍ରକାଶ କରି ସାରିଲାଣି । ଏବେ ଚନ୍ଦ୍ରକୁ ଚାଲ – ଖଣି ସମ୍ପତି ଚଳୁ କରିବା ! ଏଥିପାଇଁ ଆଜି ବିଜ୍ଞାନକୁ ଆମ ଲାଳସୀ ରାଜନୀତିରେ ବଦ୍ଧ କରିବା । ଲଙ୍କେଶ୍ୱର ରାବଣ ଏକଦା ଗ୍ରହଉପଗ୍ରହରୁ ଅସଲ ଅସଲ ସମ୍ଭାରମାନ ଲୁଟିଆଣି ସୁନାର ସାମ୍ରାଜ୍ୟ ଗଢିଥିଲାବୋଲି ପୁରାଣ କହେ । ମାତ୍ର ଏଇ ଲୁଟେରା ଲଙ୍କେଶ୍ୱର ଗୋଟିଏ ‘ରାମବାଣ’ରେ ବିଦ୍ଧ ହୋଇ ଶେଷକୁ ‘ରାମନାମ’ ଭଜି ପରପାରିକୁ ଯାତ୍ରା କଲା । ଆମେ କ’ଣ ସେଇ ରାବଣ ରାଜୀନୀତିର ରାଜ ଚଳାଇବାକୁ ଫିକର କଲୁଣୁ କି ?

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.