Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଗୋଟିଏ ଜଟିଳ ପ୍ରେମ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୫

 

ଶୀର୍ଷକଟି ଠିକ୍ ନୁହଁ,ଏଇଥି ପାଇଁ ଯେ ଏଥିରେ ନୂଆ ବୋଲି କିଛି ନାହିଁ । ଏମିତିରେ ଦେଖିଲେ ପୃଥିବୀରେ ଯେତେ ଯେତେ ପ୍ରେମଗଳ୍ପ ଲେଖା ହୋଇଛି ବା ଆଗକୁ ଲେଖା ହେବ ସେ ସବୁ କେବଳ ଜଟିଳ ପ୍ରେମ କାହାଣୀ । ଜଟିଳ ଏଇଥି ପାଇଁ ଯେ ଏହି ଜାତୀୟ କାହାଣୀବିଶେଷରେ ପ୍ରେମ ବୋଲି ଯେଉଁ ଅବଧାରଣା ଟି ପ୍ରମୁଖତାର ସହ ରହିଥାଏ ତାହାଭିତରେ ସର୍ବଦା ଆମେ ନବୁଝିପାରିବା ଭଳି ଗୋଟିଏ “ଏକ୍ସ-ଫାକ୍ଟର” ରହିଥାଏ ଆଉ ସେହି ଏକ୍ସ-ଫାକ୍ଟରର କାରଣରୁ ପ୍ରେମ କାହାଣୀମାନ ଜଟିଳରୁ ଜଟିଳତର ହୋଇ ଯାଉଥାଏ । ଅବଶ୍ୟ ଯାହାକୁ ଆମେ ସରଳ ପ୍ରେମ କାହାଣୀ ବୋଲି କହିବା ସେଥିରେ ପ୍ରେମ ବୋଲି ଯେଉଁ ଲୋଡିବାପଣର କଥା ଆମକୁ ଜଣା ଅଛି ତାହା ଏକ ପ୍ରକାର କାର୍ଯ୍ୟ ଆଉ କାରଣ ପ୍ରବିଧିରେ ଅଟକି ଯାଏ ଆଉ ବିନଷ୍ଟ ହୋଇଯାଏ । ତେଣୁ ସରଳ ପ୍ରେମ କାହାଣୀ ଆଦୌ ପ୍ରେମକାହାଣୀ ନୁହଁ ।

ଅପ୍ରକଟ ଭାବ ପ୍ରେମକାହାଣୀକୁ ଗତିଶୀଳ କରୁଥାଏ,ଏହା ଆମର ଦୃଢ ବିଶ୍ୱାସ । ଏହି ନବୁଝିପାରିବା କଥାକୁ ବୁଝିବା ପାଇଁ ଟିକିଏ ଫୁଙ୍କ ଦେବାକୁ ହେଲେ ଆମକୁ କହିବାକୁ ପଡେ,ଏଇଟି ଗୋଟିଏ ଜଟିଳ ପ୍ରେମ କାହାଣୀ।

ନାୟିକା ର ନାଆଁ ୟାଓୟା ଓଶିଚି । ବୟସ ? ବୟସ କଥା ପଛକୁ ଥାଉ ।

ସପ୍ତଦଶ ଶତାବ୍ଦୀରେ ଗୋଟିଏ ଜାପାନୀ ତେଜରାତି ଦୋକାନୀର ଗୋଟିଏ ବୋଲି ଅଲିଅଳୀ ଝିଅ ସେ । ତାହାକୁ ନେଇ ଯେଉଁ ପ୍ରେମକାହାଣୀର କଥା ଏଇଠି କୁହାଯିବ ସେଥିରେ ଗୋଟିଏ ତାରିଖ ପ୍ରଥମେ ଆପଣମାନଙ୍କ ସ୍ମରଣରେ । ସେଇ ତାରିଖଟି ହେଉଛି ୧୬୮୩ ସାଲର ମାର୍ଚ୍ଚମାସର ୨୯ ତାରିଖ । ସେଦିନ ଥାଏ ସୋମବାର । ସେଦିନ ଏଇ ଜାପାନୀ କିଶୋରୀର ପ୍ରେମ କାହାଣୀର ପରିଣତି ଟି ଘଟିଥିଲା ।

ଯେହେତୁ ଏହି ପ୍ରେମକାହାଣୀଟି ନିହାତି ଏକ ଦୁର୍ଭାଗ୍ୟର ପ୍ରେମକଥା ତେଣୁ କାହାଣୀ ହିସାବରେ ଏହାକୁ ସଫଳ କରିବାର ଆବଶ୍ୟକତା ନାହିଁ । ସେଇଥିପାଇଁ ପ୍ରଥମରୁ ଆପଣମାନଙ୍କର ସ୍ମରଣରେ ୟାଓୟା ଓଶିଚି ର ପ୍ରେମକାହାଣୀର ପରିଣତି ଟି ରହିଥାଉ । ସେଦିନ ଅର୍ଥାତ୍ ୧୬୮୩ ସାଲର ମାର୍ଚ୍ଚମାସର ୨୯ ତାରିଖ ସୋମବାର ଦିନ ପ୍ରଖର ଦିବାଲୋକରେ ପ୍ରାୟ ସାଢେ ବାରଟା ସମୟରେ ବେଶ୍ କିଛି ଲୋକଙ୍କ ଉପସ୍ଥିତିରେ ନିଆଁ ରେ ତାହାକୁ ଜାଳି ଦିଆଯାଇ ଥିଲା ।

ଓଶିଚିର ପ୍ରେମକାହାଣୀରେ ନିଆଁର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପ୍ରେମକାହାଣୀର ପରିଣତି ଭଳି ଏଇ ନିଆଁର ପ୍ରସଙ୍ଗଟି ବି ଆପଣମାନଙ୍କ ସ୍ମରଣରେ ରହୁ । ଆପଣ ଏହା ଫଳରେ ଏଇ କାହାଣୀ ଭିତରେ ଥିବା ଜଟିଳତାକୁ ହୁଏତ ବୁଝିପାରିବେ ।

ଯଦି ଏମିତି କହିବା ତାହାହେଲେ ଅନ୍ୟ କାହାଣୀର କଥା ଅଲଗା ମାତ୍ର ପ୍ରେମ କାହାଣୀରେ ପରିଣତିଟି ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଯେତେ ଯାହା ପ୍ରତିକୂଳତାକୁ ପ୍ରେମକାହାଣୀର ପାତ୍ରପାତ୍ରୀମାନେ ନିଜର ପ୍ରେମକାଳରେ ଭୋଗୁଥାନ୍ତି ସେଇଠି ଜଣେ ନିରପେକ୍ଷ ଆଉ ମୂକ ଦର୍ଶକ ହିସାବରେ ଆମେ କଳକଳଛଳ ଝରଣା ପରି ଆଗକୁ ଆଗକୁ ଭାସିଯାଉଥାଉ ଗୋଟିଏ କାଗଜଡଙ୍ଗା ଭଳି ।ଆମକୁ ଗୋଟିଏ ଠାଆ ଦରକାର । ସେହି ଠାଆଟି ଗୋଟିଏ ବିନ୍ଦୁରେ ଅଟକି ଯିବା ଭଳି କଥା । ଆଶ୍ୱାସନା । ସେଇଟି ଅସଲରେ ହେଉଛି ଗୋଟିଏ ସଂପର୍କର ଠାଆ,ଯେଉଁଠି ପ୍ରେମ ଗୋଟିଏ ପରିଣତିରେ ପ୍ରତିଷ୍ଠିତ ହୋଇଥାଏ । ଆଉ ଏମିତି ଏକ ପରିଣତିରେ ପ୍ରେମ ପ୍ରତିଷ୍ଠିତ ନହେବା ଯାଏଁ ଆମର ଆଖିରେ ନିଦମାନ କୁଆଡେ ଅପନ୍ତରାରେ ହଜିଯାଇଥାନ୍ତି ।

ଆମେ ସବୁ ନିରପେକ୍ଷ ପାଠକ । ଆମେ ହଲିଲାପାଣିକୁ ଗୋଡ ବଢେଇବୁ ନାହିଁ ଅଥଚ ପ୍ରେମ କାହାଣୀର ସମସ୍ତ ଆଶା ଆଶଙ୍କା ଆଉ ଉଦବେଗ ସହିତ ଏକାନ୍ତରେ କେହି ନ ଦେଖିବା ଭଳି ଆମର ଆଖିରୁ ଲୁହକୁ ଅତି ସନ୍ତର୍ପଣରେ ପୋଛି ନେଉଥିବୁ ।

ପ୍ରେମକାହାଣୀମାନଙ୍କରେ ପ୍ରାୟତଃ ନାୟିକାମାନେ ପିଲାଦିନରୁ ଅଲିଅଳୀ ହୋଇ ବଢିଆସିଥିବା କଥା ଆମକୁ ପ୍ରାୟତଃ ଦେଖିବାକୁ ମିଳିଥାଏ । ବା ଆମେ ଆମର ନାୟକନାୟିକାଙ୍କୁ ପ୍ରେମକାହାଣୀର ପରିସର ଭିତରକୁ ଆଣିବା ବେଳକୁ ଏମିତି ମନେମନେ ନିଜ ପାଇଁ ସର୍ତ୍ତ ରଖିଥାଉ ସେମାନେ ଆଉ ଯାହାହେଉନା କାହିଁକି ଅନ୍ତତଃ ବେଶ୍ ସୁକୁମାର ଆଉ ଅଲିଅଳୀ ହୋଇ ବଢିଆସିଥିବେ । କାରଣ ଆମେ ଜାଣୁ ଯେ ସେମାନେ ପ୍ରେମରେ ପଡିବା ପରେ ଯାହା ଯାହା କକର୍ଥନା ଭୋଗିବେ ସେଇଥିପାଇଁ ସେମାନଙ୍କୁ ଆଗରୁ ଅଲିଅଳ କରି ବଢାଇବା ଅନେକ ଜରୁରୀ । ପ୍ରେମକାହାଣୀରେ ପ୍ରତିକୂଳତାମାନ ସବୁବେଳେ ଆକର୍ଷଣୀୟ । ନାୟକ ଯେତେବେଳେ ଘୋର ଅମାବାସ୍ୟାର ବର୍ଷଣମୁଖର ରାତ୍ରୀରେ ନାୟିକାକୁ ଭେଟିବାପାଇଁ ତାହାର ଘର ପାଚେରୀକୁ ଡେଇଁବା ବେଳେ ଦଉଡି ବୋଲି ଯାହାକୁ ଧରିଥିଲା ଯେତେବେଳେ ଆମକୁ ଶେଷରେ ଜଣାପଡେ ଯେ ସେଇଟା ଅସଲରେ ଗୋଟିଏ ବିଷଧର ସାପ ସେତେବେଳେ ଆମର ଛାତିର ଦୁକୁଦୁକି ଆହୁରି ବଢିଯାଏ । ପ୍ରେମ କାହାଣୀରେ ଆମର ଛାତିର ଦୁକୁଦୁକିକୁ ଆହୁରି ବଢାଇବା ପାଇଁ ଆମେ ନାୟକ ନାୟିକାକୁ ଅଳିଅଳ ରୂପରେ ବଢାଇଥାଉ । ଅନ୍ୟମାନଙ୍କ କ୍ଷେତ୍ରରେ ଯେଉଁମାନେ ପିଲାଟି ଦିନରୁ କଷ୍ଟସହିଷ୍ଣୁ ସେମାନେ ତ ସବୁ ପ୍ରତିକୂଳତା ସହ ପ୍ରଥମରୁ ଗୋଟିଏ ମୁକାବିଲାମୂଳକ ପ୍ରସ୍ତୁତିକୁ ଆପଣାର କରିନେଇଥାନ୍ତି । ସେଇଠି ସବୁକଥା ସ୍ୱାଭାବିକ। ପରିବେଶ ଜନିତ ପ୍ରତିକୂଳତାରେ ସେମିତି ଛାତିର ଦୁକୁଦୁକି ଆସିବ କାହୁଁ ?

୧୬୮୨ ସାଲର ଶେଷ ଆଡର କଥା । ଜାପାନର ଇଡୋ ସହରରେ ଗୋଟିଏ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜାପାନର ସେହି ଇଡୋ ସହରର ଆଜିକାଲିର ନାଆଁ ହେଉଛି ଟୋକିଓ । ସେତେବେଳେ ସେହି ଇଡୋ ସହରରେ ତେଜରାତି ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଜଣେ ନିହାତି ଶାନ୍ତ ସୁଧାର ବ୍ୟକ୍ତିର ଏକମାତ୍ର ଅଲିଅଳୀ କନ୍ୟା ଥିଲା ଆମର ଏଇ ଜଟିଳ ପ୍ରେମକାହାଣୀର ନାୟିକା,ୟାଓୟା ଓଶିଚି । ସହର ରେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ଓଶିଚି ଏବଂ ତାହାର ପରିବାର ଆସି ଅନ୍ୟତ୍ର ଆଶ୍ରୟ ନେଇଥିଲେ । ସେମାନଙ୍କୁ ସେତେବେଳେ ଗୋଟିଏ ସ୍ଥାନୀୟ ମନ୍ଦିରରେ କିଛିଦିନ ରହିବାକୁ ହୋଇଥିଲା । ସେହି ମନ୍ଦିର ପରିସରରେ ଆବିର୍ଭାବ ହୋଇଥିଲା ଆମର ଏଇ ପ୍ରେମ କାହାଣୀର ନାୟକ । ତାହାର ନାଆଁ ଇକୁତା

ଶୋନୋସୁକେ । ଇକୁତା ଶୋନୋସୁକେ ସେହି ମନ୍ଦିରରେ ଓଶିଚି ଭଳି ସାମୟିକ ଆଶ୍ରିତ ନଥିଲା । ସେ ସେହି ମନ୍ଦିରର ପରିସରରେ ରହୁଥିଲା । ତାହାର ବାପା ଥିଲେ ସେହି ମନ୍ଦିରର ମୂଖ୍ୟ ପୂଜକ । ଶୋନୋସୁକେର କାମ କହିଲେ ଥିଲା ଏତିକି,ମନ୍ଦିର କୁ ଯେଉଁ ଦର୍ଶନାର୍ଥୀମାନେ ଆସୁଥିଲେ ସେମାନଙ୍କୁ ଧାଡିବାନ୍ଧି ଦର୍ଶନରେ ସାହାଯ୍ୟ କରିବା ।

ଇଡୋ ସହରରେ ଘଟିଥିବା ସେସମୟର ଅଗ୍ନିକାଣ୍ଡ ର ଆଶ୍ରିତ ହିସାବରେ ସେହି ମନ୍ଦିରରେ ରହିଥିବା ସମୟରେ ଉଭୟ ଓଶିଚି ଓ ଇକୁତା ମଧ୍ୟରେ ପ୍ରେମର ଅଂକୁରଣ ହୋଇ ଉଠିଥିଲା । ସେମାନଙ୍କ ମଧ୍ୟରେ ପ୍ରେମର ଆୟୁକାଳ ଥିଲା ସେତିକି ସମୟ ଯେତେବେଳେ ଓଶିଚି ମନ୍ଦିର ପରିସରରେ ରହିଥିଲା । ସାଧାରଣତଃ ପ୍ରେମକାହାଣୀ ମାନଙ୍କରେ ନାୟକ ନାୟିକା ଭିତରୁ କେହି ଯଦି ଦୁର୍ଭାଗ୍ୟ ରୁ ଆଶ୍ରିତ ଦଶାକୁ ପ୍ରାପ୍ତ ହୋଇଥାଏ ତେବେ ସେଇଠି ପ୍ରେମର ନିବିଡତା ବେଶ୍ ଗାଢ। ଦୁର୍ଭାଗ୍ୟକୁ ମୁକାବିଲା କରିବା ପାଇଁ ନାୟକ ନାୟକଙ୍କ ପାଖରେ ପ୍ରେମ ଯେମିତି ସେଇଠି ଏକ ନିର୍ବିକଳ୍ପ ମାଧ୍ୟମ ହୋଇଉଠେ ।

ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଘର ମରାମତି ହୋଇଗଲା ପରେ ଓଶିଚି ଏବଂ ତାହାର ପରିବାର ସେହି ମନ୍ଦିର ପରିସରକୁ ଛାଡି ନିଜ ଘରକୁ ଯାଇଥିଲେ । ଏଇଠି ପ୍ରେମିକଯୁଗଳ ଭିତରେ ବିଚ୍ଛେଦଟି ପ୍ରତିଷ୍ଠିତ ହୋଇଥିଲା। ଓଶିଚି ପାଖରେ ନିଜର ପ୍ରେମିକ ଇକୁତାକୁ ସାକ୍ଷାତ କରିବା ପାଇଁ ଆଉ କୌଣସି ବିକଳ୍ପ ରହିଲା ନାହିଁ । ବିଚ୍ଛେଦର ଜ୍ୱାଳା କ୍ରମଶଃ ଅସହ୍ୟ ହେବାକୁ ଲାଗିଲା । ନିଜର ପ୍ରେମାସ୍ପଦକୁ ଭେଟିବା ପାଇଁ ଶେଷରେ ସେ ଏମିତି ଏକ ପନ୍ଥା ନେବାକୁ ମନସ୍ଥ କରିଥିଲା,ସେଇ ପନ୍ଥା,ଅବିକଳ ସେଇଭଳି ଗୋଟିଏ ପରିସ୍ଥିତିର ନିର୍ମାଣ ଯାହା ଦ୍ୱାରା ଶୋନୋସୁକୋ ସହିତ ତାହାର ପ୍ରଥମ ସାକ୍ଷାତ୍ ଏକଦା ସମ୍ଭବପର ହୋଇଥିଲା । ଅର୍ଥାତ୍ ନିଜର ପ୍ରେମ ପାଇଁ ଠିକ୍ ସେହିଭଳି ଗୋଟିଏ ଦୃଶ୍ୟର ସଂରଚନା ପାଇଁ ଓଶିଚି ନିଜର ସଦ୍ୟ ନିର୍ମିତ ଘରେ ନିଆଁ ଲଗାଇ ଦେଇଥିଲା ।

ଏହା ପରେ ଆମେ ଏହି ଜଟିଳ ପ୍ରେମକାହାଣୀର ପରିଣତି ଭିତରକୁ ପ୍ରବେଶ କରିବା।

ଜାପାନରେ ଗୃହଦାହ ଅଭିଯୋଗରେ ଏଇ କିଶୋରୀ ଓଶିଚି ର ବିଚାର ଆରମ୍ଭ ହେଲା । ସେତେବେଳରେ ସେଠିକାର ଆଇନ ଅନୁସାରେ ଗୃହଦାହରେ ଦୋଷୀସାବ୍ୟସ୍ତ ହେଲେ ଏକମାତ୍ର ଦଣ୍ଡ ମୃତ୍ୟୁଦଣ୍ଣ। ଆଉ ସେହି ମୃତ୍ୟୁଦଣ୍ଡ ଅତ୍ୟନ୍ତ ବିଭତ୍ସ । ଗୃହଦାହର ଅଭିଯୁକ୍ତକୁ ନିଆଁରେ ଜାଳି ମାରିବା ଭଳି ବର୍ବରତା ଥିଲା ସେହି ମୃତ୍ୟୁଦଣ୍ଡରେ । ଓଶିଚି ମାମଲାର ବିଚାର କରୁଥିବା ଜଜ୍ ଜଣକ ଅତ୍ୟନ୍ତ ଦୟାଳୁ ଥିଲେ । ସେ ଅନ୍ତଃକରଣରେ ଚାହୁଁ ନଥିଲେ ଯେମିତି ଓଶିଚି ଏହିଭଳି ଦଣ୍ଡ ପାଉ । ତେଣୁ ସେ ଓଶିଚିକୁ ପଚାରିଥିଲେ,”ତମର ବୟସ ଏଇଲେ ପନ୍ଦର ବର୍ଷ, ନୁହଁ ?” ଓଶିଚି ତୁରନ୍ତ ଉତ୍ତର ଦେଇଥିଲା, “ନା,ମୋତେ ଏଇଲେ ହେଉଛି ଷୋହଳ ବର୍ଷ ।” ଓଶିଚିର ଉତ୍ତରକୁ ଯେମିତି ଶୁଣିପାରିନାହାଁନ୍ତି ଠିକ୍ ସେମିତି ଆଉଥରେ ପଚାରିଥିଲେ ସେହି ବିଚାର ର ଜଜ୍,” ତମର ବୟସ ଏଇଲେ ହେବ ପନ୍ଦର ବର୍ଷ ,ମୁଁ ଠିକ୍ କହୁଛି ତ ?” ଓଶିଚି ତାହାପରେ ଉତ୍ତର ଦେଇଥିଲା,”ନା ନା ,ମୋର ବୟସ ହେଉଛି ଏଇଲେ ଷୋହଳ ବର୍ଷ।”

୧୬୮୩ ସାଲ ମାର୍ଚ୍ଚ ମାସ ର ୨୯ ତାରିଖ ଦିନ ଗୃହଦାହ ଅଭିଯୋଗରେ ସେହି ଦଣ୍ଡାଦେଶ କାର୍ଯ୍ୟକାରୀ କରାଯାଇଥିଲା। ୟାଓୟା ଓଶିଚିକୁ ସେଦିନ ନିଆଁରେ ଜାଳି ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଆମେ ଯେଉଁମାନେ ସେହି ଭଳି ଅଭିଯୋଗର ବିଚାରକରୁଥିବା ଜଜ୍ ଙ୍କ ଭଳି ପ୍ରେମକାହାଣୀମାନଙ୍କର ନାୟକ ନାୟିକାମାନଙ୍କୁ ସେମାନଙ୍କର ସମସ୍ତ ଅଭିଯୋଗରୁ ମୁକ୍ତ କରିବାକୁ ଚାହୁଁ, ସେମାନେ ବସ୍ତୁତଃ ଭାରି ଅସହାୟ ହୋଇପଡନ୍ତି । ତାହାର କାରଣ ହେଉଛି ସବୁ ପ୍ରେମ କାହାଣୀ ଜଟିଳ, ସେଇଠି ଓଶିଚି ଭଳି ଚରିତ୍ରମାନେ କାହିଁକି କେଜାଣି ପଦଟିଏ ମିଛ କହିପାରନ୍ତି ନାହିଁ ଯେ, ସେମାନଙ୍କର ବୟସ ଥିଲା ସେତେବେଳେ ପନ୍ଦର,ଷୋହଳ ନୁହଁ ।

ସେ ସମୟରେ ଜାପାନରେ ଗୃହଦାହରେ ଅଭିଯୁକ୍ତ ହେବାକୁ ହେଲେ ଜଣକର ବୟସ ଷୋହଳ ବର୍ଷ ଓ ତାହାଠାରୁ ଅଧିକ ହୋଇଥିବା ଦରକାର ।

ପ୍ରେମକାହାଣୀମାନଙ୍କୁ ଜଟିଳ କରିଦେବା ପାଇଁ ଓଶିଚି ଭଳି ସରଳ ଚରିତ୍ର ମାନେ ସବୁବେଳେ ନିଜର ଅଜାଣତରେ ଆତ୍ମଦାହ ପାଇଁ ଉପସ୍ଥିତ ରହିଛନ୍ତି । ସବୁଠି ।

Comments are closed.