ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଅଙ୍କକଷୁଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳମତ ନିର୍ବିଶେଷରେ ସମର୍ଥନ ଆସିପାରିବ ସେ ନେଇ ବିରୋଧୀ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ବିରୋଧୀ ନିଜର ରଣନୀତି ପ୍ରକାଶ କରିବା ପୂର୍ବରୁ ସରକାର କେବେ ପ୍ରାର୍ଥୀ ଘୋଷଣା କରିବେ ତାକୁ ଅପେକ୍ଷା କରିଛନ୍ତି ବୋଲି ସୂଚନା ରହିଛି।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ବିରୋଧୀ ଦଳଗୁଡ଼ିକ ଏହି ସବୁ ସମ୍ଭାବନା ଉପରେ ତର୍ଜମା କରୁଛନ୍ତି। ବିରୋଧୀଙ୍କୁ ଏକାଠି କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କ ନାମ କିମ୍ବା ରଣନୀତି ପ୍ରକାଶ କରିବା ପୂର୍ବରୁ ସରକାରଙ୍କ ଘୋଷଣାକୁ ଅପେକ୍ଷା କରିବେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି। ଏନସିପି ମୁଖ୍ୟ ଶରଦ ପାଓ୍ୱାର ବୁଧବାର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖି ଅଣ ବିଜେପି ନେତାଙ୍କୁ ଭେଟିବାକୁ ଅନୁରୋଧ କରିଛନ୍ତି। ଖୁବ୍ ଶୀଘ୍ର ସେ ତାଙ୍କୁ ଭେଟିବେ।
ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଶେଷ ହେଉଛି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଶିବସେନା ଓ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏଥର ଚିତ୍ର କିଛି ଅଲଗା। ତେବେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ବିଜେପିକୁ ମିଳିଥିବା ସଫଳତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଆମେ ସମସ୍ତ ସମ୍ଭାବନା ଉପରେ ତର୍ଜମା କରୁଛୁ। ଏହି ପ୍ରୟାସ କେତେଦୂର ସଫଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀଙ୍କ ଉଦ୍ୟମକୁ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକତା ପାଇଁ ଉଦ୍ୟମ ବୋଲି ମଧ୍ୟ କୁହାଯାଉଛି।
Comments are closed.