Latest Odisha News

BREAKING NEWS

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ


ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ ମାଳ ଅଞ୍ଚଳକୁ ମାନ୍ଦ୍ରାଜ ପ୍ରଦେଶ ଅଧିନରେ ରଖି ଇଂରେଜ ସରକାର ତାଙ୍କର ଶାସନ କାର୍ଯ୍ୟ ତୁଲାଇଥିଲେ । ସେତେବେଳେ ଏସବୁ ଅଞ୍ଚଳରେ ତେଲୁଗୁ ଓ ତାମିଲ ଭାଷୀ ଅଫିସର, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କର ଆଧିପତ୍ୟ ଯଥେଷ୍ଟ ରହିଥିଲା । ଅପରପଟ ବଙ୍ଗ ପ୍ରଦେଶ ସହିତ ବାଲେଶ୍ଵର, କଟକ, ପୁରୀ ଜିଲ୍ଲା ଓ ଗଡ଼ଜାତ ରାଜ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଶାସନ ଚଳାଇଥିଲେ । ବଙ୍ଗଭାଷି ସରକାରୀ କର୍ମଚାରୀଙ୍କ ଦ୍ୱାରା ଇଂରେଜମାନେ ଉପକୂଳ ଅଞ୍ଚଳର ଶାସନ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିଲେ । ସେଭଳି ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ସଂଲଗ୍ନ ଗଡ଼ଜାତ ରାଜ୍ୟ ଯଥା ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବାମଣ୍ଡା ଓ ରେଢ଼ାଖୋଲ ଆଦି ମଧ୍ୟପ୍ରଦେଶର କମିଶନର ଅଧିନକୁ ନିଆଯାଇଥିଲା । ପୂର୍ବରୁ ଏସବୁ ମରହଟ୍ଟା ମାନଙ୍କ ଦ୍ଵାରା ଶାସିତ ହେଉଥିଲା । କହିବାକୁ ଗଲେ ରାଜନୈତିକ କ୍ଷେତ୍ରରେ ଓଡିଶାର କୈାଣସି ସ୍ୱତନ୍ତ୍ର ପରିଚୟ ସେତେବେଳେ ନଥିଲା । ତିନୋଟି ପ୍ରଦେଶର ଅଧିନରେ ଥିବା ଓଡ଼ିଆମାନେ ସବୁ ଦିଗରୁ ଅବହେଳିତ ଥିବା ମନେହୁଏ । ଏପରିକି ସେମାନଙ୍କ ମନରେ ଏକତ୍ରୀକରଣ, ଜାତୀୟତା ପ୍ରୀତି ଜାଗରିତ ହେବା ଅସମ୍ଭବ ହୋଇ ପଡିଥିଲା । କୁହାଯାଇପାରେ ଯେ ପ୍ରଥମ କରି ୧୮୯୬ରେ ଗ୍ରିୟରସନ୍ ଙ୍କ ଦ୍ଵାରା ଭାଷା ସର୍ବେକ୍ଷଣ କରାଯାଇ ସେଥିରେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଓଡ଼ିଆ ରାଜ୍ୟ ଭାବେ ମାନଚିତ୍ରରେ ଚିହ୍ନଟ କରାଗଲା । ଯାହା ଓଡ଼ିଆମାନଙ୍କ ପାଇଁ ଏକ ମାନଚିତ୍ର ଚିହ୍ନଟ ଅଞ୍ଚଳ ଭାବେ ଦର୍ଶାଯାଇ ଜାତୀୟ ମନୋଭାବ ସୃଷ୍ଟି କରିବାରେ ସହାୟକ ସାଜିଥିଲା ।

ଓଡ଼ିଶା ଡିଭିଜନ ଭାବରେ ତିନୋଟି ଜିଲ୍ଲାର ଯଥା ବାଲେଶ୍ଵର, କଟକ ଓ ପୁରୀର କଥିତ ଓଡ଼ିଆ ଭାଷାକୁ ନେଇ ଗଠିତ ହୋଇଥିଲା । ସେତେବେଳେ ଇଉରୋପୀୟ ପଣ୍ତିତ ଏଚ୍.ଟି କୋଲୋବୃକ୍ ସହିତ ଓ୍ୱାଲଟର ହାମିଲ୍ଟନ୍ ପ୍ରମୁଖ ଦ୍ୱୟ ବିଦ୍ୟାନ୍ ଓଡ଼ିଆ ଭାଷାକୁ ଏକ ସମୃଦ୍ଧଶୀଳ ଭାଷା ଭାବରେ ସ୍ୱୀକାର କରିଥିଲେ । ୧୮୦୫ରେ ଇଂରେଜ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ସ୍ଵୀକୃତି ପ୍ରଦାନ କରିଥିଲେ । ବିଶେଷକରି ସ୍ଥାନୀୟ ଲୋକମାନଙ୍କ ସବୁପ୍ରକାର ଅଭାବ ଅସୁବିଧା ସହଜରେ ବୁଝି ହେବ ବୋଲି ସ୍ଥାନୀୟ ଭାଷା ପ୍ରତି ଗୁରୁତ୍ୱ ଦେଇ ଇଂରେଜ ସରକାର ଏହାକୁ ସରକାରୀ ମାନ୍ୟତା ପ୍ରଦାନ କରିଥିଲେ । ସେହି ସମୟର କମିଶନର ହେନେରୀ ରିକେଟସ୍ ନିଜର ଅଧସ୍ତନ କର୍ମଚାରୀଙ୍କୁ ଓଡ଼ିଆ ଭାଷା ଶିକ୍ଷାକରିବା ସହ ଓଡ଼ିଆ ଭାଷାରେ ପରୀକ୍ଷାରେ ଦେଇ କୃତକାର୍ଯ୍ୟ ହେବାକୁ ବିଜ୍ଞପ୍ତି ଦେଇଥିଲେ । ପରେପରେ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାରେ ଶିକ୍ଷା ଦାନ କରାଯାଉଥିଲେ ମଧ୍ୟ ପାଠ୍ୟପୁସ୍ତକ ମିଳିବା କଷ୍ଟକର ହୋଇପଡୁଥିଲା ।

ବଙ୍ଗଳା ପାଠ୍ୟ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରାଯାଇ ଶିକ୍ଷା ଦିଆଯାଉଥିଲା । କିନ୍ତୁ ୧୮୬୪-୬୫ ବେଳକୁ ଓଡ଼ିଆ ବଦଳରେ ବଙ୍ଗଳା ଭାଷାରେ ଶିକ୍ଷା ଦାନ କରିବାକୁ ପରିଦର୍ଶକ ରର୍ବଟ ପେରୀ ନିର୍ଦ୍ଦେଶନା ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ୧୮୬୮ରେ ପ୍ରଥମେ ବିଦ୍ୟାଳୟ , ମହାବିଦ୍ୟାଳୟ ଓ କୋର୍ଟରୁ ଓଡ଼ିଆ ଭାଷା ହଟାଇବା ପାଇଁ ଆୟୋଜିତ କଟକ ‘ ଡିବେଟିଂ କ୍ଳବ୍’ରେ ରାଜେନ୍ଦ୍ର ଲାଲ ମିତ୍ର ଭାଷଣରେ ଘୋଷଣା କରିଥିଲେ ‘ଓଡିଆ ଏକ ଭାଷା ନୁହେଁ’ । ଏପରିକି ୧୮୬୯ରେ ବଙ୍ଗଳା ଉପ-ପରିଦର୍ଶକ ଉମାଚରଣ ହାଲଦାର ଓଡ଼ିଆ ଭାଷାକୁ ବଙ୍ଗଳା ଲିପିରେ ଲେଖିବା ପାଇଁ ‘କଟକ ଷ୍ଟାର’ ନାମକ ସଂବାଦ ପତ୍ରରେ ପ୍ରକାଶ କରିଥିଲେ । ତା’ ସତ୍ତ୍ୱେ ଓଡ଼ିଆମାନଙ୍କର ଇଂରାଜୀ ବିଦ୍ୟାଳୟରେ ପଢ଼ିବାକୁ ଅନାଗ୍ରହ ଥିଲେ । ଓଡ଼ିଆମାନଙ୍କ ଅନ୍ଧ-ବିଶ୍ବାସ , କୁସଂସ୍କାର ଭାବ ଦେଖି ସେ ସମୟର ଇଂରେଜ ହଣ୍ଟର ସାହେବ ବିରକ୍ତି ପ୍ରକାଶ କରିଥିଲେ । ୧୮୭୦ରେ କାନ୍ତିଲାଭ ଭଟ୍ଟାଚାର୍ଯ୍ୟ ନାମକ ବଙ୍ଗଳୀ ଶିକ୍ଷକ ‘ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବହୁବିଧ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ରାଜେନ୍ଦ୍ର ଲାଲ ମିତ୍ର ଏହାକୁ ସମର୍ଥନ କରୁଥିବା ଦୁର୍ଭାଗ୍ୟ ଥିଲା । ଜଣେ ପ୍ରତିଷ୍ଠିତ ଐତିହାସିକ ଭାବେ ଜଣାଶୁଣା ଥିବା ଶ୍ରୀଯୁକ୍ତ ମିତ୍ର ଅଧିକ ପାଦେ ଆଗକୁ ଯାଇ ଘୋଷଣା କରିଥିଲେ ଯେ ଓଡ଼ିଆ ମାନଙ୍କର ସେଭଳି କୈାଣସି ସ୍ୱତନ୍ତ୍ର ଭାଷା ନାହିଁ । ଫଳତଃ ଓଡ଼ିଆମାନଙ୍କ ସହ ସେମାନଙ୍କ ବିରୋଧ ଭାବ ସୃଷ୍ଟି ହୋଇଥିଲା ।

ପ୍ରଥମ କରି ଭାଷା ଆନ୍ଦୋଳନ ଓଡ଼ିଆ ଭାଷୀ ଜନସାଧାରଣଙ୍କ ମନରେ ନିଜ ମାତୃଭାଷା ପ୍ରତି ସମ୍ମାନ ଓ ସୁରକ୍ଷା ଦେବାର ଆବଶ୍ୟକତା ଅନୁଭବ ହେଲା । ରାଜେନ୍ଦ୍ର ଲାଲ ଓ କାନ୍ତି ଲାଲଙ୍କ ଅଭିମତ ଉପରେ ଓଡ଼ିଶା ଡିଭିଜନରେ ମତ ମତାନ୍ତର ଘଟି ତାହା ଏକ ଜଟିଳ ବାତାବରଣ ସୃଷ୍ଟି କରିବା ଫଳରେ ଓଡ଼ିଆମାନେ ନିଜ ଭାଷା ପ୍ରତି ସଚେତନ ହେଲେ । ସେମାନଙ୍କ ମନରେ ଧାରଣା ସୃଷ୍ଟି ହେଲା ନିଜ ମାତୃଭାଷାକୁ ଅବହେଳା କଲେ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ସଂପୂର୍ଣ୍ଣ ବିଲୀନ ହୋଇଯିବା କିଛି ଅସମ୍ଭବ ନୁହେଁ । ଫଳତଃ ଭାଷା ଆନ୍ଦୋଳନରୁ ଜାତୀୟତା ଆନ୍ଦୋଳନ ସୃଷ୍ଟି ଘଟି ଓଡ଼ିଆ ମାନଙ୍କୁ ସଂଘବଦ୍ଧ କଲା । ପ୍ରସାଶନିକ ସ୍ତରରେ ଥିବା ବଙ୍ଗାଳୀ ମାନଙ୍କ ପ୍ରାଧାନ୍ୟ, ଦ୍ବୈରାତ୍ମ ଓଡ଼ିଆ ମାନଙ୍କୁ ଅସହ୍ୟ କରିଦେଇଥିଲା । ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ଆବେଦନ ଆଧାରରେ ବିଦ୍ୟାଳୟରୁ ଓଡ଼ିଆ ଭାଷାର ପ୍ରତ୍ୟାହାର ନିର୍ଦ୍ଦେଶ ଓ ଆଇନତଃ ଶିକ୍ଷା କ୍ଷେତ୍ରରେ ଓଡିଆ ଭାଷାରେ ଶିକ୍ଷା ଦାନ ନିଷିଦ୍ଧ ହେବା ଜାତିପ୍ରାଣ ଓଡ଼ିଆଙ୍କ ଚକ୍ଷୁରୁ ନିଦ ହଜାଇ ଦେଇଥିଲା । କାଳକାଳ ଧରି ବିଭିନ୍ନ ବିପର୍ଯ୍ୟୟକୁ ସାମ୍ନା କରି ଆସୁଥିବା ଓଡ଼ିଆ ଜାତିର ମୁଣ୍ଡ ଉପରେ ବିନା ମେଘେ ବ୍ରଜପାତ ସଦୃଶ ଏଭଳି ନିର୍ଦ୍ଦେଶନା ଥିଲା । ଓଡ଼ିଆ ଭାଷା ପାଲଟି ଯାଇଥିଲା ଜାତୀୟବୋଧ ଉଦ୍ରେକ କାରୀ ଭାବପ୍ରବଣର ଏକ ପ୍ରମୁଖ ଆଧାର । ଉଗ୍ର ଓ ଉତ୍କଟ ଭାଷା ପ୍ରେମର ଉନ୍ମାଦନା ପ୍ରତ୍ୟେକ ଓଡ଼ିଆ ପ୍ରାଣକୁ ଉଦ୍ବେଳିତ କରିଥିଲା । ଆତ୍ମା ସୁରକ୍ଷାର ପ୍ରଶ୍ନଟି ସବୁରି ହୃଦୟକୁ ମନ୍ଥିତ କରି ଭାଷା ଓ ଜାତି ପ୍ରୀତିର ବୀଜବପନରେ ଅଧିକ କ୍ରିୟାଶୀଳ ହୋଇପାରିଥିଲା । ସେ ସମୟରେ ଥିବା କଟକ ସହରର ଡିବେଟିଙ୍ଗ ସୋସାଇଟି ଓ କାଳିପଦ ବଙ୍ଗୋପାଧ୍ୟାୟଙ୍କ ସଂପାଦିତ ଉତ୍କଳ ହିତୈଷିଣୀ ବଙ୍ଗଳା ଭାଷାକୁ ସମର୍ଥନ କରୁଥିବା ବେଳେ ଗୈାରୀ ଶଙ୍କର ରାୟଙ୍କ ସଂପାଦିତ ଉତ୍କଳ ଦୀପିକା ଓ ରାଜା ବୈକୁଣ୍ଠ ନାଥ ଦେଙ୍କ ସମ୍ବାଦ ବାହିକା ଓଡ଼ିଆ ଭାଷା ସମର୍ଥନରେ ଭାଷା ଆନ୍ଦୋଳନକୁ ଅଧିକ ତେଜୀୟାନ କରିଥିଲା ।

ଓଡ଼ିଆମାନେ ସଂଘବଦ୍ଧ ଭାବରେ ମାତୃଭାଷାର ସୁରକ୍ଷା ଦିଗରେ ଯତ୍ନବାନ ହେବା ସଙ୍ଗେ ସଙ୍ଗେ  ଓଡ଼ିଆ ସ୍ୱାର୍ଥ ବିରୋଧୀ ଶିବଦାସ ଭଟ୍ଟାଚାର୍ଯ୍ୟଙ୍କୁ ବାଲେଶ୍ଵର ଶିକ୍ଷା ମଣ୍ଡଳରୁ ଅନ୍ୟତ୍ର ବଦଳି ନିମନ୍ତେ ଆବେଦନ କରିଥିଲେ । ସର୍ବସ୍ବ ତ୍ୟାଗକରି ଆପଣାର ଭାଷା ସାହିତ୍ୟର ଅସ୍ତିତ୍ବ ବଜାୟ ରଖିବାକୁ କାୟମନବାକ୍ୟରେ ଆଗେଇ ଆସିଥିଲେ ଓଡିଆ ଜାତିର ସୁଯୋଗ୍ୟ ସନ୍ତାନଗଣ । ବ୍ୟାସକବି ଫକୀରମୋହନ ସେନାପତି ଓ ଗୈାରୀ ରୀ ଶଙ୍କର ରାୟ ଏଭଳି ଘଟିସନ୍ଧି ମୁହୂର୍ତ୍ତରେ ସଦର୍ପେ ଦଣ୍ତାୟମାନ ହୋଇ ଛିଡା ହୋଇଥିଲା ବେଳେ ମଧୁସୂଦନ ଦାସ ଓ ରାଧାନାଥ ରାୟଙ୍କ ଅକୁଣ୍ଠ ସହାୟତାର ହାତ ବଢ଼େଇ ଆନ୍ଦୋଳନକୁ ଆଗେଇ ନେବାରେ ସହାୟକ ହୋଇଥିଲେ । ୧୮୬୬ର ନଅଙ୍କ ଦୁର୍ଭିକ୍ଷର କରୁଣ ପରିଣତି ତତକାଳୀନ ସରକାରଙ୍କ ନୀତିକୁ ବଦଳାଇ ଦେବାକୁ ସମର୍ଥ ହୋଇଥିଲା । ଇଂରେଜ ସରକାର ସେତେବେଳେ ଓଡ଼ିଆମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରଗତିକୁ ଦୃଷ୍ଟିରେ ରଖି କିଛି ଜନହିତକର କାର୍ଯ୍ୟ କରି ପରିବର୍ତ୍ତନର ଚେଷ୍ଟା କଲେ । ବିଶେଷ କରି ସେସମୟର ବୀମ୍ସ ସାହେବ ଓ ରେଭେନ୍ସା ସାହେବଙ୍କ ନାମ ସ୍ମରଣ କରି ହେବ । ଉଭୟ ସାହେବଙ୍କ ସମୟୋପଯୋଗୀ ପଦକ୍ଷେପ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଦେଇଥିଲା ନିର୍ଭର ପ୍ରତିଶ୍ରୁତି । ଏଠାରେ ଆଉଥରେ ସ୍ମରଣ କରିବା ଉଚିତ୍ ହେବ ଯେ ଜନ ବୀମ୍ସ , ଷ୍ଟର୍ଲିଂ ସାହେବ ଓ ହଣ୍ଟରଙ୍କ ଭଳି ଇଂରେଜ ସାହେବଙ୍କ ଆବିର୍ଭାବ ଓଡ଼ିଆଙ୍କ ସଂକଟ କାଳରେ ଦେବଦୂତ ଭଳି ଆଶୀର୍ବାଦ ମନେହୁଏ । ଇଂରେଜ ହୋଇ ମଧ୍ୟ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଓ ପତ୍ନତାତ୍ଵିକ ଅଧ୍ୟୟନ କ୍ଷେତ୍ରରେ ସେମାନଙ୍କୁ ଆକୃଷ୍ଟ କରିଥିଲା । ସମୃଦ୍ଧ ଓଡିଶାର କଳାଶିଳ୍ପ ଓ ମନ୍ଦିରର କାରୁକାର୍ଯ୍ୟ ସେମାନଙ୍କୁ ବିସ୍ମିତ କରିଥିଲା । ଅବହେଳିତ ଓଡ଼ିଶାର ପ୍ରାଚୁର୍ଯ୍ୟମଣ୍ତିତ ଐତିହ୍ୟର ଅନ୍ୱେଷଣରେ ସେମାନେ ବ୍ରତୀ ଥିଲେ । ରେଭେନ୍ସାଙ୍କ ସମୟରେ ଉଚ୍ଚଶିକ୍ଷାର ସମ୍ପ୍ରସାରଣ, ସଂବାଦ ପତ୍ର ପ୍ରକାଶନ ଓ ସାମାଜିକ ଅନୁଷ୍ଠାନମାନ ସ୍ଥାପିତ ହେବା ଦ୍ବାରା ନୂତନ ଯୁଗର ଅୟାରମ୍ଭ ଘଟିଥିଲା । ଓଡ଼ିଆମାନେ ପାଶ୍ଚାତ୍ୟ ଶିକ୍ଷା ପ୍ରତି ବିମୁଖ ନହୋଇ ଆଗ୍ରହ ପ୍ରକାଶ କରିଥିଲେ ।

ବିଶେଷ କରି ସେ ସମୟରେ ପ୍ରକାଶ ପାଉଥିବା ‘ଉତ୍କଳ ଦୀପିକା’ ମାଧ୍ୟମରେ ଓଡ଼ିଆମାନଙ୍କର ସକଳ ଅଭାବ ଅସୁବିଧା ପ୍ରକାଶ କରାଯାଇ ସରକାରଙ୍କ ଦୃଷ୍ଟିକୁ ଅଣାଯାଉଥିଲା । ଉତ୍କଳ ଦୀପିକା ଭାଷା ବିଲୋପ ବିରୋଧୀ ଆନ୍ଦୋଳନକୁ ସୁସଂଗଠିତ କରି ଗଢିତୋଳିବାରେ ଏକ ଅଗ୍ରଣୀ ଭୂମିକା ନେଇଥିଲା । ସଂପାଦକ କର୍ମବୀର ଗୌରୀଶଙ୍କର ରାୟଙ୍କ ଦ୍ଵାରା ଭାଷା ଓ ସାହିତ୍ୟ ପ୍ରସଂଗରେ ଏହା ଜାଗ୍ରତ ପ୍ରହରୀ ସଦୃଶ୍ୟ କାର୍ଯ୍ୟ ନିର୍ବାହ କରିଥିଲା । ତତ୍ କାଳୀନ ଓଡ଼ିଶାର ଜାତୀୟ ଜୀବନ କ୍ଷେତ୍ରରେ ଉତ୍କଳ ଦୀପିକା ଥିଲା ଜନଜାଗରଣର ପ୍ରକୃଷ୍ଟ ବାର୍ତ୍ତାବହ ଶ୍ରେଷ୍ଠ ପତ୍ରିକା । ଉତ୍କଳ ଜାତିର ଘନ ଅନ୍ଧକାର ଦିଗନ୍ତରେ ଦୀପିକା ଥିଲା ଏକ ଅନିର୍ବାଣ ଦୀପଶିଖା । ବିଜାତୀୟ ହୀନ ଷଡ଼ଯନ୍ତ୍ରକାରୀ ବଙ୍ଗାଳୀ ମାନଙ୍କ ଭାଷା ବିଲୋପ ଯୋଜନାକୁ ପ୍ରତିରୋଧ କରିବାରେ ପ୍ରମୁଖ ଭୂମିକା ନେଇ ଶଙ୍କାକୁଳ ଓଡ଼ିଆଙ୍କ ପ୍ରାଣରେ ଆଣି ଦେଇଥିଲା ଗଭୀର ଆଶ୍ୱାସନା ଓ ସାହସ । ସେହି ସମୟରେ କଟକ ଓ ବାଲେଶ୍ଵର ଆଦି ଜିଲ୍ଲାରେ ଶିକ୍ଷିତ ଓଡ଼ିଆମାନେ ସାମାଜିକ ସଂସ୍ଥା ମାଧ୍ୟମରେ ଏକତ୍ରିତ ହୋଇ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ସେମାନେ ବୁଝିପାରି ଥିଲେ ବିନା ଏକତ୍ରିକରଣରେ ଓଡ଼ିଶାର ଆର୍ଥିକ ଓ ସାମାଜିକ ପ୍ରଗତି ଅସମ୍ଭବ ହୋଇ ପଡିବ । ଭାଷା ଆନ୍ଦୋଳନରୁ ଉତ୍ପନ୍ନ ଜାତୀୟତା ଶେଷରେ ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରିଥିଲା । ଯାହାର ମୁଖ୍ୟ ପୁରୋଧା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ।

ଉତ୍କଳ ଗୌରବ ମଧୁସୂଦନ ‘ଉତ୍କଳ ସମ୍ମିଳନୀ’ ଗଠନ କରି ଓଡ଼ିଶାର ସ୍ୱତନ୍ତ୍ର ସ୍ଥିତି ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଆପ୍ରାଣ ଲଢେଇ କରିଥିଲେ । ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଗୋଟିଏ ମଣ୍ତପରେ ଏକତ୍ରିତ ହେବାର ପରିକଳ୍ପନା ତାଙ୍କର ସାର୍ଥକ ହୋଇଥିଲା । ବର୍ଷ-ବର୍ଷ ଧରି ମୋହନିଦ୍ରାରେ ଶାୟିତ ଓଡ଼ିଆମାନଙ୍କୁ ଜାଗ୍ରତ କରିବା ନିମନ୍ତେ ଉତ୍କଳ ସମ୍ମିଳନୀର ସଭାମଞ୍ଚରୁ ସେ ଉଚ୍ଚାରଣ କରିଥିଲେ- ‘ ଜାତି ପ୍ରେମ ବହ୍ନି ପ୍ରଜ୍ଜଳିତ କର / ସ୍ୱାର୍ଥକୁ ଦିଅ ଆହୁତି / ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ / ଛାତିକୁ ମିଶାଇ ଛାତି ।’ ଏହା କେବଳ ଏକ ସାଧାରଣ ପଂକ୍ତି ନଥିଲା, ବରଂ ଥିଲା ଆତ୍ମୋପଲବ୍ଧିର ମାର୍ମିକ ଆବେଗ ପୂର୍ଣ୍ଣ ଅଭିବ୍ୟକ୍ତି । ଆତ୍ମବଳିଦାନ ଦେବାର ବ୍ୟାକୁଳ ଆହ୍ୱାନ ସମଗ୍ର ଉତ୍କଳ ବାସୀଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥିଲା- ‘ ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ / ପୂରୁବ ଗୈାରବ ପୁରୁବ ମହିମା ପଡ଼ିବ କି କେବେ ମନେ ।’ ମଧୁସୂଦନଙ୍କ ଏଭଳି ‌ଉଦ୍ବୋଧନ ଓଡ଼ିଆଙ୍କ ପ୍ରାଣସ୍ପନ୍ଦନରେ ସ୍ପନ୍ଦିତ କରିଥିଲା । ଓଡ଼ିଆ ଭାଷାର ଉନ୍ନତି ଓ ଓଡ଼ିଆ ମିଶ୍ରଣ ଭାବକୁ ଯେଉଁ କତିପୟ ଉଜ୍ଜୀବିତ କରିବାକୁ ଆଗେଇ ଆସିଥିଲେ ସେମାନଙ୍କ ମଧ୍ୟରେ ଖଲ୍ଲିକୋଟ ରାଜା ସାହେବ ହରିହର ମର୍ଦ୍ଦରାଜ, ପାରଳାର ଶ୍ୟାମସୁନ୍ଦର ରାଜଗୁରୁ, ମୟୁରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜ ଦେଓ, କେନ୍ଦୁଝରର ମହାରାଜା, ଜୟପୁର ରାଜା ବିକ୍ରମ ଦେବ ବର୍ମା, ଧରାକୋଟର ରାଜା ମଦନମୋହନ ସିଂହ ଦେଓ , ତାଳଚେରର ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ , କନିକା ରାଜା ପ୍ରମୁଖଙ୍କ ଅବଦାନ ମଧ୍ୟ ସ୍ମରଣୀୟ । ଏତତ୍ ବ୍ୟତୀତ ସୁଦାମ ଚରଣ ନାୟକ, ବ୍ରଜ ସୁନ୍ଦର ଦାସ , ହରିହର ପଣ୍ଡା, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି , ଶୋଭା ଚନ୍ଦ୍ର ସିଂହଦେଓଙ୍କ ଭୂମିକା ଅବର୍ଣ୍ଣନୀୟ । ସେତେବେଳେ ସିଂହଭୂମିର କିଶୋର ଚନ୍ଦ୍ର ଦେବ ଓଡ଼ିଆ ଭାଷା ଓ ସଂସ୍କୃତିର ପୁନର୍ଜାଗରଣ ପାଇଁ ଆହ୍ୱାନ ଦେଇ ଗାଇଥିଲେ – ଓଡ଼ିଆ ଆମ୍ଭ ମାତୃଭାଷା , ଓଡ଼ିଆ ଆମ୍ଭ ପ୍ରାଣ / ଓଡ଼ିଶା ଦେଶରେ ଜନ୍ମ ଆମର କରୁ ଟାଣ / ଆସ ଆସ ଭାଇ ମନ ପ୍ରାଣ ଦେଇ ରଖିବା ଓଡ଼ିଆ ମାନ / କହିବା ଓଡ଼ିଆ, ପଢିବା ଓଡ଼ିଆ ଗାଇବା ଓଡ଼ିଆ ଗାନ ।’

ସଂକ୍ଷିପ୍ତତା ଦୃଷ୍ଟିରୁ ବହୁ କତିପୟ ସଂଗ୍ରାମୀ , କବି, ସର୍ବୋପରି ଜାତିସ୍ମରମାନଙ୍କୁ ଉଲ୍ଲେଖ କରିବା ସମ୍ଭବ ହେଉନାହିଁ । ତା’ ସତ୍ତ୍ୱେ ସେମାନଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ଓ ରହିଛି । ଭାଷା ବିନା କୌଣସି ଜାତିର ଆତ୍ମ ପରିଚୟ ନାହିଁ । ଉନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ଆନ୍ଦୋଳନ ଘଟିନଥିଲେ ହୁଏତ ଓଡ଼ିଆ ଜାତିର ସ୍ଥିତି ଆଜି ନଥାନ୍ତା । ତେଣୁ ଏଭଳି ଏକ ମୁହୂର୍ତ୍ତରେ ପ୍ରଥମେ ମା’ ମାଟି ଓ ମାତୃଭାଷା ପ୍ରତି ଅନୁରାଗ ଜାଗ୍ରତ ହେବା ଆବଶ୍ୟକ । କାରଣ ମା’ ମାଟି ଓ ମାତୃଭାଷା ଚିର ନମସ୍ୟ.. ବନ୍ଦେ ଉତ୍କଳ ଜନନୀ..!!!

● ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫
Email: Laxmansahoo9040@gmail.com

Comments are closed.